ଅନୁଭୁତିରେ ଜଗନ୍ନାଥ
~~~~~~~~~~
ଶ୍ରୀ ଜଗନ୍ନାଥ ଭାବ ବିନୋଦିଆ ,ଭାବର ଠାକୁର । ସିଏ ଜାତିଭେଦ ଠାରୁ ଉର୍ଦ୍ଧ୍ଵରେ ,ସେ ନିର୍ଗୁଣ,ସିଏ ନିର୍ବିକାର ।ସର୍ବ ଦେବଦେବୀଙ୍କ ମଧ୍ୟରେ ଏକ ମାତ୍ର ଲୌକିକ ଦେବତା ହେଉଛନ୍ତି ଶ୍ରୀ ଜଗନ୍ନାଥ ।ସିଏ କରୁଣାର ଅବତାର । ସେଇ କରୁଣାରୁ କାଣିଚାଏ ପାଇବାପାଇଁ ନିଜକୁ ସମର୍ପି ଦେବାପାଇଁ ସେଇ ବିଶ୍ୱନିୟନ୍ତାଙ୍କ ଚରଣ ପାଖକୁ ଆମେ ପାଗଳ ପରି ଧାଇଁ ଯାଉ । ମୁଁ ବହୁତ ଥର ସେଇ କାଳିଆ ଠାକୁର ଚକାନୟନକୁ ଟିକେ ଆଖି ପୂରାଇ ଦେଖିବାକୁ,ଆଉ ମୋ ଗୁହାରୀ ଜଣାଇବାକୁ ପୁରୀ ଯାଇଛି । ପ୍ରାୟ ପ୍ରତିବର୍ଷ ଯାଏ । ଏମତି ଅନୁଭବ ବହୁତ ଅଛି । ହେଲେ ସେ ପରା ହଟିଆ ଠାକୁର,ହଟ ନ ଦେଖେଇଲେ ଏତେ ଶୀଘ୍ର କଣ ତୁମକୁ ଦେଖାଦେବେ ?ସେଇଥିପାଇଁ କଥାରେ ଅଛି,କଷ୍ଟ କଲେ କୁଷ୍ଣଙ୍କୁ ପାଇବ । ଗୋଟିଏ ଅନୁଭୂତି କହୁଛି । କେତେ ବର୍ଷ କଥା ହେବ ପ୍ରାୟ ମନେ ନାହିଁ । ମୁଁ ଆଉ ମୋ Mr. ପୁରୀ ଯାଇଥାଉ । ସେତେବେଳେ ଏବେ ଭଳି ଭିଡ଼ ନ ଥାଏ । ଆରାମରେ ଯାଇ ଦର୍ଶନ କରି ହେଉଥିଲା ଆଉ ସେଇ ଭିତର କାଠ ର ଟିକିଏ ପଛକୁ ଚାହିଁଲେ ବସି ହେଉଥିଲା ,ଯେଉଁଠି ହୁଣ୍ଡି ବାକ୍ସ ଅଛି । ଆମେ ଦୁଇଜଣ ସେଠି ବହୁତ ସମୟ ବସିରହି ପ୍ରାର୍ଥନା କରୁଥାଉ । ମୁଁ ମନେ ମନେ ଭାବୁଥାଏ ,ସେଇ ରତ୍ନ ସିଂହାସନ ପାଖକୁ କେମିତି ଯାଆନ୍ତି,ଆଉ କାଳିଆକୁ ଟିକିଏ ପାଖରେ ଦେଖନ୍ତି । ସେଇ ସିଂହାସନକୁ ଛୁଅଂନ୍ତି । ତାଙ୍କ ପାଦ ତଳୁ ଛଡା ଫୁଲଟିଏ ଆଣିବାକୁ ଭାରି ଇଛା ହେଉଥାଏ । ମନେ ମନେ ଡାକୁଥାଏ,ହେ ଠାକୁରେ ମୋ ଆଶା ଟିକିଏ ପୂର୍ଣ୍ଣ କରନ୍ତ ନାହିଁ । ସତରେ କି ବିଚିତ୍ର ସେ ଅନୁଭୂତି । ଠିକ ସେଇ ସମୟରେ ଘୋଷଣା ହେଲା ଯେ ,ଯିଏ ଭିତରକୁ ଦର୍ଶନ କରିବାକୁ ଯିବେ,ସିଏ ଟିକଟ କାଟି ଧାଡି ବାନ୍ଧି ଠିଆ ହୁଅ ।ବାବୁ ଆମର ଗଲେ ଟିକଟ କାଟିବାକୁ
