🌹ଓଡ଼ିଆ ଲୋକଗୀତରେ ଓଡ଼ିଆଣୀର ଜୀବନ ଚରିତ🌹
*******************************
ପଲ୍ଲୀ ବିଳାସିନୀ ଉତ୍କଳ ଭୂଇଁର ସୌନ୍ଦର୍ଯ୍ୟ ସୁଷମା ଯେମିତି ମନୋମୁଗ୍ଧକର ତା’ କଳା,ସଂସ୍କୃତି,ଲୋକଗୀତ,ପରମ୍ପରା,ଐତିହ୍ୟ ସେମିତି ମନୋଜ୍ଞ ଓ ଅନନ୍ୟ,ଯାହାର ବର୍ଣ୍ଣନା କରିବା ଅସମ୍ଭବ। ଓଡ଼ିଶାର ପାଣି ପବନରେ ଏପରି ଅନେକ ପରିଚିତ ଏବଂ ପୂର୍ବ ପ୍ରଚଳିତ ଲୋକ କଥା ଓ ଲୋକଗୀତ ରହିଥିଲା ଯାହା ଆଜି କାଳର କରାଳ ଗର୍ଭରେ ବିଲୀନ ହୋଇଗଲାଣି।
ଲୋକଗୀତ ଅଗଣିତ ଜନ ହୃଦୟର ସ୍ମାରକ। ଗୋଟିଏ କଣ୍ଠରୁ ଆଉ ଗୋଟିଏ କଣ୍ଠକୁ,ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଏହା ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହେଉଥିଲା। ସ୍ତ୍ରୀ ଏବଂ ପୁରୁଷମାନଙ୍କ ପାଇଁ ସ୍ବତନ୍ତ୍ର ଲୋକଗୀତର ପ୍ରଚଳନ ଥିଲା। ସ୍ତ୍ରୀ ଗୀତର ଭାଷା ଲଳିତ,ଶ୍ରୃତି ରୋଚକ,ସ୍ବରରେ ଆରୋହଣର ଗତି ମନ୍ଥର,ଆବେଗ,ସଂଯତ ଏବଂ ଦୃଢ ଥିଲା। ଏଥିରେ ଛୋଟଛୋଟ ଘରକରଣା କଥା,ପାରିବାରିକ ସୁଖଦୁଃଖ,ଭୋଗ,ଓଷାବ୍ରତାଦି ଧର୍ମକଥା,ଖାଦ୍ୟପେୟ, ବସ୍ତ୍ରାଳଙ୍କାର କଥା,ଅନୁଭୂତିମୂଳକ ପ୍ରେମକଥା ପ୍ରକାଶିତ ହୋଇଥାଏ। ଢଗଢମାଳି,ବାରମାସୀ,ପୁଚିଖେଳ ଗୀତ,ଦୋଳି ଗୀତ,ପିଲାଙ୍କୁ ଗେଲ କରିବା ଗୀତ,କାନ୍ଦଣା,ଅଧିକାଂଶ ଗାଥା ଗୀତିକା,ସଜନୀ ଗୀତ,ବିଭା ଗୀତ,ଆଦି ନାରୀର ସୃଷ୍ଟି ।ଏହି ଲୋକଗୀତକୁ ମୁଖ୍ୟତଃ ମୌଖିକ ଓ ରଚିତ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଏଥିମଧ୍ୟରୁ ମୌଖିକ ଗୀତରେ କାନ୍ଦଣା,ପିଲା ଭୁଲାଣିଆ ଗୀତ,ଦୋଳି ଗୀତ ଆଦିର ପ୍ରାଧାନ୍ୟ ଅଧିକ।ସାଧାରଣତଃ ଓଡିଆ ଘରର ନାରୀଙ୍କ କଣ୍ଠରୁ ନିମ୍ନ ଗୀତ ଗୁଡିକ ଶୁଣିବାକୁ ମିଳିଥାଏ।
ପର୍ବ ଗୀତ :-
ଆଗକାଳରେ ଓଡିଆ ଘରେ ଜନ୍ମ ଠାରୁ ମୃତ୍ୟୁ ପଯ୍ୟନ୍ତ ଅନେକ ଲୋକଗୀତ ଶୁଣିବାକୁ ମିଳେ।ଓଡିଆ ଝିଅଟିଏ ନିଜ ପରମ୍ପରା ଅନୁଯାଇ ବାରମାସରେ ତେର ପର୍ବ ପାଳନ କରେ। ମାସର ବିଭିନ୍ନ ସମୟରେ ସେ ପାଳୁଥିବା ବିଭିନ୍ନ ପର୍ବପର୍ବାଣୀରେ ଅନେକ ଗୀତ ଗାଇ ଆନନ୍ଦିତ ହୋଇଥାଏ।ଯେପରି କୁଆଁର ପୁନେଇରେ,
