ଅନୁଭୂତିରେ ଶ୍ରୀ ଜଗନ୍ନାଥ
ସେ ତ ଭାବ ବିନୋଦିଆ l ଭକ୍ତର ଗାଳି ତା ପାଇଁ ତାଳି l ଭକ୍ତ ଅଇଁଠା ଭକ୍ତ ଗୋଇଠା ଭକ୍ତର ମାଡ଼ ଏତେ ସବୁ ପରେ ବି ଭକ୍ତ ତାର ଅତି ନିଜର l
ଭକ୍ତ ଯେଉଁଠି ଯେତେବେଳେ ଯେଉଁପରି ଭାବରେ ଡାକେ ଭାବ ରଂକୁଣା ହେଇ
ଦଉଡି ଯାଏ ସେ ସ୍ୱର୍ଗ ସୁଖକୁ ପଛରେ ପକେଇ l ଭକ୍ତର ଭକ୍ତିରେ ବନ୍ଧା ପଡି ସେ ବୈକୁଣ୍ଠକୁ ବି ଅନାଦର କରିପାରେ l ସତରେ ସେ ହିଁ କେବଳ ସେ ତାର ବିକଳ୍ପ ହିଁ ନାହିଁ l ନିଜେ ତ ସେ ଏକ ଅନୁଭବ l ପ୍ରତି ମୁହୂର୍ତ୍ତରେ ପ୍ରତି ନିଶ୍ୱାସରେ ଯଦି ବିଶ୍ୱାସ ଥାଏ ତାହାଲେ ସେଇ ବିଶ୍ୱାସ ହିଁ ପାଲଟି ଯାଏ ଅନୁଭୂତି l ଆଉ ଭକ୍ତ ଟେକି ଦିଏ ହାତ ଦୁଇଟି ସେ ଅଧାଗଢା ବିଶ୍ୱ ନିୟନ୍ତା ପାଖରେ l
ଆଜି ବି ମନେ ଅଛି ମୋର ସେଦିନ କଥା l 2017 ମସିହା ଜାନୁଆରୀ ମାସ l ମହାପ୍ରଭୁଙ୍କର ପଦ୍ମ ବେଶର ସମୟ l ଆମେ ସପରିବାର ଠାକୁର ଅଭିରାମ ପରମହଂସଙ୍କ ଆଶ୍ରିତ l ମାଘ ତ୍ରିବେଣୀ ଅମାବାସ୍ୟାରେ ଠାକୁରଙ୍କର ଜନ୍ମୋତ୍ସବ l ଏହି ସମୟରେ ମଧ୍ୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ପଦ୍ମ ବେଶର ସମୟ l ପ୍ରାୟ ପ୍ରତିବର୍ଷ ଆମେ ଯାଉ l ସେ ବର୍ଷ କିନ୍ତୁ ବାପାଙ୍କର ଦେହ ବହୁତ ଖରାପ ଥିଲା l ବାପା ଛୁଟିରେ ଥିଲେ
ଘରେ l ଅଳ୍ପ ବହୁତ ଆର୍ଥିକ ସମସ୍ୟା ବି ଥିଲା l ତା ସହିତ ବାପାଙ୍କୁ ବି ଏମିତି ପରିସ୍ଥିତିରେ ଛାଡି ଯିବା ପାଇଁ ମା ରାଜି ହେଲେନି l ଯଦି ଓ ମୁଁ ଆଗରୁ ଅନେକ ଥର ପୁରୀ ଯାଇଛି କିନ୍ତୁ ଏକା କେବେ ଯାଇ ନାହିଁ l ତଥାପି ମନରେ ସାହାସ ବାନ୍ଧିଲେ ଜଣେ ଫେସବୁକ ବନ୍ଧୁ, ମହାପ୍ରଭୁଙ୍କର ସେବାୟତ ପାରିବାରର l ଘରେ ପଇସା ପତ୍ର ନ ମାଗି ବାହାରିଲି କାଳେ ପଇସା ମାଗିଲେ ଯିବା ଉପରେ କିଛି ପ୍ରତିବନ୍ଧକ ଲାଗିବ l ସମ୍ବଳ ଥିଲା ସିଟି ସମୟରେ ହଷ୍ଟେଲରେ ଥିଲା ବେଳେ ବଞ୍ଚିଥିବା ବଳକା ପକେଟ ମନି 450ଟଙ୍କା l