ଅନୁଭୁତିରେ ମୋ ବିଦ୍ୟାଳୟ ଏବଂ ପିଲାଦିନ


ଶିକ୍ଷାଦାନ ପରମ୍ପରା ରୀତି ବହୁ ପ୍ରାଚୀନ କାଳରୁ ଚାଲିଆସିଛି। ପ୍ରଥମେ ଥିଲା ମୁନି ଋଷି ଙ୍କ ଆଶ୍ରମ ରେ ରହି
ଶିକ୍ଷାର୍ଥୀ ମାନେ ବେଦ, ଉପନିସେଦ, ପୁରାଣ ଇତ୍ୟାଦି ଶିକ୍ଷା ଗ୍ରହଣ କରୁଥିଲେ। ସମୟ ଏବଂ ଯୁଗର ପରିବର୍ତ୍ତନ ଫଳରେ
ସତ୍ୟବାଦୀ ବନବିଦ୍ୟାଳୟର ପରମ୍ପରା ଆରମ୍ଭ ହେଲା। ଯେଉଁ ଠାରେ ବିଦ୍ୟାର୍ଥି ମାନେ ମୁକ୍ତ ବାୟୁରେ ମୁକ୍ତ ଆକାଶ ତଳେ ବସି
ବିଦ୍ୟା ଅଧ୍ୟୟନ କରୁଥିଲେ। ଯାହାଥିଲା ସେ ସମୟ ର ମଣିଷ ତିଆରି କାରଖାନା। ମଣିଷ ପରି ମଣିଷ ଟିଏ ହେବା ସେହି ବିଦ୍ୟାଳୟ ର ମୁଖ୍ୟ ଲକ୍ଷ୍ୟ ଥିଲା। ଉତ୍ତମ ଚରିତ୍ରବନ୍ ମଣିଷ ଗଠନ କରିବା ଥିଲା ତାହାର ଅନ୍ୟ ଏକ ଲକ୍ଷ୍ୟ।
ସମୟ ର ପରିବର୍ତ୍ତନ ରେ ମଣିଷ ଯେତେବେଳେ ଆଧୁନିକ ଯୁଗରେ ପାଦ ଦେଲା ସେ ତାର ମାନବ ସମ୍ବଳ ର ପ୍ରୟୋଗରେ
ସେ ସୃଷ୍ଟି କଲା ବିଦ୍ୟାଳୟ।
“ବିଦ୍ୟାଳୟ” ବିଷୟ ରେ ଗୋଟିଏ କ୍ଷୁଦ୍ରଗଳ୍ପ ଟିଏ ଲେଖିବା ପାଇଁ ମନ ରେ ଚିନ୍ତା ଆସିଲା। ମୁଁ ଲେଖା ଆରମ୍ଭ କରିଦେଇଥିଲି ଯାହା ଲେଖୁ ଲେଖୁ ମୋ ବିଦ୍ୟାଳୟ ର ଅନୁଭୁତିରେ କେତେବେଳେ ପରିଣତ ହୋଇଗଲା ତାହା ମୁଁ ଜାଣି ପାରିଲି ନାହିଁ।
ମୁଁ ଗୋଟିଏ ସାଧାରଣ ମଧ୍ୟବିତ୍ତ ପରିବାରର ଝିଅ। ବାପା ମାଆ ଙ୍କ ପ୍ରଥମ ସନ୍ତାନ। ବାପା ଙ୍କ ଆଖି ରେ ଆଖିଏ ସ୍ଵପ୍ନ। ଝିଅ ଝିଅ ଗୋଟିଏ ଭଲ ବିଦ୍ୟାଳୟ ରେ ପାଠ ପଢ଼ିବ ଏବଂ ତାଙ୍କର ସମସ୍ତ ସ୍ଵପ୍ନ କୁ ତାଙ୍କ ଝିଅ ପୂରଣ କରିବ। ମାଆ ଙ୍କ ମଧ୍ୟ ଅନେକ ସ୍ଵପ୍ନ ଥାଏ। ସେତେବେଳେ ନୂଆ ନୂଆ ଭଲ ଭଲ ମିଶନାରୀ ସ୍କୁଲ୍ ଖୋଲି ଥାଏ। ମାଆ ଙ୍କ ସ୍ଵପ୍ନ ଥିଲା ମୁଁ ସେହି ମିଶନାରୀ ସ୍କୁଲ୍ ରେ ପାଠ ପଢିବି। ଯେହେତୁ ମୁଁ ଘର ର ପ୍ରଥମ ସନ୍ତାନ ଥିଲି। ମାଆ ଙ୍କ ସ୍ଵପ୍ନ ସ୍ଵପ୍ନ ହୋଇ ରହିଗଲା
