(ଗଳ୍ପ -ପ୍ରଥମ ବେଞ୍ଚ )
ପିଲାଦିନ,ବିଦ୍ୟାଳୟର ଅନୁଭୂତି (ପ୍ରତିଯୋଗିତା ନଂ-୧୭)

ଶିଖା ଥିଲା ପ୍ରଥମ ଧାଡିର,ପ୍ରଥମ ବେଞ୍ଚର ପ୍ରଥମ ପିଲା । ଯେତେବେଳେ ସିଏ ନବମ,ଦଶମ ପଢୁଥିଲା ପୈରପାଳିକା ଉଚ୍ଚ ବାଳିକା ବିଦ୍ୟାଳୟରେ । ପିଲାଦିନର ସ୍ମୃତି ସବୁବେଳେ
ରୋମନ୍ଥନ କରିବାକୁ ଭଲଲାଗେ । ଜୀବନର ସବୁଠାରୁ ଆନନ୍ଦମୟ କ୍ଷଣ ସେହି ପିଲାଦିନ ଯାହା କି ବିଦ୍ୟାଳୟ ଜୀବନ,ଆନନ୍ଦିତ ଓ ଶୃଙ୍ଖଳିତ ଜୀବନ ହୋଇଥାଏ । ଶିଖା ଯେତେବେଳେ ସପ୍ତମ ଶ୍ରେଣୀ ପଢୁଥିଲା ତାଙ୍କ ଗାଁ ର ମଧ୍ୟ ଇଁରାଜୀ ସ୍କୁଲରେ ନାମ ଲେଖାହୋଇଥିଲା ଆଉ ପାଠର ମୂଲ୍ୟ ତାକୁ ଜଣାନଥିଲା । ବୋର୍ଡ଼ ପରୀକ୍ଷା ବେଳେ ମାସ ସାରା ପାଲ୍ଲା ନାଚ ବୁଲିକି ଦେଖେ କାରଣ ତା କାହାଣୀ ଓ ପୂଜା ସିରିଣୀ ଖାଇବା ତାକୁ କୁଆଡେ ଭଲଲାଗେ । ଯାହା ଫଳରେ ପରୀକ୍ଷାରେ ନମ୍ବର କମ୍ ରହିଲା ପୁଣି ସହରକୁ ଯିବ ଅଷ୍ଟମ ଶ୍ରେଣୀ ପଢିବା ପାଇଁ ତେଣୁ ସରକାରୀ ବିଦ୍ୟାଳୟ ମିଳିଲା ନାହିଁ ବାଧ୍ୟ ହୋଇ ପୈରପାଳିକା ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଲା । ସେତେବେଳେ ଜାଣିଲା ପାଠର ମୁଲ୍ୟ । ନୂଆ ପିଲା ଯୋଗୁଁଅଷ୍ଟମ ଶ୍ରେଣୀର ବିଭାଗ ‘ ଖ’ ର ଶେଷ କ୍ରମିକ ସଂଖ୍ୟା ଥିଲା ଶିଖାର । ନୂଆ ବିଦ୍ୟାଳୟ,ନୂଆ ସ୍ଥାନ,କାହାକୁ ବି ସେ ଚିହ୍ନିନି ନା ଦିଦି ମାନଙ୍କୁ ନା ସାଙ୍ଗସାଥୀଙ୍କୁ ।ପ୍ରଥମ ଦିନ, ଶିଖାର ବାବା ତାକୁ ନେଇ ସ୍କୁଲରେ ଛାଡିଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ କଥା ହୋଇ ଶିଖାକୁ ବିଭାଗ ‘ ଖ’ କୁ ପଠାଇଦେଲେ ।ନୁଆ ପିଲା ତେଣୁ ଶ୍ରେଣୀର ଶେଷ ଧାଡିରେ ବସିଲା ଶିଖା । ପିଲାମାନଙ୍କ ସହ ପରିଚୟ ହେଲା ଘର ପାଖର ପିଲାମାନଙ୍କ ସହ ସ୍କୁଲକୁ ଯାଏ ତଥାପି ପଛ ଧାଡିରେ ବସେ କାରଣ ଶିଖା ଅନୁପସ୍ଥିତ ଥିବା ଦିନ ଉଚ୍ଚତା ଅନୁସାରେ ଯେହେତୁ ବସାଯାଇଥିଲା ତେଣୁ ବାଧ୍ୟହୋଇ ପଛ ବେଞ୍ଚରେ ବସିଲା ସବୁଦିନ ପାଇଁ । କିନ୍ତୁ ଶିଖାକୁ ପଛରେ ବସିବାକୁ ଭଲ ଲାଗୁ ନଥାଏ କାରଣ ପାଖ ଝିଅ ଗୁଡାକ ଲମ୍ବା ଲମ୍ବା ତା ସହ ସେମାନଙ୍କ ମନ ପାଠରେ ନଥାଏ କେବଳ ଗପ କରିବା,କଇଠ,କରୁଣା,ବରକୋଳି,ତେନ୍ତୁଳି ଆଚାର ଲୁଚି ଲୁଚି ପାଠ ପଢାବେଳେ ଖାଇବା ଇତ୍ୟାଦି ।