ଅନୁଭୂତିରେ ମୋ ବିଦ୍ୟାଳୟ ଓ ପିଲାଦିନ

ପିଲାଦିନର ଅନୁଭୂତି ଯେତେବେଳେ ମନେ
ପଡେ, ଇଚ୍ଛା ହୁଏ ପୁଣି ସେ ହସକାନ୍ଦ ସୁଖଦୁଃଖର
ଦିନଗୁଡିକ ଫେରି ଆସନ୍ତା କି ? ତେଣୁ ଆଜି ସେ
ବିଷୟରେ ଲେଖିବାର ସୁଯୋଗ ମିଳିଥିବାରୁ
ମେରୁଦଣ୍ଡ ଯନ୍ତ୍ରଣାକୁ ଭୁଲିଯାଇ ପିଲାଦିନର ସେହି
ଅମୃତମୟ ଅଭୁଲା ସ୍ମୃତିକୁ ମାନସପଟରେ ରୋମନ୍ଥନ
କରୁକରୁ ଅତି ଆନନ୍ଦରେ କୁରୁଳି ଉଠୁଛି ମୋ ମନ ।

ସତରେ କେତେ ସୁନ୍ଦର ଥିଲା ମୋର ସେହି
ପିଲାଦିନ ।୧୯୬୬ ମସିହା ବସନ୍ତ ଋତୁର ଫାଲ୍ଗୁନ
ମାସରେ ମୋର ଜନ୍ମ ।ଏହ ଭିତରେ ପଞ୍ଚାବନଟି
ବସନ୍ତ ମୁଁ ଅତିକ୍ରମ କରିସାରିଲିଣି ।ଯେଉଁ ଗାଁରେ
ଜନମ ହୋଇ ତା’ର ଧୂଳି ମାଟିରେ ବଡ଼ ହେଲି,
ସେହି ମୋର ଅତି ଆପଣାର ଛୋଟିଆ ଗାଆଁଟିର
ନାମ ହେଉଛି ‘ଝାଟିଆ ଶାସନ’ ।ଗାଆଁଟି
ସେତେବେଳେ ଥିଲା ସତେ ଯେମିତି ମୋ ପାଇଁ
ଗୋଟିଏ ସ୍ବପ୍ନପୁରୀ ।ଆମ୍ବ ତୋଟା,ବାଉଁଶ ବଣ,ଗାଁର
ଏକାଧିକ ପୋଖରୀ, କିମ୍ବଦନ୍ତୀ ଥିବା ମଠ, ସବୁଜ
ଶସ୍ୟକ୍ଷେତ୍ର, ଏକ ଛୋଟ ବଣ ଯାହାର ନାମ
‘ଫୁଲୁକା ବଣ’ ଗାଁକୁ ଚାରିପଟେ ଘେରି ରହଥିଲା ।
ଏବେବି ଅଛି ।କିନ୍ତୁ ଆଗର ସେ ସୌନ୍ଦର୍ଯ୍ୟ ଆଉ ନାହିଁ ।
ଗାଆଁ ରାସ୍ତାର ଦୁଇ କଡେ ଓ ଭିତରକୁ କୋଠା ଓ ଚାଳ ଛପର ଘର, ମଝିରେ ଠାକୁର ଘର, ବିବାହବ୍ରତ ପାଇଁ
ନିର୍ମିତ ଚାନ୍ଦିନୀ ମୋ ଗାଁର ଶୋଭାକୁ ଦ୍ବିଗୁଣିତ କରୁଥିଲା ।

ମଠରେ ବାଦୁଡିମାନେ ରହୁଥିବା ବିଶାଳ
ବରଗଛ ତିନୋଟି ସେତେବେଳେ ପିଲାମାନଙ୍କର
ବେଶି ଆକର୍ଷଣୀୟ ଥିଲା ।ସାଥୀମାନଙ୍କ ସହ
ବରଗଛ ଓହଳରେ ଗୀତ ଗାଇ ଦୋଳି ଖେଳର
ଆନନ୍ଦ କେବେ ଜୀବନରୁ ଭୁଲି ହେବ ନାହିଁ ।

