ଅନୁଭୂତିରେ ମୋ’ ବିଦ୍ୟାଳୟ ଏବଂ ପିଲାଦିନ

ସେଦିନ ଥିଲା ଗଣେଶ ପୂଜା । ଆମ ବିଦ୍ୟାଳୟଟି ରଙ୍ଗ ବିରଙ୍ଗ ପତାକା ଓ ଦେବଦାରୁ ରେ ଦିଶିଥାଏ ସତେ ଯେପରି ମନ୍ଦିର ସମାନ। ମତେ ଦାୟିତ୍ଵ ଦିଆଯାଇଥିଲା ଗଣେଶଙ୍କ ଠିକ୍ ସାମ୍ନାରେ ଗୋଟେ ବଡ଼ ମୁରୁଜର ଝୋଟି ପ୍ରସ୍ତୁତ ଲାଗି। ମୁଁ ଆମ ଘରେ ବୋଉ ସାଙ୍ଗେ ମିଶି ଚିତା ମୁରୁଜ ପକାଇବା ଜାଣିଥିଲେ ଆମ କୁଳମଣି ସାର । ତେଣୁ ସେ ହିଁ ମୋତେ ଏହି କାମଟିକୁ ଦେଇଥିଲେ । ମୁଁ ବି ଆଗ୍ରହ ସହକାରେ ଘରୁ ମୁରୁଜ ଆଉ ଚାଉଳ ଚୂନା ସାଙ୍ଗରେ ଧରି ଯାଇଥାଏ । ହେଲେ , , ବାହାରର ସାଙ୍ଗ ସାଥି ମାନଙ୍କ ଖେଳା କୁଦା ରୋଳା ମୋତେ ବ୍ୟତିବେସ୍ତ କରିପାକାଇଥାଏ ମଝିରେ ମଝିରେ । ଆକର୍ଷିତ ହୋଇଯାଇଥାଏ ବାହାରେ ଯାଇ ସେମାନଙ୍କ ସାଙ୍ଗେ ମିଶି ଖେଳିବାକୁ । ପାଖରେ କେହି ଜଣେଇବି ନ’ଥାନ୍ତି । ମୁଁ ଚୁପ୍ ଚାପ୍ ତିଆରି କଲି ଝୋଟିଟିକୁ ।

