*ଅନୁଭୁତିରେ ମୋ ବିଦ୍ୟାଳୟ ଏବଂ ପିଲାଦିନ* 🙏

ଆହେ ଦୟମୟ ବିଶ୍ୱ ବିହାରୀ
ଘେନ ଦୟା ବହି ମୋର ଗୁହାରୀ…
ଜଳ ସ୍ଥଳ ବନ ଗିରି ଆକାଶ
ତୁମ୍ଭ ଲୀଳା ସବୁଠାରେ ପ୍ରକାଶ…
……………ସରୁ ସରୁ ଏ ଭାବ ଭକ୍ତିର ଜଣାଣ,ଶୁଭେ କମାଣ୍ଡର ର ନିର୍ଦେଶ,ମାନେ ଶେଷ ବର୍ଷର ଜଣେ ଛାତ୍ରଙ୍କ ଚିତ୍କାର,”ଜାତୀୟ ସଙ୍ଗୀତ ସୁରୁ କରେଙ୍ଗେ ସୁରୁଉ..କର୍”।ଆରମ୍ଭ ହୁଏ ଜାତୀୟ ସଙ୍ଗୀତ।ଠିକ୍ ସରିବା କ୍ଷଣେ ପୁଣି କମାଣ୍ଡର ଭାଇଙ୍କର ଶୁଭେ ସ୍ଲୋଗାନ ଆଉ ପରେ ପରେ ଆମେ ମଧ୍ୟ ପାଳି ଧରୁ,”ସର୍ବେ ଭବନ୍ତୁ ଶୁଖିନଃ,ସର୍ବେ ସନ୍ତୁ ନିରାମୟା,ସର୍ବେ ଭଦ୍ରାଣୀ ପସ୍ୟନ୍ତୁ,ମା କଶ୍ଚିତ ଦୁଃଖ ଭାଗ ଭାବେତ”…..ପରେ ଭାଙ୍ଗେ ସଭା,ଶନିବାର ହୋଇଥିଲେ ଡ୍ରିଲ କ୍ଲାସ ଚାଲ ନହେଲେ ସୋମବାର ହୋଇଥିଲେ କିଛି ସମୟ ଛିଡା ହୁଅ ଆଉ ନଖ କାଟି ଆସିଛ କି ନାହିଁ ଦେଖାଇ କରି ଯାଅ ,ନଖ ନ କଟିଲେ ଆଣ୍ଠେଇ ପଡ।ଆଉ ଅନ୍ୟଦିନ ସବୁ ସମାନ।

