*ଓଡିଆ ଲୋକଗୀତ ରେ ଓଡିଆଣିର ଜୀବନ ଚରିତ*
———————————-
ଲୋକଗୀତ ମୌଖିକ ଗୀତ। ପ୍ରାଚୀନକାଳରୁ ମଣିଷ ଭାବ ପ୍ରବଣତାର ପ୍ରଥମ ଓ ପ୍ରଧାନ ମାଧ୍ୟମ ଥିଲା ଗୀତ। ଗୀତ ମାଧ୍ଯମରେ ଆଦିମ କାଳରୁ ମଣିଷ ଭାବାନ୍ତର ସୃଷ୍ଟି କରିଆସିଛି। ସୁବିଧା ଦୃଷ୍ଟିରୁ ଲୋକଗୀତକୁ ଦୁଇ ଶ୍ରେଣୀରେ ଵିଭାଗୀକରଣ କରାଯାଇଛି ଗୋଟିଏ ନାରୀ ଓ ଅନ୍ୟଟି ପୁରୁଷ। ନାରୀମାନଙ୍କ ମଧ୍ୟରେ କାନ୍ଦଣା, ଓଷାମନସା, ମଙ୍ଗଳ ଗାନ, ଲୋରି, ଦୋଳିଗୀତ ପ୍ରଭୁତି ଅନନ୍ୟ।
ଓଡିଆ ମାନେ ନିଜର ପରମ୍ପରା ଓ ସାମାଜିକ ବିଶ୍ଵାସଵୋଧ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରନ୍ତି ।
ଓଡିଆ ଲୋକଗୀତରେ ଏହାର ପରିପ୍ରକାଶ ଘଟିଥିଵାର ଲକ୍ଷ କରାଯାଏ।
ରଜପର୍ଵ ରେ ତିନିଦିନ ଧରି ତରୁଣୀ ମାନେ ଦୋଳିଖେଳରେ ଗୀତଗାଇ ମଜା କରନ୍ତି।ପ୍ରଥମେ ଦୋଳିରେ ବସିବା ଵେଳେ ଦେବତାଙ୍କୁ ଆରାଧନା କରି ଗୀତ ଵୋଲାଯାଏ—
ଲଲାଟେ ଦେଇ ଚନ୍ଦନ
ପ୍ରଥମେ ବନ୍ଦିଲି ଶ୍ରୀଜଗନ୍ନାଥ
ଦୋଳି ଗୀତ ହେଲା ମନ”।*

ପୁଚିଗୀତରେ ଗାଁ ଝିଅମାନେ ପ୍ରତିଯୋଗିତା କରି ଖେଳ ଖେଳନ୍ତି।

ଆନନ୍ଦରେ ଗୀତ ଗାଇ ଉଠନ୍ତି–
ପୁଚିଲୋ-
ଯା ଯା ଘୁଞ୍ଚି ଲୋ
ଗହିରି ଵାଟରେ ମଇଁଷି
ଧାନ କେଣ୍ଡା କେଣ୍ଡା ଖାଉଚି
ଅଡେଇଦେରେ ଗଉଡ ଭାଈ
ଵୋହୂ ବାପଘର ଯାଉଚି”

ଓଡ଼ିଆ ଲୋକଗୀତରେ ନାରୀ ଜୀବନର ମର୍ମଲିପି ପ୍ରତିଫଳିତ। କନ୍ୟାଟି ଵିଵାହ କରି ଶାଶୁ ଘରକୁ ଯିବା ବେଳେ ବାପା, ବୋଉ, ଭାଇ, ଭାଉଜ, ବନ୍ଧୁ ପରିଜନ, ସାଙ୍ଗସାଥି କୁ ଛାଡି ପରଘରକୁ ଗଲାବେଳେ ଗାଁ ତା’ର ଖୁବ ମନେପଡେ। ତେଣୁ ସେ କାନ୍ଦି ପକାଏ ମନରେ ତାର ପ୍ରକାଶ ପାଏ ଅସନ୍ତୋଷ ର ଦାଵାଗ୍ନି ଵିଵାହ ସମୟରେ ଭାଗ୍ୟ କୁ ନିନ୍ଦା କରି ଗାଏ—-
“ପୁତ୍ର ଜନ୍ମ ହୋଇଆସନ୍ତି
ଫେରି
ମୋ ପାଇଁ ଵାଜନ୍ତା ମଙ୍ଗଳ
ତୂରୀ
ସେ ଜନ୍ମ ଵିଧାତା ନହେଲା
ନାହିଁ
ଏତେ ହଟହଟା କଲ
କିମ୍ପାଇ ? “