ପାଖ ବଣରୁ ଭଇଁଚ, ବେତ ଆଦି କୋଳି
ତୋଳା, ମାଟିରେ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି
ମାଟି, ବତା, ବାଉଁଶରେ ତିଆରି ଛୋଟ ଛାତ ଘରେ
ରଖି ଖେଳିବା,ସେଇଠି ଚୁଲି ପକାଇ ଭୋଜି କରିବା,
ପୁଣି କଣ୍ଢେଇ ବାହଘରରେ ନଡିଆ ସଢେଇରେ
କଷି ଆମ୍ବର ଭୋଜି ଖିଆ ତତ୍ ସହିତ ନିଜେ ମଧ୍ୟ
ସାଙ୍ଗ ଝିଅ ସହିତ ବର କନିଆଁ ହୋଇ ଦୂବ
ବରକୋଳି ପତ୍ରରେ ହାତଗଣ୍ଠି ପକାଇ ମିଛିମିଛିକା
ବାହାଘର ଅତି ମନୋମୁଗ୍ଧକର ଥିଲା ।ଜନ୍ଦାଖାଇ
ଫଳ ଓ ନଡିଆ କଞ୍ଚିରେ ତିଆରି ରଥ ଟଣା,ରଜରେ
କାଗଜ ତିଆରି ଗୁଡି ଉଡା କେତେ ଆନନ୍ଦ ଭରି
ଦେଉଥିଲା ମନରେ ।

ଖରାଦିନେ ବିଦ୍ୟାଳୟରୁ ଫେରି ପୋଖରୀ
ପାଣିରେ ବୁଡିବା, ଘର ଛପର ପାଇଁ ପଡିଥିବା
ବାଉଁଶକୁ ଧରି ପହଁରିବାରେ ଏତେ ଆନନ୍ଦ ଭରି
ରହିଥିଲା ଯେ ଯାହା ଅବର୍ଣ୍ଣନୀୟ ।

ସାଥୀମାନଙ୍କ ସହ ଲୁଚକାଳି, ଖପରା ଡିଆଁ, ଆଇସିବାଇଶି, ବାଗୁଡି, ଗଛ କାଆ ବାଘ ଛେଳି,ପୟା
ବାଡି,କଟ, କାଚ କଉଡି ଆଦି ଖେଳ ସେତେବେଳେ
ଖୁବ୍ ମନମୁଗ୍ଧକର ଥିଲା ।

ଗାଆଁ ଠାରୁ ଅନତିଦୂରରେ କୁଳୁକୁଳୁ ବହି
ଯାଉଥିବା ବ୍ରାହ୍ମଣୀ ନଦୀର ବାଲିକୁଦକୁ ସାଥୀଙ୍କ
ସହ ଯାଇ ଭୂଇଁ ବରକୋଳି ତୋଳା, ଆମ୍ବ ତୋଟା
ବୁଲି କଞ୍ଚା ଓ ପାଚିଲା ଆମ୍ବ ଖିଆ, ଜାମୁ ଗଛ
ମୂଳରୁ ମାଙ୍କଡ଼ ଝଡାଉଥିବା ଜାମୁକୋଳି ଗୋଟା
ଶୀତ ଦିନେ ବିରି ବିଲରୁ ବିରି ଛୁଇଁ ତୋଳା କେତେ
ମଜ୍ଜା ଥିଲା ସତେ ।

ବିଲରେ ଆଖୁଶାଳ ପଡିଲେ ସେଠାକୁ ଯାଇ
ଆଖୁ ଖାଇବା ସହ ଦୋରୁଅ ପିଇବାକୁ ଭାରି ଭଲ
ପାଉଥିଲି। ରନ୍ଧା ମୋହୁଆ ବି ସଙ୍ଗରେ ନେଇ ଆସୁଥିଲି
ଚକୁଳି ପିଠାରେ ଖାଇବାକୁ ।ଖାଲି ସେତିକି ନୁହେଁ
ଅର୍ଜନ ଖାଇବା ଡାକରା ଆସିଲେ ମୁଁ ବି ବଡ଼
ଲୋକଙ୍କ ସାଥିରେ ବେଳେବେଳେ ଚାଲିଯାଉଥିଲି।

