ଲୋକ ସାହିତ୍ୟରେ ଓଡିଆଣୀଙ୍କ ଜୀବନ ଚରିତ୍ର ଓ ଲୋକଗୀତ
ଲୋକଗୀତ ଓଡିଆ ସାହିତ୍ୟର ଆଦିମାତା । ବିଶ୍ବର ବୈଚିତ୍ର୍ୟଠାରୁ ସାହିତ୍ୟ ଜଗତର ବୈଚିତ୍ର୍ୟ ଅନ୍ୟତମ । ସଂସାରରେ ସବୁ ବାସ୍ତବ କିନ୍ତୁ ସାହିତ୍ୟ ଜଗତରେ ଯେତିକି ବାସ୍ତବ ତା’ଠୁ କଳ୍ପନା ବେଶୀ । ବାସ୍ତବ ଓ କଳ୍ପନାକୁ ନେଇ ସାହିତ୍ୟର ମଧୁରତା । ଏ ହେଲା ସାହିତ୍ୟର ପରିଚୟ । ଆମେ ଓଡିଆ, ତେଣୁ ଓଡିଆ ସାହିତ୍ୟର ଜନ୍ମ ବିଷୟରେ ଏହି ମାତ୍ର କିଛି ଜ୍ଞାତ । ବିଶ୍ବର ପ୍ରଥମ କାକଳି ହେଉଛି ଲୋକଗୀତ । ଲିପି ଉଦ୍ଭାବନ ପୂର୍ବରୁ ହିଁ ମଣିଷ ମାନେ ମନର ଭାବକୁ ଗୀତ କରି ଗାଉଥିଲେ । ଏହା ତୁଣ୍ଡରୁ ତୁଣ୍ଡକୁ ପ୍ରସାରିତ ହେଉଥିଲା । ପ୍ରକୃତିର ଆନନ୍ଦମୟ ଦୃଶ୍ୟ, କୋଇଲିର କୁହୁକୁହୁ ତାନ, ଝରଣାର କୁଳୁକୁଳୁ, ସ୍ବର, ବରଷାର ଝରଝର ଓ ପବନର ସର୍ ସର୍ ଶବ୍ଦ ଗୀତ ସୃଷ୍ଟି କରିଥିଲା ମଣିଷ ମନରେ । ନାରୀ ଓ ପୁରୁଷ ଉଭୟଙ୍କ ମଧ୍ୟରେ ନାରୀ ବୋଧେ ପ୍ରଥମ ଲୋକ ଗୀତର ସୃଷ୍ଟି କାରିଣୀ । କାରଣ ସେ ପୁତ୍ର, ସ୍ବାମୀ କିମ୍ବା ଆତ୍ମୀୟଙ୍କ ବିୟୋଗରେ ସ୍ବଭାବିକ ଭାବରେ ବାହୁନି ବାହୁନି କାନ୍ଦିବାର ସ୍ବର ତୋଳିଛି । ଯେମିତି ଅକାଳ ପୁତ୍ର ବିୟୋଗରେ ଦୁଃଖ ସନ୍ତପ୍ତ କୋହ ଭରା ହୃଦୟରୁ ଝରି ଆସିଛି କ୍ରନ୍ଦନର ସ୍ବର;
” କେଣେ ଗଲୁ ଧନ ଛାଡିକି ମତେରେ ବିଷିକେଶନ
କେମିତି ବଞ୍ଚିବି ଭୁଲିକି ତତେରେ ବିଷିକେଶନ
କିଏ ଆଉ ମତେ ମାଆ ଡାକିବରେ ବିଷିକେଶନ
କାନି ଧରି କିଏ ଅଳି କରିବରେ ବିଷିକେଷନ । “
ଏଥିରୁ ବାରି ହୋଇ ପଡୁଛି ଗୋଟେ ମାଆର ଦୁଃଖ ବିଳାପର ଭାବ । ସ୍ବାମୀ ବିୟୋଗରେ ମଧ୍ୟ ଏହିପରି ଗୀତ ଛନ୍ଦରେ ମନର ଭାବକୁ ଝରାଇ ଦେଇଛି କାନ୍ଦି କାନ୍ଦି;
” ଏକା କରି ମତେ ଯାଉଛ ଚାଲି ହେ ମୋ ଜୀବଧନ
କେମିତି କୁହ ମୁଁ ବଞ୍ଚିବି କାଲି ହେ ମୋ ଜୀବଧନ,
କେଣେ ଛାଡିଗଲ ଭାଙ୍ଗି ମୋ ମନ ହେ ମୋ ଜୀବଧନ
