ଗଳ୍ପ:- ଚିହ୍ନାମୁହଁ

”'”””””'””””””””””””””””””””””””””””””‘””””””””””””

ସରସ୍ବତୀ ନାୟକ

ନରଣପୁର ଗାଁ। ସେଇ ଗାଁର ଶେଷରେ ଥାଏ ନୁଆଁଣିଆ ଚାଳଘରଟିଏ । ଝାଟିମାଟିର ଗୋବରଲିପା କାନ୍ଥ। କିନ୍ତୁ ଭାରି ପରିଷ୍କାର । ଗାଁଆର ଅଧିକାଂଶ ଲୋକ ଚାଷବାସ କରି ପେଟ ପୋଷନ୍ତି। ମଙ୍ଗୁଳୁ ଦ୍ଵିତୀୟ ଶ୍ରେଣୀରେ ପଢ଼େ। ସେଇ ନୁଆଁଣିଆ ଚାଳଘର ତା’ ଶିଶୁସ୍ବପ୍ନର ଉଆସ। ଯେଉଁଠି ସେ ତାର ବୋଉ ସହ ଦିନ ବିତାଏ। ଖାଲି ସେତିକି କାହିଁକି ତାର ଶିକ୍ଷା,ଦୀକ୍ଷା ସବୁକିଛି ତା’ରି ଭିତରେ ସମାହିତ। ବୋଉ ଗୁରୁବାରି ମଧ୍ୟ ସେଇ ଘରେ ପୁଅ ପାଇଁ ଦିନରାତି ସ୍ୱପ୍ନ ଦେଖେ। ମଙ୍ଗୁଳୁ ବାପା ଚାଲିଯିବାର ତିନି ବର୍ଷ ପୁରିଲାଣି। ଯଦିବା ଦାରିଦ୍ର୍ୟ ସେମାନଙ୍କ ପିଛା ଛାଡ଼ିନି। ତଥାପି ବାପ ଥିଲା ପୁଅ ସଭାରେ ନହାରିବା ଭଳି ମଙ୍ଗୁଳୁ ଭାରି ଗେଲ୍ହାରେ ବଢ଼ୁଥିଲା। ବହୁତ ଖୁସୀରେ ଚାଲିଥିଲା ତାଙ୍କ ସଂସାର। ବିଧିର ନିୟମ ବଡ଼ ବିଚିତ୍ର। ବିରି ଉପରେ କୋଳଥ ମାଡ଼ ପରି , ଜ୍ବରରେ ପଡି ବାପା ତାର ମାଆପୁଅଙ୍କୁ ଛାଡି ମୃତ୍ୟୁକୁ ଆପଣେଇଛନ୍ତି

