*ଲୋକ ଗୀତରେ ପଲ୍ଲୀ ବଧୂର*
*ଜୀଵନ*
ସୃଷ୍ଟି ନିୟନ୍ତାଙ୍କ ଅପୂର୍ବ ସରଂଚନାରେ ପଲ୍ଲୀ ବଧୂର ଜୀଵନ ଅତ୍ୟନ୍ତ ମନୋରମ ଓ ସରଳ l ତାର ହୃଦୟ କୋମଳତାର ପରିପୂର୍ଣ୍ଣ l ଖୁବ କମରେ ସେ ସନ୍ତୁଷ୍ଟ ହୋଇ ଥାଏ l ସ୍ନେହ, ପ୍ରେମରେ ସେ ସମସ୍ତଙ୍କୁ ଆପଣାର କରି ନିଏ l ଘରର ଚାରି କାନ୍ଥ ମଧ୍ୟରେ ଶଙ୍ଖା ସିଂଦୂରର ତାର ଦିନ ସରି ଯାଏ l ଓଡ଼ିଆ ଘର ଚଳଣିରେ ସଂସ୍କୃତି ପରମ୍ପରାକୁ ଖୁବ ମାନ୍ୟତା ଦିଆ ଯାଏ l ବାର ମାସରେ ତେର ପର୍ବ ପାଳନ କରା ଯାଏ l ସେ ସବୁକୁ ଓଡ଼ିଆଣୀ ପଲ୍ଲୀ ବଧୂ ପାଳନ କରେ l ଲୋକ ଗୀତ କେଉଁ ଆଦିମ କାଳରୁ ମନର ଭାବନାକୁ ପରି ପ୍ରକାଶ କରାଏ l ଲୋକ ଗୀତ ହେଉଛି ମୌଖିକ l ଭାବ ପ୍ରବଣତାର ମାଧ୍ୟମ l ଭାରି ସ୍ମୃତି ମଧୁର l ଯେତେ ଶୁଣୁ ଥିଲେ ଆହୁରି ଶୁଣିବାକୁ ଇଛା ହୁଏ l ଲୋକ ଗୀତକୁ ଦୁଇ ଭାଗରେ ଵିଭକ କରା ଯାଇ ଥାଏ l ଗୋଟିଏ
ପଟରେ ନାରୀ ଅନ୍ୟ ପଟରେ ପୁରୁଷ l ନାରୀ ମାନେ ଲୋରି, କାନ୍ଦଣା ଗୀତ
ରଜ ଦୋଳି ଗୀତ ଗାଆନ୍ତି l ପୁରୁଷ ମାନେ ନାଉରିଆ, କୃଷି ଗୀତ ରଜ ଗୀତ ଋତୁ ଅନୁଯାଇ ଗୀତ ଗାଆନ୍ତି l ଓଡ଼ିଆ ମାନେ ଲୋକ ଗୀତ ମାଧ୍ୟମରେ ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖି ଥାନ୍ତି l
ଝିଅ ଯେତେ ବେଳେ ତା ବାପ ଘରେ ଥାଏ, ତାର ସାଙ୍ଗ ସାଥି ମାନଙ୍କ ସହିତ ପୁଚି ଖେଳୁ ଥିଲା l ଖେଳିଲା ବେଳେ ଗୀତ ଗାଉଥିଲା l
*ପୁଚି ଲୋ ପୁଚି*
ଯା ଯା ତୁ ଲୁଚି
ଗହୀର ବିଲରେ ମଇଁଷି
ଧାନ କେରି କେରି ଖାଉଚି
ଅଡେଇ ଦେଏରେ ବେହେରା ଭାଇ
ବହୂ ବାପ ଘର ଯାଉଚି l
*ଠିଆ ପୁଚି ନାରଙ୍ଗ
ଗୋଡ଼ ଦିଟା ସାରଙ୍ଗ
ସାରଙ୍ଗ ବାଡି଼କୁ ଯାଇଥିଲି
ସାରଙ୍ଗ ଶୁଖୁଆ ଆଣିଥିଲି l
*ଚକା ଚକା ଭଉଁରୀ*
ମାମୁଁ ଘର ଚଉଁରି l