କାରଣ ବାପା ମାଆ ଙ୍କୁ ନ ଜଣାଇ ମତେ ବଜାର କୁ ନେଉଛନ୍ତି କହି ମତେ ସ୍କୁଲ୍ କୁ ନେଇଗଲେ ଏବଂ ପ୍ରବେଶିକ ପରୀକ୍ଷା ପାଇଁ
ସମସ୍ତ କାଗଜତ୍ର କାମ ବାପା ସାରିଦେଇ ମତେ ପରୀକ୍ଷା କକ୍ଷ ରେ ବାପା ନେଇ ଛାଡ଼ି ଦେଲେ ଏବଂ ମୁଁ ପରୀକ୍ଷା ଦେଲି। ପରୀକ୍ଷା ରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେଲି। ଖୁସି ଖୁସି ରେ ମୁଁ ବାପା ଙ୍କ ସହିତ ଘର କୁ ଆସିଲି। ଘରକୁ ଆସିଲା ପରେ ବାପା ମାଆ ଙ୍କୁ ଖୁସି ଖବର ଟିଏ ଶୁଣାଇଲେ ଯେ ମୋର ସ୍କୁଲ୍ ରେ ଆଡ଼ମିଶନ ହୋଇଯାଇଛି। ମାଆ ମଧ୍ୟ ଖୁସି ହୋଇଗଲେ। ମାଆ ସ୍କୁଲ୍ ର ନାଁ ପଚାରିଲେ ?? ବାପା କହିଲେ ମୋ ଝିଅ ର ଆଡ଼ମିଶନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ହୋଇଛି।ଯାହା ସେ ସମୟ ର ଗୋଟିଏ ଆଦର୍ଶ ଭାବେ ପରିଚିତ ଥିଲା। ମାଆ କିଛି ନକହି ଚୁପ୍ ରହିଯାଇଥିଲେ। କାରଣ ତାଙ୍କର ଥିଲା କିଛି ଆଉ ହେଲା ଅଲଗା କିଛି। ମୋ ଖୁସିରେ ସେ ମଧ୍ୟ ଖୁସି ହୋଇଗଲେ।
ମୁଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀ।ଆମ ବିଦ୍ୟାଳୟ ରେ ପ୍ରାରମ୍ଭ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାହଉଥିଲା।ମୁଁ ପ୍ରାରମ୍ଭ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସେହି ବିଦ୍ୟାଳୟ ରେ ପାଠ ପଢ଼ୁଥିଲି। ବିଦ୍ୟାଳୟ ରେ ଆଡ଼ମିଶନ ହେଇଗଲା ଏବଂ ବିଦ୍ୟାଳୟ ଯିବାର ପ୍ରଥମ ଦିନ ଆସିଗଲା। ସମସ୍ତ ଙ୍କ ପରି ମୁଁ ବି ବହୁତ ଖୁସି ଥିଲି ନୂଆ ନୂଆ ବିଦ୍ୟାଳୟ ଯିବା ପାଇଁ। ଯାହା ଥିଲା ମୋ ଶିକ୍ଷାର୍ଥୀ ଜୀବନ ର ପ୍ରଥମ ପାହାଚ। ସେ ଦିନ ଥିଲା ଆମ ସମସ୍ତ ଙ୍କ ପାଇଁ ଗୋଟିଏ ଖୁସି ର ଦିନ।
ମୁଁ ବହୁତ ଖୁସି ଥିଲି ସ୍କୁଲ୍ ଯିବା ପାଇଁ କାରଣ ସବୁ ଜିନିଷ ପତ୍ର ଥିଲା ନୂଆ। ନୂଆ ପୋଷାକ, ନୂଆ ବହି ଖାତା, ନୂଆ ବସ୍ତାନୀ,ନୂଆ ପାଣି ବୋତଲ, ନୂଆ ଟିଫିନ୍ ଇତ୍ୟାଦି। ସବୁ ନୂଆ ଜିନିଷ ପତ୍ର ନେଇ ମୁଁ ସ୍କୁଲ୍ ଯିବି। ସବୁଠାରୁ ଗୁତ୍ୱପୂର୍ଣ୍ଣ କଥା ପ୍ରଥମ ଦିନ ମୁଁ ସ୍କୁଲ୍ କୁ ବାପା ମାଆ ଙ୍କ ସହ ମିଶି ସ୍କୁଲ୍ ଯିବି।
ସ୍କୁଲ୍ କୁ ଯିବା ପାଇଁ ମାଆ ମତେ ସକାଳୁ ଉଠେଇ ଦେଇ ଗାଧେଇ ଦେଇ ସ୍କୁଲ୍ ପୋଷାକ ପିନ୍ଧେଇ ଦେଇ ବହି ବସ୍ତାନି ଧରେଇ ବାପା ଙ୍କୁ କହନ୍ତି ମତେ ନେଇ ସ୍କୁଲ୍ ରେ ଛାଡି ଦେବାପାଇଁ। ସେତେବେଳେ ପର୍ଯ୍ୟନ୍ତ ମୁଁ ଖୁସି ଖୁସି ରେ ଘରୁ ବାହାରି ସ୍କୁଲ୍ ଯିବା ପାଇଁ ପ୍ରସ୍ତୁତ ହୋଇଯାଏ। ଯେତେବେଳେ ବାପା ସ୍କୁଲ୍ ବାହାରେ ମତେ ଛାଡ଼ି ଦେଇ କୁହନ୍ତି “ଭଲସେ ମନ ଦେଇ ପାଠ ପଢ଼ିବୁ ମାଆ ତତେ ଛୁଟି ବେଳେ ନେବାକୁ ଆସିବେ” ତାପରେ ମୋ କାନ୍ଦ ଆରମ୍ଭ ହୋଇଯାଏ ଯେ “ପାପ ଶୀଘ୍ର ଆସିବା ଆଉ ମାଆ କୁ ନେଇ ଆସିବ” କାନ୍ଦି କାନ୍ଦି ସ୍କୁଲ୍ ଭିତର କୁ ଯାଏ। ଶ୍ରେଣୀ ଗୃହରେ ପ୍ରବେଶ କଲାପରେ ସାଙ୍ଗସାଥୀ ଗୁରୁମା ଗୁରୁଜୀ ମାନଙ୍କ ସହ ମିଶିଗଲା ପରେ କାନ୍ଦ ବନ୍ଦ ହୋଇଯାଏ ଆଉ ସେମାନଙ୍କ ସହ ଖେଳିବାରେ ଲାଗେ। ଛୁଟି ସମୟ ରେ ମାଆ ନେବ ପାଇଁ ଆସନ୍ତି।