ଏବେ ମାଆପୁଅ ଦୁଇଜଣ। ମାଆ ତା’ର ବାପା ଛାଡିଯାଇଥିବା ମୂଲ୍ୟବାନ ସନ୍ତକ ଓ ଅଧୁରା ସ୍ବପ୍ନକୁ ସାକାର କରିବାକୁ ସର୍ବଦା ଉଦ୍ୟମ କରୁଥାନ୍ତି। ସେଇ ଝାଟିମାଟି ଘରେ ମଙ୍ଗୁଲୁର ଜୀବନରେଖା ଧୀରମନ୍ଥର ଗତିରେ ଗତି କରୁଥାଏ। ମଙ୍ଗୁଳୁ ନରଣପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର। ଭଲ ପାଠ ପଢ଼େ। ଅଭାବରେ ବିଜଡିତ ଜୀବନ ହୋଇଥିଲେ ବି ତାର ସ୍ଵଭାଵ, ବ୍ୟବହାର ଆଦି ଭାରି ମାର୍ଜ୍ଜିତ। ବିଦ୍ୟାଳୟର ସମସ୍ତ ଶିକ୍ଷକ ମଙ୍ଗୁଳୁକୁ ଭଲପାଆନ୍ତି। ପ୍ରତ୍ୟେକ ବାର୍ଷିକ ପରୀକ୍ଷାରେ ମଙ୍ଗୁଳ ହିଁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥାଏ। ଖୁସୀର ସୀମା କହିଲେ ନସରେ। ସେଇ ଖୁସିକୁ ପାଥେୟ କରି ସବୁ ଦୁଃଖ ଲାଘବ ହୋଇଯାଏ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଥାଆନ୍ତି ଗୌରୀଶଙ୍କର ମହାନ୍ତି। ପିଲାଟିର ପାଠ ପଢ଼ାପ୍ରତି ଅହେତୁକ ଆଗ୍ରହ ଦେଖି ସେ ଭାରି ଖୁସି ହୁଅନ୍ତି। ବେଳେବେଳେ ସେ ଆର୍ଥିକ ଓ ମାନସିକ କ୍ଷେତ୍ରରେ ସାହାଯ୍ୟ କରନ୍ତି। ଏମିତି ଏମିତି ମଙ୍ଗୁଳୁ ଦଶମ ଶ୍ରେଣୀ ମଧ୍ୟ ବହୁତ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲା। ଟ୍ୟୁସନ ଖର୍ଚ୍ଚଠୁ ଆରମ୍ଭ କରି ଡ୍ରେସପତ୍ର ସବୁକିଛି ଗୌରୀ ସାର ବହନ କରୁଥାନ୍ତି। ଦିନେବି କୁଣ୍ଠାବୋଧ କରିନାହାନ୍ତି। ତାପରେ ମଙ୍ଗୁଳୁ ଉଚ୍ଚଶିକ୍ଷା ନିମନ୍ତେ ସହରକୁ ଗଲା।

ନିପଟ ମଫସଲରୁ ସହର ଯାତ୍ରା ।

ଭାରି ଆଚମ୍ବିତ ହୁଏ ମଙ୍ଗୁଳୁ ଓ ତା’ର ମା। କେବେବି ସ୍ୱପ୍ନରେ ସୁଧା ଭାବିନଥିଲେ ଏଇ ଝାଟିମାଟିର ଚାଳଘରେ ବଢିଥିବା ପିଲାଟି କେବେ ସହରର ଚାକଚିକ୍କଣ ଘରେ ନିଜର ଭବିଷ୍ୟତ ଗଠନ ନିମନ୍ତେ ପହଂଚିପାରିବ!