ଝିଅ ଯେତେ ବେଳେ ବଡ଼ ହୁଏ, ବାହା ହୋଇ ଶାଶୁ ଘରକୁ ଯାଏ l ଶାଶୁ ଘରର କଡା ନିୟମ ଶୁଣି ତାର ମନ ଭୟ, ଦରଦରେ ଭରି ଯାଇ ଥାଏ l ସେ କାନ୍ଦଣା ମାଧ୍ୟମରେ ତାର ଦୁଃଖକୁ ପ୍ରକାଶ କରେ l ବାପା, ମା, ଭାଇ, ଭାଉଜ, ସାଙ୍ଗ ସାଥି ସମସ୍ତଙ୍କୁ ଧରି ବାହୁନି କାନ୍ଦି ଥାଏ l ବାପ ଘରକୁ ସ୍ୱର୍ଗ ପୁର ଓ ଶାଶୁ ଘରକୁ ନର୍କ ପୁର, ଯମ ପୁର ବୋଲି କହି କାନ୍ଦି ଥାଏ l
*ସାଙ୍ଗକୁ ଧରି କାନ୍ଦିବା* :-
* ନଡ଼ିଆର ଫୁଲ ପେନ୍ଥାକୁ ପେନ୍ଥା ଲୋ
ମୋ ସୁନା ଫୁଲ
କାଲି ଠାରୁ ମୁଖ ତୋର ସପନ ଲୋ
ମୋ ସୁନା ଫୁଲ
କାହାକୁ କହିବି ମନର କଥା ଲୋ
ମୋ ସୁନା ଫୁଲ
ଶାଶୁ ଘର ବେଡି ମୋ ପାଦେ ଛନ୍ଦା ଲୋ, ମୋ ସୁନା ଫୁଲ
ସବୁ ସାଙ୍ଗ ସାଥି ଏକାଠି ହେବ ଲୋ
ମୋ ସୁନା ଫୁଲ
ତୁମ ପାଖେ ମୁହିଁ ଆଉ ନ ଥିବି ଲୋ
ମୋ ସୁନା ଫୁଲ
ଭୁଲି ଯିବ ନାହିଁ ରାଣ ରହିଲା ଲୋ
ମୋ ସୁନା ଫୁଲ
କିପରି ଛାଡିକି ରହିବି ମୁହିଁ ଲୋ
ମୋ ସୁନା ଫୁଲ
ଶାଶୁ ଘର ନୁହେଁ ଅସୁର ପୁର ଲୋ
ମୋ ସୁନା ଫୁଲ l
*ବାପାଙ୍କୁ ଧରି*
ତୁମର ଥିଲି ମୁଁ ଗେହ୍ଲl ଦୁହିତା ହେ ବାପା
ଝିଅ ବୋଲି ମୋତେ କରିଲ ପର ହେ ବାପା
ମନର ତୁମର ଛନ୍ଦ ତ ଥିଲା ହେ ବାପା
ଜନ୍ମ ବେଳେ ମୋତେ ମାରି ନ ଦେଲ ହେ ବାପା
କେମିତି ବଞ୍ଚିବି ସଭିଙ୍କୁ ଛାଡ଼ି ହେ
ବାପା l
ପଲ୍ଲୀ ବଧୂ ସକାଳରୁ ଉଠିବା ଠାରୁ ରାତ୍ରି ଶୋଇବା ପର୍ଯ୍ୟନ୍ତ ସେ କାମରେ ଲାଗି ଥାଏ l ସକାଳୁ ଉଠି ବାସୀ ପାଇଟି ସାରି ସ୍ନାନ ଶୌଚ ସାରି ତୁଳସୀରେ ପାଣି ଦିଏ l ଧୂପ ଦୀପ ଦେଇ ପୂଜା କରେ l ତାପରେ ଠାକୁର ପୁଜା କରେ l ଘର ଲୋକଙ୍କ ପାଇଁ ଚା ଜଳଖିଆର ବ୍ୟବସ୍ଥା କରେ l ତା ପିଲାଙ୍କୁ ଖାଇବାକୁ ଦେଇ ସ୍କୁଲକୁ ପଠlଏ l ତା ପରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷାଇ କରେ l
*ଗୀତ*
ଦିନରେ ରାନ୍ଧିଲି ମାଛ ତରକାରୀ
କରିଲି ବାଇଗଣ ଭଜା
