ଓଡ଼ିଆ ଲୋକଗୀତରେ ଓଡ଼ିଆଣୀର ଜୀବନ ଚରିତ


ଅଇଲା ଲୋ ମାଆ ଗେଟେଇ ରାଣୀ
ସବୁ ଓଷାବାର ଆଣିଲା ଟାଣି ।”

 

ଉକ୍ତ ଲୋକଗୀତଟିକୁ ମୁଁ ପିଲାବେଳୁ ମୋ ବୋଉ ତୁଣ୍ଡରୁ ଶୁଣିଛି ।ନୀଳାଦ୍ରି ବିହାରୀ ଜଗତର ନାଥ ଜଗନ୍ନାଥଙ୍କର ରଥଯାତ୍ରା ଅର୍ଥାତ୍ ଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟରେ ଯେଉଁ ମଙ୍ଗଳବାର ପଡେ, ସେହିଦିନ “ବିପତ୍ତାରିଣୀ” ବ୍ରତ ଆମ ଓଡ଼ିଶାର ଘରେ ଘରେ ପାଳନ କରାଯାଏ ।ଓଡ଼ିଆ ରମଣୀ ପ୍ରାତଃ ସ୍ନାନ ସାରି ଜଗଦ୍ଧାତ୍ରୀ ମା’ ତାରିଣୀଙ୍କ ଉଦ୍ଦେଶ୍ୟରେ ଦାଣ୍ଡରେ ପଣା ଢଳି ମାଆଙ୍କ ନିକଟରେ ପିଲା ପରିବାରର ମଙ୍ଗଳ ମନାସନ୍ତି । ତା’ପରେ ଠାକୁର ଘରେ ପିଢା ବା ଖଟୁଳି ଉପରେ ଝୋଟି ଦେଇ, ସେଥିରେ ନବ ବସ୍ତ୍ର ସହ ଗୁଆ ବସାଇ ସିନ୍ଦୂର,ଚନ୍ଦନ,ଦୂବ, ବରକୋଳି ପତ୍ର, ପୁଷ୍ପାଦି ଅର୍ପଣ କରି, ପ୍ରସ୍ତୁତ ଗେଟେଇ ଓ ଅଟକାଳି ନୈବେଦ୍ୟ ସହ ବିଭିନ୍ନ ରଙ୍ଗର ବ୍ରତକୁ ପୂଜା କରନ୍ତି ।ଏହି ଦିନଠାରୁ ବର୍ଷର ସବୁ ଓଷାବ୍ରତ ଆରମ୍ଭ ହୋଇଥାଏ । ବାହୁଡା ଦଶମୀରେ ବି ଗାଈ ଗୁହାଳେ କ୍ଷୀରି ଓ କାକରା ପିଠା ତିଆରି କରାଯାଇ ମା’ ତାରିଣୀଙ୍କୁ ନୈବେଦ୍ୟ କରିଥାନ୍ତି ଓଡ଼ିଆ ରମଣୀ ।
ଏମିତି ବର୍ଷଭରି ବିଭିନ୍ନ ଓଷାବ୍ରତରେ ମନ ନିବେଶ କରେ ଓଡ଼ିଆ ରମଣୀ ।ଯଦି ଅଖରୁ ଠକ ବିଗିଡି ଗଲା, ତେବେ ଶାଶୁମନେ ସଙ୍ଗେ ସଙ୍ଗେ ଗୀତର ଛଟା ଆରମ୍ଭ କରିଦିଅନ୍ତି,
ଆଉ ଆମ ଯୁଗ କ’ଣ ଅଛି
ଆଜିକା ବୋହୂଙ୍କୁ କହି ହେଉନାହିଁ
ପାଟିରେ ତୁଣ୍ଡି ଦେବାକୁ ପଡୁଛି ।”

ତେଣୁ ଶାଶୁମାନଙ୍କ ପରୋକ୍ଷ ଆକଟରେ ବୋହୂମାନେ ବି ନିଜକୁ ସବୁବେଳେ ସଜାଗ କରି ରଖନ୍ତି ।କେତେକ ଲୋକପ୍ରିୟ ବୟସ୍କ ସ୍ତ୍ରୀଲୋକ ବି ଗାଆଁରେ ଥାଆନ୍ତି,