(୧)
“କୁଆଁର ପୁନେଇ ଜହ୍ନ ଲୋ ଫୁଲ ବଉଳବେଣୀ”,
ତ କେବେ ରଜ ପର୍ବରେ ଦୋଳିରେ ବସି
(୨)
“ରଜ ଦୋଳି କଟମଟ
ମୋ ଭାଇ ମୁଣ୍ତରେ ସୁନା ମୁକୁଟ
ସୁନା ମୁକୁଟ ଲୋ ଦିଶୁଥାଏ ଜକଜକ ।”
ଗୀତ ଗାଇଥାନ୍ତି।ଗ୍ରାମର ଝିଅମାନେ ଏକମେଳ ହୋଇ ପୁଚି ଖେଳୁଥିବା ସମୟରେ ମଧ୍ୟ ଅନେକ ଗୀତ ଗାଇ ଏହି କଷ୍ଟ ସାଧ୍ୟ ଖେଳର ମଜା ଉଠାଇଥାନ୍ତି ଏବଂ ହାସ ପରିହାସରେ ସମୟ ଅତିବାହିତ କରିଥାନ୍ତି।
(୩)
“ପୁଚି ଲୋ ଯା ଘୁଞ୍ଚିଲୋ
ବାରିଆଡେ ଗୋଧି
ପୁଚି ନ ଜାଣୁ ମାଇପି ଟୋକି
କିଏ ଶିଖାଇବ ବୁଦ୍ଧି।”
ମଙ୍ଗଳ ଗୀତ :-ସେହିପରି ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନରେ ଓଡିଆ ଘରଣୀମାନେ ସୁମଧୁର ସ୍ବରରେ ଅନେକ ମଙ୍ଗଳଗୀତ ଗାଇଥାନ୍ତି।ପ୍ରତ୍ୟେକ ବିଧିରେ କ୍ଷୁଦ୍ରକ୍ଷୁଦ୍ର ଗୀତି ସେମାନଙ୍କ କାର୍ଯ୍ୟକ୍ରମକୁ ଆହୁରି ମନୋରମ କରିଥାଏ।ବିବାହ ସମୟରେ କାଚଲାଗି ବେଳେ ଗ୍ରାମ୍ୟ ବଧୂ କଣ୍ଠରୁ ଶୁଭେ-
(୪)
“କାଚଲାଗି ହେଉଛନ୍ତି ଜନକର ବାଳୀ
ସ୍ବର୍ଗେ ଥାଇ ଅପ୍ସରା ଦିଅନ୍ତି ହୁଳହୁଳି।
ଶ୍ରୀହସ୍ତରେ ବଢାଇ ଦେଲେ ଜନକର ଜେମା
ଅକଳଙ୍କ ଶ୍ରୀମୁଖ କି ଶରତ ଚନ୍ଦ୍ରମା।”
କାନ୍ଦଣା ଗୀତ :- ବିବାହ ସମୟରେ ମଧ୍ୟ ଏହି ନାରୀମାନେ ଝିଅ ବିଦାକିକୁ ନେଇ ଅନେକ ଗୀତ ଗାଇଥାନ୍ତି।ଗାଉଁଲି ନାରୀ କବିଙ୍କ କୋମଳ ଅନ୍ତରରୁ ଅଶ୍ରୁ ବିନ୍ଦୁ ସଙ୍ଗେ ଯେଉଁ ମୁକ୍ତାମାନ ଝରିପଡେ ତାହା ହେଉଛି ଗ୍ରାମୀଣ ଭାଷାରେ କାନ୍ଦଣା ଗୀତ।ପ୍ରଥମ କରି ନିଜ ପ୍ରିୟ ପରିବାରକୁ ଛାଡି ଶଶୁରାଳୟ ଯିବାବେଳେ ସେ ସ୍ବରରେ ଅନ୍ୟମାନଙ୍କୁ ଧରି ବାହୁନି କାନ୍ଦିଥାଏ।ଯେପରି ନିଜ ଜନ୍ମଦାତ୍ରୀ ଓ ସବୁଠାରୁ ପ୍ରିୟ ବୋଉକୁ ଧରି ସେ ବାହୁନି ଥାଏ-
(୫)
“ବନପକ୍ଷୀ ଭଳି ବଢେଇଥିଲୁ ଲୋ ବୋଉ
ବେଳ କାଳ ଦେଖି ଉଡେଇ ଦେଲୁ ଲୋ ବୋଉ।
କନିଅର ଫୁଲ ଅଗ ଡାଲକୁ ଲୋ ବୋଉ
କିଏ ଖଞ୍ଜିଦେବ ସଞ୍ଜବେଳକୁ ଲୋ ବୋଉ।
