💐ମୋ ଅନୁଭୂତି ରେ ମୋ ବିଦ୍ୟାଳୟ ଏବଂ ପିଲାଦିନ 💐
କୋରାପୁଟ ଜିଲ୍ଲା ର ଜୟପୁର ତହସିଲ , ବୋରିଗୁମ୍ମା ବ୍ଲକ ସ୍ଥିତ ବିସିଂପୁର ଭାୟା ରେ ମୋ ହାଇସ୍କୁଲ ଟି ଅବସ୍ଥିତ। ବିଦ୍ୟାଳୟ ର ସାମ୍ନା ପଟେ କୃଷ୍ଣ ଚୂଡା ପରିବେଷ୍ଟନି ର ବିରାଟ ଖେଳପଡିଆ, ଡାହାଣ କଡରେ
ଗୋଟିଏ ଛୋଟିଆ ପାହାଡ଼ ବିଦ୍ୟାଳୟ କୁ ସଂଯୋଗ ହୋଇଛି।ସେ ପାହାଡ଼ ଟି ‘କୁପୁଲି’ନାମରେ ନାମିତ ।ପଛ ପଟେ ଗୋଟେ ଛୋଟ ଖେଳପଡିଆ ଆଉ ତାକୁ ଲାଗିରହିଛି ଗୋଟିଏ ସରକାରୀ ଆମ୍ବତୋଟା।
ସେ ଆମ୍ବତୋଟା ପରେ ପରେ ବିସ୍ତୀର୍ଣ୍ଣ ସବୁଜ ଧାନ କ୍ଷେତ ତ କେତେବେଳେ ହଳଦିଆ ଧାନକେଣ୍ଡା ର ମତୁଆଲା ଲହଡ଼ି। ସ୍କୁଲ ବଗିଚାରେ ଲାଗିଛି ବିଶାଳକାୟ ଦେବଦାରୁ,ଅଶୋକ, ସାଗୁଆନ୍,ଶାଳ,ପିଆଶାଳ,ଟିକ୍,ଆକାଶମଲ୍ଲି,କରିବର,ଆମ୍ବ,ରବର,ନଡ଼ିଆ,ନିମ୍ବ , ପିଜୁଳି, ଇତ୍ୟାଦି ବିଭିନ୍ନ କିସମର ଗଛ। ଆଉ ସେ ଲାଲ ଚୁନି ଘୋଡି ହୋଇ ଦଣ୍ଡାୟମାନ ହୋଇ ଥିବା କୃଷ୍ଣ ଚୂଡା ଆମ ସେ ନିରୀହ କିଶୋରୀ ମନ ରେ କିଛି ଗୋଟେ ଅଜଣା ଉଦ୍ବେଳନ ସୃଷ୍ଟି କରୁଥିଲା ଯେପରିକି ଜନ୍ମଜନ୍ମାନ୍ତର ର ସମ୍ପର୍କ ଏ କୃଷ୍ଣ ଚୂଡା ସହ।ଆକାଶ ମଲ୍ଲି ଫୁଟିବା ଋତୁ ରେ ଧଳା ଧଳା ସୁବାସିତ ଫୁଲ ଗୁଡାକ ଅତି ସୁନ୍ଦର ଭାବରେ ବିଞ୍ଚି ହୋଇ ପଡିଥାଏ ଲାଗେ ସତେ ଯେମିତି ଶ୍ଵେତ ମଖମଲ୍ ସତରଂଜି ଟେ ବିଛା ହୋଇଛି ଛାତ୍ରଛାତ୍ରୀ ଙ୍କ ସ୍ଵାଗତ ପାଇଁ।ଆମେ ବି କିଛି କମ୍ ନ ଥିଲୁ ପ୍ରକୃତି ର ଭାଷା ବୁଝିବାରେ।ଜୋତା ବାହାର କରି ଖାଲିପାଦରେ ଆକାଶ ମଲ୍ଲି ର ଶୁଭ୍ର ଶଯ୍ୟା ରେ ଚାଲି ଚାଲି ମଜ୍ଜା ନେଉଥିଲୁ।ସେଥିରୁ ମୁଠାଏ ନେଇ ସାଙ୍ଗମାନଙ୍କୁ ହୁଳହୁଳି ଦେଇ ମୁଣ୍ଡ ରେ ପକାଇ ଦେଉଥିଲୁ। ପୁଣି କିଛି ଅନ୍ଧବିଶ୍ୱାସ ର ଶିକାର ବି ହୋଇଥିଲୁ। ଏମିତି ହୁଳହୁଳି ଦେଇ ଫୁଲ ଯଦି କାହା ଉପରେ ପକାଯାଏ ତା ବାହାଘର ଶୀଘ୍ର ହୋଇଯାଏ ବୋଲି।