ବିଷୟ – *ଅନୁଭୂତିରେ ଶ୍ରୀ ଜଗନ୍ନାଥ*
ଶୀର୍ଷକ – କାଳିଆର କୁହୁକ
ସତରେ ଲୀଳାମୟଙ୍କ ଏ ସୃଷ୍ଟି ବଡ଼ ବିଚିତ୍ର ! କାହାକୁ କୋଉଠି ନେଇ ରଖିଦେଇଥିବେ ସେ କଥା କେବଳ ତାଙ୍କୁ ହିଁ ଜଣା । ଏଇ ଯେମିତି ଲୋକେ କହନ୍ତି କାଳିଆର ଡୋରୀ ନ ଲାଗିବା ଯାଏଁ ଭକ୍ତ ପୁରୀ ଧାମକୁ ଯାଇପାରେ ନାହିଁ । ବାସ୍ତବିକ୍ ଏହା ସତ୍ୟ ବୋଲି ମଧ୍ୟ ମନେ ହୁଏ ।ଅନୁଭୂତିରେ ପ୍ରଭୁ ଶ୍ରୀ ଜଗନ୍ନାଥ… ଆହା କି କୋମଳ , କରୁଣ ତାଙ୍କ ଚାହାଣୀ … ଦୟା ପରବସ ହୋଇ ଭକ୍ତ ସହ ମନ ମିଳାଇବା ପାଇଁ ଚାହିଁ ବସିଥାନ୍ତି । ସତେ ଯେମିତି ଦୁଇ ଧାର ଲୁହ ଝରି ଆସିବ ଭକ୍ତ ଚକ୍ଷୁରୁ । ଯେତେବେଳେ ମୁଁ ତୃତୀୟ ଶ୍ରେଣୀରେ ପଢ଼ୁଥିଲି ସେବେଠୁ ମୁଁ ସେହି ଅଦୃଶ୍ୟ ସତ୍ତାଙ୍କୁ ଅନୁଭବ କରିଛି । ଭାବର ଆଦାନ ପ୍ରଦାନ ବି ଢେର୍ କରିଛି । ପବିତ୍ର ବାହୁଡ଼ା ଦଶମୀ ତିଥିରେ ଆମ ଘର ସାମ୍ନାରେ ଯେତେବେଳେ ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହୋଇଥାନ୍ତି ଠିକ୍ ସେତିକିବେଳେ ମୋର ଭଉଣୀ ଟିଏ ହେଲା । ଅନେକ ଭକ୍ତଙ୍କ ମେଳ। ସେଦିନ ସକାଳୁ ଜେଜେ ମାଆ କହିଥିଲେ ଯେ ମୋର ଭାଇ କି ଭଉଣୀ ଟିଏ ଆସିବ । ମୁଁ ବହୁତ ଖୁସି ହୋଇ ତା ପାଇଁ ପ୍ଲାଷ୍ଟିକ ଝୁମୁକା ଟିଏ କିଣିଥିଲି । ସମସ୍ତେ ପୁଅ ଟିଏ ପାଇଁ ଆଶା ରଖିଥିବାବେଳେ ଠାକୁରଙ୍କୁ ମୁଁ ଡାକୁଥାଏ ଯେ ମୋର ଭଉଣୀ ଟିଏ ହିଁ ହଉ । ଆଉ ଠାକୁରେ ମଧ୍ୟ ମୋ ଡାକ ଶୁଣିଲେ । ଏହିପରି ଭାବରେ ବାହୁଡ଼ା ଶେଷ ହେଲା । ଦିନ ପରେ ଦିନ ଗଡ଼ି ଚାଲିଲା । ବାପା ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଥିବା ହେତୁ ବିଦ୍ୟାଳୟ ପରିଭ୍ରମଣ ତରଫରୁ ମୋତେ ପୁରୀ ଯିବାର ସୁଯୋଗ ମିଳିଥିଲା । ସତ କହିବାକୁ ଗଲେ ଦୂର ସ୍ଥାନ ବୁଲା ବୁଲି କରିବାରେ ଛୋଟ ବେଳୁ ମୋର ଦୁର୍ବଳତା ରହିଛି । ସେଦିନ ରାତିରେ ମୋ ଆଖିକୁ ଆଉ ନିଦ ନାହିଁ , କେମିତି ଯାଇ ପୁରୀରେ ପହଞ୍ଚିବି ସେଇ ଉତ୍ସାହ ଆଉ ଉତ୍କଣ୍ଠା ମାନେ ଫୁଟି ଉଠୁ ଥାଆନ୍ତି ମୋ ଭିତରେ। ଆଖି ଖୋଲିଲା ବେଳକୁ ଆମ ବସ୍ ପୁରୀ ବଡ଼ ଦାଣ୍ଡରେ ଠିଆ । ଟିଫିନ୍ ଟିକିଏ କରିଦେଇ ଆମେ ପ୍ରଥମେ ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଓ ତାପରେ ଜଗନ୍ନାଥଙ୍କ ଦର୍ଶନରେ ବାହାରିଗଲୁ । ସବୁ ଜାଗା ନୂଆ ନୂଆ ଲାଗୁଥାଏ , ବଡ଼ ଦାଣ୍ଡ କୁ ତ ଆଖି ପାଉ ନଥାଏ । ଚାଲି ଚାଲି ଏତେ ହାଲିଆ ହୋଇ ଯାଇଥିଲି ଯେ ମନ୍ଦିର ଭିତରକୁ ଯିବାପାଇଁ ଶକ୍ତି ନଥାଏ । ବାପା ମୋତେ ତାଙ୍କ କାନ୍ଧରେ କାନ୍ଧେଇ ନେଇ କହିଲେ – ଭାଇ ନାହିଁ ବୋଲି ମନ ଦୁଃଖ କରୁଥିଲୁ ନା ଦେଖ୍ ସେଇଠି ତୋ ଭାଇ ବସିଛନ୍ତି । ମୁଁ ଭାବୁଥାଏ ଏ ଠାକୁର କେମିତି ମୋ ଭାଇ ହୋଇ ପାରିବେ ଯେ ? ଭଗବାନଙ୍କ ଦୟାରୁ ଆମେ ଚନ୍ଦନ ଅର୍ଗଳି ପର୍ଯ୍ୟନ୍ତ ଯିବା ପାଇଁ ସକ୍ଷମ ହେଲୁ । ସେଠାରେ ବାପା କହିଲେ ଝିଅ ତୋ ଭାଇ କୁ ଭିଡ଼ି ପକା । କାଳ ବିଳମ୍ବ ନକରି ମୁଁ ମଧ୍ୟ କାଳିଆ ଠାକୁରଙ୍କୁ ଭିଡ଼ି ଧରିଲି । ସେହିପରି ସୁଯୋଗ ହୁଏତ ଆଉ କାହାକୁ ମିଳି ନଥିବ । ଧନ୍ୟବାଦ ଜଣାଇବି ସେ ପୋଲିସ୍ ଆଣ୍ଟି ଙ୍କୁ ଏସବୁ ଦେଖି ମଧ୍ୟ ସେ ପ୍ରତିବାଦ କରିନଥିଲେ । ସତରେ କି ଛନଛନିଆ ବେଶ , କଳା ଘୂମର ଆଖିରେ ମୋତେ ବାନ୍ଧି ପକାଇଥିଲେ , ଚନ୍ଦନ ବାସ୍ନାରେ ଛନ୍ଦି ଦେଉଥିଲେ ସେ । ଲୋକଙ୍କ ଭିଡ଼ରେ ସେତେବେଳେ ବାପାଙ୍କ ପକେଟ୍ ରୁ କଳା ରଙ୍ଗର କଲମ ଟି ତଳେ ଖସି ପଡ଼ିଲା । ମୁଁ ସବୁ ଭୁଲି ଯାଇ କହୁଛି – ମାହାପୁରୁ ମୋ ବାପାଙ୍କ କଲମ ଟା ଖସି ପଡ଼ିଲା ଦିଅ ଦିଅ……।ସାମାନ୍ୟ ଟିକିଏ ହସିଦେଇ ବାପା କହିଲେ ମା ରେ – ସେଇଟା ସେଇ କଳା ଠାକୁରଙ୍କ କଲମ ସେଥିପାଇଁ ସେ ନେଇଗଲେ । ମୁଁ କହିଲି ହଉ ତାହେଲେ ଠିକ୍ ଅଛି । ତାପରେ ଲୋକଙ୍କ ଠେଲା ପେଲା ରେ ଆମେ ଆନନ୍ଦ ବଜାରରେ ପହଞ୍ଚିଲୁ । ହେଲେ ବି ମୋର ସେଇ ଭାବ ବିନୋଦିଆ ଙ୍କ କଥା ମନରେ ଆସୁଥାଏ । କି ଭାବ ଲଗେଇଲେ ମୋ ସହ , ଏତେ ପାଖରୁ ଠାକୁରଙ୍କୁ ମୁଁ ଦେଖିବି ଆଉ ତାଙ୍କୁ ଛୁଇଁପାରିବି ଏକଥା ସ୍ଵପ୍ନରେ ସୁଦ୍ଧା ମୁଁ ଭାବି ନଥିଲି । ଦ୍ଵିତୀୟ ଥର ଦଶମ ଶ୍ରେଣୀରେ ମୁଁ ପୁରୀ ଯିବାର ସୁଯୋଗ ପାଇଥିଲି। ତା ପରଠୁଁ ଇଚ୍ଛା କରି ମଧ୍ୟ ଯାଇ ପାରି ନାହିଁ । ବୋଧହୁଏ ସେ ଆଉ ଡୋରୀ ଲଗାଉ ନାହାନ୍ତି ।
ନାମ – ଶର୍ମିଷ୍ଠା ସାହୁ
ଠିକଣା – ଅନୁଗୋଳ (ଘୋଷର)
ମୋ – ୮୨୪୯୩୬୩୧୨୪