“ଅନୁଭୂତିରେ ମୋ ବିଦ୍ୟାଳୟ ଓ ପିଲାଦିନ”
*************************
ଅନୁଭୂତି ମୋ ପିଲାଦିନର ଅଟଇ ନିଆରା

ଝୁରୁଥିବି ସେ ସମୟକୁ ମୁଁ ମୋ ଜୀବନ ସାରା 

ପିଲାଟିବେଳରୁ ମୁଁ ଯେ ଭାରୀ ଭାବପ୍ରବଣ ଏବଂ ସମ୍ବେଦନଶୀଳ ଏ କଥା ମୋ ପରିବାରର ପ୍ରତିଟି ସଦସ୍ୟ ଜାଣିଥାଆନ୍ତି। ମୋତେ ପାଠ ପଢିବାକୁ ଭାରି ଭଲଲାଗେ। ମୋର ଉପରକୁ ଚାରି ଭାଇଭଉଣୀ, ସବା ସାନ ଝିଅ ଘରର। ବଡ ଗେଲ,ଆଦର ଯତ୍ନରେ ବଢିଛି। ସମସ୍ତେ ପାଠ ପଢନ୍ତି, ସ୍କୁଲ ଯାଆନ୍ତି, ଟିଉସନ୍ ଯାଆନ୍ତି। ଏମିତି ମୁଁ ସବୁବେଳେ ଦେଖୁଥାଏ ମାତ୍ର କାହାକୁ କିଛି କହୁନଥାଏ କିନ୍ତୁ ମନରେ ଭାବୁଥାଏ ଯେ;ମୁଁ ବି ସ୍କୁଲ ଯିବି ଆଉ ପାଠ ପଢିବି। ହେଲେ ମୋର ବୟସ ଯମା ୪ ବର୍ଷ ସେତେବେଳକୁ, ସେଥିପାଇଁ ବୋଲି ମୋତେ ଘରେ ମୋ ବାବା, ମାମା, ବଡ ଭାଇ ନାନୀ ସମସ୍ତେ ସମୟ ବ୍ୟବଧାନରେ କିଛି କିଛି ପାଠ ପଢାନ୍ତି, ଶିଖାନ୍ତି। ଏମିତି ମୁଁ ଚାରି ବର୍ଷ ଛଅ ମାସ ହୋଇଥିବା ସମୟରେ ଓଡିଆରେ, ଇଂରାଜୀରେ ବହୁତ ଜାଣିବା ଆଉ ଶିଖିବା ଜିନିଷ ଶିକ୍ଷା କରିସାରିଥାଏ, ଏପରିକି ହିନ୍ଦୀର ବର୍ଣ୍ଣମାଳା ବି ଜାଣିସାରିଥାଏ। ଏଣୁ,ମୋର ଭାରି ମନ ମୁଁ ଯେମିତି ହେଲେ ସ୍କୁଲ ଯିବି ଆଉ ପାଠ ପଢିବି ।
ଦିନକର ଘଟଣାଟିଏ। ସକାଳ ପ୍ରାୟଃ ୧୦ ଘଣ୍ଟିକା ସମୟ। ମୋ ବାବା ଅଫିସ୍ ଚାଲିଯାଇଥାଆନ୍ତି,ନାନୀମାନେ ଆଉ ଭାଇମାନେ ସ୍କୁଲ ବାହାରି ଯାଇଥାଆନ୍ତି। ମୁଁ ବି ପୁରା ରେଡି ହେଇଯାଇଥାଏ, ହେଲେ କୁଆଡେ ଯିବି ଜାଣି ନ ଥାଏ। ମୋର ‘ମାମା’ କହିଲା;ତୁ ଏଇଠି ବସିଥା ଆଉ ଆଜିର ପାଠ କ’ଣ ପଢିବୁ ମୁଁ ତତେ କହିଦେବି, ଟିକିଏ ପଡିଶା ମାଉସୀ ଘରକୁ ଯାଇଆସେ କିଛି କାମ ଅଛି । ମୁଁ ଖାଲି ହୁଁ କରିଦେଲି ଆଉ କିଛି କହିଲିନି ।ସିଏ ପଡିଶା ଘରକୁ ଗଲା ପରେ ମୋତେ ସତରେ ଯେମିତି ସୁବର୍ଣ୍ଣ ସୁଯୋଗ ମିଳିଗଲା ମୋ ସାନ ଭାଇର ସ୍କୁଲ ଯିବାକୁ। ମୁଁ ଗୋଟିଏ ଖାତା, ପେନସିଲ ଆଉ କାହାର ଗୋଟିଏ ବହି ଧରି ବାହାରିଲି ସାନ ଭାଇର ସ୍କୁଲ ଅଭିମୁଖେ। ଧାଇଁ ଧାଇଁ ପହଞ୍ଚିଲି ସ୍କୁଲରେ ।
