March 29, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ପଢନ୍ତୁ ଡମ୍ବରୁଧର ବେହେରା ଙ୍କପ୍ରବନ୍ଧ – ଓଡ଼ିଆ ଲୋକ ଗୀତରେ ଓଡ଼ିଆଣୀର ଜୀବନ ଚରିତ

ପ୍ରବନ୍ଧ – ଓଡ଼ିଆ ଲୋକ ଗୀତରେ ଓଡ଼ିଆଣୀର ଜୀବନ ଚରିତ



ପ୍ରଦତ୍ତ ପ୍ରସଙ୍ଗ ବିଷୟରେ ଆଲୋଚନାର ବିଚାର ବିମର୍ଷ କରିବା ପୂର୍ବରୁ ମୋ ମତରେ ଏଠାରେ ଓଡ଼ିଆ ଲୋକ ସାହିତ୍ୟ ସମ୍ବନ୍ଧରେ ସମ୍ୟକ ଆଲୋଚନା କରିବା ଉଚିତ ମନେ ହୁଏ।ଏହା ଏକ ସଂସ୍କୃତିର ଅଂଶ ବିଶେଷ।ଏହା ସମଗ୍ର ଜନ ସମାଜର ସାହିତ୍ୟ।ତେଣୁ ଲୋକରତ୍ନ ଡକ୍ଟର କୁଞ୍ଜ ବିହାରୀ ଦାସ ଲୋକ ସାହିତ୍ୟର ସଜ୍ଞା ନିର୍ଣ୍ଣୟ କରି କହନ୍ତି – ଯେଉଁ ସାହିତ୍ୟକୁ ମହାନ ବିଦ୍ୱାନ ଠାରୁ ଗଣ୍ଡମୂର୍ଖ ପର୍ଯ୍ୟନ୍ତ ସମସ୍ତେ ବୁଝି ପାରନ୍ତି।
ଲୋକ ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରୁ ଲୋକଗୀତ ଅନ୍ୟତମ ବିଭବ।ଏହା କେବେ ଠାରୁ ଆରମ୍ଭ ,ଏହାର ଜନ୍ମ ଦାତା କିଏ କହିବା ସମ୍ଭବପର ନୁହଁ।କେବଳ ତୁଣ୍ଡରୁ କାନ ଓ ପୁଣି କାନରୁ ତୁଣ୍ଡ ବାଟ ଦେଇ ଯୁଗ ଯୁଗ ଧରି ଏଗୁଡ଼ିକ କେଉଁ ଅଜ୍ଞାତ କାଳରୁ ଏପର୍ଯ୍ୟନ୍ତ ଲୋକ ମୁଖରେ ସମାଜରେ ବଞ୍ଚି ଆସି ଅଛି କହିଲେ ଭୁଲ ହେବ ନାହିଁ।
ଏହି ଓଡ଼ିଆ ଲୋକ ଗୀତ ଆମ ଓଡ଼ିଆ ନାରୀର ଜୀବନ ଚରିତ ସହ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅଙ୍ଗାଙ୍ଗିଭାବେ ଜଡ଼ିତ।ସେସବୁକୁ ନିମ୍ନ ପ୍ରକାରରେ ବର୍ଣ୍ଣନା କରାଯାଇପାରେ।


ଝିଅଟି ଜନ୍ମ ହୋଇ ସେ ଆସ୍ତେ ଆସ୍ତେ କ୍ରମଶଃ ଛୋଟରୁ ବଡ ହୁଏ।ନିଜ ସାଙ୍ଗ ସାଥୀ ସହିତ ଖେଳ କୁଦ, ମଉଜ ମସ୍ତିରେ ହସ ଖୁସିରେ ନିଜ ଜୀବନ ଅତିବାହିତ କରେ।ନିଜ ଜୀବନକୁ ଉପଭୋଗ କରେ।ଯେପରି ରଜ ଦୋଳି ଖେଳିଲା ବେଳେ ଜଣେ ଝୁଲେ ଆଉ ଜଣେ ଝୁଲାଏ।କିଶୋରୀ ମାନେ ଗାଇ ଉଠନ୍ତି, –
