ଅନୁଭୂତିରେ ଶ୍ରୀଜଗନ୍ନାଥ

ମୁଁ ଅତି ମାତ୍ରାରେ ଜଗନ୍ନାଥପ୍ରେମୀ ହେଇଥିବାରୁ ପ୍ରାୟ ପ୍ରତିବର୍ଷ ରଥଯାତ୍ରାରେ ପୁରୀ ଯାଏ l ୨୦୧୫ ମସିହାର କଥା l ମୁଁ ବିଶାଖାପାଟଣାରେ ରହି ପଢୁଥାଏ l ସେଇବର୍ଷ ରଥଯାତ୍ରା କଥା ଭାବି ମୋ ମନ ଦୁ:ଖ ଥାଏ l ଭାବିଥାଏ ଏଥର ଆଉ ରଥଯାତ୍ରା ଦେଖି ହେବନି l କାରଣ କଲେଜ୍ ଛୁଟି ନଥାଏ l ଆଉ ମନ୍ଥ୍ ୱାଇଜ୍ ସେମିଷ୍ଟର୍ ବି ଚାଲିଥାଏ l ରଥଯାତ୍ରା ଆଉ ଠିକ୍ ଗୋଟିଏ ସପ୍ତାହ ଥାଏ l ରଥାରୂଢ ମହାପ୍ରଭୁଙ୍କୁ ଦର୍ଶନ କରିବାର ଇଚ୍ଛାଟା ଅଳ୍ପରୁ ଆରମ୍ଭ ହେଇ ଅତି ପ୍ରବଳ ଆଡକୁ ଗତି କଲା l ଆଉ ଅଟକେଇ ରଖି ପାରିଲିନି ମନକୁ l କେହି ଯେମିତି ମତେ ହାତ ଠାରି ଡାକିଲା ଭଳି ହଠାତ୍ ବାହାରି ପଡିଲି ଟ୍ରେନ୍ ଟିକେଟ୍ କରିବାକୁ l ରଥଯାତ୍ରା ଦିନକ ଆଗରୁ ଆସି ପହଞ୍ଚିଗଲି ଭୂବନେଶ୍ୱରରେ l ମୋ ସାଙ୍ଗ ମିତା ର ରୁମ୍ ରେ ରହିଲି ସେଦିନ l ସକାଳୁ ଉଠି ପୁରୀ ଯିବା ଖୁସିରେ ଅନ୍ୟମନସ୍କ ହେଇ ୱାଶ୍ ରୁମ୍ ଯାଉଯାଉ କରେଣ୍ଟ୍ ପଳେଇଲା l ହଠାତ୍ ମୋ ଗୋଡ ଖସିଯାଇ ମୁଁ ତଳେ ପଡିଗଲି l ଗୋଡ ବହୁତ୍ ବେଶୀ ଫୁଲି ଯାଇଥାଏ l ସମସ୍ତେ କହୁଥା’ନ୍ତି ଏବେ ସିନା ଜଣା ପଡୁନି l ହେଲେ ସକାଳକୁ ଆଉ ପାଦ ଉଠିବନି l ମୁଁ ଖାଲି କାନ୍ଦୁଥାଏ l କାରଣ ମତେ ଜଣାଥାଏ ଏତେ ଦୂରରୁ ଆସିବାଟା ମୋର ବେକାର୍ ହେଇ ସାରିଛି l ତଥାପି ସେଦିନ ରାତିରେ ପାୱାରଫୁଲ୍ ପେନକିଲର୍ ମଗେଇ ଖାଇଥାଏ l ଆଉ ମୁଭ୍ ତ ରାତିରେ କେତେଥର ଘଷିଛି ମୋର ବି ଆଉ ମନେ ନାହିଁ l ମନେମନେ ଭାରି ବିକଳ ହେଇ ଠାକୁରଙ୍କୁ ଡାକୁଥାଏ ହେ ପ୍ରଭୁ ! ମୋ ସହିତ ଏ କପଟ କାହିଁକି ? ଏତେ ବାଟରୁ ଦୌଡି ଆସିଥିଲି ତମକୁ ଟିକେ ରଥ ଉପରେ ଦେଖିବି ବୋଲି l ତମେ ଏମିତି ଅନ୍ୟାୟ କାହିଁକି କଲ ମୋ ସହିତ ? ମୁଁ ଛୋଟ ପିଲାଟା l ମୋ ଉପରେ ଅଳ୍ପ ଟିକେ ଦୟା କରିଦିଅ ପ୍ରଭୁ l କିଛି ଗୋଟେ ଚମତ୍କାର କର l ଗୋଡ ପଛେ ଏମିତି ଫୁଲିଥାଉ କିନ୍ତୁ ମୁଁ ଖାଲି ଟିକେ ଚାଲିପାରେ l ତମ ଲୀଳା ଗାଇବାକୁ କିଛି କିଛି ଉଦାହରଣ ତ ରଖିଯାଅ ପ୍ରଭୁ ! ଏଇମିତି ଭାବିଭାବି କେତେବେଳେ ନିଦ ଲାଗିଯାଇଛି ମୁଁ ଜାଣିପାରିନି l ଉଠିଲା ବେଳକୁ ସକାଳ ସାତଟା ବାଜିଲାଣି l ପାଦ ଧୀରେଧୀରେ ପକେଇଲି l ଦେଖିଲି ଚାଲିପାରୁଛି l ରୁମ୍ ଭିତରେ ଟିକେ ଚାଲିଲି l ଦେଖିଲି ଗୋଡ ଟିକେ କାଟିଲେ ବି ମୁଁ ଚାଲି ପାରୁଛି l ଆଉ ବେଶୀ ପରୀକ୍ଷାନିରୀକ୍ଷା ନକରି ସିଧା ଡ୍ରେସ୍ ଧରି ବାଥରୁମ୍ ଚାଲିଲି l ଫ୍ରେଶ୍ ହେଇ ବାହାରି ପଡିଲି ପୁରୀ ଅଭିମୂଖେ l ଧୀରେ ଧୀରେ ଚାଲିଚାଲି ଅଟୋ ଷ୍ଟାଣ୍ଡ୍ ଆଡକୁ ଯାଉଥାଏ l ଅଟୋରେ ଯାଇ ପୁଣି ବସ୍ ଧରିବାର ଥାଏ l ହଠାତ୍ କିଏ ଜଣେ ମତେ ପଛରୁ ଡାକିଲା ଭଳି ଶୁଭାଗଲା l ବୁଲିପଡି ଚାହିଁଲି ମୋର ଗୋଟେ ଅତି ଘନିଷ୍ଠ ସାଙ୍ଗ l କଥା ହେବାରୁ ଜଣା ପଡିଲା ସେ ବି ପୁରୀ ବାହାରିଛି l ସ୍କୁଟିରେ ବାହାରି ପଡିଲୁ ଆମେ ଦି’ ଜଣ l ପୁରୀ ପହଞ୍ଚିଲା ବେଳକୁ ଶ୍ରୀଜିଉ ମାନଙ୍କ ପହଣ୍ଡି ଚାଲିଛି l ପ୍ରବଳ ଭିଡ l ସୋରିଷଟେ ପକେଇଲେ ବି ସେଇଟା ତଳେ ନ ପଡି କାହା ମୁଣ୍ଡରେ ଗୋଟେ ପଡିବ l ସେଇ ଠେଲାପେଲା ଭିତରେ ମୋ ସାଙ୍ଗ କହିଲା – ଆରେ, ତୋ ବେକ କ’ଣ ଖାଲି ? ତୋ ଚେନ୍ କୁଆଡେ ଗଲା ? ଚମକି ପଡି ବେକରେ ହାତ ମାରିଲା ବେଳକୁ ଚେନ୍ କି ପେଣ୍ଡାଣ୍ଟ୍ କିଛି ବି ନାହିଁ l ସେଇ ବର୍ଷ ଜନ୍ମଦିନରେ ମା’ ଉପହାର ସ୍ୱରୂପ ଦେଇଥିବା ଚେନ୍ ଟା ଯେ ଚୋରୀ ହେଇ ସାରିଛି ଏକଥା ବୁଝିବାକୁ ଆଉ ବେଶୀ ଟାଇମ୍ ଲାଗି ନଥିଲା l ଚେନ୍ ଚୋରୀ ପରେ ଆହୁରି ମନ ଖରାପ ହେଲା l ଗୋଡଭଙ୍ଗା ଆଉ ଚେନ୍ ହଜେଇବାର ଫେଣ୍ଟାଫେଣ୍ଟି ଗାଳିଟା ଶୁଣିବାକୁ ପଡିବ ଭାବି ମୋ
ମୁହଁରୁ ହସ ଲିଭି ଯାଇଥାଏ l ଯେମିତି ଏକପ୍ରକାର ଶକ୍ତିହୀନ ହେଇ ପଡୁଥାଏ ମୁଁ l ଭିଡ ଠେଲି ରଥଯାତ୍ରା ଦେଖିବା ଆଦୌ ସମ୍ଭବ ନଥାଏ ମୋ ପାଇଁ l ଦେଖିଲି ରାସ୍ତାର ଦୁଇପାର୍ଶ୍ୱରେ ଥିବା ବଡ କୋଠା ଗୁଡିକରେ ଠିଆ ହେଇ ରଥଯାତ୍ରା ଦେଖିବା ପାଇଁ ଟିକେଟ୍ କଟା ହଉଛି l ସେଇଟାକୁ ସୁରକ୍ଷିତ ସ୍ଥାନ ଭାବି ୩୦୦ ଟଙ୍କା ଲେଖା ଦେଇ ଟିକେଟ୍ କାଟି ଆମେ ଯାଇ ସେଇଠି ବସିଗଲୁ l ସେଇଠୁ ଅତି ଭଲ ଭାବରେ ଦର୍ଶନ କରିପାରିଲି ମହାପ୍ରଭୁଙ୍କୁ l ସେ ତାଙ୍କ ବଡ ବଡ ଚକାଆଖି ମେଲି ମତେ ଦେଖୁଥିଲେ ଆଉ ମୁଁ ମୋ କୁନିକୁନି ଆଖି ମେଲି ତାଙ୍କୁ ଦେଖୁଥିଲି l ଧିରେଧିରେ ରଥ ଅତିକ୍ରମ କରିଯାଉଥିଲା l କୋଠାଗୁଡିକରୁ ଓହ୍ଲେଇ ଭକ୍ତମାନେ ରଥ ପଛେ ପଛେ ଧାଉଁଥିଲେ l ମୁଁ ବି ଓହ୍ଲେଇକି ଆସିଲି l କିନ୍ତୁ କିଛି ସମୟ ପରେ ମୁଁ ପୁଣି ପାଦରେ ଯନ୍ତ୍ରଣା ଅନୁଭବ କରିଥିଲି l ଆମେ ତରତର ହେଇ ଭୂବନେଶ୍ୱର ଫେରି ଆସିଲୁ । ଏକ୍ସ-ରେ କଲା ପରେ ଜଣା ପଡିଲା ମୋ ପାଦରେ ଗୋଟେ ହାଡ ସାମାନ୍ୟ ଫାଟିଛି । ତେଣୁ ମତେ ବାଧ୍ୟ ହେଇ ଆହୁରି ଗୋଟେ ସପ୍ତାହ ଭୂବନେଶ୍ୱରରେ ରହିବାକୁ ପଡିଥିଲା । ଆଉ ତିନି ମାସଯାଏ କ୍ରିପ୍ ବ୍ୟାଣ୍ଡେଜ୍ ସହିତ ବନ୍ଧୁ ବାନ୍ଧିବାକୁ ବି ପଡିଥିଲା ।ସେଦିନର ସେଇ ସ୍ମୃତିକୁ ମୁଁ କେବେ ଭୁଲି ପାରିବିନି । ଆଉ ପ୍ରଭୁଙ୍କୁ ଦର୍ଶନ କରି ପାରିବାର ଏ ଶ୍ରେୟ ମୁଁ ଶତପ୍ରତିଶତ ମହାପ୍ରଭୁ ଜଗନ୍ନାଥଙ୍କୁ ଦେବି । ଗୋଡର ହାଡ ଫାଟିଥିଲା ପରେ ବି ସେଦିନ ସକାଳଠୁ ନେଇ ରଥାରୂଢ ପ୍ରଭୁଙ୍କ ଦର୍ଶନ କରିବା ଯାଏ ମୁଁ ପାଦରେ କାହିଁକି ଯନ୍ତ୍ରଣା ଅନୁଭବ କରି ନଥିଲି ସେଇଟା କେବଳ ସେଇ ମହାପ୍ରଭୁଙ୍କୁ ହିଁ ଜଣା ।

ଜୟ ଜଗନ୍ନାଥ ।

ସୌଭାଗ୍ୟବତୀ ଗିରି
ପଟ୍ଟାମୁଣ୍ଡାଇ
କେନ୍ଦ୍ରାପଡା
୭୭୩୫୧୩୩୬୩୨

2 thoughts on “ପଢନ୍ତୁ ସୌଭାଗ୍ୟବତୀ ଗିରିଙ୍କ ଗଳ୍ପ ଅନୁଭୂତିରେ ଶ୍ରୀଜଗନ୍ନାଥ”
  1. ଏ ସୁନ୍ଦର ଅନୁଭୂତିକୁ ସମସ୍ତଙ୍କ ସହିତ ବାଣ୍ଟିବା ପାଇଁ ମତେ ସୁଯୋଗ ଦେଇଥିବାରୁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାତା ମନୋଜ କୁମାର ପଣ୍ଡା ଓ ସମସ୍ତ ସହ ପରିଚାଳକ ମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ୍ l

Leave a Reply

Your email address will not be published. Required fields are marked *