ଅନୁଭୂତିରେ ମୋ ବିଦ୍ୟାଳୟ ଓ ପିଲାଦିନ

ତାରିଖ- ୨୦/୦୬/୨୦୨୦
ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
************************
ମନେପଡେ ସେହି ବାଲ୍ୟ ଚପଳତାର ଅନ୍ୟ ଏକ ଅଭୁଲା ସ୍ମୃତି । ମୁଁ ସେତେବେଳେ ସପ୍ତମ ଶ୍ରେଣୀର ଛାତ୍ରଥାଏ ଆମ ବିଦ୍ୟାଳୟରେ ଜଣେ ଶିକ୍ଷକ ଥାଆନ୍ତି ତାଙ୍କ ନାମ ସୁବାସ ଚନ୍ଦ୍ର ଶତପଥୀ । ସାର ଭାରି କଡ଼ା ମିଜାଜର ଲୋକ, କଠୋର ଅନୁଶାସନ, ଉତ୍ତମ ଶିକ୍ଷାଦାନ ପାଇଁ ବେଳେ ବେଳେ ସେ ଏମିତି ନିଷ୍ଠୁର ହୋଇଯାଆନ୍ତି ସେ ସ୍ଥାନ,କାଳ,ପାତ୍ର ନ ମାନି ନିର୍ଦ୍ଧୁମ ପ୍ରହାର କରନ୍ତି । ଆମେ ସବୁ ଛାତ୍ର ଛାତ୍ରୀ କିଙ୍କର ପରି ଡରିଥାଉ ତାଙ୍କ ନାଁ ପଡିଲେ ମନରେ ଆତଙ୍କ ସୃଷ୍ଟି ହୁଏ ।
ଦିନେ ସନ୍ଧ୍ୟା ସମୟର କଥା ମୋ ବାବା ଡ୍ରାମା ପ୍ରିୟଲୋକ ସେ ଡ୍ରାମା ନିର୍ଦେଶନା ଦିଅନ୍ତି । କୌଣସି କରଣ ବସତଃ ସେଦିନ ରିହାଲସେଲ ହେଲାନାହିଁ ପ୍ରାୟ ରାତି ଆଠଟା ହେବ ସେ ଘରକୁ ଫେରିଆସିଲେ । ଏପ୍ରିଲ ମାସ ଗରମ ଆରମ୍ଭ ହୋଇଗଲାଣି,ପରୀକ୍ଷା ବି ସରିଯାଇଥାଏ ତେଣୁ ପାଠକୁ ଆଉ ପଢ଼ିବ କିଏ ? । ତେଣେ ଘରେ ବାବା ନାହାନ୍ତି ବୋଉକୁ ତ ଗିତ ରି ନାହିଁ କାରଣ ବଡ଼କରି ଦିଚାରିପଦ ଗାଳିଦେବ,ଛାଡ଼ ତାକୁ ପଚାରେ କିଏ । ମୁଁ ସାଙ୍ଗ ସାଥିଙ୍କ ମେଳରେ ବିଡ଼ି,ସିଗାରେଟ ପାନକରି ଖୁସିରେ ମସଗୁଲ ଥାଏ ଗାଁ ମୁଣ୍ଡ ରୋଡ ପାଖ ପୋଖରୀ ହୁଡାରେ । ଘରକୁ ଫେରି ବାବା ବୋଉକୁ ପଚାରିଲେ ମୋବିଷୟରେ । ସେ ବିଚାରୀ ଲାଚାର ହୋଇ ନିରାଟ ସତ କଥା କହିଦେଲା । ତାପରେ ପରେ ମୁଁ ହଲି ହଲି ପ୍ରାୟ ରାତି ଆଠଟା ହେବ ଘରକୁ ଫେରିଲି । ବାବାଙ୍କ ସାଇକେଲ ଦେଖି ମୋର ହୋସ ଉଡ଼ିଗଲା । କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଡରି ଡରି ଘରକୁ ଗଲି । ସେଦିନ ବାବା ତାଙ୍କ ମନ ଏବଂ ବାଡି ଭାଙ୍ଗିବା ପର୍ଯ୍ୟନ୍ତ ପ୍ରହାରକଲେ । ମୁଁ ମୋ ମାଡ଼ ପାଇଁ ଯେତିକି ଦୁଃଖୀତ ନଥିଲି ମୋ ବୋଉ ଛଢାଇବାକୁ ଆସି ତାରି ଉପରେବି ବର୍ଷଣ ଯନିତ ଦୁଃଖ,ମୋତେ ମର୍ମାହତ କରିଦେଲା । କାରଣ ବିଚାରା ନିର୍ଦୋଷୀଟା ମୋପାଇଁ ବିନା କାରଣରେ ମାଡ଼ଖାଇଲା ।