ମୁରୁଜ ପକା ସରିଗଲା । ଏଠି ଆଉ ଟିକେ ରହିଗଲା ,, ସେଠି ଆଉ ଟିକେ ହୋଇ ପାରିଥାନ୍ତି ……. ଏହିପରି କହିଗଲେ କେତେ କିଏ । ସାର୍ କିନ୍ତୁ କହିଲେ ବଢିଆ ହେଇଛି । ସେତିକିରେ ହେଇଗଲା ମୋ’ ମନଟା କୁଣ୍ଢେମୋଟର । ଠିକ୍ ସେତିକି ବେଳେ , ସୂର୍ଯ୍ୟମଣି ସାର ଅସି କହିଲେ ….. ଆରେ ପିଲାମାନେ ଦେଖିଲ, ଗଣେଶଙ୍କ ଗଳଟା ଫାଙ୍କା ଫାଙ୍କା ଲାଗୁନି ..?? ଆଚ୍ଛା କିଏ କହିବ କଣ୍ କଲେ ଆହୁରି ସୁନ୍ଦର୍ ଦେଖାଯିବେ ଗଣେଶ । ସବୁପିଲା କହିଲେ ଯେ’ ଆଉ କିଛି ଫୁଲମାଳ ପିନ୍ଧେଇ ଦବାକୁ ଗଣେଶଙ୍କୁ । ବେଶୀ ବାହାଦୂରୀ ମାରି ମୁଁ କହି ପକାଇଲି ….. ସାର୍ ଗଣେଶ ତ ଶିବଙ୍କ ପୁତ୍ର । ତାଙ୍କ ବେକରେ ବେଲପତ୍ର ହାରଟେ କନ ଦେଇହବନି ?? ଫୁଲ ସାଙ୍ଗକୁ ପତ୍ର ଆହୁରି ସୁନ୍ଦର୍ ଦେଖା ଯାଆନ୍ତା । ସାର୍ ଆମ ଘରେ ପୋଷ୍ଟ ଅଫିସ୍ ଥିବାରୁ ଆମ ଘରକୁ ପ୍ରାୟତଃ ଯାଉଥିଲେ । ସେ ଜାଣିଥିଲେ ଆମ ଦାଣ୍ଡରେ ଗୋଟେ ବେଲଗଛ ଅଛି ବୋଲି । ତେଣୁ , ଲେଉଟିକି ମୋତେ ହିଁ କହିଲେ ….. ତୁ ଫୁର୍ତ୍ତି ଫୁର୍ତ୍ତି ଯାଆ । ମାଳଟିଏ କରିକି ଅଣିବୁ । ମୁଁ କହିଲି ସାର୍ କୋଉ ପୁଅ ପିଲାଙ୍କୁ କହୁ ନାହାନ୍ତି !! ମୁଁ ଏତେ ବାଟ ଯାଇ ଆସିପାରିବି ନାହିଁ । ସାର୍ କହିଲେ ,, ସେଗୁଡା ଅକାଳ କୁଷ୍ମାଣ୍ଡ । ଅମାଛା ଗୁଡା । ତାଙ୍କ ଦେଇ କିଛି ହବନି । ତୁ ଆମର ଯାଆ । କହି ,,, ଗୋଟେ ପିଲା ଠିକ୍ କରିଦେଲେ …. ଯାହା ସାଙ୍ଗେ ଯାଇ ମୁଁ ଏ କାମ କରିପାରିବି । ମନେ ମନେ ରାଗ ବି ଆସୁଥାଏ କାହିଁ କହିଲି ବୋଲି । ସେ ମନ ସ୍ତାପରେ ଦୁହେଁ ସାଙ୍ଗ ଦଉଡ଼ି ଦଉଡ଼ି ଘରକୁ ଗଲୁ । ଆମ ଘରଟା ସ୍କୁଲ୍ ରୁ ପ୍ରାୟ ଦେଢ଼ କି, ଦୁଇ କିଲୋମିଟର ହେବ । ଅନ୍ୟଦିଁନ ଜଣାଯାଏ ନାହିଁ ବାଟ । ପଙ୍ଗପାଳ ପରି ଦଳ ଦଳ ହୋଇ କାଖରେ ବହି ବସ୍ତାନି ଜାକି ଦୌଡିଥାଉ ସ୍କୁଲ୍ । ଆଜି କାହିଁ ବାଟ ସରୁନଥାଏ । ତେବେ ଗଛ ମୂଳରେ ପହଞ୍ଚି ଗଲୁ । ସାଙ୍ଗ ତଳେ ଠିଆ ହେଲା ମୁଁ ଚଢ଼ିଗଲି ସବୁ ନେଉଟେଇ ପକାଇଲାପରି ଗଛ ଉପରକୁ । ଗୋଡ଼ ଏମିତି ଖସିଲା ଯେ , ସିଧା ଆସି ଗଛ ମୂଳରେ । ଭଙ୍ଗା ଡ୍lଳର ଖେଞ୍ଚା ମୋ ଜଙ୍ଘରେ ଖୋବୀ ହୋଇଯାଇଥାଏ ସେତେ ବେଳକୁ । ରକ୍ତ ବୋହିଯାଉଥାଏ ଝର ଝର ହୋଇ । ଦlଣ୍ଡ ପିଣ୍ଢାରେ ବସିଥିବା ବୁଢ଼ୀ ମାଆକୁ ଆଗ କହି ରଖିଥାଏ ଛିଞ୍ଚି ସୂତା ଆଉ କିଛି ଦୁର୍ଲଭl ପତ୍ର ଆଣି ବସିବାକୁ । ଖଣ୍ଡିଆକୁ ଖାତର ନ’କରି ଆମେ ସାଙ୍ଗ ଦୁହେଁ ସେହି ଦଣ୍ଡ ଖଟରେ ତିଆରି କଲୁ ମାଳ ଟି । ମାଆ କହୁଥାନ୍ତି …..ଠାକୁରଙ୍କ କାମ କଲେ ଭଲ । ବିପଦ ଆପଦରେ ସେହିଁ ତୁମର ସାହା ହେବେ । ବୋଉ ବି ଭିତରୁ ଅବାଜ୍ ଦେଉଥାନ୍ତି ….. ଆସରେ ପିଲା ମାନେ ଆଉ ଟିକେ କଣ୍ ଖାଇଦେଇ ଯିବ । ଆମେ କିନ୍ତୁ ସେଇ ଦାଣ୍ଡରୁ ଦlଣ୍ଡରୁ ଫେରିଗଲୁ ସ୍କୁଲ୍କୁ । ମାଆ କଥା ଗୁଡା…… ବାଟ ଯାକ ମନେ ପଡୁଥାଏ ଯନ୍ତ୍ରଣା ଭିତରେ । ଲାଗୁଥାଏ ଯେମିତି ମୋତେ ପରିହାସ କରୁଛି ତା’ର ସେହି ଅଲଣା କଥାଗୁଡ଼ାକ ।