ସବୁଠାରୁ ବେଶି ମଜ୍ଜା ଥିଲା ଆମ ଝିଅ-
ମାନଙ୍କର ସୁହାଗ ସିନାନ ଓଷା ।ପୋଖରୀ କୂଳରେ
ଛାମୁଡିଆ ତୋଳି ତା’ତଳେ ଚଉଁରା ସ୍ଥାପି ଦୁର୍ଗାଷ୍ଟମୀର
ସାତ ଦିନ ଆଗରୁ ହରଗୌରୀଙ୍କୁ ପୂଜିବା ।
ଏଥିପାଇଁ ପୂର୍ବ ଦିନରୁ ସାଥୀମାନଙ୍କ ସହ ତାଳ
ବରଡା ଭିତରେ ଗୀତ ଗାଇ ବାଉଁଶ ପତ୍ର, ବିରିନଳିତା,କଣ୍ଟେଇ ଡାଳ,ଗୁଗୁଛିଆ ଆଦି ପୂରାଇ
ମୋଡି ବିଡି ବାନ୍ଧି ରଖୁଥିଲୁ । ପସରାରେ ଠାକୁର,
ବସ୍ତ୍ର, ସିନ୍ଦୂର ଫରୁଆ,କଜ୍ବଳପାତି, ଅଇନା,
ଗୋଟା ନଡିଆ ଆଦି ସଜାଡି ରଖୁ ଯାଉଥିଲୁ ।
ପ୍ରତ୍ୟେକ ଦିନ ଭୋରୁ ଉଠି ବିଭିନ୍ନ ପ୍ରକାର ଫୁଲ
ତୋଳୁଥିଲୁ ।ବିଲପାଟରୁ ବି କଇଁ ଫୁଲ ଆଣୁଥିଲୁ ।
ତା’ପରେ ପୋଖରୀରେ ପଶି ଧାଡିରେ ଠିଆ ହୋଇ
ବିଡି ବାଡେଇ ଆନନ୍ଦରେ ଗୀତ ଗାଇବାର ମଜ୍ଜା
ଥିଲା ନିଆରା ।ଗାଧୋଇବାବେଳେ ସାଥୀମାନେ
ବହୁତ ନିୟମ ଦେଉଥିଲେ ସେହି ସାତ ଦିନ
ଚଳିବା ପାଇଁ ।ସେଥିରୁ କୋତୋଟି ଉତ୍ଥାପନ କରୁଛି,
“ଯିଏ ଖାଇବ ଗରମ ଭାତ, ତା’ ଗୋଡରେ
ପଡିବ ବାତ ।ଯିଏ ଖାଇବ ଜାଇ,ସିଏ ଖାଇବ
ତା’ ଭାଇ ।ଯିଏ ଖାଇବ କଟାବଟା, ସିଏ ଖାଇବ
ତା’ ବାପଭାଇ ଗୋଟାଗୋଟା ଇତ୍ୟାଦି ଇତ୍ୟାଦି ।”
ସେହି ସାତ ଦିନ ଖାଲି ଯାହା ପଖାଳ ଆଳୁ ସିଝାକୁ
ଖାଇ ଦିନ କଟୁଥିଲା ।ତଥାପି ମନରେ ବହୁତ
ଉତ୍ସାହ ଉଦ୍ଦୀପନା ସହ ସେ ଓଷା ପାଳନ କରୁଥିଲୁ ।

ସ୍ନାନ ପରେ ବସ୍ତ୍ର ପାଲଟି ଝିଅମାନେ ଚଉଁରା ଚାରିପଟେ ବସି ପସରା ସଜ୍ଜିତ ଜିନିଷକୁ ସେଠି
ସ୍ଥାପନ କରି ହରଗୌରୀଙ୍କୁ ପୂଜା କରୁଥିଲୁ ।ଶେଷରେ
ଗୀତବୋଲି କଉଡି ଖେଳୁଥିଲୁ ।ସେହି ଗୀତରୁ ପଦେ
ଲେଖୁଛି,
“ସୀତା ସୁବର୍ଣ୍ଣର ଦେଉଳ
ସେ ଯେ ଚନ୍ଦନ କୋଟି ଯେ ସୁବର୍ଣ୍ଣ କୋଟି
ସୀତା ସଙ୍ଗେ ରାମ ଖେଳନ୍ତି
ଜୁଅ କଉଡି ମୁଠି ଯେ କଉଡି ମୁଠି
ଏକ ମୁଠି ସାର ବାହିଲେ ରାମ ହୋଇଲେ
ଧନ୍ଦା ଯେ ହୋଇଲେ ଧନ୍ଦା
କେଣିକି ଯାଉଛ ରାମ ହେ
ତୁମ କଠଉ ବନ୍ଧା ଯେ କଠଉ ବନ୍ଧା ।”
ଏମିତି ରାମ ନିଜେ ବନ୍ଧା ପଡିବା ପର୍ଯ୍ୟନ୍ତ ତାଙ୍କର
ଅଙ୍ଗର ଗୋଟିଏ ଗୋଟିଏ ଜିନିଷକୁ ନେଇ ଗୀତ
ଗାଇବାର ଯେଉଁ ଆନନ୍ଦ ଆଜି ଆନନ୍ଦାଶ୍ରୁ ହୋଇ
ଝରି ଯାଉଛି ମୋର ।ଦୁର୍ଗାଷ୍ଟମୀ ଦିନ ଓଷା ସମାପନ
ହେଉଥିଲା ।ପ୍ରତ୍ୟେକ ଦିନ ରାତିରେ ପୂଜା ବା
ଦାସକାଠିଆର ଆୟୋଜନ କରାଯାଇ ବିଭିନ୍ନ
ପୌରାଣିକ କହାଣୀର ଶ୍ରବଣରେ ଅନେକ କଥା
ଜାଣିବା ସହିତ ମନରେ ଖେଳୁଥିଲା ଆନନ୍ଦର ଜୁଆର ।