ଶାଶୁଘରକୁ ଗଲାବେଳେ
ପୁରାଣବର୍ଣ୍ଣିତ ଅତ୍ୟାଚାରୀ କଂସର କଥା ମନେପକାଇ କାନ୍ଦେ ତ ରାଜା ହରିଶ୍ଚନ୍ଦ୍ର ସହିତ ନିଜ ପରିବାରକୁ ତୁଳନା କରି କାନ୍ଦେ—
ମଥୁରା ଦେଶରୁ ଆଣିଲ ଡାକି
ମୋ ଵାପା
ସାଜି ଆସିଛନ୍ତି ରତ୍ନ ପାଲିଙ୍କି
ମୋ ଵାପା
ରତ୍ନ ପାଲିଙ୍କିରେ କଂସ ଅସୁର
ମୋ ଵାପା
ଆସି ଜୁର କଲା ମଥୁରାପୁର
ମୋ ଵାପା। “

ନାରୀ ହୃଦୟର ସରଳ ପ୍ରେମ ମମତା ସ୍ନେହ ସଵୁ କାନ୍ଦଣା ମାଧ୍ୟମରେ ଶାଶୁଘରର ସ୍ଵରୂପ ଓ ବାପଘରର ମମତା ମିଳିଥାଏ। ସାଙ୍ଗମାନଙ୍କ ଠାରୁ ଶାଶୁଘର ଅତ୍ୟାଚାର କାହାଣୀ ଶୁଣି ତା ବୁକୁଫଟା ଦୀର୍ଘଶ୍ବାସରେ ବାପଘରକୁ ସ୍ଵର୍ଗଦ୍ଵାର ଶାଶୁଘରକୁ ଯମପୁର ସହ ତୁଳନା କରି ବାପା ,ବୋଉ ,
ଭାଇ, ଭାଉଜକୁ ଧରି କାନ୍ଦେ। କାନ୍ଦଣା ମାଧ୍ଯମରେ ତା ଜୀଵନର ଅକୁହା କଥାକୁ ପରିପ୍ରକାଶ କରିଥାଏ—
“ନୂଆ ଅଣ୍ଟା ସୂତା ଭଉଁରୀ
ନନା
ଏତିକି ଵେଳେ ଯାଆନ୍ତି ମରି
ନନା
ଆସନ୍ତା ସଵାରି ଯାଆନ୍ତା ଫେରି
ନନା”

ସମୟେ ସମୟେ ଅର୍ଥଲୋଭୀ ପିଲାମାନେ ଅର୍ଥ ବଦଳରେ ଯୁବତୀ ଝିଅକୁ ଵୁଢାବର ସହ ଵିଵାହ ଦେବା ସମୟରେ ସେହି ଯୁବତୀ ଜୀଵନର ଯେଉଁ ଵିପର୍ଯ୍ୟୟ ଆରମ୍ଭ ହୁଏ ଓ ଯେଉଁ ମାନସିକ ଆଘାତ ପାଏ ତା’ର ସେଇ କାନ୍ଦଣା ଓ ଅନ୍ୟାନ୍ୟ ଗୀତିକା ମାଧ୍ୟମରେ ତାର ତୀଵ୍ର ପତିକ୍ରୀୟା ପ୍ରକାଶ ପାଏ। କନ୍ୟାଟି ଅକାଳରେ ବୈଧବ୍ୟ ଦଶା ବରଣ କଲାପରେ କାନ୍ଦଣା ଗୀତ ମାଧ୍ୟମରେ ତା ଜୀବନର କାରୁଣ୍ୟ ପ୍ରକାଶ କରିଥାଏ—
ଫଳିଲା ଗଛକୁ କାଟିଦେଉଛୁ
ଲୋ ଵୋଉ
ଵାନ୍ଧିଥିଲା ଜୀବ ମାରି ଦେଉଛୁ
ଲୋ ଵୋଉ
ଜନମ ଵେଳରେ ଏନ୍ତୁଡି ଶାଳରୁ
ଵୋଉ
ତଣ୍ଟିକାଟି ଯାହା ମାରି ନ ଦେଲୁ
ମୋ ଵୋଉ। “