“ରଜ ଦୋଳି କଟମଟ,ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟ ଲୋ , ଦିଶୁଥାଏ ଝଟଝଟ।”
ପୁଚିଖେଳ ବେଳେ ବାଳିକା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲେ।ଜଣେ ଅନ୍ୟ ଜଣକୁ ହରାଇବା ପାଇଁ ଚେଷ୍ଟା କରି ତା’ ଆଡକୁ ମାଡି ଯାଏ। ତା’ ପାଟିରୁ ବାହାରୁ ଥାଏ –
“ପୁଚିଲୋ ଯା ଯା ଯା ଗୁଞ୍ଚିଲୋ
ଗହୀର ବିଲରେ ମଇଁଷି
ଧାନ କେଣ୍ଡା କେଣ୍ଡା ଖାଉଛି
ଅଢେଇ ଦେଲେ ଗଉଡ ଭାଇ
ବୋହୂ ବାପଘର ଯାଉଛି ।”
ଶେଷରେ ବିଜୟିନୀ ବାଳିକା ପରାଜିତା ବାଳିକା ଉଦ୍ଦେଶ୍ୟରେ ବିଦ୍ରୁପ ବାଣୀ ଶୁଣାଏ –
“ହଟାଇଲିରେ ହଟାଇଲି
ଚୁଡ଼ା ଦୁଇମାଣ କୁଟାଇଲି
ଅଇଁଠା ପତର ଚଟାଇଲି ।”
ଓଡ଼ିଆ ଘର ଚଲଣିରେ ଭାଉଜ ସହ ନଣନ୍ଦ ଗେଲ ହେବା, ଟାଇ ଟାପରା କରି ମଜା କରିବା ଚଲଣୀ ଅତ୍ୟନ୍ତ ଅଭୁଳନୀୟ ହୃଦୟ ସ୍ୱର୍ଷି ବେଶ ରୋମାଞ୍ଚକର ମନେ ହୁଏ।ଭାଉଜ ନଣନ୍ଦର କାନ କୁହା କଥାକୁ ଆକ୍ଷେପ କରି କହେ –
“ନଣନ୍ଦ ଗୋରୀ ଚଉ ପାହାରୀ
ବସିଥାଏ ପାଆ ଭାଗେ
ଟିକି ନିଖି କରି ଫୋଡି ଦେଉଥାଏ
ଭାଇ ଘଇତାର ଆଗେ ।”
ସେହି ଓଡ଼ିଆ ଝିଅଟି ଯେତେବେଳେ ନିଜ ଗାଁର ଅନ୍ତରଙ୍ଗ ସାଥିମାନଙ୍କ ଠାରୁ ସବୁଦିନ ପାଇଁ ବିଦାୟ ନେବାର ମୁହୂର୍ତ୍ତ ବାସ୍ତବରେ ଅତ୍ୟନ୍ତ ଦୁଃଖ ଦାୟକ।କାନ୍ଦଣା ରୂପେ ପ୍ରକାଶ କରି ଗାଇଥାଏ –
“ଆହା କଷି କାକୁଡି
ମୁଁ ତ ଯାଉଛି ଛାଡି
ମନରେ ପକାଉଥିବ ଘଡିକି ଘଡି
ଆହା ସଙ୍ଗାତ ସଖି
ଦୟା ଥିବଟି ରଖି
ନୟନୁ ନ ରହେ ନିର ତୁମକୁ ଦେଖି।”