ମୋ ମୁଣ୍ଡ ରେ ଯଦି କିଏ ପକାଇ ଦିଏ ଦିନ ସାରା ମୋ ଛାତି ଧଡ୍ ଧଡ୍ ହେଉଥିଲା। ମୁଁ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଦୀକ୍ଷା ନେଇଥିଲି,ତେଣୁ ଠାକୁର ଙ୍କୁ ଯାଇ ଗୁହାରୀ କରୁଥିଲି…ହେ ଠାକୁର ମୁଁ ପାଠ ପଢ଼ିବାକୁ ଚାହୁଁଛି ..ମୋତେ ବାହାଘର କରନି ବୋଲି।ସତରେ କେତେ ନିପ୍ପାପ ମନ ଥିଲା ସେ ସମୟ ରେ ଆଉ ଏବେ ଦୁଃଖ ଝଡଝଞ୍ଜା ସହି ସହି ହୃଦୟ ଟା ଜଡପ୍ରାୟ କଠୋର ହୋଇଗଲା।କମାର ନିଆଁ ରେ ଲୁହାକୁ ଲାଲ କରି ପିଟି ପିଟି ଆକୃତି ଦିଏ ଠିକ୍ ସେହିପରି ଏ ଶରୀର ଦୁଃଖ ବିପଦ ର ଅଗ୍ନି ରେ ଜଳି ଜଳି ଆଜି କିଛି ଗୋଟେ ପରିଚୟ ର ଆକୃତି ପାଇଛି।
ସେତେବେଳେ ର ସାମାଜିକ ଚଳଣି ଅନୁସାରେ ଆମେ ଝିଅ ଗୁଡାକ କେବେ କୋଉ ପୁଅ ପିଲା ସହ କଥା ହୋଉ ନ ଥିଲୁ। ଏମିତି କିଛି ଜରୁରୀ କାମ କିମ୍ବା ଶିକ୍ଷକଙ୍କ କିଛି ପରାମର୍ଶ ଥିଲେ
କ୍ଵଚିତ କଥା ହେଉଥିଲୁ। କିନ୍ତୁ ସେମାନଙ୍କ ସହ କଥା ହେଲେ କାଳେ କିଏ କଣ କହିଦେବ ବା ଭାବିଦେବ ବୋଲି ଗୋଟେ ଅକୁହା ଭୟ ରେ ଆମେ ଆକ୍ରାନ୍ତ ହେଉଥିଲୁ।ସବୁଥିରେ ଆମର ଗୋଟେ କଟକଣା ର ସୀମାରେଖା ଟଣା ଯାଇଥିଲା।ଆଉ ସେ ଶୃଙ୍ଖଳିତ ଲକ୍ଷ୍ମଣ ରେଖା ଭିତରେ ଆମେ ବି ସନ୍ତୁଷ୍ଟ ଥିଲୁ।କେବେ କେବେ ପିଲାଳିଆମି ରେ ଆମେ ସେ ସୀମାରେଖା ଟପିଗଲେ ଆମକୁ ଅଣନିଃଶ୍ବାସୀ ଲାଗୁଥିଲା।ଆଜି ସେ ପୁଅ ସହପାଠୀ ମାନଙ୍କ ସହ ଆମର କି ଅନ୍ତରଙ୍ଗ ସମ୍ପର୍କ ! ସେମାନଙ୍କ