ଲୋକଗୀତରେ ଅଧିକାଂଶ ରଚନା ନାରୀ ଦ୍ଵାରା ହିଁ ରଚିତ। ତା ଜୀବନର ଦୁଃଖ ସୁଖ ଓ ନିର୍ଯ୍ୟାତନା ର କାହାଣୀରେ ଏହା ରସସିକ୍ତ। ତଥାପି ଲୋକଗୀତରେ ପ୍ରକାଶ କରିଥିବା ନାରୀ ସ୍ନେହମୟି, ମମତାମୟି ଓ ସର୍ଵଂସହା ।ପୁରୁଷ ପ୍ରଧାନ ସମାଜରେ ତା’ର ଭୁମିକା ନଗଣ୍ୟ ହେଲେ ହେଁ ସେ କେବେ ଏଥିପ୍ରତି ପ୍ରତିବାଦ କରିନାହିଁ କିମ୍ବା ଆକ୍ଷେପ କରିନାହିଁ। ଶାଶୁଘରେ ଶାଶୁଠାରୁ, ନଣନ୍ଦ ଠାରୁ, ଓ ସ୍ୱାମୀ ଠାରୁ ନିର୍ଯ୍ୟାତନା ସହି ଆଖି ଵୁଜିଦେଇଛି। କେବଳ କାନ୍ଦିଛି ସିନା ଅନ୍ୟ କାହାକୁ କନ୍ଦାଇବାକୁ ଦେଇନାହିଁ କି ଦୁଃଖ ରେ ଭାଗିଦାରୀ କରିବାକୁ ଚେଷ୍ଟା କରିନାହିଁ। ଭାଗ୍ୟ ଵାଦଲର ବିଶ୍ୱାସୀ ଓଡିଆ ନାରୀ କେଵଳ ଭାଗ୍ୟ କୁ ଆଦରି ପଡି ରହିଛି। ସ୍ଵାମୀ ଅତ୍ୟାଚାରୀତା ନାରୀ ଦୁଃଖକୁ ଲାଘବ କରିଵାକୁ ଯାଇ ଗୀତ ଗାଏ—
ରାତିରେ ରାନ୍ଧିଲି ପୋଇ
ଚିଙ୍ଗୁଡ଼ି ଲୋ
ଦିନରେ ରାନ୍ଧିଲି ବଡ଼ି
ଶ୍ରୀରାମ ପାଖକୁ ଶୋଇବାକୁ
ଗଲି
ଗୋଡ ଘେନି ଦେଲେ ପେଲି। “


ଓଡିଆ ନାରୀ ନିଜେ ରୋଷେଇକରି ଅନ୍ୟ ମାନଙ୍କୁ ଖୁଆଇଵାରେ ଆନନ୍ଦ ପାଏ। ସେଥିପାଇଁ ଵିଭିନ୍ନ ପର୍ବପର୍ବାଣୀ ଓ ଉତ୍ସଵରେ ବହୁପ୍ରକାର ଖାଦ୍ୟ ଓଡିଆଣି ମାନେ କରନ୍ତି। ଲୋକଗୀତରେ ଵିଭିନ୍ନ ଖାଦ୍ୟ ର ଚିତ୍ର ଦର୍ଶାଇଥାନ୍ତି। ବଡଓଷାରେ ଗଜମଣ୍ଡା ସହ ଗର୍ଭବତୀ ସମୟରେ ମହିଳାମାନେ ଵିଭିନ୍ନ ଖାଦ୍ୟ ଖାଇଵାକୁ ଆଶା କରିଥିବା ଵେଳେ ନଣନ୍ଦ ମାନେ ଭାଉଜଙ୍କର ଇଛା ହେଉଥିବା ଖାଦ୍ୟ ର ନାମ କହି ଗୀତ ଗାଇ ଖୁସି ବାଣ୍ଟନ୍ତି—-
” ତାଳମଣ୍ଡା ତାଳ ଚକୁଳି
ବାସି ହେଲେ ସୁଆଦ
ବରକୋଳି ପିତା କରିବ
ପଡି ଅରୁଆ ଖୁଦ
କାଣ୍ଡିଆ କୁଣ୍ଡକୁ ଝାଡି ଢିଙ୍କି
ଵୁଢୀମାନେ ତାକୁ ଖାଇଲେ
ହୋଇଵେ ଷୋଳବରଷି ।”