ତା ପରଦିନ ମୁଁ ସ୍କୁଲକୁ ଗଲି ,ପ୍ରତିଦିନ ପରି ପ୍ରାର୍ଥନା ସଭା ସରିଲା । ଶତପଥୀ ସାର ସ୍କୁଲର ସମସ୍ତ ପିଲାଙ୍କୁ ସେହି ପ୍ରାର୍ଥନା ସଭାରେ “ପଚାରିଲେ, ପିଲେ, “ଆଜି ମୁଁ ତୁମମାନଙ୍କୁ ଗୋଟେ ଅପ୍ରିୟ ସତକଥା ପଚାରିବି ଯଦି ସତ କଥା କହିବ ତାହାହେଲେ କ୍ଷମା କରି ଦେବି । ହାତରେ ବାଡ଼ି ଟିଏ ଧରି ଥାନ୍ତି । ପଚାରିଲେ, “ତୁମମାନଙ୍କ ଭିତରୁ କିଏ ବିଡ଼ି,ସିଗାରେଟ ପିଉଛ ହାତ ଟେକ”। ମୁଁ ବିନା ଦ୍ଵିଧାରେ ପ୍ରଥମେ ମୋ ହାତ ଟେକିଦେଲି । କାରଣ ତା ପୂର୍ବଦିନ ରାତିର ମାଡ଼ର ବ୍ୟଥା ଶରୀରରୁ ଯାଇନଥାଏ । ଖାଲି ସେତିକି ନୁହେଁ ମୋଲାଗି ବୋଉ ମାଡ଼ଖାଇବା କଥା ମନେପଡିଗଲା । ମୁଁ ଜାଣି ପାରିଲି ଏ ସବୁ ବାବାଙ୍କ କରାମତି । ମୋ ଦେଖା ସିଖାରେ ଆମ କ୍ଳାସର ସବୁ ପୁଅପିଲା ହାତ ଟେକିଦେଲେ । ସୌଭାଗ୍ୟର କଥା ସେଦିନ ସେ କାହାରିକୁ ବି ମାରିଲେ ନାହିଁ । ପରନ୍ତୁ ସମସ୍ତଙ୍କୁ ସେଠାରେ ତାଙ୍କ ଦେହ ଛୁଇଁ ଶପଥ କରାଇଦେଲେ ଆମେ ଆମ ଜୀବନରେ ଏପରି ଭୁଲ କାମ ପୁଣି କେବେ କରିବୁନାହି । ସେଇଦନଠୁଁ ମୁଁ ସମ୍ପୂର୍ଣ୍ଣ ପରିଵର୍ତନ ହୋଇଗଲି ଆଜିଯାଏ ଆଉ ସେପରି ଭୁଲ କରିନାହିଁ । କିନ୍ତୁ କିଛି ମନ୍ଦ ପ୍ରକୃତିର ଛାତ୍ର ଅଭ୍ୟାସ ଛାଡ଼ି ପାରିଲେ ନାହିଁ ଆଜି ସେମାନେ ଘୋଡ଼ା ମଦୁଆ ହୋଇ ତଳେ ଗଡୁ ଛନ୍ତି । ଆଉ ଏପରି କିଛି ଗୁରୁ ଦ୍ରୋହୀ,କୃତଘ୍ନ ଛାତ୍ରଙ୍କ ଅପରାଧ ପାଇଁ ବିଚାରା ଶତପଥୀ ସାରଙ୍କ ଅଳ୍ପ ବୟସରେ ଗାଡ଼ି ଦୁର୍ଘଟଣାରେ ଜୀବନ ଛାଡ଼ି ଚାଲିଗଲେ । କିନ୍ତୁ ତାଙ୍କରି ଆଶୀର୍ବାଦ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ,ତାଙ୍କରି ଆଦର୍ଶ ଓ ଶିକ୍ଷାକୁ ପାଥେୟକରି ମୁଁ ମଧ୍ୟ ଶିକ୍ଷକଟେ ହୋଇପାରିଲି । ଏ ହେଲା ମୋ ଜୀବନର ତିକ୍ତ ଅନୁଭୂତିର କିଛି ଅଭୁଲା କଥା ।
*********************************
ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ପୋଷ୍ଟ – କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର, ଗଞ୍ଜାମ,୭୬୧୧୩୧
ଭ୍ରାମ୍ୟଭାଷ- ୯୪୩୮୧୮୯୯୪୮
***********************

Leave a Reply

Your email address will not be published. Required fields are marked *