ଲୋକଗୀତରେ ଓଡିଆଣୀର ଜୀବନ ଚରିତ
ଏ ବିପୁଳ ପୃଥ୍ଵୀ ହେଉଛି ଲୋକଗୀତର ପ୍ରଶସ୍ତ କ୍ଷେତ୍ର । ମଣିଷର ପ୍ରକୃତ ଆତ୍ମ ପରିଚୟ ଏହି ସାହିତ୍ୟରେ ମିଳିଥାଏ । ନିଜକୁ ଓ ଜଗତକୁ ଜାଣିବା ପାଇଁ ଏଥିରେ ବ୍ୟାପକ ପରିସର ରହିଛି । ଆଦିମ ମଣିଷର କଳାପ୍ରିୟତା, ସାମାଜିକ ଜୀବନ ଧାରା ଓ ସଂସ୍କୃତି ସମ୍ପର୍କରେ ନାନା କଥା ଲୋକଗୀତିକାରୁ ଉପଲବ୍ଧ ହୁଏ । ଏଥିପାଇଁ ଆଜି ନୃତତ୍ତ୍ବବିଦ୍ ମାନେ ଲୋକଗୀତିକାର ମଣିଷ ସଭ୍ୟତାର ବିବର୍ତ୍ତନର ଅଧ୍ୟୟନ ପାଇଁ ଉଦ୍ୟମ କରୁଛନ୍ତି । ଲୋକ ଗୀତ ଲୋକ ଜୀବନର ପରିପ୍ରକାଶ । ଅନୁଭୂତି ଓ ଅଭିଜ୍ଞତାର ଭିତ୍ତିଭୂମି ଉପରେ ଏହାର ସୃଷ୍ଟି ଓ ବିକାଶ । ଉଭୟେ ନାରୀ ଓ ପୁରୁଷ ବିଭିନ୍ନ ସମୟରେ ଆପଣାର ମନକଥାକୁ ବ୍ୟକ୍ତ କରିବା ପାଇଁ ଗୀତ ବାନ୍ଧିଥାନ୍ତି । ବିଶେଷ କରି ନାରୀ ମାନେ ଲୋକଗୀତର ବହୁଳାଂଶ ସୃଷ୍ଟି କରିଥିବା ଦେଖାଯାଏ ।
ଲୋକ ଗୀତରେ କୁମାରୀଠାରୁ ବୃଦ୍ଧା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଓଡିଆଣୀର ଜୀବନ ଚରିତ ଦେଖାଯାଇଥାଏ । ପୁଚିଖେଳ ଗୀତ ଠାରୁ ଦୋଳିଗୀତ, ଝୁଲଣା ଗୀତ, ଆଈ ମାଆ ର ପ୍ରବୋଧନା ଗୀତ, କାନ୍ଦଣା ଗୀତ ଯାଏ ସବୁ ସ୍ତରର ଗୀତରେ ଓଡିଆଣୀର ଜୀବନ ଚିତ୍ର ଦେଖାଯାଏ ।
ଗ୍ରାମର ଝିଅ ମାନେ କୌଣସି ପୁପେଇ ପର୍ବରେ ପୁଚିଖେଳ ଖେଳି ଗୀତ ଗାଇଥାନ୍ତି । ପ୍ରତିଯୋଗିତା ମୂଳକ ଖେଳରେ ଏହି ଗୀତ ବୋଲାଯାଏ , ଯଥା
ପୁଚିଲୋ
ଯା ଯା ଘୁଞ୍ଚିଲୋ
ଗହିର ବିଲରେ ମଇଁଷି
ଧାନକେଣ୍ଡା କେଣ୍ଡା ଖାଉଛି
ଅଡେଇ ଦେଲୋ ଗଉଡ ଭାଇ
ବୋହୂ ବାପଘର ଯାଉଚି ।
ଏହି ଗୀତରୁ କୁମାରୀ ଝିଅ ସହ ବିବାହିତା ନାରୀମାନଙ୍କର ପ୍ରତିଯୋଗୀ ମନୋଭାବ ଓ କ୍ରୀଡା ପ୍ରବଣତାର ଚିତ୍ର ଦେଖିବାକୁ ମିଳେ ।
ନାରୀ ମାନଙ୍କର କ୍ରୀଡା କୌତୁକ, ହାସ ପରିହାସକୁ ନେଇ ଅନେକ ଗୀତ ରଚିତ । ତନ୍ମଧ୍ୟରୁ ଦୋଳିଗୀତ ଅନ୍ୟତମ । ଏହି ଗୀତର ଆରମ୍ଭ ଓ ସମାପ୍ତିର କୌଣସି ନିର୍ଦ୍ଦିଷ୍ଟତା ନାହିଁ । ଭାଇ ଭାଉଜଙ୍କ ଶ୍ରଦ୍ଧାକୁ ପରିପ୍ରକାଶ କରି କିଶୋରୀ ଗାଏ
ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟ ଲୋ
ଦିଶୁଥାଏ ଝକମକ ।
ଗ୍ରାମର ନାରୀମାନେ ବିଭିନ୍ନୃ ଓଷାବ୍ରତ ପାଳନ କରନ୍ତି । ନୂଆହୋଇ ପ୍ରସ୍ତୁତ ହୋଇଥିବା ଡାଲାରେ ବିଭିନ୍ନ ଫୁଲ ଫଳ ସଜାଇ ଏମାନେ ବିଭିନ୍ନ ମାନସିକ କରନ୍ତି । ଏଇ ମାନସିକ ଗୁଡିକରେ ଥାଏ ଭବିଷ୍ୟତର ସୁନେଲି ସ୍ୱପ୍ନ । ଯଥା
