ଅପେକ୍ଷାର ଫଳ ମିଠା
****************
“ତୋର ସରିଲା ନା ନାହିଁ,କେତେ ସମୟ ନବୁ କହିଲୁ,ଡେରି ହେଉଛି ଟି?ସେ ଆଡେ ଯଦି ସବୁ ବନ୍ଦ ହେଇଯିବ ଦେଖିବୁ।”
ଘରକୁ ଭାଇ ଆସିଲେ ଏଇଟା କହିବା ମୋର ଅଭ୍ୟାସ।ଯୁଆଡେ ବାହାରିଲା ବେଳକୁ ଭାଇ ସବୁବେଳେ ଏମିତି ଡେରି କରେ ଆଉ ମତେ ନେଇ ଯିବାର ଥିଲେ ଯଦି ଡେରି କଲା ମୁଁ ତା ଉପରେ ଏମିତି ବିରକ୍ତ ହୁଏ।
“ଏବେ ଚାଲ ଲୋ ମୋ ମା’ ଯିବା,ତତେ ନ ଦେଖିଲେ ସିଏ କାଳେ କୁଆଡେ ପଳେଇବେ।ଜଲ୍ଦି ଚାଲ”ଭାଇର ଏକଥା ଶୁଣି ମୋ ମନ ପୁରା ଖୁସି ହେଇଗଲା।ଆଜି ବହୁତ ଦିନ ପରେ ମୁଁ ତାଙ୍କୁ ଦେଖିବି ସେ ଖୁସି ସବୁ ଖୁସି ଠାରୁ ପୁରା ନିଆରା ମୋ ପାଇଁ।
ଭାଇ ଓ ମୁଁ ଚାଲିଲୁ ବାଇକ୍ ରେ।ବାଟରେ ଏଣୁ ତେଣୁ କେତେ କଥା ହେଉ ହେଉ କେତେ ବେଳେ ଯାଇ ଗନ୍ତବ୍ୟ ସ୍ଥଳରେ ପହଁଚି ଯାଇଥିଲୁ ଜଣା ପଡିଲାନି।ଗାଡି ଷ୍ଟାଣ୍ତରେ ରଖିଲା ବେଳ ଠାରୁ ମୋ ମନରେ ତାଙ୍କ ଛବି ଭାସି ଉଠୁଥିଲା ଓ ମନରେ ଗୋଟେ ଅଜବ ପୁଲକ ଅନୁଭୂତ ହେଉଥିଲା।ଗାଡି ରଖି ଆମେ ଦୁହେଁ ପାଦ ଧୋଇ ପାହାଚ ପାହାଚ ଚଢି ଭିତରକୁ ପ୍ରବେଶ କଲୁ।ପ୍ରଥମେ ଚାରିପଟେ ବୁଲି ସବୁ ଦେଖି ସାରିବା ପରେ ମୁଖ୍ୟ ସ୍ଥାନକୁ ଯିବାକୁ ବାହାରିଲୁ।
ଭିତର ଦ୍ବାର ମୁହଁରେ ଯେତେବେଳେ ଭାଇ ଭଉଣୀ ଦୁହେଁ ପ୍ରବେଶ କଲୁ ଦେଖିଲୁ ସେ ଗର୍ଭ ଗୃହଟି ପୁରା ନିସ୍ତବ୍ଧ ଥିଲା।ମୁଁ କିଛି ଜାଣି ପାରୁନ ଥାଏ,ସବୁବେଳେ ଗହଳି ଥିବା ସ୍ଥାନଟି ଆଜି ପୁରା ଶାନ୍ତ କ’ଣ ପାଇଁ ଥିଲା?ପୁରା ଭିତରକୁ ଯାଇ ଦେଖିଲୁ ପହଡ ପଡିଥିଲା।ମୋ ମନର ଖୁସି ଓ ଉନ୍ମାଦନା ସବୁ ପାଣି ଫୋଟକା ପରି ମିଳେଇ ଗଲା।ଅଜାଣତରେ ଆଖିରେ ଜକେଇ ଆସିଲା ଲୁହ।ଏ ଥିଲା ଅଭିମାନର ସଂକେତ।ସତରେ ଯେତେବେଳେ ଭଲ ପାଉଥିବା ବସ୍ତୁ କି ମଣିଷ ମିଳନ୍ତି ନାହିଁ ସେତେବେଳେ ଏମିତି ମନରେ ଅଭିମାନ ଆସେ।
“ଚାଲ,ବାହାରକୁ ଯିବା।ଆଜି ଦର୍ଶନ ହେଇପାରିବନି ବୋଧେ।”ଭାଇର ଏଇ କେଇ ପଦ କଥାରେ ମୋ ମନ ଆହୁରି ଦୁଃଖି ହେଇଗଲା।ମୁଁ କହିଲି,”ନା ଟିକେ ଅପେକ୍ଷା କରିବା କି?”ମୋ କଥାର ଶୈଳୀ ଦେଖି ଭାଇ ବୁଝି ସାରିଥିଲା ମୋ ମନର ଭାବନାକୁ।ଟିକେ ରହିଯାଇ ଭାଇ କହିଲେ,ହଉ ଚାଲ ବାହାରେ ଅପେକ୍ଷା କରିବା।ତା’ପରେ ଆମେ ଦୁହେଁ ବାହାରକୁ ଚାଲି ଆସିଲୁ ଓ ପାଖ ମଣ୍ତପରେ ବସି ପଡିଲୁ।