ମୁଁ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥିଲି
ଏହି ଦାସକାଠିଆ ଗୀତ ମୋ ମନକୁ ଏତେ ପ୍ରଭାବିତ
କରିଥିଲା ଯ ମୁଁ ବି ସେହି ସ୍ବର ଓ ବିଷୟକୁ ନେଇ
ଗୀତ ଲେଖିବା ଆରମ୍ଭ କରିଥିଲି,ଯଦିଓ ପୂରା
ଲେଖି ପାରି ନଥିଲି ।ସେଥିରୁ ପଦେ ମନେ ଅଛି
ଯାହା, ତାହା ଏଠାରେ ଉପସ୍ଥାପିତ କରୁଛି ।
“ସୁନ୍ଦର ନଗରୀ ବୋଲି ଏକ ନଗ୍ର ଥିଲା ହୋ
ସୁମନ
ସେଠାରେ ନର୍ମଦା ବେଶ୍ୟା ବାସ କରୁଥିଲା ହୋ
ସୁମନ”

କୁଆଁର ପୂର୍ଣ୍ଣିମାରେ ମୋ ବଡ଼ ଭଉଣୀମାନଙ୍କ
ସହ ମିଶି ନୂଆ ପୋଷାକ ପିନ୍ଧି ଚଉଁରା ମୂଳରେ ଚନ୍ଦ୍ରଙ୍କ
ପୂଜା ସହ “କୁଆଁର ପୂନେଇ ଜହ୍ନ ଲୋ ଫୁଲ ବଉଳ
ବେଣୀ” ଗୀତର ମୂର୍ଚ୍ଛନା ପ୍ରାଣରେ ତୋଳୁଥିଲା ଅପୂର୍ବ
ଶିହରଣ ଓ ଆନନ୍ଦ ।

ମୋ ଜନ୍ମଦିନ ପାଳନରେ ବୋଉ ହାତ ତିଆରି
ଚକୁଳି ପିଠା ସହ ଗୁଡ଼ ପଡିଶାଙ୍କ ଘରେ ବାଣ୍ଟିବାକୁ
ମୋତେ ଖୁବ୍ ଭଲ ଲାଗୁଥିଲା ।

ହୋଲି ପର୍ବରେ ଗାଁର ଆବାଳବୃଦ୍ଧବନିତା
ମହା ଆନନ୍ଦରେ ରଙ୍ଗ ଖେଳନ୍ତି ।ପୁରଷମାନେ
ଗାଆଁ ପୋଖରୀରୁ ମାଛ ଧରନ୍ତି ଓ ସେଥିରେ
ରାତିରେ ସମସ୍ତେ ଭୋଜିର ଆୟୋଜନ କରି
ମଜ୍ଜା ନିଅନ୍ତି ।ଆମ ପିଲାମାନଙ୍କ ମନ ଖୁସିରେ
ଭରିଉଠେ ।