ମନ ଯାଇ ଲାଖିଥାଏ ସ୍କୁଲ୍ ରେ । ଆଉ ନିଶା ଥାଏ କାମ ସାରିଦେଲେ କେମିତି ଟିକେ ସଙ୍ଗେ ମାନଙ୍କ ସଙ୍ଗେ ଖୁସିରେ ବୁଲାବୁଲି କରିବୁ । ଚାଲି ହେଉନଥାଏ ଆଉ ଭଲକି । ଜଂଘରୁ ରକ୍ତ ଗଡ଼ି ଗଡ଼ି ଚପଲ ହୋଇଗଲାଣି ଅଠା ପରି ପୁରା ଚିକିଟା । ଖସିଯାଉଥାଏ ପାଦରି ଚପଲ । ତଥାପି,,,ଆମେ ଯାଇଁ ପହଁଚିଲା ବେଳକୁ ଦେଖିଲୁ ପୂଜା ଆରମ୍ଭ ହୋଇଗଲାଣି । ମୋ ନୂଆ ସ୍କଟ ମିଡି କୁ ଆଉ ସେତେବେଳକୁ ଆଉ ଚାହିଁ ହେଉନଥାଏ । ସାଙ୍ଗମାନେ ଦେଖିକି ସାର ଙ୍କୁ କହିଲେ । ସାରା ଙ୍କ ଅନୁମତିରେ ଧୋଇଧାଇ ହେବାକୁ ଚାଲିଗଲି । ଫେରିଲା ବେଳକୁ ସରିଯାଇଥାଏ ପୁଷ୍ପାଞ୍ଜଳି । ମନ ଟା ମରିଗଲା ଏକପ୍ରକାର । ଯଦିଓ ଦେଖିଲି ମୋ ଦ୍ଵାରା ପ୍ରସ୍ତୁତ ହାରଟି ଲମ୍ବିଛି ଗଣେଶ ଙ୍କ ଗଳାରେ । ଖୁସି ତ ଟିକେ ଲାଗୁଥାଏ ନିଶ୍ଚିନ୍ତ । ଗଣେଶଙ୍କ ପାଦତଳୁ ଫୁଲ କେଇଟା ଆଣି ବିନା ମନ୍ତ୍ରରେ ପକେଇଦେଲି ଗଣେଶଙ୍କ ଉପରେ । ଚାରିଆଡ ପିଲା ମାନେ ଖାଲି ହାଉଜାଉ ହେଉଥାନ୍ତି । ମତେ ପହଲି ସାର ଆସି କହିଲେ ….. ଯାଆ,, ତୁ ଟିକେ ସୁଡି କରି ଘରକୁ ପଳା ଶୀଘ୍ର । ବୋଉକୁ କହି କଣ୍ ଔଷଧ ଟିକେ ଲଗେଇଦବୁ ଖଣ୍ଡିଆରେ । ମନେ ମନେ ଭାରି ରାଗ ଲାଗୁଥିଲେ ବି କହିପାରୁନଥାଏ କାହାରିକୁ କିଛି । ପିଟି ସାର୍ ଆଣି ତାଙ୍କ ସ୍କୁଟର ରେ ଛାଡିଦେଇଗଲେ ଘରେ ମୋତେ । ସରିଗଲା ମୋର ସେ ଦିନର ଗଣେଶ ପୂଜା । ଆଜିବି ମନରେ ଓ ଦେହରେ ରହିଯାଇଛି ସେ ଅଭୁଲା ସ୍ମୃତିଟି ଗୋଟେ ଦାଗହୋଇ । । ଆଉ ରହି ଯାଇଛି …… ଜୀବନର ଅନେକ ଘଟଣା ପରି ଏହା ଚୀର ସ୍ମରଣୀୟ ହୋଇ ।

ଛବି ପତି, ମଧ୍ୟ ଶାସନ
ବିରିଡ଼ି , ଜଗତସିଂହପୁର ।।
ଫୋନ୍ – ୯୩୩୭୯୬୦୦୬୦

Leave a Reply

Your email address will not be published. Required fields are marked *