ବାପା ଓ ମାଆଙ୍କ ସ୍ନେହ, ଶ୍ରଦ୍ଧା,ଭଲ ପାଇବା ଆଦି ଅତୀତର କଥାକୁ ମନେ ପକାଇ ଓଡ଼ିଆ ଝିଅଟି ସ୍ୱାମୀ ଘର ଯିବା ବେଳେ କାନ୍ଦି କାନ୍ଦି ଗାଇ ଥାଆନ୍ତି –
“ପେଟ ଦରଦ କି ପିଠି ଜାଣିବ ଲୋ ବୋଉ
ମୋର ଦରଦ କି ପର ଜାଣିବ ଲୋ ବୋଉ
ଫୁଲ ଶୁଖିଗଲେ ମାଳିକି ଚିନ୍ତା ଲୋ ବୋଉ
ମୋ ମୁହଁ ଶୁଖିଲେ ତୋହର ଚିନ୍ତା ଲୋ ବୋଉ।”
ନାରୀ ଓ ପୁରୁଷର ସମିଶ୍ରଣରେ ସମାଜ ଗଠିତ।ମାତ୍ର ସମାଜର ବା ପରିବାରର ସୁସ୍ଥ ପରିଚାଳନାରେ ନାରୀର ଭୂମିକା ମୁଖ୍ୟ।ଲୋକ ଗୀତର ଅଧିକାଂଶ ଭାଗ ନାରୀ ଦ୍ଵାରା ହିଁ ରଚିତ । ତା ଜୀବନର ଦୁଃଖ ନିର୍ଯାତନାର କାହାଣୀରେ ଏହା ରସାସିକ୍ତ।ଶାଶୁଘରେ ଶାଶୁ ଠାରୁ,ନଣନ୍ଦ ଠାରୁ ଓ ସ୍ୱାମୀ ଠାରୁ ନିର୍ଯାତନା ସହି ଆଖି ବୁଜିଦିଏ।କେବଳ ନିଜେ କାନ୍ଦେ ସିନା,ଅନ୍ୟ କାହାକୁ କନ୍ଦାଇବାକୁ ଚାହେଁ ନାହିଁ।ଯେପରି ନିମ୍ନ ପ୍ରଦତ୍ତ ପଦ୍ୟାଂଶ ରୁ ଜଣେ ଓଡ଼ିଆଣୀ ବୋହୂର କଥାକୁ ଜାଣି ପାରିବା –
” ରାତିରେ ରାନ୍ଧିଲି ପୋଇ ଚିଙ୍ଗୁଡ଼ି ଲୋ
ଦିନରେ ରାନ୍ଧିଲି ବଡ଼ି
ଶ୍ରୀରାମ ପାଖକୁ ଶୋଇବାକୁ ଗଲି
ଗୋଡ଼ ଘେନି ଦେଲେ ପେଲି ।”
ପ୍ରକୃତରେ ନାରୀ ହିଁ ନାରୀର ଶତ୍ରୁ।ଯେପରି ଆମ ଓଡ଼ିଶାରେ ଓଡ଼ିଆ ଘରର ବୋହୂ ଶାଶୁ ଆଉ ନଣନ୍ଦ ଦ୍ଵାରା ନିର୍ଯାତିତା ହୋଇ ଆସିଥାଏ।ପରମ୍ପରା କ୍ରମେ ସେମାନେ ମଧ୍ୟ ଶାଶୁରେ ପରିଣତ ହେଲେ ତା ‘ ର ପ୍ରତିଶୋଧ ନିଅନ୍ତି ବୋହୁ ଉପରେ।ଲୋକ ଗୀତରେ ଅନ୍ୟ ଏକ ପଦରେ ଶାଶୁ ଅତ୍ୟାଚାରର ଚିତ୍ର ସ୍ଵଷ୍ଟ –
“ଶାଶୁ ମାରୁଥାଏ ବୋହୂକୁ
ବୋହୂ ସବାଖାଇ କାହାକୁ ମାରିବ
ମାରୁଥାଏ ଚୁଲି ମୁହଁକୁ ।”
ଓଡ଼ିଆ ଘରର ବୋହୂ ବାର ମାସରେ ତେର ପର୍ବ,ପର୍ବାଣୀ,ଓଷା ବ୍ରତ ପାଳନ କରିବା ବିଧି ରହିଛି।କୌଣସି ଓଡ଼ିଆ ରମଣୀ ଠାକୁରଙ୍କୁ କିଛି ନ ଦେଇ କିଛି ମାଗେ ନାହିଁ। ସେଥି ପାଇଁ ସେ’ ମାନସିକ କରି କୁହେ –
“ବେକ କିଛି କାଡି ଥୋଇଲି ବନ୍ଧା
ସିଦ୍ଦେଶ୍ୱରୀଙ୍କୁ ଦେବି ଜାଉଁଳି ବୋଦା।” ଇତ୍ୟାଦି ।
ଓଡ଼ିଆ ନାରୀ ସରଳ ବିଶ୍ୱାସୀ ହୋଇଥିବାରୁ ସେ ସବୁବେଳେ ନିଜ ଭାଗ୍ୟ ତଥା କର୍ମ ଫଳରେ ଆସ୍ଥା କରି ନିଜର ଦୈନନ୍ଦିନ ପାରବାରିକ ଜୀବନ ଅତିବାହିତ କରିଥାନ୍ତି।ଏଣୁ ବେଶୀ ସୁଖରେ ସେ ଅଧିକ ଖୁସି ହୁଏ ନାହିଁ କି ବେଶୀ ଦୁଃଖରେ ଭାଙ୍ଗି ପଡେନାହିଁ।ଜୀବନରେ ଦୁଃଖ ଆସିଲେ ସେ ତା ‘ କର୍ମର ଫଳ ଭୋଗ କରିବାକୁ ହୋଇଥାଏ ବୋଲି ସେ ମନେ କରିଥାନ୍ତି।ଭଲ କର୍ମର ଫଳ ଭଲ ଓ ମନ୍ଦ କର୍ମର ଫଳ ମନ୍ଦ ହୋଇଥାଏ ତାର ଅତୁଟ ବିଶ୍ୱାସ ରହିଛି।ଏଥି ପାଇଁ କହେ –
“କା ‘ କରମକୁ ଘିଅ ଖାକର
କା ‘ କରମକୁ ଲଡୁ
କା’ କରମକୁ ଖାରିଆ ଖଡୁ
ଚୋବେଇ ଚୋବେଇ ମରୁ।”
ଓଡ଼ିଆ ପରିବାରରେ ନାରୀ ନିଜେ ରୋଷେଇ କରି ଅନ୍ୟମାନଙ୍କୁ ଖୁଆଇବାରେ ଆନନ୍ଦ ଲାଭ କରେ।ଅତିଥି ସତ୍କାର କରିବା ଆମ ଓଡ଼ିଆ ପରିବାରର ବୈଶିଷ୍ଟ।ନିରାଡମ୍ବର ,ସରଳ ଜୀବନଯାପନ କରି ଉଚ୍ଚ ଭାବନାରେ ଚାଲିବା ଗୁଣ ଓଡ଼ିଆଣୀ ଜୀବନର ବ୍ରତ ମାନି ଚଳି ଆସିଥାଏ।ଦୋଳି ଗୀତରେ ତରୁଣୀ ମାନେ ଓଡ଼ିଆ ମାନଙ୍କର ଚିର ପରିଚିତ ଖାଦ୍ୟର ସୂଚନା ଦେଇ କହିଥାନ୍ତି –
“ମଦରଙ୍ଗା ଶାଗ ରାଇ
ପଖାଳ ଭାତକୁ ଚିଲିକା ଶୁଖୁଆ
ମାଣିକ ପାଟଣା ଦହି ।”
ସମଗ୍ର ଓଡ଼ିଆ ଘରର ମାଁ’ ମାନେ ସେମାନଙ୍କ ଛୁଆ ମାନଙ୍କୁ ଶୁଆଇଦେବା ସମୟରେ ତେଲ ଘଷି ଦେବାବେଳେ,ଗାଧୋଇବା ସମୟରେ,ଦୋଳିରେ
ଝୁଲାଇବା ବେଳେ ବା କାନ୍ଦୁଥିବା ସମୟରେ ତାକୁ ବୁଝାଇବା ପାଇଁ ଗୀତ ଗାଇଥାନ୍ତି।ଏହା ଓଡ଼ିଆଣୀ ମାନଙ୍କର ବାତ୍ସଲ୍ୟ ମମତାର ନିଦର୍ଶନ –