ସ୍ତ୍ରୀ , ସନ୍ତାନ ପ୍ରତି ଆମର ଗଭୀର ସ୍ନେହାକର୍ଷଣ। ମୁଁ ତ ଏବେ ବି ଗାଁ କୁ ଗଲେ ସେମାନଙ୍କ ଛୁଆ ଙ୍କୁ ରାସ୍ତାଘାଟ ରେ କୋଉଠି ଦେଖିଲେ ନିର୍ଭୂଲ ଭାବରେ କହିଦିଏ ଏ ଛୁଆ ଟି ଅମୁକ ପିଲା ର, ଆଉ ସଠିକ୍ ପ୍ରତିଫଳ ବି ପାଏ।ଆଉ ଖୁସିରେ ମୋ ପୁଅ ସହପାଠୀ କୁ ତାଙ୍କ ଛୁଆ ଦ୍ଵାରା ଏ ନିଃସନ୍ଦେହ ପ୍ରତିଫଳ ର ଖବର ଟା ପଠାଏ।ତାଙ୍କ ଛୁଆ ଙ୍କ ବାର୍ତ୍ତା ଶୁଣି ସେମାନେ ବହୁତ ଖୁସି ହୋଇଯାଆନ୍ତି। ଏହାହିଁ ସମ୍ପର୍କ ର ପରିଭାଷା।
ବର୍ଷା ଦିନେ ସ୍କୁଲ ଯିବାର ମଜ୍ଜା ବହୁତ ଆନନ୍ଦ ଦାୟକ। ରାସ୍ତା ସାରା କୋଉଠି ସାପବେଙ୍ଗ , କୋଉଠି ବିଭିନ୍ନ କିସମର ର ଛତୁ ତ କେଉଁଠି ଛୋଟ ଛୋଟ ପ୍ରାକୃତିକ ଝରଣା।ଆମେ ସେ କୁନି କୁନି ଝରଣା ରେ ଲାଗି ଯାଉଥିଲୁ।ଏପଟେ ଥଣ୍ଡା କାଶ ଜ୍ୱର ହେଉଥିଲା ସେପଟେ ଶିକ୍ଷକ ଙ୍କ ଠାରୁ ଗାଳି ବି ଶୁଣୁଥିଲୁ।ପବନ ର ଘୋ ଘୋ ଶବ୍ଦ ସାଙ୍ଗକୁ ମୃଦୁ ମୃଦୁ ବର୍ଷା।କାହା କାହା ଛତା ଉଡ଼ି କୁପୁଲି ରେ ଲାଗିଯିବା ଦୃଶ୍ୟ ବହୁତ ରୋମାଞ୍ଚକ ଥିଲା।ମୋ ଛତା ବି ଥରେ ବହୁ ଦୂର ପାହାଡ଼
କୁ ଉଡ଼ି ଚାଲିଯାଇଥିଲା।
ମୋର ଦ୍ୱିପହର ରେ ସ୍କୁଲ ଯିବା ସବୁବେଳେ ବିଳମ୍ବ ହୁଏ।ମୋର ଟିକେ ଖାଇବା ଲେଟ୍ ହୁଏ ଏକଥା ମୋର ଶିକ୍ଷକ ତଥା ଉଭୟ ସହପାଠୀ ଜାଣିଥିଲେ। ପ୍ରାୟ ସବୁ ସାଙ୍ଗ ମୋତେ ଛାଡ଼ିକି ଚାଲି ଯାଆନ୍ତି କିନ୍ତୁ ଜଣେ ସାଙ୍ଗ କେବେ ବି ଛାଡ଼ିକି ଯାଇନି।ମୋ ପାଇଁ ସେ ବି ଗାଳି ମାଡ ଖାଏ , ସହପାଠୀ ମାନଙ୍କ ଠାରୁ କଥା ଶୁଣେ।ଥରେ ସେ ଓ ମୁଁ ସ୍କୁଲ ଯାଉଥିଲୁ କାଦୁଅ ରେ ଆମ ସଂସ୍କୃତ ସାର୍ (ପଣ୍ଡିତ)ଙ୍କ ପାଦ ଖସିଗଲା ଆଉ ସେ ପଡିଗଲେ ତାଙ୍କ ସଫେଦ ଧୋତି ସାରା କାଦୁଅ । ମାନବିକତା ଦୃଷ୍ଟି ରୁ ଆମେ ତାଙ୍କୁ ଯାଇ ଉଠାଇବାର ଥିଲା ହେଲେ ପିଲାଳିଆମି ର ଚପଳ ବୁଦ୍ଧି ରେ ଆମେ ଦୁଇ ଜଣ ଜୋର୍ ରେ ହସିଥିଲୁ।ଏକଥା ପାଇଁ ମୁଁ ଆଜି ବି ଲଜ୍ଜିତ ଓ ମର୍ମାହତ। ପୁଣି କ୍ଲାସ୍ ରେ ସାର୍ ଙ୍କୁ ଦେଖିଲେ ସେ କଥା ମନେ ପକାଇ ଆମେ ହସୁ। କାହିଁକି କେଉଁଠୁ ଏ ଦୁର୍ବୁଦ୍ଧି ଆସିଥିଲା ଭାବିଲେ ବହୁତ ଦୁଃଖ ଲାଗୁଛି।