ସଜନୀ ଗୋ କରିଲି ବାଇଗଣ ଭଜା
ରାତିରେ ରାନ୍ଧିବି ବଡି ଶୁଖୁଆକୁ
ଖାଇବା ଲାଗିବ ମଜ୍ଜା
ସଜନୀ ଗୋ ଖାଇବା ଲାଗିବ ମଜ୍ଜା l
ଓଡ଼ିଆଣୀ ବହୂ ଏକ ସାଙ୍ଗରେ ଏକାଧିକ କାମ କରିଥାଏ l ଅତିଥି ଆସିଲେ ପ୍ରଣାମ କରେ l ଗୋଡ଼ ଧୋଇବାକୁ ପାଣି ଦିଏ l ଜଳ ପାନର ବ୍ୟବସ୍ଥା କରେ l ବୁଢା ବୁଢ଼ୀ ହୋଇଥିଲେ ତାଙ୍କ ପାଦରେ ତେଲ ମାଲିଶ କରି ଦିଏ l ନିଜ ଶାଶୁ ଶଶୁରଙ୍କ ସେବା କରେ l ନଣନ୍ଦ ଦେବରଙ୍କ କଥା ଶୁଣେ l ମନ ଜାଣି କାମ କରି ଦିଏ l
*ଗୀତ*
* ସ୍ୱାମୀ ଶଶୁରଙ୍କୁ ଯତନେ ବlଢ଼ିବି
ବlଢ଼ିବି ନଣନ୍ଦ ପାଇଁ
ପୁଅ ଝିଅଙ୍କୁ ଖୁଆଇଣ ଦେବି
ଶୋଆଇବି ଖଟେ ନେଇ l
*ସମସ୍ତଙ୍କ ସେବା କରି ଦିନ ଗଲା*
ମୋ ପାଇଁ ସମୟ ନାହିଁ
ଖଟି ଖଟି ମୁହିଁ ବିଛଣାକୁ ଗଲେ
ସ୍ୱାମୀ ଗାଳି ଖାଉ ଥାଇ l ସଙ୍ଗତ ଗୋ ସ୍ୱାମୀ ଗାଳି ଖାଉ ଥାଇ l
ଏହା ମଧ୍ୟରେ ଓଡ଼ିଆଣୀ ବହୂ ଓଷା ବ୍ରତ କରି ଥାଏ l ପୁନେଇ ପର୍ବରେ ଘରେ ପିଠା ପଣା କରେ l ସାହି ପଡିଶା ବାଣ୍ଟେ l ଶୁଭ ଦିନ ମାନଙ୍କରେ ଚଉଁରାରେ, ଘର ଅଗଣାରେ ଝୋଟି ଦିଏ, ମାର୍ଗଶୀର ମାସରେ ମାଣ ବସାଏ l ଲକ୍ଷ୍ମୀ ପୂଜା କରେ l *ଗୀତ*
* ମାର୍ଗ ଶିର ମାସେ ମାଣ ବସା ହେବ ଘର ଦୁଆର ଲିପୁଛି
ଲକ୍ଷ୍ମୀ ଠାକୁରାଣୀ ବିଜେ କରିବେ ଲୋ
ଝୋଟି ଚିତା ଦେଉ ଅଛି l
ଓଡ଼ିଆଣୀ ବହୂ ପରମ୍ପରା ଅନୁଯାଇ ବିଭିନ୍ନ ପୁନେଇ ପର୍ବ ପାଳନ କରେ l ମକର, ଦୋଳ, ଚଇତି ପୁନେଇ, ରକ୍ଷୀ, ଗହ୍ମା, ରଜ, ଜନ୍ମାଷ୍ଟମୀ, ଗଣେଶ ପୂଜା ସରସ୍ଵତୀ ପୂଜା, ଇତ୍ୟାଦି ଇତ୍ୟାଦି ପାଳନ କରି ଥାଏ l ସବୁ ଠାରୁ ରଜ ଦୋଳି ଗୀତ ସୁନ୍ଦର ଓ ଚିତାକର୍ଷକ ହୋଇ ଥାଏ l କାମ ଦାମ ସାରି ଯେତେ ବେଳେ ସେ ଦୋଳିରେ ବସି ଦୋଳି ଖେଳେ ସେତେ ବେଳେ ସେ ଗୀତ ବୋଲି ଥାଏ l
*ରଜ ଦୋଳି ଗୀତ*
1.ରଜ ଦୋଳି ହେଲା ସଜ
