ଯାହାକୁ ରଖିବେ ଅନନ୍ତ
*************
ଜୀବନର ଗତି ସୁରୁଖୁରୁରେ ଅତିବାହିତ ହେଉଥିଲା । ୨୦୧୯ ମସିହା ଅକ୍ଟୋବର ପଚିଶ ତାରିଖ । ପ୍ରତିଦିନ ପରି ବିଦ୍ୟାଳୟରୁ ଘରକୁ ଫେରିଲି । ଚା ଜଳଖିଆ ପରେ କିଛି ସମୟ ବିଶ୍ରାମ ନେଲି । ଘର ଅଗଣାରେ ଥିବା ମୋ ମାରୁତି କାର କାଦୁଆ ହୋଇଥିଲା । ମନସ୍ଥ କଲି , ତାକୁ ସଫା କରିଦେବି । ଲାଗିପଡ଼ିଲି ସଫା କରିବା କାମରେ । ଇତ୍ୟବସରରେ ବଲାଙ୍ଗୀରରେ ପାଠ ପଢ଼ୁଥିବା ବଡ଼ ପୁଅ ଆସି ପହଞ୍ଚିଲା ।ମାଁ ପୁଅ କଥା ହୋଇଥିଲେ – ତା ପରଦିନ ଓଡ଼ିଆ ତିଥି ଅନୁସାରେ ମୋର ଜନ୍ମଦିନରେ ମତେ ସରପ୍ରାଇଜ୍ ଦେବେ । ମତେ କଥାଟି ଅଜଣା ଥିଲା, କାରଣ ଆମେ ପାଶ୍ଚାତ୍ୟ ସଭ୍ୟତା ଅନୁଗାମୀ ହୋଇ ଓଡ଼ିଆ ତିଥୀ ଜାଣିପାରୁନା । ଅନେକ ଦିନ ପରେ ପୁଅ ଆସିଥିବାରୁ ମତେ ଖୁସି ଲାଗୁଥିଲା ।
ଆମ ସହରର ରଜାପଡ଼ାରେ ରହୁଥିବା ମାମୁଁ ଘରକୁ ମୋ ସ୍ତ୍ରୀ ଓ ଶାଶୁ ବୁଲିବା ପାଇଁ ଯାଇଥିଲେ । ଠିକ ଗାଡି ଧୋଇ ସାରିବା ପରେ ଶ୍ରୀମତୀଙ୍କ କଲ ଆସିଲା । ମୁଁ ଗାଡି ଡ୍ରାଇଭ କରି ବହାରିଗଲି । ପହଁଚିଲା ପରେ ମାମୁଁ ଘରୁ ସମସ୍ତେ ଘରକୁ ପ୍ରତ୍ୟାବର୍ତ୍ତନ କଲୁ । ରାସ୍ତା ମାତ୍ର ଦୁଇ କିଲୋମିଟର । ସମୟ କ୍ଷଣ କ୍ଷଣ କେ ଆନ । ପାଖାପାଖି ଅଧ ବାଟ ଆସିଛୁ ହଠାତ ମୋର ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଗଲା । ଆଗରୁ ଦୁଇ ତିନିଥର ଅମ୍ଳ ଯୋଗୁଁ ଏମିତି ଦରଜ ହୋଇଥିଲା । ଯନ୍ତ୍ରଣା ବଡିବା ଆଗରୁ କାରର ଏସିଲେରେଟରେ ପାଦକୁ ଅଳ୍ପ ଚିପି ଗତିବେଗ ଟିକେ ଦ୍ରୁତ କଲି । କୌଣସି ମତେ ପହଞ୍ଚିଗଲୁ ଘର ସାମନାରେ । ଡୋର ଖୋଲି ଦ୍ରୁତଗତିରେ ବେଡ଼ରୁମକୁ ଯାଇ ଗଡ଼ିଗଲି ଅସହ୍ୟ ଯନ୍ତ୍ରଣାରେ । ପାଖରେ ଥିବା ଡାକ୍ତର ମାମୁଁ ଆସି ନାଡି ଓ ହୃଦ ସ୍ପନ୍ଦନ ପରୀକ୍ଷା କଲେ । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥାଏ । ସମସ୍ତେ ମିଶି ମତେ ପଦ୍ମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଲେ । ମୋ ମନରେ ଭାସି ଆସୁଥାଏ ଅତୀତର ଦୁଃଖଦ ମୁହୂର୍ତ୍ତ । ଠିକ ଏମିତି ମୋ ବାପା ୪୮ ବର୍ଷ ବୟସରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଆମକୁ ସବୁଦିନ ପାଇଁ ଛାଡି ଚାଲିଯାଇଥିଲେ । ଏକ ଆସନ୍ନ ଭୟ ମତେ ଗ୍ରାସ କରୁଥିଲା । ଡାକ୍ତରଙ୍କ ସ୍ପର୍ଶରେ ମୁଁ ପ୍ରକୃସ୍ଥିତ ହେଲି । ସବୁବେଳେ ଜଗତର ନାଥ ଜଗନ୍ନାଥଙ୍କୁ ମୁଁ ଡାକୁଥାଏ । ମୁ ଠାକୁରଙ୍କୁ କହୁଥାଏ ” ହେ ପ୍ରଭୁ । ମୁ ଜାଣିଛି, ଅଙ୍ଗେ ନିଭାଇଛି – ବାପଛେଉଣ୍ଡର ଦୁର୍ଦ୍ଦଶା । ଏ ବିପଦରୁ ରକ୍ଷା କର ବିପଦ ଭଞ୍ଜନ ।” କିଛି ସମୟ ପରେ ରିପୋର୍ଟ ଆସିଲା ମୋର ହାର୍ଟ ଷ୍ଟ୍ରୋକ ହେଇସାରିଛି । ସାଙ୍ଗେ ସାଙ୍ଗେ ବରଗଡ଼ ନେବାକୁ ହେବ । ଜଗନ୍ନାଥ ପ୍ରଭୁ ଦେଲେ ଅଦମ୍ୟ ସାହସ । ପୁଣି ଗାଡ଼ିରେ ବଡ଼ପୁଅ, ସ୍ତ୍ରୀ , ଶ୍ବଶୁର ଏବଂ ମାମୁ ମିଶି ମତେ ନେଇଗଲେ ବରଗଡ଼ ବିକାଶ ହସ୍ପିଟାଲ । ମତେ ଆଉ କିଛି ଦେଖାଯାଉ ନ ଥାଏ । ମୋ ଆଖିରେ ଝଲସି ଉଠୁଥାଏ ଗତବର୍ଷ ଶ୍ରୀକ୍ଷେତ୍ରକୁ ଯାଇ ସନ୍ଧ୍ୟା ଦର୍ଶନରେ ଦେଖିଥବା କାଳିଆ ଠାକୁରଙ୍କ ଅପୂର୍ବ ରୂପ । ମୋ ଜୀବନକୁ ତା ପାଦରେ ସମର୍ପି ଦେଇଥାଏ । ତାରିଲେ ତାରିବ, ମାରିଲେ ମାରିବ । ସବୁ ତା’ ହାତରେ । ତା ଲୀଳା ତା ବୁଝି ହୁଏନି । ଅଶୀ କିଲୋମିଟର ବାଟ କେତେବେଳେ ଅତିକ୍ରମ କରିଗଲୁ ଜାଣିପାରିଲିନି । ସତେ ନିମିଷକେ ପହଞ୍ଚି ଗଲାପରି ଅନୁଭବ ହେଲା ।
ନିରାପଦ ଭାବରେ ପହଞ୍ଚିଗଲୁ ବରଗଡ଼ । ରାତିରେ ଅପରେସନ କରାଗଲା । ସୂଦୁର କୋଲକାତା, ନୂଆପଡା ଏବଂ ଲକ୍ଷ୍ନୋରୁ ପହଞ୍ଚିଗଲେ ମୋର ଭାଇ ଭଉଣୀମାନେ । ସେହି ବିକାଶ କଲେଜରେ ପଢ଼ୁଥିବା ସାନପୁଅ ମଧ୍ୟ ଆସିଲା ।
ପଦ୍ମପୁରରୁ ମାମୁଁମାନେ ମଧ୍ୟ ପହଞ୍ଚିଗଲେ । ସମସ୍ତଙ୍କ ଦୀର୍ଘ ପାଞ୍ଚ ଦିନର ସେବା ପରେ ଟିକେ ଆରାମ ଲାଗିଲା । ସମସ୍ତଙ୍କୁ ଦେଖି ମତେ ପୁନର୍ଜନ୍ମ ମିଳିଛି ବୋଲି ଜାଣି ପାରିଲି । ଆଜି ମୁଁ ଭଲ ଅଛି ସେହି ବଡ଼ଠାକୁରର ଆଶୀର୍ବାଦରୁ । ଅନୁଭବ କରିପାରୁଛି ବଡ଼ଠାକୁରଙ୍କୁ ।
କଥାରେ ଅଛି —
” ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ ।”
“ଶୁଣିଥିଲି ସିନା କେବେ
ଆଜି ନିଜେ ଅନୁଭବ କଲି
ନିଜ ଆଖିରେ ଦେଖିଲି
ଯାହାକୁ ରଖିବେ ଅନନ୍ତ
କି କରିପାରେ ବଳବନ୍ତ
କଥାଟି ଯୁଗେ ଯୁଗେ ସତ ।।”
ଜୟ ଜଗନ୍ନାଥ । ଜୟ ଜଗନ୍ନାଥ । ଜୟ ଜଗନ୍ନାଥ ।
^^^^^^^^^^^^^^^^^^^^^^
ପ୍ରେମାନନ୍ଦ ବେହେରା, ସହକାରୀ ଶିକ୍ଷକ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ପଦ୍ମପୁର, ଜିଲ୍ଲା – ବରଗଡ଼
ମୋ. ୯୪୩୮୨୯୨୩୧୩
621 total views, 1 views today
ବହୁତ ବହୁତ ଧନ୍ୟବାଦ ମନୋଜ ଆଜ୍ଞା ଏବଂ SLF