ସେଠି ମନାକଲେ ଆଉ ଟିକଟ ନାହିଁ । ମନ ଭାରି ଦୁଃଖ ଲାଗୁଥାଏ । ମନେ ମନେ କହୁଥାଏ ତୋତେ ଦେଖିବି ପୁଣି ପଇସା ଦେଇ । ୟାଙ୍କୁ ସେଇଆ କହିଲି ,ସିଏ ଟିକିଏ ବିରକ୍ତ ହୋଇ କହିଲେ ସମସ୍ତେ ତ ପଇସା ଦେଇ ଯାଉଛନ୍ତି ଦର୍ଶନ କରିବାକୁ ,ତୁ କଣ ଏମିତି କହିଛୁ । ପୁଣି ବାବୁ ଗଲେ ଆଉଥରେ ଟିକେଟ କାଉଣ୍ଟରକୁ । କହିଲେ ,ଦେଖ ଯଦି ଦୁଇଟା ଟିକେଟ ଅଛି,ଦିଅ ଆମେ ଦର୍ଶନ କରିବୁ । ଜଣେ ସେଠି ଠିଆ ହୋଇଥିଲେ,କହିଲେ ଚେଷ୍ଟା କର ତାଙ୍କୁ ଦୁଇଟା ଟିକେଟ ଦେବାକୁ । ସିଏ ତାଙ୍କର ଚିହ୍ନା ପରିଚୟ ଥିଲା କି କଣ ,କି ଠାକୁରଙ୍କ ନିର୍ଦେଶ ହେଲା ବୋଧହୁଏ ଆମକୁ ଦୁଇଟା ଟିକେଟ ଦେଲେ । ଓଃ କି ଆନନ୍ଦରେ ବିଭୋର ହୋଇଗଲି,ସତରେ ମୁ ତୋ ପାଖକୁ ଯିବି କାଳିଆ,ସେ ପର୍ଯ୍ୟନ୍ତ ବି ମୋର ବିଶ୍ୱାସ ନ ଥାଏ ।ଯାହାହେଉ ଧାଡିରେ କେତେ ସମୟ ଅପେକ୍ଷା କଲାପରେ ଆମ ପାଳି ପଡିଲା ଭିତରକୁ ଯିବାପାଇଁ ।ତାକୁ ଦେଖିବାପାଇଁ ମୋ ଆଖିରେ ଆଉ କିଛି ଦେଖାଯାଉ ନଥାଏ। ଲୁହ ଭର୍ତ୍ତି ଆଖିରେ ତୋତେ କେମିତି ଦେଖିବି । କିନ୍ତୁ ମୋର ସବୁ ଆଶା ପୂର୍ଣ୍ଣ ହେଲା । ତାଙ୍କ ସିଂହାସନ ଛୁଇଁଲି,ସିଂହାସନ ଚାରିପାଖରେ ପ୍ରଦକ୍ଷିଣ କଲି,ଆଉ ଆଶୀର୍ବାଦ ଫୁଲ ବି ଆଣିଲି । ସେଥିପାଇଁ ମୋ ଶରୀରକୁ ବହୁତ କଷ୍ଟ ହୋଇଥିଲା ସେଇ ଭିଡାଭିଡ଼ିରେ । କିନ୍ତୁ ସେଇ ବାଙ୍କଚାହାଣୀ କାଳିଆକୁ ଦୁର୍ଲ୍ଲଭ ଦର୍ଶନ କରି ମୋ କଷ୍ଟ ଲାଘବ ହୋଇଯାଇଥିଲା । ପୁଣି ବି ଆଉ ଗୋଟେ ବର୍ଷ ସେଇ ଭିତରେ ଯାଇ ଦର୍ଶନ କରିଥିଲି । ତାକୁ ଯେତେ ଦେଖିଲେ ବି ଯେମିତି ଲାଗେ ,ଆହୁରି କିଛି ଅପୂର୍ଣ୍ଣ ରହିଗଲାକି ?
ସେ ତ ଭାବ ବିନୋଦିଆ କଳା ଠାକୁର
ତାକୁ ବର୍ଣ୍ଣନା କରିବା ଭାରି କାଠିକର ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର
503 total views, 1 views today