ଆମ ପ୍ରଧାନ ଶିକ୍ଷକ (କୁମୁଦ ବନ୍ଧୁ ସ୍ଵାଇଁ)ଭୋର୍ ରୁ ଉଠି ସ୍କୁଲ କୁ ଯାଇ ଯୋଗ କସରତ କରନ୍ତି। ତା ପରେ ପରେ ଆମେ ଏକ୍ସଟ୍ରା କ୍ଲାସ୍ ପାଇଁ ଯାଉ।ଆମ ଗାଁ କୁ ଲାଗି ସେମଳାଗୁଡା ବୋଲି ଗୋଟେ ଗାଁ ଅଛି ,ସେଇଠି ପ୍ରଚୁର ଆଖୁଚାଷ ହୁଏ। ପ୍ରତିଦିନ ଗୋଟେ ମାଇଭାଲୁ ତା ଦୁଇଟା କୁନି କୁନି ଛୁଆ ଙ୍କୁ ପିଠି ରେ ବସାଇ କୁପୁଲି ଆଉ ସ୍କୁଲ୍ ମଝି ରାସ୍ତା ଟି ଦେଇ ଆଖୁ ଖାଇବାକୁ ଆଖୁ ବାଡ଼ କୁ ଯାଆନ୍ତି।ସାର୍ ପ୍ରତିଦିନ ଦେଖନ୍ତି,ଏ ବିଷୟ ଦିନେ ଆମକୁ କହିଲେ।ଆମେ ପୁରା କୈାତୂହଳ ର ସହ ଶୁଣିଲୁ।ଜିଦ୍ କଲୁ ସାର୍ ଆମେ ବି ଦେଖିବୁ ବୋଲି।
ତେଣୁ ସାର୍ କହିଲେ ଯିଏ ଯିଏ ଦେଖିବାକୁ ଚାହୁଁଛ ସାହାସ ର ସହ ଭୋର ପାଞ୍ଚ ଟାରୁ ଆସିଯାଅ।ଆମେ ଛଅ ସାତ ଜଣ ଭୋର୍ ରୁ ଉଠି,ପୁରା ପ୍ରସ୍ତୁତ ହୋଇ ଭୟ ଆଉ ଖୁସିର ସମାନ୍ତରାଳ ସ୍ଥିତି ରେ ଆଗେଇ ଗଲୁ।ସାର୍ ସମସ୍ତ ଙ୍କୁ ସତର୍କ କରାଇଦେଲେ କେହି ବି କୈାଣସି ପ୍ରକାର ଶବ୍ଦ ଯେପରି ନ କରୁ।ଆମେ ‘କୁପୁଲି'(ଛୋଟ ପାହାଡ)ର ଗୋଟେ ଅନ୍ଧାରିଆ ବୁଦା କୋଣ ରେ ଛପିଗଲୁ।ଛପିବାର କିଛି ସମୟ ପରେ ଖସ୍ ଖସ୍ ଶବ୍ଦ ଶୁଣାଗଲା।କି କୈାତୁହଳ ସ୍ମୃତି ତାହା !ସେ ସମୟର ଭୟ ମିଶ୍ରିତ ଆନନ୍ଦ ଏବେ ବି ମୋ ଭିତରେ ଗୁଞ୍ଜରିତ ହେଉଛି।ଆସିଗଲେ ଭାଲୁ ଦମ୍ପତି,ପିଠି ରେ ଦୁଇ ଛୁଆ ଙ୍କୁ ବସାଇ ମାଁ ଭାଲୁ ଟି ଆଗକୁ ମାଡିଚାଲୁଛି।କି ବିରଳ ମାତୃତ୍ଵ !!ଆମେ ସବୁ ଭୟ ରେ ଜଣେ ଜଣକୁ ଜାବୁଡ଼ି ଧରିଥିଲୁ।ଦେଖୁ ଦେଖୁ ତୀବ୍ର ବେଗରେ ଚାଲିଗଲେ। ଏହାର କିଛି ଦିନ ପରେ ଆମେ ଶୁଣିବାକୁ ପାଇଲୁ ଯେ ଆମ ଗାଁ ପାଖ ଗାଁ ର କେତୋଟି କ୍ରୂର ପ୍ରକୃତି ର ଲୋକ ଙ୍କ ହାତରେ ସେମାନେ ଧରା ପଡିଗଲେ ଆଉ ନିଆଁ ଲଗାଇ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା😭😭।