ଅନୁଭୂତିରେ ମୋ ବିଦ୍ୟାଳୟ

***************************
ବିଦ୍ୟାଳୟରେ ଦଣ୍ତ ଦେବାର ବ୍ୟବସ୍ଥା ଆଜି ନାହିଁ।ସେଥିପାଇଁ ସରକାରୀ ସ୍ତରରେ ଅନେକ ଆଇନ ରହିଛି।କିନ୍ତୁ ମୋ ମତରେ ବିଦ୍ୟାଳୟରେ ଛୋଟ ଛୋଟ ଦଣ୍ତର ବ୍ୟବସ୍ଥା ରହିବା ଆବଶ୍ୟକ।କାରଣ ଏହିପରି କିଛି ଦଣ୍ତ ଛାତ୍ରଛାତ୍ରୀମାନଙ୍କ ଜୀବନ ପରିବର୍ତ୍ତନ କରିଦେଇଥାଏ।ମୋ’ଜୀବନର ଏ ଘଟଣା ତା’ର ଏକ ଉଦାହରଣ ମାତ୍ର।
ଏହି ଘଟଣା ସେତେବେଳର ଯେତେବେଳେ ମୁଁ ଷଷ୍ଠ ଶ୍ରେଣୀରେ ପଢୁଥାଏ।ସେ ବର୍ଷ ମୁଁ ପ୍ରଥମ କରି ହିନ୍ଦୀରେ ବକୃତା ଦେବାକୁ ଚେଷ୍ଠା କରିଥିଲି।ଆମ ବିଦ୍ୟାଲୟର ଗୁରୁ ଦିବସ ସଭାରେ ମୁଁ ଏହି ବକୃତା ଦେବାର ସାହସ କରିଥିଲି।ଏହା ମୋ’ ଜୀବନର ପ୍ରଥମ ବକୃତା ପ୍ରତିଯୋଗିତା ଥିଲା।ପୂର୍ବରୁ ମୁଁ କେବେ ବକୃତା ପ୍ରତିଯୋଗିତାରେ ଭାଗ ନେଇ ନଥିଲି।ସେଥିପାଇଁ ଏହାର ପୂର୍ବଦିନ ମୁଁ ବହୁତ ଥର ବକୃତା ଲେଖି ତାକୁ ଘୋଷି ଅଭ୍ୟାସ କରିଥିଲି।
ଉକ୍ତଦିନ ମୁଁ ଠିକ୍ ସମୟରେ ବିଦ୍ୟାଳୟରେ ପହଞ୍ଚି ମୋ’ ଶ୍ରେଣୀ ଶିକ୍ଷୟିତ୍ରୀଙ୍କ ପାଖରେ ବକୃତାରେ ଭାଗ ନେବା ପାଇଁ ନାମ ପଞ୍ଜିକରଣ କଲି।ଧାର୍ଯ୍ୟ ସମୟରେ ସଭା କାର୍ଯ୍ୟ ଆରମ୍ଭ ହେଲା।ପ୍ରାରମ୍ଭିକ କାର୍ଯ୍ୟକ୍ରମ ଓ ବେଦପାଠ ପରେ ପ୍ରଥମେ ପ୍ରଧାନଶିକ୍ଷକ ଓ ଅନ୍ୟ ଦୁଇଜଣ ଶିକ୍ଷକ ନିଜର ଅଭିଭାଷଣ ରଖିବା ପରେ ଆମର ଉପର ଶ୍ରେଣୀର କିଛି ଭାଇ ଭଉଣୀ ନିଜ ନିଜର ବକୃତା ଉପସ୍ଥାପନା କଲେ।ସେତେବେଳକୁ ମୋ ମନରେ ଅନେକ ଭୟ ସମସ୍ତଙ୍କ ସାମନାରେ କିପରି ମୋ’ କଥା କହିବି।କାରଣ ପିଲାବେଳରୁ ହିଁ ମୁଁ ଖୁବ୍ ଲାଜକୁଳା ସ୍ବଭାବର। ବାହାରେ କାହାକୁ କିଛି କହିପାରେ ନାହିଁ।ସମସ୍ତଙ୍କ ବକୃତା ଖୁବ୍ ଭଲ ଲାଗୁଥିଲା।