ପଣା ସଂକ୍ରାନ୍ତିରେ ଗ୍ରାମ ପୋଖରୀରୁ ଗାଆଁ
ଲୋକମାନେ ମିଶି ମାଛ ଧରୁଥିବାର ଦୃଶ୍ୟ, ମାଛ
ଭାଗ ପରେ ସୂର୍ଯ୍ୟ ମଇତ୍ର ପାଖ ବନ୍ଧୁ ବାନ୍ଧବ ଘରେ
ନେଇ ମାଛ ବାଣ୍ଟିବାକୁ ଭାରି ଭଲ ଲାଗୁଥିଲା ।
ସେତେବେଳେ ବି ମନ କହୁଥିଲା ମୁଁ ଗୋଟେ ପୁଅ
ହୋଇଥିଲେ କେତେ ମାଛ ଧରିଥାନ୍ତି ।ପୁଅମାନଙ୍କର
ବ୍ରତଘର ଦେଖି ମୋ ମନ ବି ହୁଏ ମୁଁ ବି ପଇତା
ପକାନ୍ତି ।ତେଣୁ ସୂତାରେ ମିଛିମିଛିକା ପଇତା ତିଆରି
କରି କାନ୍ଧରେ ଲମ୍ବାଇ ଦିଏ ।ବୋଉ କହେ,” ତୁ ପାରା
ପୁଅ ହେବୁ ବୋଲି ତୋ ବାପା ହରିବଂଶ ବସାଇଥିଲେ ।
ତେଣୁ ବେଶି ପୁଅ ସୁଲଭ ଗୁଣ ନେଇ ଜନ୍ମ ହେଇଛି
ମୋ ଝିଅ ।”

ପିଲାଦିନ କଥା ଯେତେ ବର୍ଣ୍ଣିଲେ ବି କିଛି ବାକି ରହିଯିବ ।ଗ୍ରାମଠାରୁ ଅନତିଦୂରରେ ଦକ୍ଷିଣ-ପଶ୍ଚମ
କୋଣରେ ‘ଫୁଲୁକା’ ବଣ ନିକଟରେ ମୋର ପ୍ରାଥମିକ
ବିଦ୍ୟଳୟ, ଯାହାର ନାମ ‘ଝାଟିଆ ପ୍ରାଥମିକ ବିଦ୍ୟାଳୟ’।ତା’ର ପରିବେଶ ଥିଲା ଖୁବ୍ ସୁନ୍ଦର ।
ସେଠି ଅଧ୍ୟୟନ ସମୟରେ ଶ୍ରେଣୀ ଶିକ୍ଷଣଠାରୁ
ବାହାର ବୁଲା ଆଦି ଥିଲା ବେଶ ମନୋରମ ।
ଶ୍ରେଣୀରେ ବିଭିନ୍ନ ବିଷୟରେ ପାଠ ପଢା ସଙ୍ଗେ
ପୁଅଝିଅ ମିଶି ଅନୁଷ୍ଠିତ କରୁଥିବା ସଙ୍ଗୀତର
ଅନ୍ତାକ୍ଷରୀରେ ଫାନ୍ଦିଫୁନ୍ଦି ଠକି ଗୀତ ଗାଇବାର
ମଜ୍ଜା ଥିଲା ସେତେବେଳେ ନିଆରା ।ମଧ୍ୟାହ୍ନ
ଭୋଜନରେ ଦିଆଯାଉଥିବା ମକାଗୁଣ୍ଡ କ୍ଷୀରି ଓ
ଗହମ ଯାଉର ସ୍ବାଦ ସତେ ଯେମିତି ଏବେ ବି
ପାଟିରେ ଲାଖିରହିଛି ।ପ୍ରଧାନ ଶିକ୍ଷକ ଯେତେବେଳେ
ମୋର ସୁନ୍ଦର ହସ୍ତାକ୍ଷର ଲିଖନକୁ ଅନ୍ୟ ପିଲା-
ମାନଙ୍କୁ ଦେଖାଇ ପ୍ରଶଂସା କରନ୍ତି, ସେତେବେଳେ
ମୋର ମନ କୁଣ୍ଢେମୋଟ ହେଇଯାଏ ।ହେଲେ
ପରେ ମୋ ଲେଖା ଅକ୍ଷରର ସେ ସୁନ୍ଦରତା ଆଉ
ସେତେ ରହିଲା ନାହିଁ ।ସେଥିପାଇଁ ମନ ବହୁତ ଦୁଃଖ
ହୁଏ ।ବିଦ୍ୟାଳୟର ବଗିଚାରେ ଫୁଲ ଗଛ ସହ ବିଭିନ୍ନ ପନିପରିବା ବି ଲଗାଯାଏ ।ସେ କାର୍ଯ୍ୟକୁ ଶିକ୍ଷକମାନେ
ମୂଲିଆ ଲଗାଇ କରନ୍ତି ।ବିଦ୍ୟାଳୟ ପରିସରରେ
ଥିବା କୂଅରୁ ପାଖ ଗାଆଁ ସ୍ତ୍ରୀଲୋକମାନେ ଆସି
କଳସୀରେ ପାଣି ଭରି ନେଇ ଯାଆନ୍ତି ସେମାନଙ୍କ
ଗୃହକାର୍ଯ୍ୟ ପାଇଁ ।ଖଟା ବିକ୍ରି ବୁଢା ଆସିଲେ ପ୍ରାୟ
ଝିଅମାନଙ୍କ ମନ ଆନନ୍ଦରେ ନାଚି ଉଠୁଥିଲା ।ଘରୁ
ଲୁଚାଇ ହେଉ ବା ମାଗି କରି ଆଣନ୍ତୁ ନିଶ୍ଚୟ କିଛି
ପଇସା ଧରି ଆସନ୍ତି କିଛି ସାଙ୍ଗ ।ଖଟା ଖିଆଟା
ପୂରା ଜମିଯାଏ ।ଚିନ୍ତନକୁ ଆସିଲାରୁ ଏବେ ବି
ପାଟିରୁ ଲାଳ ଗଡି ପଡୁଛି ।

