ଅନୁଭୂତିରେ ମୋ ବିଦ୍ୟାଳୟ ଓ ପିଲାଦିନ
……………….
ତାରିଖ -20.06.2020
……………….ଆଦ୍ୟ ବସନ୍ତ ର ଦଲକାଏ ପବନ ବସ ଝରକା ଦେଇ ଆସି ପହଁଚିସାରିଥାଏ ଅୟସକାନ୍ତ ର ଯୁବସୁଲଭ ଶରୀର ରେ | ଅଜାଣତରେ ନିଜକୁ ହଜାଇସାରିଥାଏ ପିଲାଦିନ ର ଆଞ୍ଜୁଳାଏ ଘଟଣା ପୂର୍ଣ୍ଣ ମୁହୂର୍ତ୍ତ ଭିତରେ |ଯୌବନ ରେ ପାଦ ଥାପି ପିଲାଦିନ କୁ କାହିଁ କେତେବର୍ଷ ଆଗରୁ ପଛରେ ଛାଡି ଆସିଥିବା ଅୟସକାନ୍ତ ର ମନ ବିମାନ ଟି ଆଜି ପିଲାଦିନ ର ଆକାଶ ରେ ଲକ୍ଷ୍ୟହୀନ ହୋଇ ଘୁରିବୁଲୁଛି |ରୋକିବାକୁ ଜୁ ନାହିଁ |ମୁଁହରେ ଅନ୍ୟମନସ୍କ ର ହସ ଆଉ ଭାବନାରେ ବୁଡି ବୁଡି ପଚିଶ ବର୍ଷ ତଳର କାଗଜ ଡ଼ଙ୍ଗା ରେ ବସି ପିଲାଦିନର ବର୍ଷାଛିଟା ରେ ଗୋଟାପଣେ ଓଦା ହେଇ ସାରିଥାଏ ଅୟସକାନ୍ତ |
ଆଜ୍ଞା, ଅୟସକାନ୍ତ ବୟସ ଛବିଶ, ପେସା ରେ ଶିକ୍ଷକ |ଘରଠୁ କର୍ମକ୍ଷେତ୍ର ପ୍ରାୟ 150କିମି | ସେଦିନ ଥାଏ ଶନିବାର, ପାଠ ପଢା କାମ ସାରି ଗାଁମୁଁହା ଅୟସକାନ୍ତ ବସ ର ଝରକା ପାଖ ସିଟରେ ଖଣ୍ଡେ ଜାଗା ନେଇସାରିଥାଏ |କାହିଁ କେତେଦିନୁ ଝରକା ପାଖ ସିଟ ପ୍ରତି ତାର ଅହେତୁକ ଆକର୍ଷଣ | ଦୀର୍ଘଦିନ ପରେ ଗାଁ କୁ ଫେରିବାର ଖୁସିର ନିଶାଟା ଅୟସକାନ୍ତ କୁ କେଉଁ ଏକ ଅଜଣା ରାଇଜ କୁ ଭସେଇ ନେଇଛି ସେ ନିଜେ ବି ଜାଣିନି |
ଆଖି ଆଗରେ ନାଚିଯାଉଛି ସେଇ ରଙ୍ଗୀନ ପିଲାଦିନ | ଢୁ ଢୁ ଖରାବେଳଟା ରେ ରାମୁ କାକା ଙ୍କ ଆମ୍ବତୋଟାରେ ଚାଲିଥାଏ ଯୋଜନା |ଟେକା ଟିକୁ ମୁଣ୍ଡରେ ମାରି ଜୟ ବଜରଙ୍ଗବାଲି ଡାକି ମାରିଦେଲା ବେଳକୁ ଆଠ କି ଦଶଟା ଆମ୍ବ ଦୁଲଦାଲ ହେଇ ତଳେ ପଡ଼ିଯାଏ |ବାସ !ସେତିକି ଆମ୍ବକୁ ଚିରା ପକେଟ ରେ ପୁରେଇ ହରିଣ ଭଳିଆ ଏକା ନିଶ୍ୱାସରେ ପହଂଚିଯାଏ ନିରାପଦ ଜାଗାରେ |ରବିବାର ହେଲେ ବନିଶୀ ଧରି ଗାଁ ମୁଣ୍ଡ ପୋଖରୀହୁଡ଼ା ରେ ପହଂଚି କଣ୍ଟା ରେ ଜିଆ କୁ ଥୋପ କରି ଛୋଟ ଚେଙ୍ଗ କୁ ଧରିବାବେଳେ କେଜାଣି କାହିଁକି ଦଶ କେଜିଆ ରୋହି ଧରିବା ଭଳି ଖୁସି ମିଳେ | କବାଡି, ବୋହୂଚୋରି, ଲୁଚାଲୁଚି ଭିତରେ ଏତେ ସମୟ ଚାଲିଯାଏ ଯେ ବେଳବୁଡକୁ ବାପା ଙ୍କ ବେତ ପାହାର ଖାଇବାକୁ ହୁଏ | ଖରା ଦିନେ ଖରାବେଳେ କେନ୍ଦୁ ଅଠା ରେ ଗୁଡ଼ି କରି ଆକାଶ ଦେହରେ ବଜେଇବା ପାଇଁ ଏକ ରକମ ପ୍ରତିଯୋଗିତା ଚାଲିଥାଏ |