ଯାହାବି ହେଉ ଶିକ୍ଷକଙ୍କ ଆପ୍ରାଣ ଚେଷ୍ଟା ତା’ରି ପାଇଁ। ମାସ ହେଉହେଉ ଦରମା,ଖାଇବା ଖର୍ଚ୍ଚ ଆଦି ଅନ୍ୟାନ୍ୟ ଖର୍ଚ୍ଚ ତା ପାଖରେ ପହଂଚିଯାଏ। କେବେ ଅଭାବକୁ ଅନୁଭବ କରିହୁଏନା। ଏମିତି ବି ଗୌରୀ ସାର ଅବସର ନେଲାପରେ ମଧ୍ୟ ମଙ୍ଗୁଳୁ ସବୁ ସାହାଯ୍ୟ ପାଏ। ବାପାର ଅଭାବ ବି ଦିନେ ଚିନ୍ତା କରିନି ସେ। ଯୁକ୍ତ-୨ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେଲା। ବିଜ୍ଞାନ ଛାତ୍ର ହୋଇଥିବା ଦୃଷ୍ଟିରୁ ସେ ଡାକ୍ତରୀ ପଢ଼ିବାକୁ ମନ ବଳାଇଲା। ମାତ୍ର ଏତେଗୁଡାଏ ଟଙ୍କା କେଉଁଠୁ ଆସିବ। ତା’ ପାଇଁ ଜନ୍ମଦାତାଙ୍କଠାରୁ ଅଧିକ ପରିଶ୍ରମ କରିଥିବା ଶିକ୍ଷକ ଆଜି ଅବସରପ୍ରାପ୍ତ। କେତେ ଖର୍ଚ୍ଚ ସେ କରିବେ? ଜୀବନର ସାୟାହ୍ନରେ ପାଦ ଥାପିଥିବା ମଣିଷଟି ଆଜି ପରିବାରର ବୋଝକୁ ଠିକସେ ବହିବାକୁ ଅସହ୍ୟ ବୋଧ କଲେଣି। ଏକମାତ୍ର ପୁଅର ବିୟୋଗ ପରେ ସେ ଆହୁରି ଭାଙ୍ଗିପଡିଛନ୍ତି। ତଥାପି ତାଙ୍କର ଉଦ୍ୟମ ଜାରୀ ରହିଲା। ମଙ୍ଗୁଳୁ ଡାକ୍ତରୀ ପାସ କଲା। ପଢ଼ାର ଚାପ ଭିତରେ କିନ୍ତୁ ବିସ୍ମରଣ କରିଥିଲା ଅତି ଆଦରର ସ୍ନେହୀ ମଣିଷ ନିଜର ଭାଗ୍ୟବିଧାତାଙ୍କୁ। ନୂଆ ନୂଆ ନିଯୁକ୍ତି । ତେଣୁ କାର୍ଯ୍ୟଭାର ବି ପ୍ରବଳ। କେଉଁ ଏକ ଆଦିବାସୀ ଉପାନ୍ତ ଅଂଚଳ। ଜମାରୁ ମୁକ୍ତି ମିଳିବାର ନାଆଁ ବି ଧରୁନଥିଲା। ଚାକିରୀର ପାଞ୍ଚବର୍ଷପରେ ତା’ର ସହରରେ ନିଯୁକ୍ତି ହେଲା। ଇତି ମଧ୍ୟରେ ସେ ବହୁତ ଥର ସାରଙ୍କୁ ଖୋଜିଛି

ହେଲେ ସାକ୍ଷାତ ହୋଇନି କି କଥା ବି ହୋଇନି। ଡାକ୍ତର ହେବାଠାରୁ ବେଶ କାମ

ଫୁରସତ ମିଳିନି, କେବେ ଚିନ୍ତା କରିବା ପାଇଁ। ମାଆ ପାଖକୁ ଟଙ୍କା ପଠାଇ କେବଳ ଦାୟିତ୍ୱ ନେଉଛି ବୋଲି ଭାବେ। ଗାଆଁର ମାଟି, ପାଣି,ପବନରେ ନିଜକୁ ଗଢିଥିବା ମଣିଷ ଆଜି ସହରୀକରଣ ହେବା ପରେ ଭୁଲିଯାଇଛି ମାଆର ମମତା

