ଓଡ଼ିଆ ଲୋକ ଗୀତରେ *ଓଡ଼ିଆଣୀର ଜୀବନ ଚର୍ଯ୍ୟା
କୌଣସି ଦେଶ ବା ସଭ୍ୟତା ବିଷୟରେ ଜାଣିବାକୁ ହେଲେ ତାର ଇତିହାସକୁ ହିଁ ଆମକୁ ଜାଣିବାକୁ ପଡିଥାଏ l ସେହିପରି ଓଡ଼ିଆ ସାହିତ୍ୟର ଇତିହାସକୁ ପାଠ କଲେ ଆମେ ଓଡ଼ିଆ ସାହିତ୍ୟର ଲୋକ ସାହିତ୍ୟ ବିଷୟରେ ଜାଣିପାରିବା l ପ୍ରାଚୀନ ଶିଳାଲେଖ ଓ ସାରଳା ଯୁଗ ପୂର୍ବରୁ ଲୋକ ସାହିତ୍ୟ ର ସୃଷ୍ଟି l ଏହା ମୌଖିକ l ଲୋକ ମୁଖରୁ ଲୋକ ମୁଖ ଗତି କରି ଲୋକ ମୁଖରେ ହିଁ ରହିଯାଇଥାଏ l ସେମାନଙ୍କର ବାସ୍ତବ ଓ ସାମାଜିକ ଅନୁଭୂତି ହିଁ ଲୋକ ସାହିତ୍ୟ l
ଲୋକ ସାହିତ୍ୟକୁ ୩ ଭାଗରେ ବିଭକ୍ତ କରାଯାଇଛି l )୧)ଲୋକ ଗଳ୍ପ ୨ )ଲୋକ ଗୀତ
୩ )ଲୋକ ନାଟକ
ଏହା ମଧ୍ୟରେ ଲୋକ ଗୀତ ଏକ ଲୋକପ୍ରିୟ ବିଭାଗ l
ଆଦିମ ଲୋକମାନେ ପୁରାକାଳରେ ପାହାଡ଼ ଜଙ୍ଗରେ ବାସ କରୁଥିଲେ l ସେମାନେ ଗଛର ବକଳ ପିନ୍ଧୁଥିଲେ ଓ ଫଳମୂଳ ଖାଉଥିଲେ l ସଭ୍ୟତା ଓ ସଂସ୍କୃତି ବିଷୟରେ ତାଙ୍କର ଜ୍ଞାନ ଥିଲା ସୀମିତ l ସେମାନେ ପ୍ରକୃତି ର ଶୋଭା, ପ୍ରାକୃତିକ ପରିବେଶ, ଆକାଶରନୀଳିମା, ପକ୍ଷୀର କାକଳି, ଝରଣାର କୁଳୁ କୁଳୁ ଶବ୍ଦ, ଫୁଲର ବାସ୍ନା ସେମାନଙ୍କ ମନରେ ଆଣୁଥିଲା ଉନ୍ମାଦନା ଓ ପୁଲକିତ କରୁଥଲା ହୃଦୟକୁ l ତେଣୁ ଲୋକ ଗୀତର ସ୍ରଷ୍ଟା ଆଗେ ଗାଇଛି, ତା ପରେ କହିଛି l ସେ ଗାଇଛି ନିଜ ପରିବେଶକୁ ନେଇ, ନିଜ ସମାଜକୁ ନେଇ, ନିଜ ମଣିଷକୁ ନେଇ, ନିଜ ଅନୁଭୂତିକୁ ନେଇ l ତେଣୁ ଏହା କୃତିମ ନ ହୋଇଛି ପ୍ରାକୃତିକ, ବାସ୍ତବ l ଲୋକ କବି ପଲ୍ଲୀର କଥା ହିଁ କହିଛି l ଯେଉଁ ଗୀତ ଲୋକ ମୁଖରେ ରହିଛି, ତାର କିଛି ବିଧିବଦ୍ଧ ପୁସ୍ତକ ନାହିଁ ତାକୁ ଲୋକ ଗୀତ କୁହାଯାଏ l ଏହାର କବି କେହି ନ ଥାନ୍ତି