🌹 ଭାଗ୍ୟରେ ଥିଲେ ଶ୍ରୀ ଜଗନ୍ନାଥ ଦର୍ଶନ ମିଳେ 🌹
….. . . . . . . . . . . . . . . . . . . . . . . . . . . . . . . …
ଯେ ଭାବକୁ ନିକଟ ଅଭାବକୁ ଦୂର ସେହି ପରମ ଆରାଧ୍ଯ ପୁରୁଷୋତ୍ତମ ଲୀଳାମୟ ଜଗତକର୍ତ୍ତା କଳା ଠାକୁରଙ୍କ ଅବିଶ୍ବସନୀୟ ଚମତ୍କାରିତା ବର୍ଣ୍ଣନା କରିବା ମୋ ପକ୍ଷେ ଏକ ଧୃଷ୍ଟତା କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ କୃପା ଦୃଷ୍ଟି ଯାହା ଉପରେ ପଡିଛି ସେ ପରମ ସୌଭାଗ୍ଯର ଅଧିକାରୀ ହୋଇପାରିଛି । କେତେବେଳେ ଅମୀର ଫକୀର ତ କେବେ ଗରୀବ ଅସହାୟ ପୁଣି ଅଚଳାଚଳ ଧନଦଉଲତର ମାଲିକ ହୋଇ ଜୀବନ ବିତାଇଛି । ଜ୍ୟୋତିହୀନ ଆଖିର ଲୁହ ଧାର ଶୁଖୁନଥିବା ନେତ୍ରରେ ସୁନ୍ଦର ଦୁନିଆ ଦେଖିବାର ଆଲୋକ ପ୍ରଦାନ କରିଛନ୍ତି ପୁଣି ଅହଙ୍କାର ଚୂର୍ଣ୍ଣ କରି ନିଜର ଶରଣାପନ୍ନ କରିଛନ୍ତି । ସେହି ସର୍ବ ନିୟନ୍ତା ପ୍ରଭୁ ଅନ୍ତର୍ଯ୍ୟାମୀ ସମସ୍ତ ଅନ୍ତରର ଭାବାବେଗକୁ ବୁଝି ପାରନ୍ତି ।
ପଚିଶ ବର୍ଷ ତଳେ ସେଦିନ ସେହି ଦାରୁବ୍ରହ୍ମ ଜଗନ୍ନାଥଙ୍କ ଉପରେ ଭରସା ରଖି ରେଭେନ୍ସା କଲେଜ, କଟକରୁ କେତେଜଣ ସାଙ୍ଗ ସାଥି ହୋଉ ଟ୍ରେନରେ ବସି ଶ୍ରୀକ୍ଷେତ୍ର ପୁରୀ ଯାତ୍ରା କଲୁ । ଶେଷ ବର୍ଷ ପିଜି ପରୀକ୍ଷା ଆଉ ମାତ୍ର ଏକ ମାସ ବାକି ଥାଏ । ସେଦିନ ଏକ ଛୁଟି ଦିନ ଥାଏ, ସକାଳୁ ମୋର ଜଣେ ଅତି ଘନିଷ୍ଠ ବନ୍ଧୁ ହଷ୍ଟେଲ୍ ରୁମକୁ ଆସି ପୁରୀ ଯିବା କଥା କହିଲା । ମୁଁ ଟିକେ ଆର୍ଥିକ ଅନଟନ ହେତୁ ଅପ୍ରସ୍ତୁତ ହୋଇପଡିଲି , କାରଣ ମୋ ପାଖରେ ସେତେବେଳେ ମାତ୍ର ଶହେ ଟଙ୍କା ଥିଲା , ଘରର ପରିସ୍ଥିତିକୁ ନେଇ ଘରୁ ବିଶେଷ ଟଙ୍କା ପଇସା ମାଗିପାରୁନଥାଏ । ଘରୋଇ ଟ୍ୟୁସନ୍ କରି ହଷ୍ଟେଲରେ ରହି ପଢୁଥାଏ । ମନେମନେ ଭାବିଲି , ଯଦି ପୁରୀ ଯିବା ଆସିବାରେ ସେହି ଶହେ ଟଙ୍କା ଖର୍ଚ୍ଚ ହୋଇଯିବ ତେବେ ପରୀକ୍ଷା ସମୟରେ ହୁଏତ ଅନେକ ଅସୁବିଧା ହୋଇପାରେ ।