ମାଆଲୋ ମଲ୍ଲୀ ଗାଆଁଟାଯାକ ମୁଁ ଅଇଲି
କେହି ନକହିଲେ ବସ ବୋଲି, ମଲ୍ଲୀ ଢପ ।”

ଏମିତି ଗୀତ ବୋଲନ୍ତି ଯେ ମନ ନଥିବା ଲୋକ ବି ତାଙ୍କୁ ଡାକି ବସିବକୁ ଆସନ ଦିଅନ୍ତି ।ପାନ ଭାଙ୍ଗି ଖାଇବାକୁ ଦିଅନ୍ତି ।ନିଜର ଯେତେ କାମ ଥିଲେ ବି ଦିପଦ କଥାବାର୍ତ୍ତା ହେବାକୁ ବାଧ୍ୟ ହୁଅନ୍ତି ।ଏସବୁ ଗ୍ରାମ୍ୟ ରମଣୀମାନଙ୍କର ନିତିଦିନିଆ କଥା ।
ନଣନ୍ଦମାନେ ନଈକୁ ଗାଧୋଇ ଗଲେ, ଭାଉଜମାନେ ଶୀଘ୍ର ଫେରି ଆସିବାକୁ ଆକଟ କରି ଗୀତ ପଦେ ଗାଇ ଦିଅନ୍ତି ।
ନଣନ୍ଦ ମୋ ଅପସରି
ରୂପଲାବଣ୍ୟରେ କିଏ ତା’ ସରି
ବେଗେ ବାହୁଡିବ ଗାଧୁଆ ସାରି
ନହେଲେ ବାଟରେ ଜଗି ବସିଥିବ
କେଉଁ ରାଇଜର ରାଜକୁମର ଯେ
ଧରି ନେବ ସୁନାଗୋରି ।”

ରଜ ପର୍ବରେ ନଣନ୍ଦମାନଙ୍କୁ ଭାଉଜ ବି ନାନା ଗୀତଗାଇ ସଜ କରିଦିଅନ୍ତି ।ପଟାଦୋଳି, ଦଉଡି ଦୋଳି ଆଦିରେ ଝୁଲିଝୁଲି ଝିଅମାନେ ଭାଉଜଙ୍କୁ ଶୁଣାଇ ଶୁଣାଇ ଗୀତ ଗାଆନ୍ତି,
ପଟାଦୋଳି କଟକଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ଦିଶୁଥାଏ ଝଟଝଟ ।

ପଟାଦୋଳି କେଁକିଲା
ମୋ ଭାଇ ମୁଣ୍ଡରେ କି ଫୁଲ ଥିଲା ଲୋ
ଦେଶଯାକ ମହକିଲା ।”

ପଟାଦୋଳି ତଳେ ଗାତ
କେଲୁଣି ରାନ୍ଧିଛି ମାଗୁର ମାଛ ଲୋ
କେଳା ଖାଉନାହିଁ ଭାତ ।”

କୁମାର ପୂର୍ଣ୍ଣିମାରେ ଭାଉଜ ବି ନଣନ୍ଦମାନଙ୍କୁ ଚିଡାଇବାକୁ ତାଙ୍କ ଓଷ୍ଠ ସ୍ପର୍ଶ କରି ଗୀତ ଗାଆନ୍ତି,

ଶୁଖି ଯାଇଛି ମୋ ଚାନ୍ଦ ବଦନ
ଅଖିଆ, ଅପିଆ କଟିଲା ଦିନ
ଚାନ୍ଦ ପରି ବର ଲଭିବାକୁ ତୁମ
ହେଲାଣି ମନ ଉଚ୍ଛନ୍ନ ।”

ସତରେ ଆମ ଓଡ଼ିଆ ଘରର ନଣନ୍ଦ ଭାଉଜଙ୍କ ଭିତରେ ଯେଉଁ ନିଆରା ସମ୍ପର୍କ ଥିଲା, ତାହା ଏବେ ବିଲୁପ୍ତ ପ୍ରାୟ ।ଏଥିପାଇଁ ଆମେ ଓ ଆଜିର ସମାଜ ଦାୟୀ ।କାରଣ ଜନସଂଖ୍ୟା କମାଇବା ଉଦ୍ଦେଶ୍ୟରେ ଆମେ ଦୁଇ, ଆମର ଦୁଇ ବା ଏକ ହିସାବରେ ଲୋକମାନେ ଜୀବନ ଜୀଇଁବାରେ ଲାଗିଛନ୍ତି ।