l କିନ୍ତୁ ତାର ବାସ୍ନାରେ ଚାରିଆଡ଼ ମହକିତ ହୋଇ ଥାଏ l ଏହି ଗୀତ କଳ୍ପନାରୁ ନୁହେଁ ବାସ୍ତବ ଅନୁଭୂତିରୁ ହିଁ ହୋଇଥାଏ l ପଲ୍ଲୀ ଜୀବନର ଦୁଃଖ ସୁଖ ହିଁ ଏଥିରେ ପ୍ରତିଫଳିତ ହୋଇଥାଏl ଓଡିଶାର ପ୍ରକୃତ ଜୀବନ ଚର୍ଯ୍ୟା ଏଥିରେ ଦେଖିବାକୁ ମିଳିଥାଏ l
ଲୋକ ଗୀତକୁ ଚାରି ଭାଗରେ ବିଭକ୍ତ କରାଯାଇଛି l
1)ନାରୀ ଲୋକ ଗୀତ
2)ପୁରୁଷ ଲୋକ ଗୀତ
3)ନାରୀ ଓ ପୁରୁଷ ଲୋକ ଗୀତ
4)ଶିଶୁ ଗୀତ
ଆମର ଏଠାରେ ନାରୀ ଲୋକ ଗୀତ ଉପରେ ଆଲୋଚନା କରାଯିବ l
1)କାନ୍ଦଣା ଗୀତ
2)ଢଗ ଢମାଳି
3)ନାନା ବାୟା ଗୀତ
4)କୁଆଁରପୂନେଇଁ ଗୀତ, ଜହ୍ନି ଓଷା ଗୀତ
5)ରଜ ଦୋଳି ଗୀତ
6)ପୁଚି ଗୀତ
7)ଓଷା ପୂଜା ଗୀତ
8)ଚିତା କୁଟା ଗୀତ
9)ଡାଲଖାଇ ଗୀତ
#କାନ୍ଦଣା ଗୀତ –
ଏହି ଗୀତରେ ଝିଅମାନେ ଶାଶୁ ଘରକୁ ଗଲାବେଳେ ନିଜ ଅନୁଭୂତି ବା ବାପ ଘରର ଅଭୁଲା ସ୍ମୃତି କୁ ମନେ ପକାଇ ସେ ଗୀତ ମାଧ୍ୟମରେ ପ୍ରକଶ କରିଥାଏ l ତା ଆଖିରୁ ଝରି ପଡୁଥିବା ମୁକ୍ତା ବିନ୍ଦୁ ସେଠି କଥା କୁହେ l ତା ଘରର ସ୍ତ୍ରୀ ଲୋକ ମାନେ ମଧ୍ୟ ତାକୁ ଧରି ତାର ଗୁଣ ବର୍ଣ୍ଣନା କରି କାନ୍ଦି ଥାନ୍ତି l
1)ସିନ୍ଦୁକ ଉପରେ ସାପ ଶୋଇଛି ହେ ଭାଇ
ରାଜl କୁ ମାରିବାକୁ ଜଗି ବସିଛି, ହେ ଭାଇ
ରାଜା ମଲେ ରାଣୀ ରାଜୁତି ନେବ, ହେ ଭାଇ
ମୁଁ ଗଲେ ତୁମ କଳଙ୍କ ଯିବ, ହେ ଭାଇ l
2)ସେ ଯେଉଁ ମାଲ୍ୟାଣୀ ତା ଯେଉଁ ଆଖି ଲୋ ବୋଉ
ଉଡ଼ନ୍ତା ଚଢେଇର ଗଣଇ ପକ୍ଷୀ ଲୋ ମୋ ବୋଉ (ଶାଶୁର ଗୁଣ ବାହୁନି କାନ୍ଦି ଥାଏ )
2)#ଢଗ ଢମାଳି
**********
ନିଜର ମନକଥାକୁ ଗୀତ ଆକାରରେ ଛିଗୁଲେଇ ବା ଉପଦେଶ ଦେଇ ହେଉ l
ଯଥା -ଛୀଇଲୋ ବିଲେଇ ଋଷୁ କାହିଁକି
ସେହି ଭl ଡ଼ିତଳେ ପଶୁ କାହିଁକି l
ଉପଦେଶ -ଆଲୋ ସଖି,
ଆପଣା ମହତ ଆପେ ରଖି l
ଯେ ନ ମାନିଲେ –
ଭସା ପଇଡ଼, ଭାସି ଯାଉ ଥିଲୁ ମଝି ନଈରେ, ଧରି ଆଣିଥିଲି ତୋତେ,
ଠାକରା ଗାଲରେମାଉଁସ ଲାଗିଛି ଜବାବ ଦେଉଛୁ ମୋତେ l
3)#ନାନା ବାଇଆ ଗୀତ –
ମାଆ ପିଲାକୁ ଶୁଆଇବା ବେଳେ, ଖୁଆଇବା ବେଳେ, ଅଝଟ ହେଲା ବେଳେ, ତାକୁ ହସାଇଲା ବେଳେ ଆଉ ମନକୁ କିଣିବା ପାଇଁ ମଜା ମଜା କଥା କହି ତାକୁ ଖୁସି କରିବା ପାଇଁ ନାନା ବାୟା ଗୀତ ଗାଇ ଥାଏ l
ଯଥା -ବାଇ ଚଢେଇ ରେ ବାଇ ଚଢେଇ, ତୋ ମା ଯାଇଛି ଗାଇ ଚରେଇ l
ଝୁଲ ରେ ହାତୀ ଝୁଲ, ବାହା ପାଣି ଖାଇ ଫୁଲ l
ଆ ଜହ୍ନ ମାମୁଁ ସରଗ ଶଶୀ,
ମୋ କାଁହ୍ନୁ ହାତରେ ପଡରେ ଖସି l
4)#କୁଆଁର ପୁନେଇଁ ଗୀତ
କୁଆଁର ପୁନେଇଁ ରାତିରେ ଝିଅମାନେ ଖେଳିଥାନ୍ତି l ଗୀତ ମଧ୍ୟ ଗାଇଥାନ୍ତି l କୁଆଁର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ,
ପଡିଥାଏ ଘନ ଘନ ଲୋ ଫୁଲ ବଉଳ ବେଣୀ l
ସେମାନେ କାର୍ତ୍ତିକେଶ୍ୱର ପରି ବର ପାଇବା ପାଇଁ ଏହି ଓଷା କରିଥାନ୍ତି l ଜହ୍ନି ଓଷା ବ୍ରହ୍ମପୁରରେ, ନୟାଗଡ ରେ ଅଧିକ ଝିଅ ମାନେ କରି ଥାନ୍ତି l
5)#ରଜ ଦୋଳି ଗୀତ -କୁଆରୀ ଝିଅ ବୋହୂମାନେ ଦୋଳିରେ ବସି ଏହି ଗୀତ ଗାଇ ନିଜ ମନର ଭାବ ଓ ଅନୁଭୂତିକୁ ଗୀତ ମାଧ୍ୟମରେ ପ୍ରକାଶ କରିଥାନ୍ତି l ରଜ ମହୋତ୍ସବ ଓଡିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ବହନ କରିଥାଏ l
ରଜ ଦୋଳି କଟ ମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ସୁନା ମୁକୁଟ ଲୋ ଦୂରୁ ଦିଶେ ଝଟ ଝଟ l
6)ପୁଚି ଗୀତ -ପୁଚି ଗୀତ ଦୁଇ ପ୍ରକାର -ଠିଆ ପୁଚି, ବସା ପୁଚି l