ସେଠାରେ ପୁରା ଚୁପ୍‌ଚାପ୍ ଆଉ ଶୃଙ୍ଖଳାରେ ସବୁ ଶ୍ରେଣୀରେ ସାର୍ ଦିଦିମାନେ ପାଠପଢାଇବା ଆରମ୍ଭ କରିଦେଇଥିଲେ। ମୁଁ ଯାଇ ସିଧା ପହଞ୍ଚିଲି ଭାଇର ଶ୍ରେଣୀ କକ୍ଷରେ ଆଉ କହିଲି ତାଙ୍କ ଶ୍ରେଣୀ ଶିକ୍ଷକଙ୍କୁ, ମୁଁ ଭାଇ ସହିତ ବସି ଆଜିଠୁ ପାଠ ପଢିବି। ଧାଇଁ ଧାଇଁ ଯାଇ ଭାଇ ପାଖରେ ବସିପଡିଲି। ମୋ ଭାଇ ଏସବୁ ଦେଖି ଡରିଯାଇଥାଏ, ମୋତେ ଖାଲି ଚାହୁଁଥାଏ ଆଉ କିଛି କହୁ ନ ଥାଏ। ଶ୍ରେଣୀ ଶିକ୍ଷକ ମୋତେ ଦେଖି ହସି ହସି ପାଠ ପଢାଉଥାଆନ୍ତି, କିଛି ସମୟ ପରେ ସେ ମୋତେ ପାଖକୁ ଡାକି ତାଙ୍କ ଚୌକିରେ ବସାଇଦେଲେ। ମୁଁ ଏଥର ପୁରା ଡରିଗଲି ଆଉ ଭେଁ କିନା କାନ୍ଦିପକାଇଲି ।ସାର୍ କେତେ ବୁଝାଇଲେ, ଚକଲେଟ୍ ଦେଲେ ହେଲେ ମୁଁ କାନ୍ଦି ଚାଲିଥାଏ। ସାର୍ ଙ୍କ ନିର୍ଦ୍ଦେଶ କ୍ରମେ ଭାଇ ମୋର ହାତ ଧରି ନେଇ ତା’ ପାଖରେ ବସାଇଲା । ତା’ପରେ ମୋର କାନ୍ଦ ବନ୍ଦ ହୋଇଥିଲା । ଏ କଥା ପ୍ରଧାନ ଶିକ୍ଷକଙ୍କପାଖକୁ ଚାଲିଯାଇଥାଏ। କିଛି ସମୟ ପରେ ଲଘୁ ବିରତି ହେଲା, ପ୍ରଧାନ ଶିକ୍ଷକ ଭାଇକୁ ଆଉ ମୋତେ ତାଙ୍କ ରୁମ୍ ଡାକି କହିଲେ,ତୋ ଭଉଣୀକୁ ଘରେ ଛାଡିକରି ଆସେ ମୁଁ ସନ୍ଧ୍ୟାରେ ତମ ଘରକୁ ଆସିବି। ଏକଥା ଶୁଣି ଭାଇ ପୁରା ଡରିଯାଇଥାଏ ।
ମୋତେ ଭାଇ ଆଉ ତା’ର ଦୁଇ ସାଙ୍ଗ ଘରେ ନେଇ ପହଞ୍ଚିଲା ବେଳକୁ ଆମ କଲୋନୀର ସବୁ ଲୋକ ଜମା ହୋଇଯାଇଥାଆନ୍ତି ଘର ଆଗରେ ଆଉ ‘ବାବା’ ବି ଅଫିସ୍ ରୁ ଆସିଥାନ୍ତି ମୋତେ ଖୋଜିବା ପାଇଁ ।ହଠାତ୍ ମୋତେ ଦେଖି’ ମାମା’ ଯେମିତି ଧୈର୍ଯ୍ଯ ଫେରିପାଇଲା, ମୋତେ କୁଣ୍ଢେଇ ଦୁଇଜଣଙ୍କ ଯୋଉ କାନ୍ଦ, ସେ କଥା ଆଜି ବି ଭାରି ମନେ ପଡେ । ଭାଇର ଦୁଇ ସାଙ୍ଗ ସବୁ କଥା କହିଥିଲେ ।ସନ୍ଧ୍ୟାରେ ହେଡ୍ ସାର୍ ଆସି ମୋ ବାବଙ୍କ ସହ କଥା ହେଲେ ଆଉ ସ୍କୁଲରେ ଜଏନ୍ କରିବା କହିଥିଲେ, ହେଲେ ବାବା କହିଥିଲେ ଝିଅର ବୟସ ହେଇ ନାହିଁ । ପରେ ମାମା,ବାବା ଆଉ ହେଡ୍ ସାର୍ ବିଚାର ବିମର୍ଶ କରି ମୋର ବୟସ ବଢାଇ ମୋତେ ସ୍କୁଲରେ ନାମ ଲେଖେଇଦେଲେ । ମୋର ଖୁସି କହିଲେ ନ ସରେ ।
ଆଜି ମୁଁ ଭାବୁଛି ବେଳେ ବେଳେ ଏକାନ୍ତରେ ବସି,ସତରେ ପିଲାଦିନର ଅନୁଭୂତି କେଡେ ନିଆରା ଆଉ ସ୍ମୃତି ମଧୁର ଲାଗେ ଶୁଣିବାକୁ ଆଉ ଭଲ ଲାଗେ କହିବାକୁ ଯେ….ସେତେବେଳେ କେତେ ଆଗ୍ରହ ଥିଲା ଆଉ ମନଯୋଗ ବି ଥିଲା ପାଠ ପଢିବା ପାଇଁ ।
×××××××××××××××××××××
🌹ମାମିନୀ ଦାଶ 🌹
🌹ଶିକ୍ଷୟିତ୍ରୀ 🌹
🌹ଜୟପୁର,କୋରାପୁଟ 🌹

One thought on “ପଢନ୍ତୁ ମାମିନୀ ଦାଶ ଙ୍କ ଗଳ୍ପ ଅନୁଭୂତିରେ ମୋ ବିଦ୍ୟାଳୟ ଓ ପିଲାଦିନ””

Leave a Reply

Your email address will not be published. Required fields are marked *