_ମୋ ବିଦ୍ୟାଳୟ ଓ ପିଲାଦିନ_

*.……….(ମନବଦଳିଲା )………..*

ମୁଁ ଅଷ୍ଟମ ଶ୍ରେଣୀରେ ପଢୁଥାଏ ଗାଁ’ଠୁ ଦୁଇ କି. ମି ଦୂର କଙ୍କୋରଡ଼ା ସରକାରୀ ନେହରୁ ବହୁମୁଖୀ ବିଦ୍ୟାପୀଠରେ | ବିଦ୍ୟାଳୟଟି ଅତି ପୁରୁଣା |
ଗଞ୍ଜାମ ଜିଲ୍ଲାର ଏକ ନାମକରା ଅନୁଷ୍ଠାନ | ଅନେକ ଉତ୍ତମ ବିଜ୍ଞ ପ୍ରଧାନ ଶିକ୍ଷକ କାର୍ଯ୍ୟ କରିଛନ୍ତି | ଉଣେଶ ଚୌସ୍ତରି ମସିହା | ନିକଟବର୍ତ୍ତୀ ଗାଁ ମାନଙ୍କରୁ ଆସି ପ୍ରାୟ ଆଠ’ଶ ପିଲା ପଢ଼ୁଥାନ୍ତି | ଶିକ୍ଷକ ତୁଳନାରେ କୋଠରୀ
ସଂଖ୍ୟା କମ ତେଣୁ ଅଷ୍ଟମ ଶ୍ରେଣୀ ଚାଲୁଥିଲା ଏକ ଡ୍ରାମା ହଲରେ |
ଦିନକର ଘଟଣା | ପଞ୍ଚମ ପିରିଅଡରେ ସଂସ୍କୃତ ଥାଏ | ପଣ୍ଡିତ ସାର ବ୍ରାହ୍ମଣ ଜାତିର | ସୁନ୍ଦର ପୃଥୁଳ ଶରୀର | ହସହସ ମୁହଁ, ମିଠା ମିଠା କଥା |
ଆକର୍ଷଣୀୟ ବ୍ୟକ୍ତିତ୍ୱ | ଧୋତିକୁର୍ତ୍ତା ପିନ୍ଧନ୍ତି | ରାଜକୀୟ ଠାଣୀ | ପ୍ରତିଦିନ ଶ୍ରେଣୀକୁ ଆସିଲେ ମୋତେ କଣକଣ ନିଶ୍ଚୟ ପ୍ରଶ୍ନ କରନ୍ତି,”ପଣ୍ଡା ଆଜି କଣ ଟିଫିନରେ ଆଣିଛୁ?,ଘର କାମ ସାରିଛୁ ତ? “
ମହାଶୟ ନିଜର ଲାଗନ୍ତି | ପିତୃତୁଲ୍ୟ | କିନ୍ତୁ ସମୟେ ସମୟେ ବ୍ୟାକରଣ ପଚାରି ଏମିତି ପିଟନ୍ତି ଯେ ତାଙ୍କର ଭଲକଥା ସବୁ ମାଡ ଆଗରେ
ଫିକା ପଡ଼ିଯାଏ | ମନରେ ରାଗ ଆସେ | ସାଙ୍ଗମାନେ କହନ୍ତି, “ବୁଢା ଗାଁ’ରୁ
ଆସିଲାବେଳେ ସାଇକେଲରୁ ପଡ଼ିଯାଅନ୍ତା କି ମଜାହୁଆନ୍ତା ! “
ମୋ ପାଖରେ ବସେ ପାଖଗାଁ ‘ ସାଙ୍ଗ ଭଗବାନ ପଣ୍ଡା | ଦିନେ ପଣ୍ଡିତ ସାର ବ୍ୟାକରଣ ଧାତୁ ପଚାରି ସବୁପିଲାଙ୍କୁ ନିର୍ଧୁମ୍ ପିଟିଲେ | ଗଲାବେଳେ ଭାବିଲୁ ଆସନ୍ତାକାଲି ପଣ୍ଡିତଙ୍କୁ ପାନେ ଦବୁ | ଯୋଜନା ଅନୁସାରେ ମୁଁ ତାପରଦିନ ଆଲପିନ ଟିଏ ଆଣିଥାଏ | ଘଣ୍ଟାଛୁଟି ବେଲ ହେଲା | ସମସ୍ତେ ମଧ୍ୟାନ୍ନ ଭୋଜନରେ ବ୍ୟସ୍ତ | ଆମେଦୁହେଁ ଚଞ୍ଚଳ ଖାଇ ଅନ୍ୟମାନେ ଶ୍ରେଣୀକୁ ଆସିବା ପୂର୍ବରୁ ଚେୟାରର ବସିବା ଜାଗାରେ ଦୁଇପଟ୍ଟା ସନ୍ଧିରେ ଖପରା ଦେଇ ପିନଟିକୁ ଏମିତି ରଖିଦେଲୁ ଯେ ଯେକୌଣସି ଲୋକ ଅଜାଣତରେ ବସିଲେ ପିନଟି ପିଚାରେ ଗଳିଯିବ |