ପାଞ୍ଚ ବେଳା ଖିଆ ପଞ୍ଚୁ ଭୋଜନ ଲୋ ବୋଉ
ଏକା ବେଳରେ କି ସରିବ ଦିନ ଲୋ ବୋଉ।
ସକାଳ ଗାଧୁଆ ସଞ୍ଜ ହୋଇବ ଲୋ ବୋଉ
ଖାଇ ନାହିଁ ବୋଲି କିଏ କହିବ ଲୋ ବୋଉ।
କେବଳ ବୋଉ ନୁହେଁ ବାପାଙ୍କୁ ଧରି ସେ ବାହୁନି କହିଥାଏ,
(୬)
“କାବତା ଯେମନ୍ତ ବନେ ଝୁରଇ,ବାପା ହେ
ତେମନ୍ତେ ତୁମ୍ଭଙ୍କୁ ଝୁରି ମରିବି ବାପା ହେ।”
(୭)
“ଆଳୁ ପତରିଆ ମହଣ ପାନ ହେ ନୂଆବୋଉ
ଆଉ କି ଦେଖିବି ଜନମ ଥାନ ହେ ନୂଆବୋଉ
ଚକୁଳି ପିଠା ତ ଅଣ ଲେଉଟା ହେ ନୂଆବୋଉ
ଆଉ କି ଦେଖିବି ଜନମ କୋଠା ହେ ନୂଆବୋଉ।”
ସେହିପରି ବାପା ଓ ମା’ ବି ଝିଅକୁ ବୁଝାଇ କହିଥାନ୍ତି-
(୮)
“ବାପଘରେ ଝିଅ ନ ରହେ କେହି
ରାଜ ଜେମା ହେଲେ ପରକୁ ଦେଇ
ଓଳି ପାଣି ଗଡେ ପିଣ୍ତା ତଳକୁ
ଝିଅ ଜନମ ତ ପର ଘରକୁ।”
ଏହିପରି ସେ ନିଜର ପ୍ରିୟ ପରିଜନଙ୍କୁ ଧରି ବାହୁନି କାନ୍ଦିଥାଏ।
ବଧୂର ଦୁଃଖ ଗୀତ :-
ଶାଶୁ ଘରେ ବି ଝିଅଟି ଅନେକ ପ୍ରକାର ଦୁଃଖ ସହିଥାଏ;କିନ୍ତୁ ସେ ଏହାକୁ ପ୍ରକାଶ କରିବାକୁ ସଂକୋଚ କରେ।ବେଳେବେଳେ ସେ ଏହାକୁ ଗୀତ ଆକାରରେ ପରିପ୍ରକାଶ ବି କରିଥାଏ।ଯେପରି
(୯)
ବାରି ବାଇଗଣ ଚାରି ଚେଉଳା ଲୋ
କାହା ପତରରେ ଦେବି
ଶାଶୁର ପଦକୁ ନନ୍ଦର ପଦେ
କାହା ଜ୍ବଳା ମୁଁ ସହିବି।
ସେପରି ଯାହାର ସ୍ବାମୀ ବାହାରେ ଚାକିରି କରୁଥାଏ,ସେହି ସ୍ତ୍ରୀ ପ୍ରତି ଶାଶୁ ଘର ଲୋକଙ୍କର ଅତ୍ୟାଚାର ଟିକେ ଅଧିକ ଥାଏ।ସେହି ଶାଶୁମାନଙ୍କ ଅତ୍ୟାଚାର କାହାଣୀ ଲୋକଗୀତରେ ଅତ୍ୟନ୍ତ ମାର୍ମିକ ଭାବରେ ବର୍ଣ୍ଣିତ କରାଯାଇଛି।
(୧୦)
“ନଖରେ ଗାଲ ମାଂସ ପିଞ୍ଜନ୍ତି ମୋର
ଦାନ୍ତ ରଗଡା ଦେଖି ମାଡଇ ଡର
ମାଡ ଲୋ ଖାଇ ମୁହିଁ ଚାହେଁ ନିରେଖି
ନିଆଁ ମୁଣ୍ତା ପରି ଲୋ ଶାଶୁଙ୍କ ଆଖି
ସେଠାରୁ ଉଠି ଅନ୍ୟ ଥାନକୁ ଯାଏ
ନଳା ମୁହଁରେ କାନି ପକାଇ ଶୁଏ।”
ଶାଶୁ ଘରେ ଅନେକ ଯନ୍ତ୍ରଣା ସହି ମଧ୍ୟ ନାରୀଟି ବିନା ପ୍ରତିବାଦରେ ସବୁ ସହିଯାଏ। କାରଣ ସେ ବୁଝିଥାଏ ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି।ତେଣୁ ସେ ନିଜ ଉପରେ ହେଉଥିବା ଅତ୍ୟାଚାର କଥା ପ୍ରକାଶ ନ କରି କହେ