ନିଃସ୍ୱାର୍ଥପର ଭାବେ ସ୍ନେହ ଅଜାଡ଼ିଦେଇଥିବା ତାର ଶିକ୍ଷକଙ୍କୁ। କିନ୍ତୁ ବେଳେବେଳେ ଅସହ୍ୟ କୋହ ତାର ଛାତି ଫଟାଇ ଆଖିର ଲୁହ ହୋଇ ଝରିଆସେ। ସେ ମାୟାରେ ପଡିନି,କିନ୍ତୁ ସମୟ ଅଭାବରୁ ସ୍ମରଣ କରିବା କମ କରିଛି। କେବେ ତାଙ୍କର ସମସ୍ୟା ଅଥବା ସ୍ଥିତିକୁ ବୁଝିବାକୁ ଚେଷ୍ଟା କରିନି। ଏଇଟା ହେଉଛି ତାର ମସ୍ତବଡ ଭୁଲ। ଦିନରାତି ଏକାଠିକରି ତାର ଭବିଷ୍ୟତ ନିର୍ମାଣ ପାଇଁ ଚିନ୍ତା କରୁଥିବା ମଣିଷଙ୍କୁ ସେ ଭୁଲିବାଟା କ’ଣ ଉଚିତ କଥା। ୟାରି ଭିତରେ କିନ୍ତୁ ବହୁତ ପରିବର୍ତ୍ତନ ହୋଇଛି। ସାରଙ୍କ ସ୍ତ୍ରୀଙ୍କର ବି ବିୟୋଗ ଘଟିଛି। ସବୁବେଳେ ସମସ୍ତଙ୍କୁ ଆପଣାର କରିଥିବା ଗୌରୀସାର ଏକବାର ନିଃସଙ୍ଗ ପାଲଟିଛନ୍ତି। ଶରୀର ଅଛି ହେଲେ ମ୍ଳାନ ଆଉ ଶିଥିଳ। ଆଖିକୁ ଠିକରେ ଦେଖାଯାଉନି। ଘରେ କେହି ନଥିବା କାରଣରୁ ଖାଇବାପିଇବା କିଛି ବି ଠିକ୍ ହେଉନି। ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେଣି। ଗଛଭଳି ଦେହଟା ଦାରିଦ୍ର୍ୟର ଦାଉରେ ନଇଁପଡିଛି। ଭାରି କଷ୍ଟରେ ଜୀବନଯାପନ କରୁଛନ୍ତି। କେହି ଦେଖାଶୁଣା ନକରିବାରୁ ସେ ବହୁତ ରୁଗ୍ଣ ଦେଖାଯାଉଛନ୍ତି। ବେସାହାରା ହୋଇପଡିଛନ୍ତି। ସମସ୍ତଙ୍କୁ ଶିକ୍ଷାଦାନ ଦେଇ ବାଟ ଦେଖାଉଥିବା ଅମାୟିକ ମଣିଷଟି ଆଜି ନିଜେ ବାଟ ଖୋଜିବାରେ ଅସମର୍ଥ। ଅନ୍ୟକୁ ଛାଟରେ ସଜାଡିସଜାଡ଼ି ନିଜେ ଆଜି ସାଧାରଣ ବାଡ଼ିଟିଏକୁ ନିଜର ଶେଷ ସାହାରା ଭାବିଛନ୍ତି। ବହୁତ କଥା ବସି ଭାବୁଛି ମଙ୍ଗୁଳୁ । ଭଗବାନ ତାଙ୍କୁ କ୍ଷମା ଦେବେନି। ଏତେ ବେଇମାନ ସେ କେମିତି ହେଲା ! ରୋଗୀ ଆସୁଥାନ୍ତି,ଯାଉଥାନ୍ତି। ତା ଭିତରେ ବି ସେ ସାରଙ୍କ କଥା ବହୁତ ମନେ ପକାଉଥାଏ।