ଅଗଷ୍ଟ ପନ୍ଦର, ଜାନୁଆରୀ ଛବିଶ ତାରିଖ
ଜାତୀୟ ଦିବସରେ ବିଦ୍ୟାଳୟରେ ପତାକା ଉତ୍ତୋଳନ
ପରେ ଧାଡି ବାନ୍ଧି ରାମଧୁନ ଗାଇଗାଇ ଆମେ
ପିଲାମାନେ ଆମ ଗାଆଁକୁ ଆସୁ ।ସେଠି ଯୁବକ ସଙ୍ଘ
ପତାକା ଉତ୍ତୋଳନ କରନ୍ତି ।ଚକୋଲେଟ ବା ବିସ୍କୁଟ
ବାଣ୍ଟନ୍ତି ।

ରଜ ସଂକ୍ରାନ୍ତରେ ଗାଁ ଦାଣ୍ଡରେ ଛାମୁଡିଆ
ମରାଯାଇ ଘିଅ ପୋଡାଯାଏ ।ଆମ୍ବ, ପଣସ, ନଡ଼ିଆ
କଦଳୀର ଭୋଗ ଖାଇବାକୁ ଆମେ ପିଲାମାନେ
ଅନାଇ ବସିଥାଉ ।ରଜରେ ସାଙ୍ଗ ଘର ସବୁ ବୁଲି
ଯାଉ ।ସେଠି ବିଭିନ୍ନ ପିଠାପଣା ଖାଉ ।ଦଉଡି ଦୋଳି
ପଟା ଦୋଳି ଖେଳି ମହା ଆନନ୍ଦରେ ତିନି ଦିନଯାକ
କଟାଇଦେଉ ।

ମୋର ପିଲାଦିନ ବିଦ୍ୟାଳୟ ଜୀବନର
ଗୋଟିଏ ମଜ୍ଜା କଥାକୁ ଉପସ୍ଥାପିତ କରିବାକୁ
କେବେ କୁଣ୍ଠା କରିବି ନାହିଁ ।ଛଅ ବର୍ଷରେ
ବାପାଙ୍କୁ ହରାଇ ଦୁଇ ବଡ଼ ଭଉଣୀଙ୍କ ସହ
ବୋଉର କୋଳରେ ବଢିଥିଲି ।ସାନ ଝିଅ ବୋଲି
ଅତି ଗେହ୍ଲା ଯୋଗୁଁ ଚଗଲାମିରେ ଥିଲି ଧୁରନ୍ଧର ।
ମୋର ଗଣିତ ଶିକ୍ଷକ ଶ୍ରୀଯୁକ୍ତ ନୃସିଂହ ଚରଣ
ଦେବତା ଆମ ଗାଆଁର ଜ୍ବାଇଁ ଥିଲେ ।
ତାଙ୍କ ଘର ବି ସେହି ପାଖ ‘ମାଣତିର’ ଗାଆଁରେ ।
ସେ ପ୍ରାୟ ସମୟ ଶ୍ବଶୁର ଘରକୁ ଆସନ୍ତି ।ମୋର
ଚଗଲାମି କଥା ବୋଉ ତାଙ୍କୁ ଜଣାଇ ଦିଏ ।ସେ
ଚତୁର୍ଥ ପିରିୟଡ଼ରେ ଗଣିତ ପଢାନ୍ତି ।ମାଡ଼କୁ ଭୟ
କରି ମୁଁ ପ୍ରାୟ ସବୁଦିନ ଝାଡା ଯିବା ବହାନା କରି
ଦୁଇ ତିନି ଜଣ ସାଙ୍ଗକୁ ଧରି ନିକଟସ୍ଥ ଫୁଲୁକା ବଣକୁ ଚାଲିଯାଏ । ଫେରେ ଖେଳଛୁଟି ହେଲେ ।ଯେଉଁ ଦିନ ରହିଯାଏ ପ୍ରାୟ ମାଡ ଖାଇବା ହିଁ ସୁନିଶ୍ଚିତ ଥାଏ ମୋ
ଭାଗ୍ୟରେ ।