(୧୧)
“ସବୁ ସହିଲୋ ବୋଉ ବାନ୍ଧିଚି ଦମ୍ଭ
ଛାତି କରିଚି ମୋର ପଥର ଖମ୍ବ।”
ଶିଶୁ ଗୀତ :-
ନିଜ ଛୋଟ ଛୋଟ ଶିଶୁଙ୍କୁ ଖୁଆଇବା,ତେଲ ଲଗାଇ ଦେବା,ବୁଝାଇବା,ଶୁଆଇବା ଆଦି କାମରେ ଓଡିଆ ନାରୀ ଅନେକ ମନୋମୁଗ୍ଧକର ଗୀତ ଗାଇଥାନ୍ତି।ଯେପରି
(୧୨)
“ଝୁଲରେ ହାତୀ ଝୁଲ
ଝୁଲିଲେ ଖାଇବୁ ଖଣ୍ତଛାଚି
ମୋ ହାତୀ ଝୁଲରେ
କିଆକନ୍ଦା ଖାଇ ଫୁଲରେ
ମୋର ହାତୀ ଝୁଲରେ।”
(୧୩)
“ଧୋ ରେ ବାୟା ଧୋ
ଯୋଉ କିଆରୀରେ ଗହଳ ମାଣ୍ତିଆ
ସେଇ କିଆରିରେ ଶୋ।”
ସେପରି ଛୋଟ ଶିଶୁକୁ ତେଲ ଲଗାଇବା ବେଳେ ତା’ ମା’ ବୁଝାଇବା ପାଇଁ ବୋଲେ-
(୧୪)
“ପା’ ପା’ ନାଡି ବେଙ୍ଗ ଦେଲା ପାଡି
ସବୁ ପିଲା ଘରକୁ ଗଲେ ମୋ’ ଧନକୁ ଛାଡି।”
ଅନ୍ତିମ ବିଦାୟ ଗୀତ :-
ଏହା ବ୍ୟତୀତ ପ୍ରତ୍ୟେକ ଓଡିଆ ସ୍ତ୍ରୀର ମନରେ ଗୋଟିଏ ଆକାଂକ୍ଷା ଥାଏ ଯେ ନିଜ ସ୍ବାମୀ ଥାଇ ସେ ଇହଧାମ ତ୍ୟାଗ କରିବ।କାରଣ ନାରୀ ଜୀବନର ସବୁଠାରୁ ବଡ ଦୁଃଖ ହେଉଛି ବୈଧବ୍ୟ। ଏହି ବୈଧବ୍ୟ ଓ ବିରହ ତା’ ହୃଦୟକୁ ଅତ୍ୟନ୍ତ ବ୍ୟଥିତ କରେ । ତେଣୁ ସେ ସର୍ବଦା ପ୍ରାର୍ଥନା କରେ
(୧୫)
କାଚ ଲୋ ମାଛ ଖାଇ ସରୁ ମୋ ଦିନ
ଅହ୍ୟ ଡେଙ୍ଗୁରା ବାଜି ହେଉ ମୋ ମରଣ ।
ନାରୀ ଗ୍ରାମ୍ୟ ଗୀତର ମୁଖ୍ୟ ପୁରୋଧା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ନାରୀ କଣ୍ଠର ଭୂଷଣ। ଏଥିରେ ପୁରୁଷର କୌଣସି ଅଧିକାର ନାହିଁ। ନାରୀ ନିଜ ଆନନ୍ଦ,ବିରହ,ଅବା ସନ୍ତାନର ସୁଖ ପାଇଁ ଅନେକ ଗୀତର ସୃଷ୍ଟି କରିଥାଏ। ଯେଉଁଥିରେ ବାସ୍ତବ ଅନୁଭୂତିର ଜୀବନ୍ତ ଚିତ୍ର ପ୍ରତିଫଳିତ ହୋଇଥାଏ।ଏଗୁଡିକର ଭାଷା ଅତ୍ୟନ୍ତ ସରଳ,କୋମଳ,ପ୍ରାଞ୍ଜଳ,ସଂକ୍ଷିପ୍ତ ଓ ହୃଦୟସ୍ପର୍ଶୀ ହୋଇଥାଏ ।ତେଣୁ ଏହା ସମାଜ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।
💐
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର,ଗୋପିନାଥପୁର,ପୁରୀ
908 total views, 1 views today
ବହୁତ ସୁନ୍ଦର ଭାବେ ସଜେଇଛନ୍ତି।