ପ୍ରାଥନା ସଭା ପରେ ସଭିଏଁ ଟିକେ ବୁଲି ଆସନ୍ତି ସ୍କୁଲ ଚାରିପଟ,କେଜାଣି କୋଉ ସୁଖ ମିଳେ କିନ୍ତୁ ବୁଲିବା ଭିତରେ ଏ କ୍ଲାସ ସେ କ୍ଲାସ ହୋଇ ନିଜ କ୍ଲାସ ରେ ପହଁଚିବାର ମଜ଼ା ହିଁ କିଛି ଅଲଗା ଥାଏ।ବିଦ୍ୟା ଆରମ୍ଭର ପ୍ରଥମ ଘଣ୍ଟି ଟଂ କି ଶୁଭେ ଆଉ କ୍ଲାସ ପୁରା ଗରମ ଥାଏ,ସବୁଦିନ ଚାଲେ ପାଟିତୁଣ୍ଡ କାଗଜ ଫୋପଡା ଫୋପାଡ଼ି,ପେନ୍ ମୁନରେ କେଞ୍ଚା କେଂଚି, ଖାତା ଉପରେ ଗାରା ଗାରି ଏମିତି କେତେ କଣ।ପ୍ରଥମ କ୍ଲାସ ର ଅଧା ସମୟ ବୋଧେ ଏସବୁ ସମସ୍ୟାର ସମାଧାନ ରେ ପଳାଏ।ଆଉ ପ୍ରତିଥର ଭଳି ସାର୍ କହିଯିବେ ବଡ଼ ପିଲା ହେଲାଣି ବଡ଼ ପିଲା ଭଳି ହୋଇ ରହିବା ଶିଖ ଛୋଟ ଛୁଆଙ୍କ ଭଳି ମାଡ଼ ପିଟି କଣ୍ ହେଉଛ!! ପ୍ରତିଦିନର ଏଇ ଗୋଟିଏ କଥା ଆଜି ବି ମନେ ପଡେ।ତା ପରେ ଆରମ୍ଭ ହୁଏ ଦ୍ୱିତୀୟ କ୍ଲାସ ଦ୍ୱିତୀୟ କ୍ଲାସ ଟି ବୋଧେ ଏଇ ଅପେକ୍ଷାରେ ବିତିଯାଏ କି ସାନ୍ ଖେଳଛୁଟି କେବେ ହେବ …ଘଣ୍ଟା କଣ୍ଟା ଟା ବହୁତ ଧୀରେ ଚାଲେ।ଆଉ ଖେଳଛୁଟି ହେଇଗଲା ତ ଦୌଡା ଦୌଡ଼ି ମାର ପିଟି କେତେ କଣ୍ ହେଇଯାଏ ଦୁଇ ମିନିଟରେ।ତା ପରେ ଆଉ କଣ୍ ହୁଏ!!!ପୁଣି ଆରମ୍ଭ ହୁଏ ବୈଠକ କିଏ କାହାକୁ ପିଟିଲା, କିଏ କାହାକୁ କଣ୍ କହିଲା, କିଏ କାହା ବାପା ନାଁ ରେ କଣ୍ କହିଲା!!ଏମିତି କେତେ ଯେ କଥା ନ କହିବା ଭଲ।ପରେ ପରେ ଆସେ ବଡ଼ ଖେଳ ଛୁଟି ମାନେ ଖାଇବା ବେଳର ଛୁଟି, ଯଦି ଘର ପାଖ ତ କଂପିଟିସନ ଲାଗେ କି କିଏ କେତେ ଜଲ୍ଦି ଖାଇକି ଆସିପାରୁଛି ଦେଖିଆ…ଆଉ ଯଦି ଘର ଦୂର ତ ଟିଫିନ କିଏ କଣ ଆଣିଛ ଖୋଲିକି ମାଡ଼ ଗୋଳ ….ନହେଲେ ଘଣ୍ଟି ବାଜୁ ବାଜୁ ଯାଇ ସ୍କୁଲ ରୋଷେଇ ଘର ସାମ୍ନାରେ ଥାଳି ଧରି ମାର ପିଟି କରିବାର କଥା,ଏ ସବୁ ଏବେ ପ୍ରାୟେ ସ୍ମୃତିରେ ସଜାଇ ରଖିବା ଛଡା ଆଉ ଉପାୟ ହିଁ ନାହିଁ।ଖାଇବା ପିଇବା ସରିବା ପରେ ପୁଣି ଟିଅଲ ମୂଳରେ କଳି,ଥାଳି କିଏ ଆଗେ ଧୋଇବ??ତାକୁ ନେଇ ଗୋଟେ ଧସ୍ତା ଧସ୍ତି,ଏ ସବୁର ମଜ଼ା କିଛି ନିଆରା ଥିଲା।ଖାଇବା ସରୁ ସରୁ ଝିଅଙ୍କର ଆରମ୍ଭ ହୁଏ ଏକ କାନିକା,ଗପ ଆଉ ଚାରିକୋଣିଆ ଖେଳ।ପୁଅଙ୍କର ଆରମ୍ଭ ହୁଏ ଲୁଚା ଲୁଚି,ବାଟି, ଆଉ ଡ଼ସ୍ତର ରେ ପିଟା ପିଟି ଖେଳ ଆଉ ଡ଼ସ୍ତର ଚିରିଗଲେ କି ଫାଟିଗଲେ ମନିଟର ଉପରେ ଦୋଷ ଆଉ ସାର୍ ଙ୍କ ଆଗରେ ନାହିଁ ନଥିବା ଅଭିଯୋଗ।ସତରେ ଆଜି ଲେଖୁଛି ସତ କିନ୍ତୁ ଆଖି ଝାପ୍ସା ହେବାରେ ଲାଗିଛି,ଆଉ ବେଳେବେଳେ ତ ଟୋପେ ଟୋପେ ପାଣି ଗଡି ଖାତା କୁ ମୋର ଭିଜେଇ ବି ଦେଉଛି।ଶେଷ କ୍ଲାସ ର ଘଣ୍ଟି ବାଜିବା ପୂର୍ବରୁ ବସ୍ତାନୀ (ବ୍ୟାଗ) ଧରି କବାଟ ଆଗରେ ଛିଡା ହେବା ସବୁ ଆଜି ସ୍ମୃତି ମଧ୍ୟରେ ନିଆରା ସ୍ମୃତି।ଏ ସବୁ ତ ଥିଲା ପ୍ରାଥମିକ ବିଦ୍ୟାଳୟ କଥା ୟା ପରେ ଆରମ୍ଭ ଉଚ୍ଚ ବିଦ୍ୟାଳୟ ର ଗାଥା।