ଝୁରିଝୁରି ନିତି କାଟିବି ଦିନ ହେ ମୋ ଜୀବଧନ ।”
ଏହିପରି ଢଗ ଢମାଳି କଥା କଥା କେ କହିବା ସ୍ତ୍ରୀ ଲୋକଙ୍କ ମୁହଁରୁ ଶୁଣାଯାଇଛି । ଦେଖେଇକି କାନ୍ଥକୁ ବାଡକୁ ପଦ୍ୟ ଛନ୍ଦରେ କହିବା ଅଭ୍ୟାସ ସେମାନଙ୍କର । ଉଦାହରଣ,
ଶାଶୁ ମାରୁଥାଏ ବୋହୂକୁ,
ବୋହୂ ସବାଖାଇ କାହାକୁ ମାରିବ,
ମାରୁଥାଏ ଚୁଲି ମୁଣ୍ଡକୁ ।
ଗରିବ ଘର ଝିଅ ମୂଲ ଦୁଃଖ କରି ଚଳିଥିବ, ଶାଶୁଘର ଯଦି ଥିଲା ବାଲା ହେଲେ, ସେ ଜାଗାରେ ଝିଅ ବୋହୂ ହୋଇ ଟିକେ ଫୁଟାଣି ମାରେ । ଶାଶୁ, ନଣନ୍ଦ, ଦେଖେଇ କହନ୍ତି :-
ଶାଗ ଖୁଣ୍ଟି, ଖୁଣ୍ଟି ନଖ ନାହିଁ
ଫୁଟାଣି ଦେଖ,
କହୁଛି କ’ଣ ନା’
ଶାଗ କ’ଣ ମୁଁ ଜାଣିନାହିଁ ?
” ଛିଇ ଲୋ ଛାଆ ଲୋ, ମୋ ପାଖରୁ ତୁ ଯାଆ ଲୋ, କାଲି ଖାଉଥିଲୁ ଖଣ୍ଡିଆ ପଲମେ, ଆଜି ଭାଉ ମାରୁ ଆଆଁଲୋ “
ଝିଅ ଜନମ ପର ଘରକୁ । ତେଣୁ ଝିଅଟିଏ ବାହା ହବା ତ ନିଶ୍ଚିତ । ସେ ବାପ ଘରେ ସ୍ନେହ ମମତାରେ ବାନ୍ଧି ହୋଇ ବହୁଦିନ ଚଳିଥାଏ । ତାକୁ ହଠାତ୍ ପର ଘରକୁ ଯିବାକୁ ପଡେ । ତେଣୁ ବିତି ଯାଇ ଥିବା କୁଆଁରୀ ଜୀବନର ସବୁ ସ୍ମୃତିକୁ ଦୋହରାଇ ବାହୁନି ବାହୁନି କାନ୍ଦେ ଗୀତ ଆକାରରେ । ସ୍ବଭାବିକ ଭାବରେ ମନରେ ଗୁନ୍ଥି ହୋଇଯାଏ ।
” କେତେ ଆଦରରେ ବଢେଇଥିଲ, ହେ ବାପା,
ପରଘରେ କିମ୍ପା ଅଡେଇ ଦେଲ, ହେ ବାପା,
ବୋଝ ବୋଲି ମତେ ଭାବିଲ ମନେ, ହେ ବାପା,
ପଠେଇ ଦେଉଛ ଘୋର ଅରଣ୍ୟେ, ହେ ବାପା ।”
ଜ୍ବାଇଁ ଯଦି କିଛି ଧନ ସମ୍ପତ୍ତି ପାଇଁ ଜିଦି କଲା ତେବେ ଝିଅ ଦେଖେଇକି କାନ୍ଦେ;
” ଛନଛନ ମନ, ଛାଲି ପୁର ପାନ, ଡୋଲି ପୁର ଗୁଣ୍ଡି, କଟକ ଖଇର, ଯାଜପୁର ଗୁଆ, ମୋ ମୁଣ୍ଡ ଘୁରୁଛି, ହେ ବାପା
କନ୍ୟା ରତ୍ନ ଦେଇ ଶରଣ ପଶିଲ ଆଉ କୋଉ ଧନ ସିଏ ମାଗୁଛି, ହେ ବାପା ।”
ସାଙ୍ଗମାନଙ୍କୁ ମଧ୍ୟ ଗୀତ ଛଳରେ ତା’ ମନ କଥା କହେ । ଯେମିତି;
” ଆଇଲାଣି କୁଲି, ବାରବାଙ୍କ ବୁଲି
ରୋସଣୀ ସଜେଇ, ତେଲିଙ୍ଗି ବଜେଇ