ବାପା ନଥିବାରୁ ଯାହା ବିଲ ଥିଲା ତାହା
କେବଳ ଆମର ବଞ୍ଚିବାର ସାହାରା ଥିଲା ।ବାପା
ଗଲା ବର୍ଷ ମୋ ବଡ଼ ଭଉଣୀ ମ୍ୟାଟ୍ରିକ ପରୀକ୍ଷା
ଦେଇଥାଆନ୍ତି, ମଝିଆ ଭଉଣୀ ଷଷ୍ଠ ଶ୍ରେଣୀରେ ଓ
ମୁଁ ପ୍ରଥମ ଶ୍ରେଣୀରେ ପଢୁଥାଏ ।ବଡ଼ ଭଉଣୀ ବି
ଗାଆଁ ପିଲାଙ୍କୁ ଟ୍ୟୁସନ କରି କିଛି ଉପାର୍ଜନ କରନ୍ତି ।
ମୋ ମଝିଆ ଭଉଣୀ ଧାନ ପେଷା, ଚୁଡା ପେଷା
ହାଟ ସଉଦା କରନ୍ତି ।ବାଡ଼ି ନଡ଼ିଆ, ବିଲରୁ
ଆସୁଥିବା ବିରି ବି ବହୁତ ଥର ନେଇ ଆମ ଘର
ପାଖ ବାରବାଟି ହାଟରେ ବିକ୍ରି କରନ୍ତି ।ସେ ମ୍ୟାଟ୍ରିକ
ପାଶ ପରେ ଯେତେବେଳେ କଟକ ଶୈଳବାଳା
ମହାବିଦ୍ୟାଳୟରେ ପଢିଲେ, ତା’ପରେ ତାଙ୍କ କାମ
ମୋତେ ହିଁ କରିବାକୁ ପଡିଲା ।

ମୁଁ ମୋର ବଡ଼ବାପାଙ୍କ ପୁଅ ଭାଇଙ୍କ ସଙ୍ଗେ
ନଚେତ ମୋର ଜଣେ ପଡିଶା ଭଉଣୀଙ୍କ ସଙ୍ଗେ
ହାଟକୁ ଯାଏ ।ସେ ହାଟ ସମ୍ପର୍କିତ ଏକ ଅନୁଭୂତି ମୋ
ଜୀବନରୁ କେବେ ଭୁଲି ପାରିବି ନାହିଁ ।ଥରେ ଜଣେ
ସାରୁ ବିକାଳିଠାରୁ ଏକ କିଲୋ ସାରୁ କିଣି ତା’ର
ଦାମ ବାବଦକୁ ତାକୁ ପଞ୍ଚସ୍ତରୀ ପଇସା ଦେବାକୁ
ଥିଲା, କିନ୍ତୁ ମୋ ପାଖରେ ରେଜା ନଥିବାରୁ ପଇସା
ରେଜା କରି ତାକୁ ଦେବାକୁ ବିକାଳିଟି କହିବାରୁ ମୁଁ
ଆସି ଅନ୍ୟ ଜିନିଷ କିଣିଥିଲି ।ହେଲେ ଭୁଲିଯାଇ
ସାରୁର ଦାମ୍ ଚୁକ୍ତି ନକରି ଘରକୁ ଚାଲି ଆସିଥିଲି ।
ବୋଉ ପଇସା ହିସାବ କରିବାରୁ ବଳକା ପଇସା
ଦେଖି ମୁଁ ସାରୁ ବିକାଳିକୁ ପଇସା ଦେଇ ନଥିବା
କଥା ମନେ ପଡି ଯିବାରୁ ବୋଉ କହିଲା ଏବେ
ଯା’ ତାକୁ ଦେଇ ଆସିବୁ ।ସେତେବେଳକୁ ସୂର୍ଯ୍ୟାସ୍ତ
ହୋଇ ଆସୁଥାଏ ।ମୁଁ ପୁଣି ଏକା ନିଃଶ୍ବାସକେ
ଦୌଡିଲି ହାଟ ଅଭିମୁଖେ ।ସେତେବେଳକୁ ଝାପ୍ସା
ଅନ୍ଧାର ହୋଇ ଆସିଥାଏ ।ଯାହା ହେଉ ଲୋକଟି
ସେହି ସ୍ଥାନରେ ଥାଏ ।ମୁଁ ତାକୁ ତା’ ପ୍ରାପ୍ୟ ଦେଇ
ସବୁକଥା କହିଲି ।ଲୋକଟି ମୋ ଉପରେ ବହୁତ
ଖୁସି ହୋଇଗଲା ମୁଁ ବି ଖୁସି ହୋଇ ଘରକୁ ଫେରିଲି ।