ଅତୀତରେ ଝିଅମାନେ ଶାଶୁଘରକୁ ଯିବାବେଳେ ବିଭିନ୍ନ କାନ୍ଦଣା ଗୀତ ଗାଇଥାନ୍ତି ।

“ଶାଶୁଘର ନୁହେଁ ଜେଲଖାନା
କିପରି ରହିବି ସେଠି ଆଲୋ ବୋଉ
ଟିକେ ବୁଝାଇ କହନା
ତୋର ମନେ ଯଦି ଏଇଆ ଥିଲା
ଏନ୍ତୁଡିଶାଳରୁ ନମାରିଣ ମୋତେ
ବଞ୍ଚାଇ ରଖିଲୁ କାହିଁକି ଭଲା, ମୋ ବୋଉ !

ଏଡୁଟେରୁ ଏଡେ କଲ
କଂସାରି ହାତରେ ଧରାଇ ଦେଲ, ମୋ ବାପା !
ହେବି ଖାଲି କଲବଲ, ମୋ ବାପା !

ପର କରିବନି ଭାଇ
ମୁଁ ପରା ତୁମର ଗେହ୍ଲା ଭଉଣୀ
ଦିନ କେତେ ଛାଡି ମୋ ଘରକୁ ତୁମେ
ଟିକେ ଯାଉଥିବ ଧାଇଁ, ମୋ ଭାଇ !

ଭାଉଜ ତୁମକୁ ରାଣ ରହିଲା
ମୋ ବାପାବୋଉଙ୍କୁ ପର କରିବନି
ତାଙ୍କ ସୁଖଦୁଃଖ ବୁଝିବ ଭଲା, ମୋ ଭାଉଜରାଣୀ !”

ଆଗକାଳେ ଶାଶୁମାନେ ତ ଜ୍ବାଇଁଙ୍କୁ ଆଗରୁ ଦେଖି ପାରୁନଥିଲେ ।ଯଦି ଝିଅ ଗୋରା ଥାଇ ଜ୍ବାଇଁ କଳା ପଡୁଥିଲେ,
ତେବେ ମାଆମାନେ ବି ଝିଅ ବିଦା ସମୟରେ ସ୍ବାମୀଙ୍କୁ ସାକ୍ଷୀ ରଖି ଗୀତ ଗାଉଥିଲେ ।

ମୋ ଗୋରା ଝିଅକୁ କାଳିଆ ବର
କିପରି ବଳିଲା ମନ ତୁମର ? ହେ ରାମ ବାପା !
ମୋତେ କରିଦେଲ ପର, ହେ ରାମ ବାପା !”

ଏମିତି ସବୁ କାନ୍ଦଣା ଗୀତ ଝିଅର ଶାଶୁ ଘର ବିପକ୍ଷରେ ଗାଇବା ହେଉଥିଲେ ବି ସେମାନଙ୍କ ମନରେ କୌଣସି କୁପ୍ରଭାବ ପଡୁ ନଥିଲା ।ଦୁଇ ବନ୍ଧୁ ଆଦରର ସହ କୋଳାକୋଳି ହେଉଥିଲେ ।ସୁଖଦୁଃଖର ସାଥୀ ହୋଇ ଭାବର ଆଦାନ ପ୍ରଦାନ କରୁଥିଲେ ।କାରଣ ଏହା ଥିଲା ସେତେବେଳର ସଂସ୍କୃତି ଓ ପରଂପରା ।ଆଧୁନିକତାର ସ୍ପର୍ଶରେ ଆଜି ସେଗୁଡିକ ସବୁ କାଳର ଅଥଳ ଗର୍ଭରେ ପ୍ରାୟ ଲୀନ ହୋଇ ଗଲାଣି ।

ବିନୋଦିନୀ ଦାଶ, କୁରୁଆଁ, ଯାଜପୁର
ଦୂରଭାଷ-୯୪୩୯୨୦୫୧୬୬
ଏହା ମୋ ନିଜସ୍ବ ଲେଖା

Leave a Reply

Your email address will not be published. Required fields are marked *