ମୋ ନିପ୍ପାପ ହୃଦୟ ରେ ଏ ଘଟଣା ଟି ବହୁତ ଆନ୍ଦୋଳନ ସୃଷ୍ଟି କରିଥିଲା।ଏ ମଣିଷ ଜାତି କୁ କିଏ ଏମିତି ନିଷ୍ଠୁର କରି ଗଢ଼ିଥିଲା? ସବୁବେଳେ ମୁଁ ଏକାନ୍ତରେ ବସି ଏହାକୁ ଖୁବ୍ ବିଶ୍ଲେଷଣ କରିଥିଲି।
ଆମ ଶିକ୍ଷକ ମାନଙ୍କ ସାଧୁତା ,ସମୟାନୁବର୍ତ୍ତିତା ତଥା କର୍ତ୍ତବ୍ୟପରାୟଣତା ଆମକୁ ବହୁତ ପ୍ରଭାବିତ କରିଛି। ସେତେବେଳେ ଆମମାନଙ୍କ ଗୁରୁଭକ୍ତି ଓ ନିଷ୍ଠାର ପରାକାଷ୍ଠା ବି ଖୁବ୍ ବଳବତ୍ତର ଥିଲା। ପରିବାର ତଥା ବିଦ୍ୟାଳୟ ରେ ଆମକୁ ଠିକ୍ ଲାଳନପାଳନ ଦେଇଥିବାରୁ ଆଜି ପର୍ଯ୍ୟନ୍ତ ଆମେ କୃତଜ୍ଞ।ଆମ ନିରୀହ ଜୀବନରେ
ମାନବିକତାର ଅଙ୍କୁରୋଦ୍ଗମ ସେମାନଙ୍କ ଆଦର୍ଶ ଓ ସୁଶାସନ ରୁ ହିଁ ସମ୍ଭବ ହୋଇଥିଲା।ଆଜିର ପତିତାଭିମୁଖୀ ସମାଜରେ ଧନ, ବିଜ୍ଞାନ ର ଅଗ୍ରଗତି ଓ ବୈଷୟିକ ଯନ୍ତ୍ରପାତି ସବୁ ହାତପାହାନ୍ତା ରେ ଥାଇ ମଧ୍ୟ ସନ୍ତାନ କୁ ସାଧାରଣ ମଣିଷ ଟିଏ କରି ଗଢ଼ିବା କେତେ ଯେ କଷ୍ଟସାଧ୍ୟ ତାହା ମୁଁ ବି ଠିକ୍ ଅନୁଭବ କରିପାରୁଛି।
(କଲ୍ୟାଣୀ ହୋତା,ପାରାବେଢା,ଶ୍ରୀରାମ ନଗର,ଜୟପୁର, କୋରାପୁଟ)
968 total views, 1 views today
Muchas gracias. ?Como puedo iniciar sesion?
OMG! It seems like yesterday. Really for some time I lived all that moments again.
“କମାର ନିଆଁ ରେ ଲୁହାକୁ ଲାଲ କରି ପିଟି ପିଟି ଆକୃତି ଦିଏ ଠିକ୍ ସେହିପରି ଏ ଶରୀର ଦୁଃଖ ବିପଦ ର ଅଗ୍ନି ରେ ଜଳି ଜଳି ଆଜି କିଛି ଗୋଟେ ପରିଚୟ ର ଆକୃତି ପାଇଛି” – Very TRUE!!!
I wish, I could have, AGAIN……
wow…Heart touching story…..