ମୋ ଆଡକୁ ସାଙ୍ଗ ଅନାଇ କହିଲା -ଟଙ୍କା ପଇସା କଥା ଜମା ଚିନ୍ତା କରନି । ସବୁ ଠିକ୍ ହୋଇଯିବ । ଗଲା ବେଳେ ହଷ୍ଟେଲରୁ ଖାଇକି କଟକ ପୁରୀ ପାସେଞ୍ଜର ଟ୍ରେନ୍ ରେ ଯିବା, ରେଭେନ୍ସା କଲେଜ ପିଲା ତେଣୁ ଟ୍ରେନ୍ ଟିକଟ ଦରକାର ପଡିବନି । ପୁରୀରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ ପରେ ଅବଡା ଖାଇ , ସମୁଦ୍ର କୂଳରେ ଟିକେ ବୁଲି ପୁଣି ଟ୍ରେନରେ କଟକ ଫେରିବା । କଥାଟା ଯେତେ ମନକୁ ସହଜ ଲାଗୁଥାଏ, ସେତିକି ମନରେ ପ୍ରଶ୍ନ ସୃଷ୍ଟି କରୁଥାଏ । ବନ୍ଧୁର କଥା ରକ୍ଷାକରି ମୁଁ ତରତର ହୋଇ ସବୁ କାର୍ଯ୍ୟସାରି ବାହାରି ପଡିଲି ।
ସମସ୍ତ ବନ୍ଧୁମାନଙ୍କ ମନରେ ଅଫୁରନ୍ତ ଆନନ୍ଦର ଲହରୀ । ସାଙ୍ଗ ହୋଇ ଶ୍ରୀକ୍ଷେତ୍ର ଧାମ ପୁରୀ ଯାଉଛୁ ପ୍ରଭୁ ଭକ୍ତବତ୍ସଳ କଳା ଠାକୁରଙ୍କ ଦର୍ଶନ ପାଇଁ । ମନଟା ଭକ୍ତିପୂର୍ଣ୍ଣ ଭାବାବେଗରେ ଆନ୍ଦୋଳିତ ହୋଇଗଲା । ବିନା ଟିକେଟ୍ ରେ ଟ୍ରେନ୍ ରେ ବସି ପାଠପଢିବାକୁ କଲେଜ ଆସିବା ଜାଣି ମଧ୍ଯ ଟି.ଟି.ଆଇ ଆମକୁ ଛାଡି ଦେଉଥିଲେ । କିନ୍ତୁ ବିନା ଟିକେଟ୍ ରେ ପୁରୀ ବୁଲି ଯିବା ଏହା ହୁଏତ ଅସୁବିଧା ପକାଇପାରେ । ମୋ ଛାତି ଧଡପଡ୍ ହେଉଥାଏ ଯାହା ହେଉ କୌଣସି ଅସୁବିଧା ନ ଥାଇ ପୁରୀ ଷ୍ଟେସନ ରେ ଓହ୍ଲାଇ ଶ୍ରୀ ମନ୍ଦିର ଆଡକୁ ତରତର ହୋଇ ଚାଲିବା ଆରମ୍ଭ କଲୁ ।
ବଡଦାଣ୍ଡର ଧୂଳି ମୁଣ୍ଡରେ ଲଗାଇ ଶ୍ରୀମନ୍ଦିରେ ଫରଫର ଉଡୁଥିବା ପତିତପାବନ ବାନାକୁ ଅନାଇ ହାତ ଟେକି ପ୍ରଣାମ କଲି ପ୍ରଭୁ ଜଗାକାଳିଆକୁ । ସମୟ ସେତେବେଳେକୁ ମଧ୍ୟାହ୍ନ ବାରଟା ପ୍ରାୟ । ବଡଦାଣ୍ଡ ପରେ ସିଂହଦ୍ଵାର ପାଖରେ ଯେତେବେଳେ ପହଞ୍ଚିଗଲୁ ମୋ ଦେହରେ ଏକ ଅପୂର୍ବ ଶିହରଣ ଖେଳିଗଲା । ସତେଯେମିତି ବୃନ୍ତଚ୍ୟୁତ ଶିମିଳି ତୂଳା ପବନରେ ଉଡିଲା ପରି ମନଟା ସେହିପରି ପ୍ରଭୁଙ୍କ ଦର୍ଶନ ପାଇଁ ଉଡୁଥାଏ ।