ଘଣ୍ଟି ବାଜିଲା ପରେ ପିଲାମାନେ ଶ୍ରେଣୀକୁ ଆସିଲେ | କେହି ଏକଥା ଜାଣିନଥାନ୍ତି | ପଣ୍ଡିତ ସାର ଆସିଲାପରେ ଆମେସବୁ ଠିଆ ହେଲୁ | ସାର ବସିବାକୁ କହି ଯେମିତି ଚେୟାରେ ବସିପଡିଛନ୍ତି ପିନଟି ଜଙ୍ଘରେ ଗଳିଗଲା |
ରକ୍ତାତ ହୋଇଗଲା ପିନ୍ଧାଧୋତି | ରାଗିକରି ଗର୍ଜନ ଛାଡିଲେ, “କିଏସେ ମର୍କଟ ଏ କାମକରିଛି “|
ଅବିଳମ୍ବେ ସବୁ ଶିକ୍ଷକ, ପିଅନ ସେଠାରେ ପହଂଚି ଗଲେ | ଚାଲିଲା ଅନୁସନ୍ଧାନ କିଏ ଏ କାମ କରିଛି | ପ୍ରଧାନ ଶିକ୍ଷକଙ୍କ ଆଦେଶରେ ଆଜ୍ଞାଧୀନ
ପିଅନ ମୋଚିଆ ଡାକୁଆ ସଗର୍ବେ ବାଡ଼ି ସଂଗ୍ରହରେ ବାହାରି ପଡିଲା | ପରିସ୍ଥିତି ଗମ୍ଭୀର | ଆମେ ଦୁହେଁକିନ୍ତୁ ବିଚଳିତ ନୋହୁଁ | ମାଡ ଖାଇଲେ ସମସ୍ତେ ଖାଇବୁ | ସବୁ ଶିକ୍ଷକ ରାଗିଛନ୍ତି | ଏହି ସମୟରେ ଜଣେ ସାର କହିଲେ, “ପ୍ରକୃତରେ ଏହିଭଳି କାର୍ଯ୍ୟ କିଏ କରିଛି ତାହା ଭଗବାନଙ୍କୁ ଜଣା “|
ହଠାତ ମୋ ପାଖରେ ବସିଥିବା ଭଗବାନ ଉଠିପଡ଼ିଲା | ମୁଁ ତାକୁ ବସାଇବାକୁ ଚେଷ୍ଟାକଲି | କହିଲି, “ସାର କହିବା ଭଗବାନ ତୁ ନୋହୁ, ସେ’ତ
ମହାପୁରୁ “, ହେଲେ ସେତେବେଳେ ସମସ୍ତଙ୍କ ନଜର ଆମଉପରେ କେନ୍ଦ୍ରୀଭୂତ
ହୋଇ ସାରିଥିଲା | ଗଳଗଳ କରି ସବୁ ସତକଥା ଭଗବାନ କହିଗଲା | ଆମ ଦୁହିଁଙ୍କୁ ଅଜସ୍ର ମାଡ ବାଜିଲା | ଘରକୁ ଗଲାପରେ ବୋଉ ମାଡ଼ରେ ମଲମ ଲଗାଇଲାବେଳେ କହିଥିଲା, “ପୁଅରେ ଗୁରୁଜନ ମାନଙ୍କୁ ଏମିତି ବ୍ୟବହାର ଆଉ କେବେ କରିବୁନି “|
ସେହି ଦିନଠାରୁ ଏମିତି ଦୁଷ୍ଟାମି ଆଉ କେବେ କରିନାହିଁ |

ଶରତ ଚନ୍ଦ୍ର ପଣ୍ଡା, ଡ଼େଙ୍ଗାଡି, ଗଞ୍ଜାମ, 9938693319.

Leave a Reply

Your email address will not be published. Required fields are marked *