ମୋ ମନରେ ରହି ରହି କୋହ ଆସି ଯାଉଥାଏ।ସେହି କୋହରେ ଅଭିମାନ ସୂଚକ ଉକ୍ତିରେ ମୁଁ ତାଙ୍କ ସହ କଥା ହେଉଥାଏ।”ତତେ ଭଲ ପାଏ ବୋଲି ତୁ ମତେ ଠକି ଦେଲୁ।ଏତେଦିନ ପରେ ଦେଖିବାକୁ ଆସିଛି ବୋଲି ରାଗିଛୁ ନା ମୋର କିଛି ଭୁଲ୍ ହେଇଛି।ମତେ ଦେଖିବୁନି ବୋଲି କବାଟ ବନ୍ଦ କରିଦେଇଛୁ।କେତେ ଆଶା ନେଇ ଆସିଥିଲି ତତେ ଟିକେ ଦେଖିବି ସେତିକି ପୁରା କରିଲୁନି।ମୁଁ କଣ କିଛି ମାଗିଥାନ୍ତି କି?”ଏମିତି କେତେ ଅଭିମାନ ଭରା କଥା କହି ଚାଲିଥିଲି ମନେମନେ।
ଏକଘଣ୍ଟା ବିତିଗଲା ପରେ ବି କିଛି ସୂଚନା ମିଳିଲାନି।ପାଖରେ କୀର୍ତ୍ତନର ଶଦ୍ଦ ବି ମନକୁ ଭୁଲେଇ ପାରୁ ନଥିଲା।ବାଧ୍ୟ ହେଇ ଭାଇକୁ କହିଲି ,”ଚାଲ ଭାଇ ପଳେଇ ଯିବା।ଆଉ ଅପେକ୍ଷା କରିବାନି।”ହେଲେ ଭାଇ କହିଲା,”ନା, ଆଉ କିଛି ସମୟ ରହ”।ମୁଁ ଭାଇ ମୁହଁକୁ ଚାହିଁଲି।ତା’ ଆଖିରେ ସେଦିନ ବିଶ୍ବାସର ଝଲକ ମତେ ଖୁବ୍ ଅଜବ ଲାଗିଲା।କେବେ ଆଗରୁ ଭାଇକୁ ଏମିତି କହିବାର ମୁଁ ଶୁଣିନି।କେତେ ସମୟ ବସିବା ଭାଇ,ଆଉ ଭଲ ଲାଗୁନି,ଚାଲ ପଳେଇବା।”ମୋ ମୁହଁରୁ ଏକଥା ଶୁଣି ଭାଇ ମୋ ମୁଣ୍ତରେ ହାତ ବୁଲେଇ ଆଣିଲା ଆଉ କହିଲା,ବ୍ୟସ୍ତ ହଅନା,ଅପେକ୍ଷା କର।ବୋଉ ପରା କହେ ,”ଅପେକ୍ଷାର ଫଳ ମିଠା” ହେଇଥାଏ।
ଭାଇର ଏମିତି କଥାରେ ମୋ ମନରେ ଆଶାର କ୍ଷୁଦ୍ର ଝର ଟିଏ ପ୍ରବାହିତ ହେଲାପରି ଅନୁଭୂତ ହେଲା।ଆମେ ଦୁହେଁ ଅପେକ୍ଷାରେ ରହିଲୁ।ପ୍ରାୟ ଦୁଇ/ତିନି ଘଣ୍ଟା ପରେ ହଠାତ୍ କିଛି କୋଳାହଳ ମତେ ପ୍ରକୃତିସ୍ଥ କରିଦେଲା।ଶାନ୍ତ ସମୁଦ୍ରରେ ଉତ୍ତାଳ ତରଙ୍ଗର ଭୀଷଣ ଗର୍ଜନ ପରି ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଲା ପରିସର।ଖୁବ୍ ଆଗ୍ରହ ସହକାରେ ସମସ୍ତେ ଠିଆ ହେଲୁ।ଲୋକମାନେ ହାତ ଟେକି ଦେଇ ହରିବୋଲ କହି ଆଗକୁ ବଢୁଥିଲେ।ଭାଇ ଓ ମୁଁ ବି ଆଗକୁ ବଢିଲୁ।ଭିଡ ଠେଲି ଯେତେବେଳେ ଗର୍ଭ ଗୃହରେ ପହଞ୍ଚିଲୁ ଶୁଣିଲୁ ଭିତର କାଠ ପାଖ ଯାଏଁ ଯାଇ ଦର୍ଶନ କରିହେବ କାରଣ ଏଇଟା ଥିଲା ସାହାଣ ମେଲା ସମୟ।