ଓଡିଆ ଲୋକଗୀତରେ ଋ ଓଡିଆ ମାନଙ୍କ ଵେଶଭୁଷା ଓ ଅଳଙ୍କାର ତଥା ଓଡିଶାରେ ନିର୍ମିତ ପୋଷାକ ର ସୁଚନା ରହିଛି। ସାଧାରଣତଃ ନାରୀମାନେ କେଶ ପ୍ରଧାନ ଉପରେ ଗୁରୁତ୍ୱ ଦିଅନ୍ତି କାରଣ ସୌନ୍ଦର୍ଯ୍ୟ କେଶସଜ୍ଜା ଉପରେ ନିର୍ଭର କରେ। କେଶସଜ୍ଜା ସୁନ୍ଦର ନ ହୋଇଥିଲେ ଏହାକୁ ସଜାଇ ଗୀତ ଗାଉଥିଲେ। ଏଥିରୁ ରସିକପଣିଆ ଓ ରୁଚିର ସୂଚନା ମିଳି ଥାଏ—-
“ତାଳ ଵାହୁଙ୍ଗାରେ ଵାୟାଵସା
କନକ କାନ୍ତିକୁ ତେଲିଙ୍ଗି
ଖୋଷା
ସାହିଯାକ ପ୍ରଶଂସା
ଗଛ କୋଳରେ ଶାଗୁଣା ବସା
କାଳି କୋତରୀକୁ ତେଲିଙ୍ଗି
ଖୋଷା
ସାହିଯାକ ଲୋକହସା ।”

ଓଡିଆ ଘରର ନାରୀମାନେ ପରିବାରର ମଙ୍ଗଳକାମନା କରି କେତେ ଓଷାଵ୍ରତ ପାଳନ କରେ ତା’ର ହିସାବ ନାହିଁ। ସେ ନିର୍ଦ୍ଦିଷ୍ଟ ଦେଵାଦେଵିକୁ ଉପାସନା କରି ମନସ୍କାମନା ମେଣ୍ଟାଇ ପାରେନା ସେଥିଲାଗି ଶହଶହ ଦେଵାଦେଵିଙ୍କୁ ପୂଜା ଉପାସନା କରି ମନର ଭକ୍ତିଅର୍ଘ୍ୟ ନିଵେଦ୍ୟ କରିଥାଏ। ତୁଳସୀ ଚଉରାମୂଳେ ପାଣି ଦେଉ ଦେଉ ଗାଇଉଠେ ତ ଠାକୁରଙ୍କୁ କିଛି ମାଗିବା ଆଳରେ
ଗାଇ ଉଠେ—
” ତୁଳସୀ ମା ଦୟା କରିବୁ
ମତେ
କୋଳକୁ ସୁଖ ପେଟକୁ ଭାତ
ଦୀର୍ଘାୟୁ ହୋଇବ ବର
ଧନଜନରେ ଗୋ ଖେଳୁଥିବି
ମୁହିଁ
ଏତିକି ସୁଦୟା କର। “

