ବିଷୟ – ଅନୁଭୂତିରେ ପ୍ରଭୂ ଜଗନ୍ନାଥ ଦର୍ଶନ
ସେ ଦିନ ଥିଲା ଜୁନ୍ ତିରିଶ ତାରିଖ।ହିରାଖଣ୍ଡ ଏକ୍ସପ୍ରେସ୍ ରେ ଅନ୍ତରଙ୍ଗ ବନ୍ଧୁ ଆନନ୍ଦ ସହ ଗତ ଦିନ ସନ୍ଧ୍ଯା ପାଞ୍ଚଟାରେ ଭବାନୀପାଟଣା ଷ୍ଟେସନରୁ ଚଢି ଭୂବନେଶ୍ୱର ଅଭିମୂଖେ ଏକ ସାରସ୍ୱତ ସଭାରେ ଯୋଗଦେବା ପାଇଁ ଯାଉଥିଲୁ।ଠିକ୍ ସକାଳ ପାଞ୍ଚଟା ସମୟ। ଚିଲିକା ଷ୍ଟେସନ୍ ପାର ହଉ ହଉ ଏକ ଫୋନ କଲ ଆସିଲା,କୌଣସି କାରଣ ବସତଃ ସଭାକାର୍ଯ୍ଯଟିକୁ ସ୍ଥଗିତ ରଖାଗଲା ବୋଲି।ଶୁଣିଲା କ୍ଷଣି ମନ ଭିତରେ ଗୋଟେ ଅଶାନ୍ତିର ବାତା ବରଣ ସୃଷ୍ଟିହେଲା।ପାଖରେ ଜଣେ ବ୍ଯକ୍ତି ବସିଥିଲେ।ସେ ଆମ ଦୁହିଁଙ୍କର ଭାବ ବିହ୍ୱଳିତକୁ ଦେଖି ହଠାତ୍ ପଚାଲିଲେ କଣ ହେଇଛି ? ଆନନ୍ଦ ବନ୍ଧୁ କହିଲେ ଏମିତି ସେମିତି କଥା ଏବେ ଆମେ କଣ କରିବୁ। ବ୍ୟକ୍ତି ଜଣକ କହିଲେ ତମେମାନେ ଆସିଛ ଯେତେବେଳେ କୌଣସି ଦର୍ଶନୀୟ ସ୍ଥାନକୁ ପଲେଇଯାଅ ବୁଲି ଆସିବ।ଆନନ୍ଦ ମତେ ପଚାରିଲେ କଉଁଠିକି ଯିବା,ମୁଁ କହିଲି ବହୁ ଦିନରୁ ଚକା ଅଖିକୁ ଦେଖିବାକୁ ମନ ଚାହୁଥିଲା ଯଦି ତାଙ୍କ କରୁଣା ଅଛି ତେବେ ଏସୁଯୋଗକୁ ହାତ ଛଡା କରିବାନି। ସେତେବେଳେ ପହଞ୍ଚି ସାରିଥାଉ ଖୋର୍ଦ୍ଧା ଷ୍ଟେସନରେ।ସେଠାରେ ଓହ୍ଲାଇ ଅନୁଗୁଳ ପୁରି ପାସେଞ୍ଜରରେ ଚଢି ଦୁହେଁ ମିଶି ପୁରି ଗଲୁ। ବାଟରେ ଗଲା ସମୟରେ ଆଖିରେ ଦୃଶ୍ୟାୟିତ ହେଉଥିଲା ଫନି ତାଣ୍ଡବଲୀଳା ରଚିଥିବାର କରୁଣଦୃଶ୍ୟ।ଚାରିଆଡେ ହାହାକାରର ଚିତ୍ର।ଜୀବନଯାତ୍ରାର ତେଇଶ ବର୍ଷପରେ କାଳିଆ ସାଆନ୍ତକୁ ଦେଖିବାର ସୌଭାଗ୍ୟ ମନକୁ ଅନ୍ଦୋଳିତ କରୁଥାଏ। ସମୟ ସକାଳ ଆଠଟା,ପହଞ୍ଚିଲୁ ପୁରି ଷ୍ଟେସନରେ।ମୁଁ ଯେତିକି ଯେତିକି ପାଖକୁ ପାଖକୁ ହେଉଥାଏ ସେତିକି ସେତିକି ମୋର ହୃଦସ୍ପନ୍ଦନ ବଢିବାକୁ ଲାଗିଥାଏ କାହିଁକି କେଜାଣି।ଷ୍ଟେସନରୁ ଏକ ଟ୍ଯାକ୍ସି ଭଡା କରି ଶ୍ରୀମନ୍ଦିର ଅଭିମୂଖେ ଚାଲିଲୁ।ଯେତେବେଳେ ସେବିଶ୍ୱବିହାରୀଙ୍କ ବଡଦେଉଳର ପତିତପାବନ ବାନାକୁ ଏନେତ୍ର ଦେଖିଦେଇଛି ସେତେବେଳେ ଏଶରୀରରେ ଏକ ଅଲୌକିକ ଶକ୍ତି ସୃଷ୍ଟି ହେଇଛି।ଦେହସାରା ଶିତ୍କାର ହୋଇଉଠୁଛି।ଆଉ ଶ୍ରୀମନ୍ଦିର ପୁରା ଦୃଶ୍ଯ ହେବା ମାତ୍ରେ ମୋ ନୟନ ଯୁଗଳୁ ଥପ୍ ଥପ୍ ହୋଇଥିପି ପଡୁଥାଏ ଲୁହଗୁଡାକ।ସେତେବେଳେ ମୋର ମନେ ପଡିଯାଉଥାଏ ଭକ୍ତ ଶ୍ରୀ ଚୈତନ୍ଯ,ସାଲବେଗ, ଦାସିଆ ବାଉରି, ବନ୍ଧୁ ମହାନ୍ତି ଆଦିଙ୍କର ଜଗନ୍ନାଥଙ୍କର ଭକ୍ତି ଭାବନାର କଥା।ଏଥିରୁ ଅନୁମିତ ହୁଏ ଭକ୍ତ ଆଉ ଭଗବାନଙ୍କର ଭକ୍ତି ଭାବନାର ବନ୍ଧନ ସେତୁକୁ। ଯଦି ସେ ନୀଳାମୟ ଚାହାନ୍ତି ତେବେ ଅସମ୍ଭବ ମଧ୍ଯ ସମ୍ଭବତାର ରୂପନିଏ, ଯାହା ମୋ ଅନେକ ଦିନର ସ୍ୱପ୍ନ ପୁରଣ ହୋଇପାରିଥିଲା।
ନାମ – ରମାକାନ୍ତ ସିଂ ସାହାଣୀ, ଗ୍ରାମ – ଯୁଯୁରାଙ୍ଗ , ପୋ – ଗୋକୁଳେଶ୍ୱର , ବ୍ଲକ୍ – କେସିଙ୍ଗା , ଜିଲ୍ଲା – କଳାହାଣ୍ଡି
665 total views, 1 views today