ଅନୁଭୂତିରେ ମୋ ବିଦ୍ୟାଳୟ ଏବଂ ପିଲାଦିନର ଗୋଟେ ଛୋଟ ଘଟଣା “
ଆମ ଗାଁ ନିପଟ ମଫସଲରେ। ରାସ୍ତାଘାଟର ସୁବିଧା ନଥାଏ। ବର୍ଷାଦିନ କଥା ନ କହିଲେ ଭଲ। ରାସ୍ତାଟା ଯେମିତି ଯାଉ ପାତ୍ର। ଗାଁ ତଳେ ନଦୀଟିଏ ବହି ଯାଇଛି। ଉପର ମୁଣ୍ଡରେ ବର୍ଷା ହେଉ ହେଉ ଗାଁ ଭିତରେ ପାଣି, ନଦୀ ଉଚ୍ଛୁଳି ପାଣି ମାଡି ଆସେ, ତଳିଆ ଅଞ୍ଚଳ। ଗାଁ ଭିତରେ ଆମ ବିଦ୍ୟାଳୟ, ପଞ୍ଚମ ଶ୍ରେଣୀ ଯାଏ ଅଛି। ପିଲାମାନେ ନଅଟା ବେଳେ ଘରୁ ଖାଇ, ବହି ବସ୍ତାନି ଧରି ବିଦ୍ୟାଳୟ ଯାଆନ୍ତି। ପୁଣି ଗୋଟେ ବେଳେ ଖାଇବା ଛୁଟି ହୁଏ। ପିଲାମାନେ ଖାଇବାକୁ ଘରକୁ ଆସନ୍ତି। ହେଲେ ଗୁରୁଜୀମାନେ ଜଳଖିଆ ଘରୁ ଆଣିଥାନ୍ତି। ଦପ୍ତର ଘରେ ବସି ଖାଆନ୍ତି। ଆମ ଶ୍ରେଣୀର ଗୋବିନ୍ଦା ବୋଲି ଗରିବ ପିଲାଟିଏ ସବୁଦିନ ଖାଇବାକୁ ନ ଯାଇ ଗୁରୁଜୀ ମାନଙ୍କୁ ଚା’ କରି ଦିଏ, ଗୋଡ ଘଷେ, ବୋଲ କରେ ଗୁରୁଜୀଙ୍କର ଖାଦ୍ୟରୁ ସେ ଅଳ୍ପ କିଛି ଖାଇ ଚଳିଯାଏ। ଗୁରୁଜୀ ତାକୁ ବହୁତ ଭଲ ପାଆନ୍ତି। ପରୀକ୍ଷା ସମୟରେ ତା’ ଖାତାରେ ଅଧିକ ନମ୍ବର ଦିଅନ୍ତି। ପାଠ ନ କରିଥିଲେ ବି ତାକୁ ନ ମାରି ଛାଡି ଦିଅନ୍ତି। ଗୋବିନ୍ଦା ଚତୁର୍ଥ ଶ୍ରେଣୀରୁ ଏମିତି ଗୁରୁଙ୍କ ସେବା କରି ଗୁରୁଙ୍କ ମନ ଜିତି ଥାଏ। ସେ ଶ୍ରେଣୀରେ ପ୍ରଥମ ହୁଏ। ପଚାରିଲେ ଉତ୍ତର ଦେଇ ପାରେନି।
ପାଠ ଘର ଶୂନ। ପାଠସାଠ କିଛି ନାହିଁ। ଶ୍ରେଣୀରେ ସାଥୀ ରଖି ଖାତାରେ ଉତାରି ଦିଏ। ସବୁ ବହିର ସାଥୀ ସେ ରଖିଥାଏ। ଆମ ଗାଁ ରେ କିଛି ମିଳେନି ମ। ସାନ ଗୁରୁଜୀ ତାକୁ ହାଟରୁ କିଣି ଆଣି ଦିଅନ୍ତି। ଆମେ ଏ ସବୁ ଦେଖି ତାକୁ ଭାରି ହିଂସା କରୁ। ଆମ ମନରେ ଭାରି ରାଗ ଆସେ। ଏ ଗୁରୁଜୀ ପାନ୍ତର ଅନ୍ତର କରୁଛନ୍ତି। ଦିନେ ଖାଇବା ଛୁଟିରେ ଆମ ଶ୍ରେଣୀ ରାଜୁ ତା’ ବସ୍ତାନିରୁ କଅଣ ଗୋଟେ ଖୋଜୁ ଖୋଜୁ ସାଥୀ ଗୁଡାକ ପାଇଗଲା। ନେଇକି ଗୁରୁଜୀଙ୍କୁ ଦେଖାଇଲା। ଗୁରୁଜୀ ତ ନିଜେ କିଣିକି ଦେଇଛନ୍ତି, ସେ ଆଉ କ’ଣ କହିବେ! ପିଲାମାନଙ୍କ ଆଗରେ ଟିକେ ନାଲି ଆଖି ଦେଖେଇ ଗୋବିନ୍ଦାକୁ ଡାଲିକି