ଆଉ ମୁଁ ସେତେବେଳେ କୁହେ ଯେ ମୁଁ ଏବେ ଯିବିନି ପରେ ଯିବି। ବହୁତ୍ କଷ୍ଟ ରେ ମାଆ ମତେ ବୁଝେଇ ବୁଝେଇ ଘର କୁ ଆଣନ୍ତି। ସ୍କୁଲ୍ ରୁ ଘର କୁ ଚାଲି ଚାଲି ମାଆ ଙ୍କ ସହ ଆଉ ସାଙ୍ଗ ମାନକଂ ସହ ରାସ୍ତା ରେ ଖେଳି ଖେଳି ଆସୁ। ଗରମ ଦିନରେ ଆଇସକ୍ରିମ ଖାଇବା ପାଇଁ ଜିଦ୍ କରେ ଆଉ ମାଆ ମନା ନକରି ପରି ମୋ ପାଇଁ ଆଇସକ୍ରିମ କିଣି ଦିଅନ୍ତି। ଏହି ପରି ଭାବେ ଦିନ ପରେ ଦିନ ଗଡି ଚାଲିଥିଲା। ମୋ ମନ ଭିତରୁ ଡର ବାହାର କରିବା ପାଇଁ ବାପା ମତେ ରିକ୍ସା ରେ ସ୍କୁଲ୍ କୁ ଛାଡ଼ିଲେ। ମୁଁ ରିକ୍ସା ରେ ବିଦ୍ୟାଳୟ ଯିବା ଆରମ୍ଭ କରିଲି। ଏବଂ ମୁଁ ରିକ୍ସା ରେ ମଧ୍ୟ ନୂଆ ସାଙ୍ଗ ବନେଇଲି। ସେମାନଙ୍କ ସହ ମିଶି ମୁଁ ବହୁତ ମଜା କରୁଥିଲି। ପ୍ରତ୍ୟେକ ଶନିବାର ଦିନ ରିକ୍ସା ଭାଇ ଆମ କୁ ଚକଲେଟ୍ ଦିଅନ୍ତି। ମୁଁ ଯେହେତୁ ସବୁଠାରୁ ଛୋଟ ଥିଲି ମତେ ସବୁବେଳେ ଗୋଟେ ଅଧିକା ଚକଳେଟ୍ ମିଳେ ଆଉ ମୁଁ ତାକୁ ଖୁସି ଖୁସି ରେ ଖାଇ ଖାଇ ଘର କୁ ଆସେ। ସେ ସମୟ ଥିଲା ଗୋଟିଏ ନିଆରା ସମୟ ତାକୁ ମୁଁ ପୁଣି ଫେରିବା ପାଇଁ ଇଚ୍ଛା କଲେ ମଧ୍ୟ ମୁଁ ଫେରି ପାରିବି ନାହିଁ।
ସମୟ ଯେତେ ଆଗକୁ ଆଗକୁ ବଢ଼ି ଚାଲିଥାଏ ସେତେ ନୂଆ ନୂଆ ସ୍ମୃତି ସାଙ୍ଗ ମାନଙ୍କ ସହ ଗଠନ ହୋଇଥାଏ।
ଧିରେ ଧିରେ ମୁଁ ବିଦ୍ୟାଳୟ ରେ ସମସ୍ତ ଙ୍କ ଅତି ପ୍ରିୟ ହେବାରେ ଲାଗିଲି । ଗୁରୁଜୀ ଗୁରୁମା ଙ୍କ ପ୍ରିୟ ଶିଷ୍ୟ ହେବାରେ ଲାଗିଲି। ଏବଂ ସାଙ୍ଗ ମାନକଂର ମଧ୍ୟ ପ୍ରିୟ ସାଙ୍ଗ ହେବାରେ ଲାଗିଲି। ଗୁରୁଜୀ ଏବଂ ଗୁରୁମା ମାନେ ମୋର ବାଃ ବାଃ କରନ୍ତି। କାରଣ ମୁଁ ସ୍କୁଲ୍ ର ସବୁ କାର୍ଯ୍ୟକ୍ରମ ମୁଁ ଯୋଗ ଦିଏ ଏବଂ ପୁରସ୍କାର ମଧ୍ୟ ମତେ ମିଳେ। ସ୍କୁଲ୍ ର ସବୁ ପର୍ବର୍ବାଣି ରେ ମୁଁ ଗୁରୁଜୀ ଗୁରୁମା ଙ୍କୁ ମଣ୍ଡପ କୁ ସଜେଇବାରେ ସାହାଯ୍ୟ କରେ ସେହି ସମୟ ରେ ଆମେ ସମସ୍ତେ ମିଶି ବହୁତ ମଜା କରୁ ଏବଂ ଏକାଠି ହୋଇ କାମ କରୁ। ଯାହା ଏବେ ମଧ୍ୟ ମାନେ ପଡେ। ସାଙ୍ଗ ମାନଙ୍କ ସହ ମିଶି ଖେଳ ଛୁଟି ସମୟେ ଶୀଘ୍ର ଶୀଘ୍ର ଖାଇବା ଖାଇ ଦେଇ ସାଙ୍ଗ ମାନଙ୍କ ସହ ଖେଳି ବାକୁ ବହାରିଯାଏ। ସାଙ୍ଗ ମାନଙ୍କ ସହ ବହୁ ଚୋରି ଖେଳ, ପାହାଡ଼ ପାଣି, ଖୋ ଖୋ, ଇତ୍ୟାଦି ଖେଳ ଖେଳୁ। ଖେଳ ଛୁଟି ସରିବା ପରେ ଘଣ୍ଟା ବାଜିଲା ପରେ ଡେରି ରେ କ୍ଲାସ୍ ରେ ପହଞ୍ଚିଲା ପରେ ଗୁରୁମା ଯେତେବେଳେ ପଚାରନ୍ତି କଣ୍ ପାଇଁ ଡେରି ହେଲା ସେତବେଳେ ଆମେ ସାଙ୍ଗ ମାନେ ମିଶି ମିଛ କହି ଥାଉ କି ପାଣି ଆଣିବା ପାଇଁ ଯାଇଥିଲୁ ହେଲେ ସେଠି ବହୁତ ଭିଡ଼ ହୋଇଥିଲା ବୋଲି ଆମର ଡେରି ହୋଇଗଲା ବୋଲି କହିଥାଉ କିମ୍ବା ନିଜର ଭୂଲ୍ କୁ ଲୁଚେଇବା ପାଇଁ ଅନ୍ୟ ଜଣଙ୍କ ନାମ ନେଇ ସେଠୁ ମୁକୁଳି ଯାଉଥିଲୁ। ଯାହା ଏବେ ମାନେ ପଡ଼ିଲେ ବହୁତ ହସ ଲାଗେ ଏବଂ ଲାଜ ମଧ୍ୟ ଲାଗେ ଯେ ଆମେ ଶିକ୍ଷକ ଙ୍କୁ ମିଛ କହୁଥିଲୁ।
ସ୍କୁଲ୍ ସମୟ ର ସବୁଠାରୁ ମଜା କଥା ହେଇଛି କ୍ଲାସ୍ ଚାଳିଥିବା ସମୟ ରେ ଗପିବା ,ଖଟି କରିବା, ଲୁଚି ଲୁଚି ଟିଫିନ୍ ଖାଇବା
ଆଉ ଯେତେବେଳେ ଗୁରୁଜୀ କିମ୍ବା ଗୁରୁମା ଦେଖି ଦିଅନ୍ତି ସାଙ୍ଗେ ସାଙ୍ଗେ ଛିଡ଼ା କରି ପ୍ରଶ୍ନ ପଚାରନ୍ତି ଉତ୍ତର ନଦେଇପରିଲେ କାନ ଧରି ବେଞ୍ଚ ଉପରେ ଛିଡ଼ା କରିଦିଅନ୍ତି। ଆଉ ରାଗିକି କହନ୍ତି ଯେ “ପାଠ ପଢା ପଢି ନାହିଁ ଖାଲି ଗପ ଗପ ଆଉ ଗପ।” ସେଥି ଯୋଗୁ ସବୁ ଗୁରୁଜୀ ଗୁରୁମା