ମୋ ମନର ଖୁସି ପୁରା ଦ୍ବିଗୁଣିତ ହେଇଗଲା।ଆଖିରେ ଲୁହ ଭରିଗଲା।ଆପେ ଆପେ ହାତ ଉଠିଗଲା ଉପରକୁ ଆଉ ମୁହଁରୁ ବାହାରି ଆସିଲା “ଜୟ ଜଗନ୍ନାଥ,ଜୟ ଶ୍ରୀ କୃଷ୍ଣ”।ଭିତର କାଠ ପାଖରେ ଠିଆ ହେଇ ଯେତେବେଳେ ସେ କାଳିଆ ଠାକୁର ଆଖିରେ ଆଖି ମିଶିଗଲା ମନର ସବୁ ଅଭିମାନ ଅଭିଯୋଗ କୁଆଡେ ଉଭେଇଗଲା ଜାଣି ପାରିଲିନି।ପୂର୍ବରୁ କେତେ କଣ କହିବି ଭାବୁଥିଲି;ହେଲେ ଦେଖା ହେଲା ପରେ କ’ଣ କହିବି କ’ଣ ନ କହିବି କିଛି ମନକୁ ଆସିଲାନି।ଗୋଟିଏ କୋଣକୁ ଲାଗି ବହୁ ସମୟ ଧରି ଚାହିଁ ରହିଲି ସେ ଚକା ଆଖିକୁ।ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ।କେବଳ ଚାହିଁ ରହିବା ଛଡା ଆଉ ସବୁ କିଛି ଭୁଲି ଯାଇଥିଲି।
କେତେ ସମୟ ପରେ କାହାର ହାତ ସ୍ପର୍ଶରେ ମୁଁ ଚେତନା ପାଇଲି।ଦେଖିଲି ଭାଇ ଠିଆ ହେଇଛି ମୋ ପାଖରେ।ସେ ହସି ହସି କହିଲା,”ଚାଲ୍ ଯିବା ଏଥର।ଏତେ ସମୟ ରହିଲୁଣି ଏଠି ପୋଲିସ୍ ଦେଖିଲେ ବାଡେଇବ।”ମୁଁ ତା’ କଥା ଶୁଣି ହସି ଦେଲି,ହାତ ଯୋଡି ପ୍ରଣାମ କରି ମନ୍ଦିର ଭିତରୁ ବାହାରି ଆସିଲି।ତା’ପରେ ଆନନ୍ଦ ବଜାରରୁ ଅବଢା ନେଇ ଦି ଭାଇ ଭଉଣୀ ଘରକୁ ଆସିଲୁ।
ବାଟରେ ଆସିଲା ବେଳେ ବାରମ୍ବାର ଭାଇ କହୁଥିଲା,”ଦେଖିଲୁ ଅପେକ୍ଷାର ଫଳ କେମିତି ମିଠା ହେଇଥାଏ।ଆଜି ଯଦି ଅପେକ୍ଷା ନ କରି ଫେରି ଆସିଥାନ୍ତେ ଏତେ ସୁନ୍ଦର ଦର୍ଶନ କ’ଣ ମିଳି ପାରିଥାନ୍ତା।ଆଉ ତତେ ନ ଦେଖି ତୋ ଠାକୁରଙ୍କର କେତେ ମନଦୁଃଖ ହେଇଥାନ୍ତା କହିଲୁ।”ଭାଇ କଥା ଶୁଣି ମୁଁ ବି ମନେମନେ ଭାବୁଥିଲି ସତରେ ଅପେକ୍ଷାର ଫଳ ମିଠା ହିଁ ହେଇଥାଏ।ନ ହେଲେ କ’ଣ ଆଜି କାଳିଆ ଠାକୁରଙ୍କୁ ଏତେ ପାଖରୁ ଦେଖିବାର ସୁଯୋଗ ମତେ ମିଳିଥାନ୍ତା କି!!
ଏଇଟା ତାଙ୍କ ଲୀଳା ହେଉ କି ଆମ ଅପେକ୍ଷାର ଫଳ ଯାହାବି ହେଉ ଖୁବ୍ ମିଠା ଥିଲା ଏ ଅନୁଭୂତି॥
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର,ଗୋପିନାଥପୁର,ପୁରୀ
(ମୋ ଜୀବନର ଏକ ସତ୍ୟ ଅନୁଭୂତିକୁ ନେଇ ଏ ଗଳ୍ପ ରଚିତ)