ସାରା ଓଡ଼ିଶାରେ ରଜ ମଉଜ ଲୋ
ଘରେ ଘରେ ସଜ ବାଜ
ସଙ୍ଗାତ ଲୋ
ଘରେ ଘରେ ସଜ ବାଜ l
2.ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ ଲୋ
ଘେନି ନୂଆ ସଜ ବାଜ
ସଜନୀ ଗୋ ଘେନି ନୂଆ ସଜ ବାଜ l
3.ପାଚିଲା ବାଇଞ୍ଚ କୋଳି
ବେକରେ ନାଇଛୁ ଗଜରା ମାଳି ଲୋ
ଝୁଲାଅ ରଜର ଦୋଳି
ବଉଳ ଲୋ ଝୁଲାଅ ରଜର ଦୋଳି l
4.ପାନ ଗୁଆ ଚୂନ ଥୋଇ
ବିଦେଶେ ରହିଲେ ମୋ କାନ୍ତ ଯାଇ ଲୋ, ରଜରେ ଫେରିଲେ ନାହିଁ
ବଉଳ ଲୋ
ମନ ଝୁରେ ତାଙ୍କ ପାଇଁ l
5. ପାଚିଲା ନଡ଼ିଆ କତା
ପାଦରେ ନାଇଛୁ ସରୁ ଅଳତା ଲୋ,
ମୁଣ୍ଡରେ ଗୋଲାପୀ ଫିତା, ସଙ୍ଗାତ ଗୋ, ହୋଇଛୁ ଜଗତ ଜିତା l
ଏହି ପରି ଓଡ଼ିଶାର ଜାତୀୟ ଗଣ ପର୍ବ ରଜ ଖୁବ ଆନନ୍ଦ ଉଲ୍ଲାସରେ କଟି ଯାଇ ଥାଏ l ରଜ ତିନି ଦିନ କାଟିବା ପରେ ଚତୁର୍ଥ ଦିନରେ ବସୁମତୀ ସ୍ନାନ କରି ଭୂମି ପୂଜନ କରା ଯାଏ l ତା ପରେ ଓଡ଼ିଆଣୀ ପଲ୍ଲୀ ବଧୂ ତାର ନିତିଦିନିଆ କାମରେ ଲାଗି ପଡେ l
ଓଡ଼ିଆଣୀ ଲୋକ ଗୀତରେ ପୋଷାକ, ଅଳଙ୍କାରର ସ୍ଥାନ ପାଇଥାଏ l
*ଗୀତ*
ବୁଢ଼ୀ ସଜ ହୁଏ ଟୋକିଙ୍କ ପରି ଲୋ
ସାହି ଟୋକା ଚିଡ଼ାଅନ୍ତି
ବାଡ଼ି ଖଣ୍ଡେ ଧରି ବୁଢ଼ୀ ଗୋଡ଼ଉଛି
ଟୋକା ହସି ଗଡୁଛନ୍ତି l
ଓଡ଼ିଆଣୀ ବହୂ ତାର ସ୍ୱାମୀକୁ ହୃଦୟ ଦେଇ ଭଲ ପାଇଥାଏ l ମନ ଜାଣି ସେବା କରେ l ସମସ୍ତଙ୍କୁ ଖୁସି ଦେବାକୁ ସେ ସର୍ବଦା ତତ୍ପର ଥାଏ l ପଲ୍ଲୀ ବଧୂ ପ୍ରକୃତିର ରାଣୀ l ସେ ତାର ଛୁଆକୁ ଶୁଆଇଲା ବେଳେ ଗୀତ ଗାଇ ଥାଏ l
*ଗୀତ*
ଧୋଅରେ ବାଇଆ ଧୋ
ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରୀରେ ଶୋଉ l
*
ନିଦ ମାଉସୀ ତୁ ଚାଲିଆ ଧାଇଁ
ମୋ କୁନାକୁ ଟିକେ ପକlରେ ଶୋଇ l
ବେଳେ ବେଳେ ଦେଖା ଯାଏ ଗରୀବ ଘରର ଝିଅ ଅର୍ଥ ଅଭାବରୁ ତାର ପିତା ବିବାହିତ ପୁରୁଷ ବୁଢା ବର ସାଥିରେ ବିବାହ କରି ଦେଇ ଥାଏ l