ହେଲେ ଶିଖାକୁ ସେମାନେ ଭଲ ପାଆନ୍ତି ଯାହା ଆଣନ୍ତି ଖାଇବାକୁ ଦିଅନ୍ତି ଓ ପରୀକ୍ଷାବେଳେ ଆମକୁ ଉତ୍ତର କହିବୁ ଓ ପରୀକ୍ଷାରେ ଦେଖାଇବୁ ଉତ୍ତର ଖାତା କହିଥାନ୍ତି । ଶିଖା ହଁ କରିଦିଏ,ଶିଖାର ମଧ୍ୟ କୈଣସି ଆପତ୍ତି ନଥାଏ ଅନ୍ୟକୁ ସାହାଯ୍ୟ କରିବାରେ ।ଧିରେ ଧିରେ ଦିଦି ମାନଙ୍କର ମଧ୍ୟ ଆକର୍ଷଣର ବିନ୍ଦୁ ପାଲଟିଗଲା ଶିଖା ।ଦିଦିମାନେ ମଧ୍ୟ କହିଲେ ଆରେ ଭଲ ପିଲାଟା ସବୁ ପ୍ରଶ୍ନର ଉତ୍ତର ଦେଉଛି ସେ ପଛରେ କାହିଁକି ବସିଛି ? ସେ ତ ପ୍ରଥମ ଧାଡିରେ ବସିବା କଥା,ଉଚ୍ଚତା ମଧ୍ୟ କମ୍ ଅଛି ।ତାକୁ ଡାକି ପ୍ରଥମ ଧାଡିରେ ବସେଇ ଦିଅନ୍ତି କାହିଁକି ନା ଗୋଟିଏ ବେଞ୍ଚରେ ଛଅ ଜଣ ବସିବେ କେଉଁ ଦିନ କିଏ ହେଲେ ଅନୁପସ୍ଥିତ ଥାଆନ୍ତି ଯେଉଁ ଦିନ ସମସ୍ତେ ଉପସ୍ଥିତ ଥାଆନ୍ତି ସେଦିନ ଶିଖା ପଛରେ ବସେ । ପ୍ରଥମ ଧାଡିରେ ବସିଥିବା ପିଲା କେହି ବି ପଛକୁ ଯିବାକୁ ନାରାଜ କାରଣ ସେମାନେ ପ୍ରଥମ ବେଞ୍ଚର ଗୁରୁତ୍ବ ଭଲଭାବରେ ଜାଣିଥାନ୍ତି ।ଅବଶ୍ୟ ପ୍ରଥମ ବେଞ୍ଚରେ ବସିଲେ ଦିଦିଙ୍କ ପାଠ ଶୁଣିବା ଓ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ହୋଇଥାନ୍ତି ,ନହେଲେ ଗାଳି ପଡେ, ଗପକରିବା ତ ପ୍ରଶ୍ନ ହିଁ ଉଠୁନି ତଥାପି,ପଛକୁ ଯିବାକୁ ଚାହାନ୍ତି ନାହିଁ । ପରୀକ୍ଷା ସମୟରେ କ୍ରମିକ ନଂ ଅନୁସାରେ ବସାଯାଏ ସାଙ୍ଗମାନେ ଉତ୍ତର ପଚାରିଲେ ପାଟିହୁଏ ପୁଣି ଶିଖାକୁ ଉଠାଇ ଦିଦିଙ୍କ ପାଖରେ ପ୍ରଥମ ବେଞ୍ଚରେ ବସେଇ ଦିଆଯାଏ ,ଏବେ ତୁ ଚୁପ୍ ଚାପ୍ ତୋ ଉତ୍ତର ଲେଖେ ବୋଲି । ଶିଖାର ଦକ୍ଷତା ଓ ଜ୍ଞାନ ତାକୁ ସବୁବେଳେ ପଛରୁ ଆଗକୁ ଟାଣିନେଇଯାଏ ବୋଲି ଶିଖା ହୃଦୟଙ୍ଗମ କରିପାରିଥିଲା ସେ ପ୍ରଥମ ବେଞ୍ଚର ଗୁରୁତ୍ବକୁ ବୁଝିପାରିଥିଲା । ତାପର ବର୍ଷ ଅର୍ଥାତ୍ ନବମ ଶ୍ରେଣୀରେ ବିଭାଗ ‘କ’ ର ପ୍ରଥମ ବେଞ୍ଚର ପ୍ରଥମ ପିଲା ପାଲଟି ଯାଇଥିଲା ସେହିପରି ଦଶମ ଶ୍ରେଣୀ ମଧ୍ୟ ପ୍ରଥମ ବେଞ୍ଚରେ କଟିଥିଲା । ସବୁବେଳେ ବ୍ୟକ୍ତିକୁ ତାର ଜ୍ଞାନ,ଦକ୍ଷତା ,ସାଧନା ଓ ପରିଶ୍ରମ ତାକୁ ସବୁବେଳେ ଆଗକୁ ଟାଣି ନେଇଯାଇଥାଏ ।ଭାଗ୍ୟବଶତଃ ପଛରେ ରହିଗଲେ ମଧ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥାଏ ।
ସୁଧାଞ୍ଜଳି ମିଶ୍ର,ବ୍ରହ୍ମପୁର(ଗଂଜାମ )

Leave a Reply

Your email address will not be published. Required fields are marked *