ଦେଲେ। ବଡ ଗୁରୁଜୀ ପିଟି ପକେଇଲେ। ଗୋବିନ୍ଦା ରାଜୁ ଉପରେ ରାଗିଗଲା। ମନେମନେ ରାଗରେ ଜଳୁଥାଏ। ବିଦ୍ୟାଳୟ ଛୁଟି ହେଲା। ଆମେ ସମସ୍ତେ ନିଜ ନିଜ ବସ୍ତାନି ଧରି ଘର ମୁହାଁ ଚାଲିଲୁ। ଆମ ପଛରେ ଗୁରୁଜୀ ଚାବି ପକେଇ ଆସିଲେ। ବର୍ଷାଦିନ, ଗାଁ ରାସ୍ତା ପଚ ପଚ କାଦୁଅ। ଗୋବିନ୍ଦା ମନେ ମନେ ପାଞ୍ଚିଲା! ଏହି କାଦୁଅ ରାସ୍ତାରେ ଏମିତି ରାଜୁକୁ ପେଲିବି ଯେ, ଯେମିତିକି ସେ ଗୁରୁଜୀଙ୍କ ସାଇକେଲ୍ ଉପରେ ପଡିବ। ଗୁରୁଜୀ କାଦୁଅ ହେବେ ରାଜୁଆ ଦୋଷ ମୁଣ୍ଡେଇବ। ମତେ ନିଜେ ସାଥୀ କିଣିକି ଦେଲେ କହିଲେ ତୁ ଏଇଥିରୁ ପାଠ କର। ମତେ ଗୋଡ ଘସେଇଲେ, ଚା କରେଇଲେ, ସାଇକେଲ୍ ଧୁଆଇଲେ, ଲୁଗାକୁ କାଦୁଅ ଛିଟିକା ମାରିଛି ସଫା କର! କଲି। ଆଜି ଏତେ ପିଲାଙ୍କ ଆଗରେ ମତେ ଅପମାନ କଲେ। ଛାଡିବିନି! ରାଜୁଆ ଆଗେ ଆଗେ ଗୋବିନ୍ଦା ପଛେ ପଛେ ଚାଲୁଥାଏ। ରାଜୁଆର ଧ୍ୟାନ ନଥାଏ। ଗୁରୁଜୀ ଆସି ନିକଟରେ ପହଞ୍ଚିଗଲେ। ରାଜୁଆ ଚପଲକୁ ଗୋବିନ୍ଦା ପଛ ପଟୁ ତା’ ଚପଲରେ ମାଡି ଧରିଲା। ରାଜୁଆ ପଡିଗଲି କହି ଗୁରୁଜୀଙ୍କ ସାଇକେଲରେ ଭରା ଦେଇ ଦେଲା। ପଡିବା ବେଳେ ଭାବିବାକୁ ବେଳ କାହିଁ? ଗୁରୁଜୀ ଦୁଲ୍ ଦାଲ୍ ହୋଇ କାଦୁଅରେ ସାଇକେଲ୍ ମିଶା ପଡିଗଲେ। ଗୋବିନ୍ଦା ଆଉ ପାଖେ ନ ପଶେ। ଆମେମାନେ ସବୁ ଗୁରୁଜୀଙ୍କୁ କାଦୁଅରୁ ଉଠେଇଲୁ। ବଡ ଗୁରୁଜୀ ଚାଲି ଚାଲି ଆସୁଥିଲେ। ସାନ ଗୁରୁଜୀଙ୍କୁ ପଚାରିଲେ ଆପଣ କେମିତି ପଡିଗଲେ? ସାନ ଗୁରୁଜୀ ସେତେବେଳକୁ ବୁଝି ସାରିଥିଲେ ଯେ ଏସବୁ ଗୋବିନ୍ଦାର କାମ। ସାନ ଗୁରୁଜୀ ଆଉ କିଛି ଉତ୍ତର ନଦେଇ ଚୁପ୍ ରହିଲେ। କାଦୁଅ ସଡବଡ ହୋଇ ଘରକୁ ଗଲେ। ତା’ ପରଦିନ ଗୋବିନ୍ଦା ଆଉ ବିଦ୍ୟାଳୟ ଆସିଲା ନାହିଁ। କାଳେ ଗୁରୁଜୀ ତାକୁ ପଚରାଉଚରା କରି ଦଣ୍ଡ ଦେବେ ସେହି ଭୟରେ ଗୋବିନ୍ଦା ସବୁଦିନ ପାଇଁ ପାଠପଢା ଛାଡି ଦେଲା। ଆଉ କେବେ ବିଦ୍ୟାଳୟ ଆସିନି ?
ମିନାକ୍ଷୀ ବ୍ରହ୍ମ,
ଖଙ୍କିରା, ଗନ୍ଦିଁଆ, ଢେଙ୍କାନାଳ
ଫୋନ୍ ନମ୍ବର- ୬୩୭୧୯୫୬୦୦୯
519 total views, 1 views today