ଘିନେ ଗଭରା ଗଇଶି, ମୁଣ୍ଡି
ମୋତେ ଖରିଥିବ ସିନ୍ଦୂର ମୁଣ୍ଡି
ଘିନେ ଗଉରା ଗଇଶ ମୁଣ୍ଡି
ମୋତେ କରିଥିବ ଆଇଁଷ ତୁଣ୍ଡି ।
ସବୁଦିନ ପାଇଁ ପିତା ଘରୁ କନ୍ୟା ବଧୂବେଶରେ ସ୍ୱାମୀ ଘରକୁ ଯାଏ । ଓଡ଼ିଆ ଲୋକଗୀତରେ ଏହି ବିଦାୟ କାଳୀନ ଦୃଶ୍ୟ ଅତ୍ୟନ୍ତ ମର୍ମନ୍ତୁଦ । ନିଜର ଜନ୍ମମାଟି, ଜନ୍ମଦାତା ଓ ଜନ୍ମଦାତ୍ରୀ, ବନ୍ଧୁ ପରିଜନ, ସାଙ୍ଗସାଥି, ଭାଇଭାଉଜ ସହିତ ସଙ୍ଗାତ, ବଉଳ, ମକର, ଗାଁ ର ସେଇ ପରିବେଶ, ଗାଁ ଆମ୍ବତୋଟାର ରଜଦୋଳି , କଇଁଫୁଲ ତୋଳା ଏ ସମସ୍ତ ସହିତ ସମ୍ପର୍କ ତୁଟାଇ ଯାଉଛି । ତେଣୁ ଲୋକଗୀତରେ ଏହି କାନ୍ଦଣା କୁ ନୂଆବୋଉ କାନ୍ଦଣା, ବରଧରା କାନ୍ଦଣା, କନକ ଆଞ୍ଜୁଳା କାନ୍ଦଣା, ଦେବୀ ଫେରନ୍ତି କାନ୍ଦଣା, ପହିଲି ପାଳି କାନ୍ଦଣା ଇତ୍ୟାଦି ନାମରେ ନାମିତ କରିଥାଏ ।
ମାଆକୁ ଧରି ଝିଅ କାନ୍ଦେ
ଫଳିଲା ଗଛକୁ କାଟି ଦେଉଛୁ ଲୋ ବୋଉ
ବଞ୍ଚିଥିଲା ଜୀବ ମାରି ଦେଉଛୁ ଲୋ ବୋଉ
ଜନମ ବେଳରେ ଏନ୍ତୁଡି ଶାଳୁଲୋ ବୋଉ
ତଣ୍ଟିକାଟି ଯାହା ମାରି ନ ଦେଲୁ ଲୋ ବୋଉ ।
ବପାଙ୍କୁ ଧରି ଝିଅ କାନ୍ଦେ
ଶଙ୍ଖେ ପାଣି ଟେକି ଦେଇ ହେଲ ଅଚିନ୍ତା ହେ ବାପା
ତମ କନ୍ୟାକୁ ଯାହା ଯୋଗୀ ହାତରେ ଦେଇ ଭିକ୍ଷା ହେ ବାପା ।
ସେହିପରି ଝିଅ ବୋହୂଙ୍କ ଦୁଃଖ ସୁଖକୁ ନେଇ ଅନେକ ଗୀତିକା ଦେଖିବାକୁ ମିଳେ । ନାରୀ ସର୍ବଂସହା, ବହୁରୂପୀ କନ୍ୟା, ଜାୟା, ଜନନୀ, ଭଗ୍ନୀ ରୂପରେ ଆସେ ଆତଜାତ । ଗୋଟିଏ ଘରେ ଜନ୍ମ ମାତ୍ର ପର ଘରେ ତାର ଜୀବନ । ସେଥିପାଇଁ ତା ପାଖରେ ପଳ ଆପଣାର କିଛି ନଥାଏ । ତାର ଗେଲବସରର ଦିନ ସରିଯାଏ, ଶାଶୁଘରେ ପାଦଦେଲାପରେ ସୁକୁମାରୀ ଗ୍ରାମ୍ୟ ବାଳା ଅସରନ୍ତି ଗଞ୍ଜଣା ଭିତରେ କାଳ କାଟିବାକୁ ବାଧ୍ୟହୁଏ । ଶାଶୁ, ନଣନ୍ଦଙ୍କ ଲାଞ୍ଛନା ଭିତରେ ସ୍ମରଣ କରେ ତାର ଅତୀତର ସୁଖ ଦିନକୁ । ନାରୀ ଜୀବନର ଏହି ସନ୍ତୁଳନ ଲୋକଗୀତରେ ଅତି ଚମତ୍କାର ଭାବରେ ରୂପ ପାଇଛି । ଶାଶୁ ତାର ଉଲୁଗୁଣା ଦେଇ କହିଥାଏ
ବୁଢୀ କାଳକୁ ମୋର ଆସୁଛି ଭାର
ବୁଡି ନ ମଲୁ ତୁ ଲୋ ବାଡିରେ ଯୋର ଲୋ ।
ଏହିପରି ଓଡିଆଣୀର ଜୀବନ ଚିତ୍ର ଲୋକଗୀତରୁ ଦେଖିବାକୁ ମିଳେ । ନାରୀର ଭିନ୍ନ ଭିନ୍ନ ସ୍ୱରୂପ, କର୍ତ୍ତବ୍ୟ ମଧ୍ୟ ଏହି ଗୀତରେ ଉଦଭାସିତ ହୋଇ ଉଠିଛି ।
ଜୟଶ୍ରୀ ମେହେର
ବନୁପାଲି ଜିଲ୍ଲା ବରଗଡ଼
692 total views, 1 views today