ଅନୁଭୁତିରେ ଶ୍ରୀଜଗନ୍ନାଥ

ଭାବର ଠାକୁର ସେ, ଭାବବିନୋଦିଆ । ସେ ଅନାଦି, ସେ ଅନନ୍ତ, ସେ ଅବ୍ୟକ୍ତ, ସେ ନିରାକାର ସେ ବ୍ରହ୍ମ, ସେ ବ୍ରହ୍ମରୂପୀ ଜନାର୍ଦ୍ଦନ , ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ଭକ୍ତର ଭଗବାନ । ସେ ନିର୍ଗୁଣ, ସେ ନିର୍ବିକାର l ସିଏ ହେଉଛନ୍ତି କରୁଣାର ଅବତାର ।ସେହି ପରିପ୍ରେକ୍ଷୀରେ ମୁଁ ମୋର ଅନୁଭୂତିରୁ କିଛି କହିବାକୁ ଯାଉଛି । 1996ମସିହା କଥା ମୋ ଦେହ ବହୁତ ଖରାପ ଥାଏ । ପାଖ ଡାକ୍ତରଖାନାରେ ଚାରିଦିନ ରହିବା ପରେ ଜୟପୁର ମେଡିକାଲକୁ ମୋତେ ସ୍ଥାନାନ୍ତରିତ କରାଗଲା । ସେଠାରେ ମୁଁ ୭ଦିନ ଯାଏ କେଵଳ ସାଲାଇନ ଓ ଆଣ୍ଟିବାଓଟୀକ ନେଇ ସେଜରେ ପଡିରହିଥାଏ । ସାତ ଦିନ ଭିତରେ କେବଳ ଗୋଟେ ପଇଡ଼ର ପାଣି ନାକ ବାଟେ ଦିଆଯାଇଥଲା । ମୋ ଛାତି ଓ ପିଠିରେ ଏତେ ଯନ୍ତ୍ରଣା ହେଉ ଥାଏ ଯେ ମୁଁ ସହି ପାରୁ ନ ଥାଏ ।ବେଡ଼ରୁ ଉଠି ପାଗଳୀଙ୍କ ଭଳି ଏଣେ ତେଣେ ପଳାଇ ଯାଉଥାଏ । ଦିନେ ମୁଁ କାହିଁକି ପଦାକୁ ପଳାଇ ଆସିଥାଏ, ଦେଖିଲି ମୋର ଗୋଡ଼ହାତରେ ସତେ ଯେମିତି କିଏ ପରସ୍ତ ପରସ୍ତ କରି ହଳଦୀ ବୋଳି ଦେଇଛି । ମୁଁ ସେତେବେଳେ ନିଶ୍ଚିତ ହୋଇଗଲି ଯେ ମୋତେ ଜଣ୍ଡିସ ହୋଇଯାଇଛି । ତା ପରେ ମୁଁ ଭଲ ହୋଇଯିବାର ବାହାନା କରି ଘରକୁ ପଳାଇ ଆସିଲି । କାରଣ ମୁଁ ଶୁଣିଥିଲି ଯେ ଜଣ୍ଡିସ ଏଲୋପାଥିକରେ ଏତେ ଶୀଘ୍ର ଭଲ ହୁଏ ନାହିଁ।ଜଗନ୍ନାଥଙ୍କ କୃପାରୁ ମୋ ବାପା ଘରୁ ଆସି ସେଦିନ ପହଂଚି ଥାନ୍ତି । କାରଣ ମୋ ବୋଉ ସ୍ବପ୍ନ ଦେଖିଥାଏ ମୋ ଝିଅ ଦେହ ଭାରି ଖରାପ ବୋଲି  ଆମେ ସମସ୍ତେ ତାପର ଦିନ ଆମ ଘର କେନ୍ଦ୍ରାପଡ଼ାକୁ ପଳାଇଲୁ ।ତାପରେଜଗତସିଂହପୁର ଜଲ୍ଲାର ସିନ୍ଦ ମଠ , ଯେଉଁଠାରେ ଅନନ୍ତ ଗୋପାଳ ପୂଜା ପାଉଛନ୍ତି ମୋତେ ସେଠାକୁ ନେଇଗଲେ । ଚେରମୂଳି ଔଷଧସେଠାକାର ବାବା ଦେଲେ । ସେହିସମୟରେ ମୁଁ ତିନି ମାସ ଶୋଇ ନ ଥିଲି । ପଇଡ଼ ପାଣି, ଆଖୁରସ, ଅମୃତଭଣ୍ଡା ସିଝା, ରୁଟି ଖାଉଥାଏ । ମୁଁ ମନେ ମନେ ଜଗନ୍ନାଥଙ୍କୁ ଡାକୁଥାଏ, ହେ ପ୍ରଭୁ ମୁଁ ତ କେବେ କାହାର ଅନିଷ୍ଟ ଚିନ୍ତା କରି ନାହିଁ, ମୋତେ ଏତେ ଦଣ୍ଡ କାହିଁକି ଦେଉଛ ? ଆପଣ ଯଦି ସତରେ ଅଛ ତାହେଲେ ମୋତେ ଦେଖା ଦିଅ । ମୋତେ ତ ନିଦ ହୁଏ ନାହିଁ ,ଦେଖିଲି ଏକ ନୀଳ ଆଲୋକ କାନ୍ଥରୁ ମୋ ଆଖି ଉପରେ ପଡୁଛି । ସେହି ଦିନ ଠାରୁ ମୋ ଦେହ ଭଲ ହେବାକୁ ଲାଗିଲା । ମୁଁ ସୁସ୍ଥ ହୋଇଗଲି 
ଲୀଳାମୟଙ୍କ ଲୀଳା ବିଚିତ୍ର  ତାଙ୍କର ଲୀଳାକୁ କିଏ ବର୍ଣ୍ଣି ପାରିବ ନାହିଁ ମୁଁ ତ ନିମିତ୍ତ ମାତ୍ର ।
###############
ପ୍ରିୟମ୍ବଦା ରାଉତ, କୁ. ଗୁମ୍ମା. ମାଲକାନଗିରି l

Leave a Reply

Your email address will not be published. Required fields are marked *