କିନ୍ତୁ ଘରୁ ବାହାରିବା ସମୟରେ ବାପା ଜୋର କରି ଆଉ 500ଟଙ୍କା ଦେଇଥିଲେ l ଘରଠୁଁ ବସଟାଣ୍ଡ ଆସିବା ରାସ୍ତାରେ ହଟାତ ମୋ କକା ଦେଖା ହେଲେ ଆଉ ସେ ପୁରୀ ଯିବା କଥା ଶୁଣି ମୋତେ 300ଟଙ୍କା ଦେଲେ l ଆଉ ପଇସାର ଡର ରହିଲାନି l ୟା ଭିତରେ ଆଉ ଏକ କଥା ହେଉଛି ପଦ୍ମ ବେଶ ସମୟରେ ଆମେ ଯେତେବେଳେ ଦର୍ଶନ ପାଇଁ ଯାଉ ସାଥିରେ ପଦ୍ମଫୁଲ ନହେଲେ ପଦ୍ମ ମାଳ ନେଇକି ଯାଉ l ସେ ସମୟରେ କାକର ପଡୁଥିବାରୁ ପଦ୍ମଫୁଲ ବହୁତ କମ ଫୁଟେ l ତେଣୁ ଆମେ ଗାଁର ଫୁଲ ଦୋକାନୀକୁ ଆଗରୁ କହି ରଖିଥାଉ l କିନ୍ତୁ ମୁଁ ହଟାତ ବାହାରିଥିବାରୁ ସେ ସୁବିଧା ହେଇ ନଥାଏ l କିନ୍ତୁ ପଇସା ଦେଖିଲା ପରେ ଆଉ ସେ ଡର ବି ରହିଲାନି ଭାବିଲି ରାସ୍ତାରେ ନହେଲେ ପୁରୀରୁ କିଣି ନେବି l ଯାହା ହେଉ ରାତି ବସରେ ମୁଁ ପୁରୀ ଗଲି l
ସକାଳେ ପୁରୀରେ ପହଂଚିଲି l ବନ୍ଧୁଙ୍କ ସ୍ନେହ ଶ୍ରଦ୍ଧା ଏତେ ମାତ୍ରାରେ ମିଳିଲା ଯେ ଲାଗିଲାନି ଯେ ମୁଁ ଏକା ପୁରୀ ଯାଇଛି ବୋଲି l ଖୁବ ସୁନ୍ଦର ଭାବରେ ସେ ଆତିଥ୍ୟ କରିଥିଲେ l ଏବେ ବି ପୁରୀ ଗଲେ ତାଙ୍କ ପରିବାର ସହ ନିହାତି ଦେଖାକରେ l ତା ପରେ ଆସିଲା ଦର୍ଶନ ସମୟ l
ଦର୍ଶନକୁ ଗଲି ମୁଁ ସାଥିରେ ପଦ୍ମଫୁଲ ନେବା କଥା କିନ୍ତୁ ସେଦିନ ମୁଁ ପୂରା ଦୁଇ କିଲୋମିଟର ଚାଲି ଚାଲି ସବୁ ଫୁଲ ଦୋକାନ ବୁଲିଛି ହେଲେ କୋଉଠି ପାଇଲିନି ପଦ୍ମଫୁଲ l ମୋ ସାଙ୍ଗ ବି ବାଇକରେ ବହୁତ ଜାଗା ବୁଲିଲେ କିନ୍ତୁ ପଦ୍ମଫୁଲ ମିଳିଲା ନାହିଁ l ବହୁତ ଦୋକାନୀ କହିଲେ କି କାଲି ସରି ଯାଇଛି l ଭାବିଲି ବିନା ପଦ୍ମଫୁଲରେ ଦର୍ଶନ କରିବିନି l କିନ୍ତୁ ସାଙ୍ଗଙ୍କ କହିବା ଅନୁସାରେ ପଦ୍ମଫୁଲ ନ ହେଲା ନାହିଁ ଠାକୁର ତ ପଦ୍ମବେଶ ହେଇଛନ୍ତି ଦର୍ଶନ କରିଲେ ଅସୁବିଧା କଣ l