ମାନେ ମତେ ଗପୁରି ବୋଲି ଡାକନ୍ତି। ଏବେ ମଧ୍ୟ ମତେ ଗୁରୁଜୀ ଗୁରୁମା ମାନେ ମତେ ସେହି ନାମ ରେ ଡାକନ୍ତି। ସେହିସବୁ ଗୋଟିଏ ଗୋଟିଏ ଛୋଟ କଥା ଆଜି ଜୀବନ ର ଗୋଟିଏ ଗୋଟିଏ ସ୍ମୃତି ରେ ପରିଣତ ହୋଇଯାଇଛି।
ଯାହାକୁ କେବେ ହେଲେ ଭୁଲି ହେବ ନାହିଁ। ସେହି ସବୁ କଥା ମନେ ପଡିଲେ ମୁହଁ ରେ ଗୋଟିଏ ହସ ଆସିଯାଏ।
ଦେଖୁ ଦେଖୁ ସମୟ କେତେ ଜଲଦି ସରିଗଲା ତାହା ଜଣାପଡ଼ିଲା ନାହିଁ। ସ୍କୁଲ୍ ସମୟ ର ଶେଷ ପାହାଚ ରେ ପହଞ୍ଚି ଗଲି। ଯେଉଁଠି ଗୋଟିଏ ପ୍ରତିଯୋଗିତା ଚାଲିଥିଲା ଯେ କାହାର କେତେ ଅଧିକା ସାଙ୍ଗ ଆଉ କିଏ କାହାକୁ କେତେ ଭଲ ପାଉଛି ତାହା ସେହି ପ୍ରତିଯୋଗିତା ମାଧ୍ୟମ ରେ ଜଣ ପଡୁଥିଲା। ସେହି ପ୍ରତିଯୋଗିତା ସମୟ ରେ ସାଙ୍ଗ ସାଙ୍ଗ ମଧ୍ୟରେ ଛୋଟ ଛୋଟ ଝଗଡ଼ା ହେଉଥିଲା ଯେଉଁ ଝଗଡ଼ା ଆମର ବନ୍ଧୁତ୍ୱ କୁ ଅଧିକ ସୃଦୃଢ଼ କରି ଦେଇଥିଲା। ସାଙ୍ଗେ ସାଙ୍ଗେ ଝଗଡ଼ା ଲାଗୁଥିଲୁ ଆଉ ସାଙ୍ଗେ ସଙ୍ଗେ ମିଶି ମଧ୍ୟ ଯାଇଥିଲୁ। ତାହା ଥିଲା ଗୋଟିଏ ନିଆରା ସମୟ।
ପ୍ରାଥନା ସମୟ ରେ ଗପିବା। ସାଙ୍ଗ ର ପିଠି ଉପରେ ମୁଣ୍ଡ ରଖି ଶୋଇ ପଡିବା। ପ୍ରାଥନା ସରିବା ବେଳକୁ ଅଚାନକ ଚମକି ପଡ଼ି ଚାରିଆଡ଼କୁ ଅନାଇ ଉଥି ପଡିବା ଏହି ସବୁ କାମ ବିଦ୍ୟାଳୟ ଜୀବନ ର ଦୈନନ୍ଦିନ କାର୍ଯ୍ୟ ରେ ପରିଣତ ହୋଇଯାଇଥିଲା। ଯାହା ଏବେ ମଧ୍ୟ ମାନେ ପଡେ। କାରଣ ଏହା ଥିଲା ମୋ ଜୀବନ ର ଗୋଟିଏ ଅଭୁଲାସ୍ମୃତି ବହି ର ଗୋଟିଏ ପୃଷ୍ଠା ର କିଛି ଅଂଶ ଯାହା ମୁଁ ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ଭୁଲି ପାରିବି ନାହିଁ।