“ଆ ଜହ୍ନ ମାମୁଁ ଶରଦ ଖସି
ମୋ କାହ୍ନୁ ହାତରେ ପଡ଼ରେ ଖସି
ଦୁଧ ଭାତ ସର ଅନେକ ଦେବା
ସନ୍ତୋଷ କରି ଘରକୁ ନେବା ।”
ସେହିଭଳି ପିଲାମାନଙ୍କୁ ଶୋଆଇବା ସମୟରେ ଉତ୍କଳର “ମାଁ ମାନେ ଗାଇଥାନ୍ତି –
“ଧୋରେ ବାୟା ଧୋ
ଯୋଉ କିଆରୀରେ ଗହଳ ମାଣ୍ଡିଆ
ସେଇ କିଆରିରେ ଶୋ ।”
ଦୀର୍ଘଦିନ ଧରି ପ୍ରବାସୀ ହୋଇ ରହି ଆସୁଥିବା ସ୍ୱାମୀକୁ ଅପେକ୍ଷା କରି କରି ଯେତେବେଳେ ହତୋତ୍ସାହ ହୋଇ
ପଡେ।ପତି ବିରହରେ ତାର ଜୀବନ ବିମର୍ଷ ହୋଇ ପଡେ,ସେତିକିବେଳେ ସେ ତା ‘ ର ମନର କଥାକୁ ପ୍ରକାଶ କରିବାକୁ ଯାଇ କହିଥାଏ –
“ପାଚିଲା ଆମ୍ବ ପଣସ
ବୃଥା ହେଲା ମୋର ଯୁବା ବୟସ
ଧନ ରହିଲେ ବିଦେଶ ।”
ଯଥାର୍ଥରେ କହିବାକୁ ଗଲେ ଏହି ଲୋକ ଗୀତରୁ ଓଡ଼ିଆଣୀର ସ୍ୱାମୀ ସୁହାଗିନୀର ପରିଚୟ ମିଳେ।
ଓଡ଼ିଶାର ପୁର ପଲ୍ଲୀ ଠାରୁ ଆରମ୍ଭ କରି ସହରୀ ଜୀବନ ପର୍ଯ୍ୟନ୍ତ ସମସ୍ତ ଓଡ଼ିଆ ଯୁବତୀ ବିଭିନ୍ନ ଓଷା ଓ ବ୍ରତ ପାଳନ କରି ଆସିଥାନ୍ତି।ବିଶେଷ କରି ଜହ୍ନି ଓଷା ଓ ଖୁଦୁରୁକୁଣି ଓଷା ଅନ୍ୟତମ।ଶରତ ମେଘ ଯୁକ୍ତ ଆକାଶ ତଳେ କୁମାରୀ ଝିଅ ମାନେ କୁମାରପୂର୍ଣିମା ଦିନ କାଠ ପିଡ଼ାରେ ଜହ୍ନି ଫୁଲ ସଜାଇ ଘର ଘର ବୁଲି ଗୀତ ଗାଇଥାନ୍ତି –
ଜହ୍ନି ଫୁଲ ଠୋ ଠା,କାକୁଡି ଫୁଲ ଠୋ ଠା,
ଗୁଣ୍ଡୁଚି ମୂଷା କହି ଯାଇଛି ଚାଉଳ ମୋଠେ ରଖିଥା ।”
ଭାଦ୍ରବ ମାସର ପ୍ରତି ରବିବାର ଦିନ ଖୁଦୁରିକୁଣି ଓଷା ପାଳନ କରି ନିଜ ଭାଲୁକୁଣି ବା ଦେବୀକୁ ପ୍ରଶଂସା କରି “
ଅନ୍ୟ ଦଳର ଉପହାସ କରି ଗାଇ ଥାଆନ୍ତି –
ଆମ ଭାଲୁକୁଣୀ ଖାଏ ଖିରି
ତୁମ ଭାଲୁକୁଣୀ ବାଟ ହଗୁରି
ଆମ ଭାଲୁକୁଣୀ ରାଣୀ
ତୁମ ଭାଳୁକୁଣୀ ବାଉଁଶ କାଣି ×××
ଆମ ଭାଲୁକୁଣୀ ମୁଣ୍ଡରେ ବେଣୀ