ଉଚ୍ଚ ବିଦ୍ୟାଳୟକୁ ପଦ ଉନ୍ନତି ,ମାନେ ଉଚ୍ଚ ଆଶା ଉଚ୍ଚ ଆକାଂକ୍ଷା ଅନେକ କିଛି।ବୟସ ବଢ଼ିବା ସହିତ ମନର ଭାବନା ଶରୀରର ବୃଦ୍ଧି ଇତ୍ୟାଦି ମଧ୍ୟ ହୋଇ ଯାଇଥାଏ।ଭାବନା ଆସେ କି ଆମେ ଏବେ ବଡ଼ ହୋଇଗଲୁଣି।ଏଇଠି ଆସେ ନିଜକୁ ନିଜେ ଗଢିବାର ପ୍ରଶ୍ନ!କିଏ ନିଜ ଭବିଷ୍ୟତ କୁ ଗଢେ ତ ଆଉ କିଏ ଶିଉଳି ଲଗା ବୟସରେ ଖସଡ଼ି ଯାଏ।ସ୍କୁଲ ର ନୂଆ ନୂଆ ପ୍ରେମ ଏଇଠି ଆରମ୍ଭ ବି ହୁଏ।କିଛି ଜୀବନ ସାରା ରହିଯାଏ ତ ଆଉ କିଛି ଭାଙ୍ଗିଯାଏ।ଏଠି ଆଉ ଝଗଡା ସାର୍ ଙ୍କ ପାଖରେ ପଂହଚେନି ନିଜ ନିଜ ଭିତରେ ସମାଧାନ ହୋଇଯାଏ।କେତେ ପ୍ରେମ ସାଙ୍ଗ ମାନଙ୍କ ସହାୟତା ରେ ଗଢ଼ା ହୁଏ ପୁଣି କେତେ ପ୍ରେମ ଭାଙ୍ଗିଯାଏ ବୋଧେ ସ୍କୁଲ ର କାନ୍ଥ ଆଉ ଚାରିପଟେ ଥିବା ଗଛ ସବୁ ଏହାର ମୁକ ସାକ୍ଷୀ ଥିବେ।ବାସ୍ ଏମିତି ବିତୁବିତୁ ବିଟିଯାଏ ଉଚ୍ଚ ବିଦ୍ୟାଳୟର ପାଠ୍ୟକ୍ରମ ଶେଷ ହୁଏ ବିଦ୍ୟାଳୟର ଜୀବନ।ଶେଷ ବିଦାୟ କାଳୀନ ସଭାରେ ମର୍ମାହତ ହୁଏ ସଭିଙ୍କର ପ୍ରାଣ,କାନ୍ଦି ଉଠେ ଏ ଜୀବନ।ଭବିଷ୍ୟତ ନିର୍ମାଣରେ ଯିଏ ଯାହା ବାଟରେ …ସବୁ ଦେଖା ହେବେ ପ୍ରତିଶୃତି ଦିଅନ୍ତି ହେଲେ କେତେ ଫେରନ୍ତି ଆଉ କେତେ ଅଫେରା ପଥିକ ସାଜି ଯାନ୍ତି।ବସନ୍ତରେ ପତ୍ରଝଡା ଦେଲା ଭଳି ବିଦ୍ୟାଳୟ ନିଜ ପତ୍ର ଗୁଡିକୁ ଝାଡିଦିଏ ଅନ୍ତିମ ପରୀକ୍ଷା ସାଥିରେ ଆଉ ପୁଣି କଅଁଲେ ନୂଆ ପତ୍ର ସାଥିରେ।

_ବିଦ୍ୟାଳୟ, ଏକ ସ୍ମୃତିମୟ କୋଳାହଳ_
*ଅମିତ୍ କୁମାର୍ ସାହୁ (ଛାତ୍ର)*
ଧକୋଠା,ଆନନ୍ଦପୁର,କେଓଁଝର,758015
ଯୋଗାଯୋଗ:-7008872788

One thought on “ପଢନ୍ତୁ ଅମିତ୍ କୁମାର୍ ସାହୁ ଙ୍କ ଗଳ୍ପ ଅନୁଭୁତିରେ ମୋ ବିଦ୍ୟାଳୟ ଏବଂ ପିଲାଦିନ”

Leave a Reply

Your email address will not be published. Required fields are marked *