ମାନସିକ କଲାବେଳେ ଭୋଗଲଗାଇ ମନର କଥାକୁ କହିଉଠେ। ପୁତ୍ର ପ୍ରାପ୍ତି, ଧନପ୍ରାପ୍ତି, ସୌଭାଗ୍ୟ ପ୍ରାପ୍ତି,ସହ ବହୁ ଓଷା ସୋମନାଥ, କେଦାର ବ୍ରତ, ରବିନାରାୟଣ, କୁକ୍କୁଟି, ସୁଦଶା, ମଙ୍ଗଳବାର, ଋଷି ପଞ୍ଚମି, ଦାମୋଦର ଵ୍ୟତିତ ସହିତ ଵୁଧେଇ, ଜହ୍ନି ଓଷା, ଦୂତିଆ, ଦାଣ୍ଡ ପହଁରା, ଧାନମାଣିକ, ଖୁଦୁରୁକୁଣୀ, ସାବିତ୍ରୀ, ବାଟ ଓଷା ,ଗୁରୁବାର, ମାଣବସା ,ଚଇତି ଓଷା ପ୍ରଭୃତି ପାଳନ କରି ଭକ୍ତି ଅର୍ଘ୍ୟ ପ୍ରଦାନ କରିଥାଏ। ଯାହା ଓଡିଆଣିଙ୍କ ପ୍ରଥମ ପରିଚୟ।
ପିଲା ଅବୁଝା ହେଲେ ପିଲାମାନଙ୍କ ମନ ବୁଝାଇବା ପାଇଁ ଵିଭିନ୍ନ ଗୀତଗାଇ ଲୋରି ଗାଇ ମା ଵୋଧ କରାଏ। ପିଲାଙ୍କୁ ଖୁଆଇବା ଵେଳେ, ଶୋଇଦେବା ବେଳେ, ଖେଳାଇଲାବେଳେ ବିଭିନ୍ନ ଗୀତଗାଏ—-
( କ) ” ଧୋ ରେ ଵାୟା ଧୋ
ଯେଉଁ କିଆରିରେ ଗହଳ
ମାଣ୍ଡିଆ
ସେଇ କିଆରିରେ ଶୋ। “
(ଖ) “ଝୁଲରେ ହାତୀ ଝୁଲ
କିଆ କନ୍ଦା ଖାଇ ଫୁଲ
ହାତୀ ଝୁଲୁଥାଇ ରାଜା
ଵଗିଚାରେ
କହ୍ନେଇ ଝୁଲଇ ମୋରି
କୋଳରେ “

ଓଡ଼ିଆ ଲୋକଗୀତରେ ଓଡିଆଣି ମାନଙ୍କ ସ୍ବଭାବିକ ସମାଜଚିତ୍ର ନିହତ। ଜୀଵନର ପ୍ରତ୍ୟକ୍ଷ ପରୋକ୍ଷ ସଵୁଵେଳର ସାଥି ଗୀତ। ଦୁଃଖରେ ଆଶ୍ବାସନା ଦିଏ ଅନ୍ଧାରରେ ଆଲୋକ ଦେଖାଏ ଵାସ୍ତଵିକ ଓଡିଆ ଜୀବନ ର ଜୀବନ୍ତ ଚିତ୍ର ଲୋକଗୀତରେ ରହିଛି। ଓଡିଆଣିମାନଙ୍କ ଯାବତୀୟ ଅନୁଭୂତି ଓ ଅଭିଜ୍ଞତାର ଏହା ରମ୍ୟଭୂମି।
ତେଜସ୍ଵିନୀ ସାମଲ
ରାଜକନିକା, କେନ୍ଦ୍ରାପଡ଼ା
ଅଧ୍ୟାପିକା
ତୁଳସୀ ମହିଳା ମହାବିଦ୍ୟାଳୟ

One thought on “ପଢନ୍ତୁ ତେଜସ୍ୱିନୀ ସାମଲ ଙ୍କ ପ୍ରବନ୍ଧ-ଓଡିଆ ଲୋକଗୀତ ରେ ଓଡିଆଣିର ଜୀବନ ଚରିତ”
  1. ଚମତ୍କାର ଏବଂ ଅତି ସୁନ୍ଦର ଉପସ୍ଥାପନା

Leave a Reply

Your email address will not be published. Required fields are marked *