ସିଂହଦ୍ଵାରେ ମୁଣ୍ଡିଆ ମାରି ବାଇଶି ପାହାଚ ପାଖରେ ପାଦ ଥୋଇବା ପୂର୍ବରୁ ମୁଣ୍ଡ ନୁଆଁଇ ପ୍ରଣାମ କରି ଗଢି ଗଲି । ସତରେ ଅମୃତମୟୀ ମା’ର କୋଳରେ ମଥା ରଖିଲା ପରି ମୋତେ ଲାଗିଲା । ଆଖିରୁ କେଇ ଟୋପା ଆନନ୍ଦ ଅଶ୍ରୁ ଝରିପଡିଲା । ସତରେ କ’ଣ ମୁଁ ପ୍ରଭୁଙ୍କୁ ଦର୍ଶନ କରି ପାରିବି ? ମନ୍ଦିର ମଧ୍ୟରେ କୋହ ଚାପି ଆଗକୁ ଠାକୁର ଦର୍ଶନ ପାଇଁ ତରବର ହୋଇ ଠେଲାପେଲା ଭିଡ ଭିତରେ ମାଡ଼ି ଚାଲିଲୁ । ଅରୁଣସ୍ତମ୍ଭ ନିକଟରେ ପହଞ୍ଚି ହାତ ଯୋଡି ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଣାମ କଲି । ହେଲେ ସେତେବେଳକୁ ପ୍ରଭୁଙ୍କ ପହଡ ପଡିଯାଇଥିଲା । ପୁଣି ଆଖି ତଳେ ଛଳ ଛଳ ହୋଇ କେଇଟୋପା ଲୁହ ଜକେଇ ଆସିଲା । ହଠାତ୍ କେହି ଜଣେ ସାଙ୍ଗ ପଛପଟୁ ଡାକି କହିଲା ଆସ ଆମେ ବାହାରେ ଟିକେ ବୁଲାବୁଲି କରି ଆସିବା, ସେତେବେଳକୁ ପହଡ ଫିଟି ଥିବ, ଠାକୁର ଦର୍ଶନ କରିବା ।
ସମସ୍ତେ ତା କଥା ମାନି ବୁଲିବାକୁ ଗଲେ ହେଲେ ଆମେ ଦୁଇଜଣ ସାଙ୍ଗ ମନ୍ଦିର ବେଢାରେ ବସି ଥାଇ ପ୍ରଭୁଙ୍କ ଆଡକୁ ଅନାଉଥିଲୁ କେତେବେଳେ ପହଡ ଫିଟିବ । ଏତେ ମନ ନେଇ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି ହେଲେ ଦର୍ଶନ ନ କରି ଫେରି ଗଲେ କଣ ଭଲ ହେବ? ଅନ୍ତର୍ଯ୍ୟାମୀ ପ୍ରଭୁ ଭାବଗ୍ରାହୀ ଭାବର କଥା ହୁଏତ ଜାଣିଲେ । ମାତ୍ର ଦଶ ପନ୍ଦର ମିନିଟ୍ ପରେ ହରି ବୋଲ ହୁଳହୁଳି ଶବ୍ଦରେ ମନ୍ଦିର ପ୍ରକୋଷ୍ଠ କମ୍ପି ଉଠିଲା । ପ୍ରଭୁଙ୍କର ଏକ ବିଶେଷ ନୀତିକାନ୍ତି ପରେ ପହଡ ଫିଟିଲା । ହାତଯୋଡି ପ୍ରଭୁଙ୍କ ଶରଣାପନ୍ନ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କଲି । ଭକ୍ତମାନଙ୍କ ଭିଡ ଭିତରେ ଆଗକୁ ଆଗେଇ ଯିବାର ଏକ ଅଲୌକିକ ଶକ୍ତି ଟାଣି ନେଲା ପରି ମୁଁ ଟାଣି ହୋଇଯାଉଥାଏ । ସାହାଣ ମେଲା ପାରି ହୋଇ ରତ୍ନ ସିଂହାସନ ସ୍ପର୍ଶ ପୂର୍ବକ ପ୍ରଭୁଙ୍କ ଚାରି ପଟେ ପରିକ୍ରମା କରି ଭାବବିନୋଦିଆ ମୟୂରଚୁଳିଆ ଚକାଆଖିକୁ କେଇଟା ମୁହୂର୍ତ୍ତ ଅପଲକ ନେତ୍ରରେ ଚାହିଁ ରହିଲି ।