କେତେକ କ୍ଷେତ୍ରରେ ଦେଖା ଯାଏ ଜମିଦାର ମାନେ ଗରିବଙ୍କୁ ଦେଇଥିବା କଳନ୍ତର ଟଙ୍କା ସୁଝି ନ ପାରିଲେ ତାର ଝିଅକୁ ବିବାହ କରିବାକୁ ମନ କରି ଥାଏ l ଗରୀବ ବାପା ତାର ନିରୁପାୟ ହୋଇ ବିବାହ ଦେଇ ଥାଏ l ଝିଅଟିର ଇଛା ନ ଥାଏ l ବାଧ୍ୟ ବାଧକତାରେ ବିବାହ କରେ l ତା ମନର କ୍ଷୁବ୍ଧ, ରାଗ, ଘୃଣା ସବୁକୁ ସେ ତାର କାନ୍ଦଣା ମାଧ୍ୟମରେ ବୁକୁ ଫଟାଇ କାନ୍ଦି କାନ୍ଦି କହି ଥାଏ l
*ବୋଉକୁ ଧରି କାନ୍ଦିବା*
ଝିଅ ଜନ୍ମ ମୋତେ କାହିଁକି ଦେଲୁ ଲୋ ବଉ,
ଏନ୍ତୁଡ଼ି ଶାଳରୁ ମାରି ନ ଦେଲୁ ଲୋ ବଉ,
ବୁଢା ବର ସାଥେ ବିବାହ ଦେଲୁ ଲୋ
ବଉ,
କେମିତି ରହିବି ସେ କଂସ ପୁରେ ଲୋ
ବଉ,
ଶାଗୁଣା ପରି ମୋତେ ଝିଣି ଖାଇବେ ଲୋ ବଉ,
କାହା କଥା ମୁହିଁ କେତେ ସହିବି ଲୋ
ବଉ,
ଲୋକ ଗୀତରେ ନାରୀ ନିଜ ମନରୁ ଗୀତ ସୃଷ୍ଟି କରି ଥାଏ l ତା ଗୀତରେ କେତେ ବେଳେ ଦୁଃଖ, ଯନ୍ତ୍ରଣା, କଷ୍ଟ ଫୁଟି ଉଠି ଥାଏ ତ କେତେ ବେଳେ ବିଶ୍ୱାସ, ଖୁସି, ଆନନ୍ଦର ସୁଅ ଛୁଟି ଥାଏ l ନାରୀ ନିଜେ ସର୍ବଂସହା ମମତା ମୟୀ ଜନନୀ, ସ୍ନେହ ପ୍ରଦାୟିନୀ, ସୃଜନ କାରିଣୀ l
ପଲ୍ଲୀ ବଧୂ ଉଠରେ କଥା କଥାରେ ଲୋକ ଗୀତ, ଢଗ ଢମାଳି ଫୁଟି ଉଠି ଥାଏ l
*ଗୀତ*
ପରକୁ ନିଜର କେତେ କରିବି ଲୋ
ତଥାପି ସରୁନି ଦିନ
କଥା କଥାକରେ ବାପ ଘର ଖୁଣ୍ଟା
କାନ୍ଦୁ ଅଛି ମୋର ପ୍ରାଣ l
ଓଡିଆଣି ଚରିତ୍ର ଲୋକ ଗୀତରେ ବାସ୍ତବ ପ୍ରତିଛବି ପରିସ୍ଫୁଟିତ ହୋଇ ଥାଏ l ଲୋକ ଗୀତ ମନକୁ ଖୁସି ଦିଏ l ପ୍ରତ୍ୟେକ ଅନୁଭୂତିକୁ ଗୀତ ମାଧ୍ୟମରେ ପରି ପ୍ରକାଶ କରି ଥାଏ l ଲୋକ ଗୀତ ଜଣଙ୍କ ଠାରୁ ଅନ୍ୟ ଜଣେ ଶିଖି ଗାନ କରନ୍ତି ତ କିଏ ନିଜେ ନିଜେ ଗୀତ ସୃଷ୍ଟି କରି ଥାନ୍ତି l
ବାସନ୍ତୀ ଲତା ଜେନା, ଗାନ୍ଧୀ ନଗର, ନବରଙ୍ଗପୁର
636 total views, 1 views today