ଏମିତି ପିଲାଦିନର ଅପସୋରା ଅଭୁଲା ଅତୀତ ସବୁ ଗୋଟିଏ ପରେ ଗୋଟିଏ କଡ ଲେଉଟାଇ ଅସ୍ତବ୍ୟସ୍ତ କରିଦେଉଥାନ୍ତି ଅୟସକାନ୍ତ କୁ | ଗାଁ କୁ ଫେରିବାର ଖୁସି ବହୁଗୁଣିତ ହେଇସାରିଥାଏ |ତା ଭିତରେ ବସର ଝରକା ଦେଇ କେଇଟୋପା ବର୍ଷା ଛିଟା ଆସି ପହଂଚିସାରିଥାନ୍ତି ଅୟସକାନ୍ତ ର ମୁଁହରେ |
ପୁଣି ଭାବନା ଗୁଡିକ ଫେରିଯାଉଥିଲେ ଗାଁ ସ୍କୁଲ ର ସେଇ ପଞ୍ଚମ ଶ୍ରେଣୀ ଘରଭିତରକୁ | ଶେଷ ପିରିଅଡ ବାଜିସାରିଥାଏ | ହଠାତ ମାଡି ଆସିଲା ବର୍ଷା |ବର୍ଷା ଛାଡିଯିବା ପରେ ଖୁସି ରେ ନିଜ ରଫଖାତା ରୁ ମଝି ଫର୍ଦ ଚିରି କାଗଜ ଡ଼ଙ୍ଗା କରି ଭସେଇଦେଉଥାଏ ଅୟସକାନ୍ତ | ଶ୍ରେଣୀ ଭିତରେ ରାଜୁର ଚୁଟି ଟାଣିବା, ତା ସାର୍ଟ ରେ ଗାରେଇବା, କଲମରେ ନିଶ କରିବା ଥିଲା ପ୍ରତିଦିନ ର ଅଭ୍ୟାସ |ପ୍ରାର୍ଥନା ବେଳେ ଗୋଟିଏ ଆଖିରେ ଦେଖିବା, ଖାଇ ଛୁଟି ରେ କାଗଜ ପୁଡିଆ ରେ ଘରୁ ଲୁଚେଇ ଆଣିଥିବା ଆମ୍ବୁଲ, ଲଙ୍କା କୁ ବାଣ୍ଟି କି ଖାଇବାରେ ମଜା ଥିଲା ଅଲଗା ଆଉ ନିଆରା | ଘରୁ ସ୍କୁଲକୁ ଯିବା ବାଟରେ ଥିବା ସେଇ କିଆ ଗଛରେ ସାତଟି ଗଣ୍ଠି ହେବାକୁ ଥିବା ମାଡ ରୁ ମୁକ୍ତିପାଇବା ର ସାହସ ମିଳୁଥିଲା ଅୟସକାନ୍ତ କୁ |
ଏମିତି ଭାବନାର ଡ଼ଙ୍ଗାରେ ଭାସୁ ଭାସୁ ନିଜ ଅଜାଣତରେ ଗାଁମୁଣ୍ଡ ବରଗଛ ପାଖେ ପହଂଚି ସାରିଥାଏ ଅୟସକାନ୍ତ | ଉତ୍ସାହ ର ହଳିଏ ଆଖିକୁ ଗାଁ ଚାରି ପାଖେ ବୁଲେଇ ଆଣିଲା ବେଳକୁ ଦେଖୁଥାଏ ସେ ପିଲାଦିନ ଆଉ ନାହିଁ | ସେଇ ଛୋଟବେଳର ପିଲାଳିଆମି, ଚଗଲାମି ଯେମିତି ସମାଧି ପାଲଟି ଯାଇଛନ୍ତି ଆଧୁନିକତାର ଶ୍ମାଶନରେ | ଅଜାଣତରେ ବୋହି ଆସୁଥିବା ଦୁଇଧାର ଲୁହକୁ ରୋକି ସଦା ଗୁଡ଼ିଆ ଦୋକାନରୁ ଚା ପିଉ ପିଉ ତା କାନରେ ବାଜୁଥିଲା ସେଇ ଗୀତ “ମତେ କିଏ ଫେରେଇ ଦେବ ହାଏ ମୋ ପିଲାଦିନ, ଅଝଟିଆ ପଣ ସେଇ ଅମାନିଆ………
……………….
ପ୍ରଶାନ୍ତ କୁମାର ମହାନ୍ତି, କାକଟପୁର, ପୁରୀ
681 total views, 1 views today