ନେବାକୁ ମତେ ଲୋ, ମୋ ସାଙ୍ଗମାନେ ।
ରଜ ସଜବାଜ, କୁଆଁରୀ ମଉଜ
ଭାଲୁକୁଣୀ ଓଷା, ମନରୁ ଏଥର
ପୋଛିବ ମତେ ଲୋ, ମୋ ସାଙ୍ଗସାନେ । “
ଏମିତି କେତେ ପ୍ରକାରର କାନ୍ଦଣା ଅଛି । ଆଉ ଝିଅ ମାନଙ୍କର ରଜ ଦୋଳି ଗୀତ ତ ସବୁଠାରୁ ଆକର୍ଷଣୀୟ ସୁମଧୁର । ପାଠୁଆ ଅପାଠୁଆ ସମସ୍ତେ ବୁଝି ପାରୁଥିବା ଲୋକଗୀତ । ଏସବୁ ସ୍ବତଃଷ୍ଫୁର୍ତ୍ତ ଖୁବ୍ ସୁନ୍ଦର ସରଳ ଶବ୍ଦରେ ଛନ୍ଦା । ଯେମିତି ଦୋଳି ଗୀତର ଉଦାହରଣ :-
” ବିଲରେ ପାଚିଲା ଧାନ
ଛାଡି ଦେ ସାଙ୍ଗ ମନରୁ ମାନ
ମନରୁ ମାନ ଲୋ ଖାଇ ଖଣ୍ଡେ ରଜ ପାନ “
କୁମାର ପୂର୍ଣ୍ଣିମା ଗୀତ ତ ଆହୁରି ମଧୂର ଓ ମନ ଛୁଆଁ,
” କୁମାର ପୂର୍ଣ୍ଣିମା ଜହ୍ନ ଗୋ ଫୁଲ ବଉଳବେଣୀ
କୁଆଁରୀ ଝିଅଙ୍କ ପୁଚି ଖେଳ ଦେଖ
ପାଉଁଚି ଶବ୍ଦ ଶୁଣି ଗୋ ଫୁଲ ବଉଳବେଣୀ…..
ପୁଚି ଖେଳରେ ଝିଅମାନେ ଗାଇ ଉଠନ୍ତି,
“ ଠିଆ ପୁଚି ନାରଙ୍ଗ
ଗୋଡ଼ ଦିଇଟା ସାରଙ୍ଗ
ସାରଙ୍ଗ ବାରିକି ଯାଇଥିଲି
ନାରଙ୍ଗ ଫଳ ଆଣିଥିଲି
ଅଧା କଲି ଭଜା
ମୋ ଭାଇ ଟି ରଜା ।
ଓଡିଆ ଘରର ନାରୀ ରକ୍ଷଣଶୀଳା । ସେ ତା’ର ସଂସ୍କୃତି, ପରମ୍ପରାକୁ ସମ୍ମାନ କରେ । ଓଡିଆଣୀର ଶ୍ରେଷ୍ଠ ପରିଚୟ ତା’ ଓଢଣାରୁ ବାରି ହୋଇଯାଏ । ଶାଢ଼ୀରେ ସୌନ୍ଦର୍ଯ୍ୟମୟୀ ଓଡିଆଣୀ ସାଜିଥାଏ । ସେ ତା’ ଶାଶୁଘର ଓ ବାପଘର ଉଭୟଙ୍କ ପାଇଁ ହିତାକାଂକ୍ଷୀ ପ୍ରଦୀପଟିଏ ଭଳି ଜଳୁଥାଏ । ସେ ଉଦାର, ବସୁଧା ଭଳି ସହନଶୀଳା ମଧ୍ୟ ହୋଇଥାଏ । ସେ ଶଙ୍ଖା, ସିନ୍ଦୁର, ଅଳଙ୍କାର ବିଭୂଷିତା ଦେବୀଟିଏ । ଘରର ଲକ୍ଷ୍ମୀ ସିଏ । ସେ ଦୁଇ କୂଳର ମଙ୍ଗଳାକାଂକ୍ଷୀ । ତେଣୁ ସେ ବିଭିନ୍ନ ଓଷା, ବ୍ରତ କରି ଈଶ୍ବରଙ୍କ ପାଖରେ ଭକ୍ତି ନିବେଦନ କରେ । ଯଥା :-
“ ପ୍ରଭୁ ତୁମ ପାଶେ ମୋର ଏହି ଛୋଟ ମିନତୀ
ଦୁଇ କୂଳ ହିତ ପାଇଁ ହୃଦେ ଦିଅ ଶକତି,
ସବୁ ଦୁଃଖ ମତେ ଦିଅ କର ଅନ୍ୟ ମଙ୍ଗଳ
ତୁମେ ଏକମାତ୍ର ସାହା ମୋ ଜୀବନ ସମ୍ବଳ ।”