ମନରେ ଦୁଃଖ ଥିଲେ ବି ତାଙ୍କ କଥାକୁ ଅଡ଼େଇ ନ ପାରି ଗଲି l ମୋତେ ଦର୍ଶନ କରିବାକୁ ଯିବା ପାଇଁ କହି ସେ ତାଙ୍କର ଜଣେ ସେବାୟତ ଭାଇଙ୍କ ସହ କଥା ହେଉଥାନ୍ତି l ଠିକ ସାତ ପାହାଚ ପାଖରେ ଜଣେ ବୟସ୍କ ବୃଦ୍ଧ ବ୍ୟକ୍ତି ଥରି ଥରି ଛିଡା ହେଇଥାନ୍ତି ହାତରେ ଥାଏ ତିନୋଟି ପଦ୍ମମାଳ l ମନରେ ଇଚ୍ଛା ହେଲା ସେଥିରୁ ଗୋଟେ ଫୁଲ ତାଙ୍କୁ ମାଗିବି କିନ୍ତୁ ତାଙ୍କୁ ମାଗିବା ଆଗରୁ ସେ ମୋତେ ତାଙ୍କ ଆଡୁ କହିଲେ ବାବାରେ ଭିତରେ ବହୁତ ଭିଡ଼ ମୁଁ ପଶି ପାରିଲିନି l ଏ ପଦ୍ମମାଳ ଟିକେ ଜଗାକୁ ଦେଇଦେବୁ l ମୁଁ ସେତେବେଳେ ପୂରା ଅବାକ l କଣ ବା ଉତ୍ତର ଦେବି l ଅନ୍ତର୍ଯ୍ୟାମୀ କଣ ସତରେ ଅନ୍ତର କଥା ଶୁଣିଲେ ମୁଁ ପୂରା ବ୍ୟସ୍ତରେ ତାଙ୍କ ହାତରୁ ମାଳ ତିନୋଟି ଭିଡି ନେଲି କାଳେ ସେ ଆଉ କାହାକୁ ଦେଇଦେବେ l କିନ୍ତୁ ଭିତରକୁ ଯାଇ ଦେଖିଲି ଯେ ପୂରା ଫାଙ୍କା ଅଛି l ଭାବିଲି ତାଙ୍କୁ ଧରି ଧରି ନେଇ ଆସିଲେ ସେ ଆସିପାରିବେ l ତେଣୁ ଫେରି ଆସିଲି l କିନ୍ତୁ ସେ ସ୍ଥାନରେ କେହି ନଥିଲି l ବହୁତ ଖୋଜିଲି l କିନ୍ତୁ ପାଇଲିନି ସେ ତ ଭଲ ଭାବରେ ଚାଲି ପାରୁନଥିଲେ ଏତେ ଶୀଘ୍ର ଗଲେ କୁଆଡେ l ଏଣେତେଣେ ଅନେଇଲା ବେଳକୁ ମୋ ସାଙ୍ଗ ପଚାରିଲେ ଏ ମାଳ ପାଇଲ କୋଉଠୁ l ମୋ ପାଖରୁ ସବୁ କଥା ଶୁଣି ସାରି ସେ କେବଳ ଭୋ ଭୋ ହୋଇ କାନ୍ଦିଲେ ଆଉ କହିଲେ ଦେଖିଲ କାଳିଆର ଲୀଳା l ଆଜି ବି ମୋ ଆଖି ଭିଜି ଯାଏ ଏ ଅନୁଭୂତି କଥା କହିଲେ l
ଏମିତି ଆହୁରି ଅନୁଭୂତି ଅଛି ସେ ଲୀଳାମୟଙ୍କୁ ନେଇ l ପ୍ରତି ମୁହୂର୍ତ୍ତରେ ତ ସିଏ ଅନୁଭୂତ ହୋଇଥାନ୍ତି କିନ୍ତୁ ଯେତିକି କଥା ଆମେ ଜାଣି ପାରୁ ତାହା ହୁଏ ଅନୁଭୂତି ଆଉ ଯାହା ଜାଣି ନ ପାରୁ ସେଇଟା ହେଇଯାଏ ତାଙ୍କର କୃପା l ସେଦିନର ସେ ଲୋକ ଯେ କେହି ବି ହୁଅନ୍ତୁ ପ୍ରଭୁ ଯେ ସେଦିନ ମୋତେ ନିରାଶ ନକରି ହାତରେ ପଦ୍ମମାଳ ଧରେଇଲେ ସେ କଥା ତାଙ୍କୁ ହିଁ ଜଣା l
ଜୟ ଜଗନ୍ନାଥ
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
ମୋ–8658574945
558 total views, 1 views today