ଝିଅମାନେ ଖେଳିବା ବେଳେ ଏହି ଗୀତ ଗାଇ ଥାନ୍ତି -ଠିଆ ପୁଚି ନାରଙ୍ଗ ଗୋଡ଼ ଦିଇଟା ସାରଙ୍ଗ
ସାରଙ୍ଗ ବାଡ଼ିକି ଯାଇ ଥିଲି
ସାରଙ୍ଗ ଶୁଖୁଆ ଆଣିଥିଲି j
ଅଧା କଲି କଲି କଞ୍ଚା, ଅଧେ କଲି ଭଜା, ତୋ ଭଉଣୀ ରାଣୀ ହେଲେ ମୋ ଭାଇଟି ରାଜା l
ବସା ପୁଚି -ପୁଚି ଲୋ ଘୁଂଚି ଯା
ନଈ ତଳେ ତଳେ ଲୁଚି ଯା l
7)ଓଷା ପୂଜା ଗୀତ -ପୁତ୍ର ପ୍ରାପ୍ତି, ଧନ ପ୍ରାପ୍ତି ଓ ସୌଭାଗ୍ୟ ପ୍ରାପ୍ତି ପାଇଁ ଓଡ଼ିଆଣୀ ବୋହୁ ଓ ଝିଅ ମାନେ ବାର ମାସରେ ତେର ପର୍ବ ପାଳନ କରି ଥାଏ l ସେଥି ମଧ୍ୟରେ ମାଣବସା, ସୋମନାଥ ବ୍ରତ, କେଦାର ବ୍ରତ ସାବିତ୍ରୀ ବ୍ରତ, ବାଟ ଓଷା ଆଦି ପ୍ରଧାନ l ଝିଅ ମାନେ ଭାଇର ଶୁଭ ମାନସୀ ଖୁଦୁରୁକୁଣୀ ଓଷା କରିଥାନ୍ତି l
8)ଚିତା କୁଟା ଗୀତ -ଓଡ଼ିଆଣୀ ବୋହୁ ହାତ, ଗୋଡ଼ ଓ ମୁଣ୍ଡରେ ଚିତା କୁଟଇ ଥାନ୍ତି l କୁଟେଇଲା ବେଳେ କଷ୍ଟ ନ ହେବା ପାଇଁ ଗୀତ ଗାଇ ଥାନ୍ତି l ଯଥା -ଆସ ଚିତା କୁଟି ଦେବି ଲବଙ୍ଗ ଲତା, ମୋ ଚିତା କୁଟିଲେ ହେବ ଜଗତ ଜିତା l
9)ଡାଲ ଖାଇ ଗୀତ -ସମ୍ବଲପୁରଓ ବଲାଙ୍ଗୀର ଆଦି ଜିଲ୍ଲାରେ ଏହି ଗୀତ ବୋଲନ୍ତି l ନିଜର ମନର କଥାକୁ ଗୀତରେ ଗାଇ ଶେଷରେ ଡାଲଖାଇ ଲଗାଇ ଥାନ୍ତି l
ଓଡ଼ିଆ ନାରୀ ଲୋକ ଗୀତରେ ଓଡ଼ିଆଣୀ ମାନଙ୍କ ଜୀବନ ଚର୍ଯ୍ୟା ଫୁଟି ଉଠିଥାଏ l ମନୁଷ୍ୟ ମାତ୍ରେ ସଂଗୀତ ପ୍ରିୟ l ସଙ୍ଗୀତ ତାର ସାଥି l ଦୁଃଖ ଲାଘବ କରେ l ଅବାଟରେ ଗଲେ ବାଟ ଦେଖାଏ l ମନକୁ ସନ୍ତୋଷ ପ୍ରଦାନ କରେ l ଓଡ଼ିଆଣୀ ମାନଙ୍କର ଯାବତୀୟ ଅନୁଭୂତି ଓ ଅଭିଜ୍ଞତା ଏଥିରେ ପ୍ରତିଫଳିତ ହୋଇଥାଏ l *****************
ପ୍ରିୟମ୍ବଦା ରାଉତ, କୁଡ଼ୁମୁଲୁଗୁମ୍ମା, ମାଲକାନଗିରି l
782 total views, 1 views today