କିଛି ସମୟ ପରେ ମୋ’ ପାଳି ପଡିଲା।ଭୟ ମିଶା ସାହସ ନେଇ ମୁଁ ସମସ୍ତଙ୍କ ଆଗରେ ଯାଇ ଠିଆ ହେଲି।କିଛି କ୍ଷଣ ଚୁପ୍ ହୋଇ ଠିଆ ହେବା ପରେ ମୋ’ ବକୃତା ଆରମ୍ଭ କଲି;ହେଲେ ପ୍ରଥମରି ହିଁ ମୋର ଭୁଲ୍ ହେଲା।ମୁଁ ହିନ୍ଦୀରେ କହିବା ଆରମ୍ଭ କରିବା ପରିବର୍ତ୍ତେ ଓଡିଆରେ ଆରମ୍ଭ କଲି ଏବଂ ତା’ ପରେ ହିନ୍ଦୀରେ କହିଲି।ଏହିପରି ମଝିରେ ମଧ୍ୟ ମୁଁ ବେଳେବେଳେ ଓଡିଆ କହିଦେଉଥାଏ।ଯେମିତି ସେମିତି ମୋ’ ଭାଷଣ ସାରି ମୁଁ ଯେତେବେଳେ ଆସିବାକୁ ବାହାରିଲି,ସେତେବେଳେ ଆମ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ମତେ ପଛରୁ ଡାକିଲେ ଓ କହିଲେ,”ତୁ ପ୍ରକୃତରେ କୋଉଥିରେ ଭାଷଣ ଦେଲୁ ମୁଁ ଜାଣି ପାରିଲିନି।ଯଦି ହିନ୍ଦୀରେ ଭାଷଣ ନ ଆସୁଛି ତେବେ ଓଡିଆରେ ଦେଲୁନି।ଏମିତି କଣ ସବୁ କରୁଚୁ।”ଏତିକି କହି ସେ ମତେ ସେଇଠି ଠିଆ ହବା ପାଇଁ କହି ଚାଲିଗଲେ।
ସଭା ସରିବା ଯାଏଁ ମୁଁ ସେଇଠି ଠିଆ ହେଇ ରହିଲି।ନା ମୋ’ ସାଙ୍ଗ ନା କୌଣସି ଶିକ୍ଷକ କେହି ବି କିଛି କହିଲେନି।ମତେ ଭାରି ଖରାପ ଲାଗିଲା ମୁଁ ଘରେ ଆସି ବହୁତ କାନ୍ଦିଥିଲି ;ହେଲେ ଶେଷରେ ବାପାଙ୍କ ବୁଝାଇବା ପରେ ନିଷ୍ପତ୍ତି ନେଲି ମୁଁ ଦିନେ ନିଶ୍ଚୟ ଭଲ ଭାବରେ ହିନ୍ଦୀ କହିବା ଶିଖିବି।ତା’ ପରଠାରୁ ଆଉ ପଛକୁ ଫେରିନି।ବହୁତ ଅଭ୍ୟାସ କରି ଅନେକ ଥର ଓଡିଆ ଓ ହିନ୍ଦୀ ବକୃତା ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଛି।
ସେଦିନର ସେଇ ଘଟଣା ମୋ’ ଜୀବନର ଗୋଟିଏ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ।ସେହି ଘଟଣା ପାଇଁ ସାର୍ ଙ୍କ ଉପରେ ସିନା ମନେମନେ ରାଗିଥିଲି ;କିନ୍ତ ଯେଉଁଦିନ ମୁଁ ମହାବିଦ୍ୟାଳୟ ସ୍ତରରେ ଚାନ୍ସେଲର୍ କପ୍ ହିନ୍ଦୀ ବକୃତାରେ ପ୍ରଥମ ହେଲି ସେଦିନ ଅନୁଭବ କଲି ସେଦିନ ସାର୍ ଙ୍କ ଦଣ୍ତ ମୋ’ ପାଇଁ ଆଶିର୍ବାଦ ସ୍ବରୂପ ଥିଲା।
ପ୍ରକୃତରେ ଶିକ୍ଷକଙ୍କ ଦଣ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ।


ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର,ଗୋପିନାଥପୁର,ପୁରୀ

Leave a Reply

Your email address will not be published. Required fields are marked *