ବାଞ୍ଛାନିଧି କଳ୍ପତରୁ ତଳେ ବସି ସବୁ କାମନା ପୂର୍ଣ୍ଣ ହେଲା ପରି ମୋ ମନସ୍କାମନା ପୂର୍ଣ୍ଣ କରି ଥିବାରୁ ପ୍ରଭୁ କାଳିଆ ଠାକୁରଙ୍କୁ ଶତକୋଟି ପ୍ରଣାମ କଲି । ଭାବ ସମୁଦ୍ରରେ ତରୀଟି ଅଦୃଶ୍ଯ ହେଲା ପରି କେତୋଟି ମୁହୂର୍ତ୍ତରେ ମୁଁ ମଧ୍ଯ ନିଜକୁ ହଜାଇ ଦେଇଥିଲି ସେହି ଭାବଗ୍ରାହୀର ଭାବରେ ।
ମୁଣ୍ଡରେ ଶିଖିଚୁଳ,ହାତରେ ଶଙ୍ଖ ,ଚକ୍ର ,ଗଦା ଓ ପଦ୍ମ ଶୋଭିତ ସୌମ୍ୟକାନ୍ତିଯୁକ୍ତ ସେ ନୟନଠାଣୀ , ମନ୍ଦସ୍ମିତ ହାସ୍ୟ ଅଧରକୁ ଚାହିଁ ଦେଲା ପରେ ତଲୀନ ମନ ମୋର ବିଲୀନ ହୋଇଗଲା ପ୍ରଭୁଙ୍କ ଦର୍ଶନରେ । ଅପୂର୍ବ ଏକ ଭାବାବେଗରେ ମୁଁ କେବଳ ଚାହିଁ ରହିଥାଏ ସେହି ପରମ ପ୍ରେମମୟ କଳା ଠାକୁର ଜଗନ୍ନାଥଙ୍କୁ।
କିଛି ସମୟ ପରେ ପଛପଟୁ ମୋ ହାତକୁ ଧରି ସାଙ୍ଗ ଟାଣିଆଣିଲା । ଚାଲ୍ ବହୁତ ସମୟ ହେଲାଣି ଅନ୍ୟ ସାଙ୍ଗ ମାନେ ଆମକୁ ଖୋଜୁଥିବେ । ପୁଣି ଥରେ ଆଖି ପୁରାଇ ପ୍ରଭୁଙ୍କୁ ଦେଖି ଫେରିଆସିଲୁ ସିଂହଦ୍ଵାର ପାଖକୁ ।
ସେତେବେଳେକୁ ବୁଲାବୁଲି ସାରି ଅନ୍ୟସାଙ୍ଗମାନେ ଖୁବ୍ ବ୍ୟସ୍ତ ହେଉଥାନ୍ତି ଷ୍ଟେସନକୁ ଯାଇ ଟ୍ରେନ୍ ଧରିବାକୁ । ଟ୍ରେନ୍ ଛାଡିବାକୁ ମାତ୍ର ଅଧଘଣ୍ଟାଏ ବାକି ଥାଏ । ତଥାପି ମୁଁ ସେମାନଙ୍କୁ କହିଲି ପୁରୀ ଆସିଲ ହେଲେ, ଜଗନ୍ନାଥଙ୍କୁ ଦର୍ଶନ କରି ଯାଅ । ମୋ କଥାଶୁଣି ସାଙ୍ଗମାନେ କହିଲେ -ଜଗନ୍ନାଥ ଦର୍ଶନ ଆମ ଭାଗ୍ୟରେ ନାହିଁ । ତୁ ଦର୍ଶନ କଲୁ ତୋର ବଡ ଭାଗ୍ଯ । ଆଉ ବେଶି ଡେରି କରନି, ଟ୍ରେନ୍ ଛାଡି ଦେଲେ ଆମେ ସବୁ ହଇରାଣ ହୋଇଯିବା ।
ସତକୁ ସତ ପୁରୀ ଷ୍ଟେସନ ରେ ଟ୍ରେନ୍ ରେ ବସିବାର ମାତ୍ର କେଇ ମିନିନଟ୍ ପରେ ଟ୍ରେନ୍ ଛାଡିଲା କଟକ ଅଭିମୁଖେ । ଆମେ ସମସ୍ତେ ପୁଣି ଥରେ ହାତଯୋଡି ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରି ଖୁବ୍ ଜୋର୍ ରେ ଜୟଜଗନ୍ନାଥ କହିଲୁ l
ସହଦେବ ବେହେରା, (ଶିକ୍ଷକ )
ମଙ୍ଗରାଜପୁର, ଆନନ୍ଦପୁର, କେନ୍ଦୁଝର
809 total views, 1 views today
Thank you very much, the founder cum secretary, SURYODAYA LITERARY FOUNDATION for posting of my story. Jay JAGANNATH