ସମୟ ଯେତେ ସରି ସରି ଆସୁଥିଲା ଆମେ ବିଦ୍ୟାଳୟ ର ମହତ୍ତ୍ଵ ସେତେ ବୁଝିବାକୁ ଲାଗିଲୁ। କାରଣ ଦଶମ ଶ୍ରେଣୀ ଥିଲା ବିଦ୍ୟାଳୟ ଜୀବନ ର ଶେଷ ପାହାଚ। ତାପରେ ଆମେ ସମସ୍ତେ ଗୋଟିଏ ନୂତନ ଜୀବନ ର ସନ୍ଧାନ ରେ ଲାଗିଲୁ। ଏବଂ ଆମେ ସମସ୍ତେ ସମସ୍ତ ଙ୍କ ଠାରୁ ଦୁରେଇଗଲୁ ଆଉ ଜଣେ ଅନ୍ୟ ଜଣକୁ ପ୍ରତିଶ୍ରୁତି ଦେବା ରେ ଲାଗିଲୁ ଯେ ଆମେ ମାରିବା ପର୍ଯ୍ୟନ୍ତ ଏକାଠି ହୋଇ ରହିବୁ। ଏବଂ ଆମେ କେବେ ହେଲେ ନିଜକୁ ନିଜ ସାଙ୍ଗ ମାନଙ୍କ ଠାରୁ ଦୁରେଇବୁ ନାହିଁ।
ବିଦ୍ୟାଳୟ ର ଶେଷ ବର୍ଷ ହିଁ ଆମକୁ ବିଦ୍ୟାଳୟ ର ଗୁରୁତ୍ଵ ଏବଂ ମହତ୍ତ୍ୱ ଆମକୁ ଶିକ୍ଷା ଦେଇଥାଏ। କାରଣ ବିଦ୍ୟାଳୟ ହେଉଛି ଆମ ବିଦ୍ୟାର୍ଥି ଜୀବନ ର ମେରୁଦଣ୍ଡ। ଯେଉଁ ଠାରେ ଆମେ ଆମ ମେରୁଦଣ୍ଡ କୁ ସୃଦୃଢ଼ କରିଥାଉ ଆଉ ନିଜ ଜୀବନ କୁ ସରସ ସୁନ୍ଦର ଏବଂ ଆଲୋକିତ କରିଥାଉ।
ଅନୁଭୂତି ରେ ମୋ ବିଦ୍ୟାଳୟ ଏବଂ ପିଲାଦିନ ହେଇଛି ମୋ ଅଭୁଲାସ୍ମୃତି ପୁସ୍ତକ ର ପ୍ରଥମ ବିଷୟ ର ଶେଷ ପୃଷ୍ଠା।
ଯେଉଁ ଠାରେ ମୁଁ ମୋର ବିଦ୍ୟାଳୟ ଏବଂ ପିଲାଦିନ କଥା ବର୍ଣ୍ଣନା କରିଛି ଏବଂ ମୁଁ ପୁଣି ଥରେ ସେହି ସମୟ କୁ ଫେରି ଯିବା ପାଇଁ ମନ ବାଲେଇଛି ହେଲେ ମୁଁ ଫେରିପାରି ନାହିଁ। କେବଳ ମୋ କଲମ ମୋ ଅଭୁଲାସ୍ମୃତି କୁ ଫେରାଇ ଆଣିବାକୁ ପ୍ରୟାସ କରିଛି।
ପ୍ରେରଣା ପାତ୍ର
ରାଉଲକେଲା, ସୁନ୍ଦଗଡ଼ ଜିଲ୍ଲା
ଫୋନ ନମ୍ବର-୮୫୯୬୮୭୭୯୨୫

2 thoughts on “ପଢନ୍ତୁ ପ୍ରେରଣା ପାତ୍ର ଙ୍କ ଗଳ୍ପ ଅନୁଭୂତି ରେ ମୋ ବିଦ୍ୟାଳୟ ଓ ପିଲାଦିନ”

Leave a Reply

Your email address will not be published. Required fields are marked *