ତୁମ ଭାଲୁକୁଣୀ ମୁଣ୍ଡେ ଉକୁଣୀ ।”
କନ୍ୟା କାମୟତେ ରୁପମ୍ – କେଉଁ ନାରୀ ସୁନ୍ଦର ପୁରୁଷକୁ ପତି ଭାବରେ ବରଣ କରିବାକୁ ନ ଚାହେଁ ?ଓଡ଼ିଆଣୀ ନିଜ ମନର କଥାକୁ ପ୍ରକଟ କରି କହେ –
“ଖଣ୍ଡିଆ ଘର,ଭେଣ୍ଡିଆ ବର
ହସ ମାଡୁଥାଏ କର କର
ଲୁହ ବୋହୁଥାଏ ଝର ଝର ।”
ଆମ ଓଡ଼ିଆ ପରିବାରରେ ସମୟେ ସମୟେ ଗର୍ଭବତୀ ମହିଳାମାନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଆଶା କରିଥାନ୍ତି।ନଣନ୍ଦ ମାନେ ଗର୍ଭବତୀ ଭାଉଜମାନଙ୍କର ଇଚ୍ଛା ହେଉଥିବା ଖାଦ୍ୟପଦାର୍ଥର ସୂଚନା ଦେବାକୁ ଯାଇ କୁହନ୍ତି –
ତାଳ ମଣ୍ଡା ତାଳ ଚକୁଳି ବାସି ହେଲେ ସୁଆଦ
ବରକୋଳି ପିତା କରିବା ପଡି ଅରୁଆ ଖୁଦ
କାଣ୍ଡିଆ କୁଣ୍ଡାକୁ ଝାଡିବ ଢ଼ିଙ୍କି ମୁଣ୍ଡରେ ବସି
ବୁଢୀମାନେ ତାକୁ ଖାଇଲେ ହେବେ ଷୋଳବୟସୀ।”
ସର୍ବୋପରି ଓଡ଼ିଆଣୀ ମାନେ ବିଧବା ହୋଇ ନିଜର ବେଶଭୂଷା ବଦଳାଇ ଦେଇଥାନ୍ତି।ଯେପରି –
“ସ୍ୱାମୀ ମଲା ଦିନ ହୋଇଲି ନିରେଖ
କେବେ ପିନ୍ଧି ନାଇଁ ପାଟ ଛିଟିକି ଝିନବାସ।”
ଉପର୍ଯ୍ୟୁକ୍ତ ଓଡ଼ିଆ ଗୀତରେ ଓଡ଼ିଆଣୀ ଦୈନନ୍ଦିନ ଜୀବନ ଚର୍ଯ୍ୟାର ଚରିତ କାହାଣୀ ନିଖୁଣ ସଂକ୍ଷେପରେ ଭାବରେ ପ୍ରଦାନ କରାଯାଇଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

@ଶ୍ରୀ.ଡମ୍ବରୁଧର ବେହେରା(ଓଡ଼ିଆ ଶିକ୍ଷକ)
ଜବାହର ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି,ଗଜପତି(ଓଡ଼ିଶା)
ଡାକ ଘର ନଂ – ୭୬୧୨୦୧
ସମ୍ପର୍କ – ୯୪୩୭୭୮୮୪୬୪

 695 total views,  1 views today

Leave a Reply

Your email address will not be published. Required fields are marked *