ମୋତେ ଆଠ ବର୍ଷ ହେଇଥିଲାବେଳେ ମୋର
ବଡ଼ ଭଉଣୀଙ୍କର ବହାଘର ହୁଏ ।ନନା ଆସି ଆମ
ଘରେ ରହନ୍ତି ।ସେ ଭୁବନେଶ୍ବରରେ ବ୍ୟାଙ୍କରେ
ଚାକିରୀ କରନ୍ତି ।ଓଷାବାରରେ ମୋ ପାଇଁ ନୂଆ
ପୋଷାକ ଆଣିଲେ ମୁଁ ଅତି ଆନନ୍ଦରେ ପିନ୍ଧି ପକାଏ ।
ନନାଙ୍କ ସହ ମେଲଣ ବୁଲେ ।ଆମ ସିଂହାପୁର ଯାତ୍ରା
ଦେଖିବାକୁ ମୋ ପରିବାର ସାଥିରେ ଯାଏ ।ସେଠି
ପ୍ରଭୁ ନାରାୟଣ ଗୋସେଇଁଙ୍କୁ ଦର୍ଶନ କରିବା ସଙ୍ଗେ
ସଙ୍ଗେ ଦୋକାନରୁ ଖେଳନା କିଣେ,ଦୋଳି ଖେଳେ ।
ଜାଗର ଦିନ ବୋଉ ସାଥିରେ ବ୍ରାହ୍ମଣୀ ନଦୀର
ଆରପଟ ଗୋକର୍ଣ୍ଣେଶ୍ବର ମନ୍ଦିରକୁ ଯାଏ ମହାଦେବଙ୍କୁ
ଦର୍ଶନ କରିବାକୁ ।

ପଞ୍ଚମ ପାସ ପରେ ଗାଁ ପାଖ ଓଡ଼ଙ୍ଗ ଏମ.ଇ
ସ୍କୁଲେ ଅଧ୍ୟୟନ କରେ ମୁଁ ।ସେଠି ବି ପାଠ ପଢା
ସଙ୍ଗେ ସାଥୀମେଳରେ ବହୁତ ମଜ୍ଜା ହୁଏ ।
ଖେଳଛୁଟିରେ ବିଦ୍ୟାଳୟ ନିକଟସ୍ଥ ଘରକୁ ଯାଇ
ପିଜୁଳି, କମଳା କିଣି ଖାଇବା,ବାଡ଼ିରୁ କୋଳି ତୋଳିବା
ଇତ୍ୟାଦି ଗୋଟିଏ ଗୋଟିଏ ଅଭୁଲା ସ୍ମୁତି ।

ବୋଉର ଆକଟ, ସ୍ନେହ ମମତା, ଭଉଣୀ
ଦୁହିଁଙ୍କର ଆଦର ଯତ୍ନ, ଉପଦେଶ,ବଡ଼ ଭିଣୋଇଙ୍କର
ତ୍ୟାଗ,ସେହି ଗୁରୁମାନଙ୍କ ମାଡ଼, ସତ୍ ଶିକ୍ଷା ବଳରେ
ମୁଁ ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିଜକୁ
ଜଣେ ଶିକ୍ଷୟିତ୍ରୀ ଭାବରେ ଗଢି ତୋଳି ପାରିଛି ।

ବିନୋଦିନୀ ଦାଶ, କୁରୁଆଁ, ଯାଜପୁର
ଦୂରଭାଷ-୯୪୩୯୨୦୫୧୬୬

Leave a Reply

Your email address will not be published. Required fields are marked *