ସେ ସ୍ବାମୀ, ସନ୍ତାନଙ୍କ ପାଇଁ ପୂର୍ଣ୍ଣ ଆବଶ୍ୟକୀୟା । ସେ ଜନନୀ ହୋଇ ତା’ ସନ୍ତାନକୁ ପ୍ରତିପାଳିତ କରୁଥାଏ ବିଭିନ୍ନ ଅବସ୍ଥାରେ । ତା’ ପିଲାର ଖୁସି ପାଇଁ ସତଚେଷ୍ଟିତା ସେ ପିଲାକୁ ନିଦ ନ ଆସିଲେ ସେ ଲୋରୀ ଗାଇ ଶୁଆଇ ଦିଏ । ଯଥା :-
” ଝୁଲି ଝୁଲି ଧନ ଶୋଇ ଯା’ କୋଳେ
ଗୀତ ଗାଇ ଗାଇ ନାନା ବାୟା ମୋର
ନିଦ ଭରି ଦେବି ତୋ ଆଖି ଡୋଳେ ।”
‘ ଜହ୍ନ ମାମୁଁ ଗାଁ ନେବି ବୁଲେଇ
କୋଳେ ଶୋଇଦେବି ତତେ ଝୁଲେଇ ।’
ଏମିତି ନାନାବାୟା ଗୀତ ତା’ ଆବେଗ, ଉଚ୍ଚ୍ବାସରୁ ହିଁ ସେ ନିଜେ ସୃଷ୍ଟି କରି ଗାଏ । ବେଳେ ବେଳେ ପରଦେଶୀ ସ୍ବାମୀ ପାଇଁ ମଧ୍ୟ ବିରହର ଗୀତ ଗାଇଥାଏ ।
” ପରଦେଶେ ପ୍ରିୟ ତୁମେ ଚାଲିଗଲ ଦୂରକୁ
ନିତିଦିନ ଝୁରୁଛି ମୁଁ ତୁମ ପ୍ରୀତି ସ୍ବରକୁ,
ତୁମ ପ୍ରେମ ପ୍ରତିଛବି ଘୂରୁଛି ମୋ ମନରେ
ପ୍ରଜାପତି ସାଜି ଉଡେ ପ୍ରୀତି ଉପବନରେ,
ଚାହିଁ ମୁଁ ବସିଛି ତୁମ ଆସିବାର ବାଟକୁ
ପାରୁନି ସମ୍ଭାଳି ଆଉ ବିରହର ଛାଟକୁ ।”
ତା’ ପ୍ରାଣରୁ ଆପେ ଆପେ ଗୀତର ଝରଣା ଝରିଆସେ । ଓଡିଆଣୀ ମାନେ ସ୍ବତନ୍ତ୍ର ଭାବରେ ବଞ୍ଚନ୍ତି । ଜଗନ୍ନାଥ ସଂସ୍କୃତି ହିଁ ଜ୍ବଳନ୍ତ ପ୍ରମାଣ । ବିଭିନ୍ନ ପରିସ୍ଥିତି ଦେଇ ଶୃଙ୍ଖଳିତ ଭାବରେ ଗତି କରିଥାନ୍ତି ଆମ ଓଡିଆଣୀ ମାନେ । ଓଡିଆଣୀର ଜୀବନ ସଙ୍ଗୀତମୟ । ସେ ତା’ ସଂସାରରୁ ହିଁ ଆପଣା ତ୍ୟାଗରୁ ଆନନ୍ଦ ଆହରଣ କରେ । ଆମ ଓଡ଼ିଆଣୀ ପକ୍କା ରାନ୍ଧୁଣୀ । ସେମାନେ ବିଭିନ୍ନ ସୁଆଦିଆ ଭୋଜନ ପ୍ରସ୍ତୁତି କରିଥାନ୍ତି । ଗୀତରେ ଅଛି :-
” ସେ ଯେ ଓଡ଼ିଆ ଘରର ବୋହୂ,
ଏମିତି ସୁଆଦ ଭୋଜନ ରାନ୍ଧଇ,
ଲାଳ ଗଡ଼େ କହୁକହୁ ।
ଚିତଉ, ଚକୁଳି, କାକରା, ଆରିଶା,
ପୋଡ଼ ପିଠା, ମଣ୍ଡା, କ୍ଷୀରି କ୍ଷୀରିଶା
ଖାଇଲେ ଜିଭର ବଢେ ଲାଳସା ।”
ଏଇତ ଓଡ଼ିଆଣୀର ଜୀବନ ଚରିତ୍ର ଲୋକଗୀତରେ ଛନ୍ଦା ।
ମିନାକ୍ଷୀ ବ୍ରହ୍ମ
ଖଙ୍କିରା, ଗନ୍ଦିଆ, ଢେଙ୍କାନାଳ
ଫୋନ୍ ନମ୍ବର- ୬୩୭୧୯୫୬୦୦୯