ବିଦ୍ୟାଳୟର ପ୍ରତିଟି କଥା କାହିଁକି ଜୋରେ ମନେପଡୁଛି । ସେପଟେ ରୋଗୀଙ୍କର ଗହଳ ଚହଳ। ସମସ୍ତେ ଆଲୋଚନା କରୁଛନ୍ତି, ଏଇ ଯେଉଁ ନୂଆ ଡାକ୍ତର ବହୁତ ଭଲ। ଦୁଃଖୀଙ୍କର ଦୁଃଖ ବୁଝନ୍ତି। ଡାକ୍ତରଖାନାରୁ ଯିବାପରେ ଘରେ ମାଗଣାରେ ରୋଗୀ ଦେଖୁଛନ୍ତି। ସତରେ ଗରିବଙ୍କର ଭଗବାନ ଇଏ। ଏସବୁ କଥା ପାଖରେ ଥିବା ବୃଦ୍ଧବ୍ୟକ୍ତି ଶୁଣୁଥାନ୍ତି। ହଠାତ ବାହାରେ ପ୍ରବଳ ଭିଡ଼ ଜମିଲା। ସମସ୍ତେ ହୋହଲ୍ଲା କରିଲେ। ପଡିଗଲେ ପଡିଗଲେ ଧର ଧର। ହଠାତ ଡାକ୍ତର ମଙ୍ଗୁଳୁଙ୍କ କାନରେ ଏକଥା ପଡ଼ିଲା। ସେ ନିଜର ଷ୍ଟେଥୋ ଟେବୁଲ ଉପରେ ରଖି ବାହାରକୁ ଦୌଡ଼ିଗଲେ। ତାଙ୍କ ସହ ନର୍ସ , ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଗଲେ। ଡାକ୍ତର ଯାଇ ପହଂଚିବାରୁ ଅନ୍ୟମାନେ ଆଡ଼େଇଗଲେ। କ’ଣ ହୋଇଛି ବୋଲି ପଚାରିଲେ। ବୁଢ଼ାଲୋକ ଜଣଙ୍କ ବସିଥିଲେ ହଠାତ ତଳେ ପଡ଼ି ବେହୋସ ହୋଇଗଲେ ବୋଲି ସମସ୍ତେ କହିଲେ। ସଙ୍ଗେସଙ୍ଗେ ପରୀକ୍ଷା କରିବାରୁ ଉଚ୍ଚ ରକ୍ତଚାପ ହୋଇଥିବାର ଜଣାଗଲା।

 

ଏ ସ୍ୱପ୍ନ ନୁହେଁ ତ ! ସେଇ ଏକା ମୁହଁ, ଏକା ଦେହ ଖାଲିଯା ଦୁର୍ବଳ ହୋଇଛି

ଚର୍ମ ନୋଚାକଚା। ମଙ୍ଗୁଳୁର ପାଦତଳୁ ମାଟି ଖସିଗଲା ପରି ମନେହେଲା। ଆଜି ସେ ହାରିଯାଇଛି। ଯାହାପାଇଁ ଶିକ୍ଷାର ଆଲୋକ ପାଇଥିଲା, ସେ ଆଜି ଯନ୍ତ୍ରଣାର ଦ୍ୱାରଦେଶରେ। କେତେ ଅବହେଳା ସେ କରିଛି। ଆଖି ବନ୍ଦ କରି ଶୋଇଥାନ୍ତି ସାର

ପାଦତଳେ ବସି ଅବୋଧ ଛାତ୍ରଟିଏ ଭଳି ଗୁମୁରୁଗୁମୁରି କାନ୍ଦୁଥାଏ । ହଠାତ ସାରଙ୍କର ନିଦ ଭାଙ୍ଗିଲା। ଉଠିପଡ଼ି ଦେଖିଲେ କିଏ ଜଣେ ପାଦତଳେ ବସି କାନ୍ଦୁଛି, ପୁଣି ତାଙ୍କ ପାଦକୁ ଧରି। କହିଲେ କିଏରେ ବାପା ତମେ କଣ ପାଇଁ କାନ୍ଦୁଛ?

ମୋ ଦ୍ୱାରା କିଛି ଭୁଲ ହୋଇଗଲା କି? ମଙ୍ଗୁଳୁ ହାତଧରି ଉଠାଇଦେଲା। ହାତ ଦୁଇଟିକୁ ଧରି କ୍ଷମା ମାଗିଲା । କହିଲା ସାର, ସତରେ କଣ ଆପଣ ଚିହ୍ନିପାରୁନାହାନ୍ତି! ମୁଁ ଆପଙ୍କର ସେଇ ମଙ୍ଗୁଳୁ। ଯାହାକୁ ଆପଣ ଦୁନିଆର ଆଲୋକ ଦେଖାଇଛନ୍ତି। ମତେ କ୍ଷମା କରିଦିଅନ୍ତୁ। ବହୁତ ଅଭିଶାପ ଦିଅନ୍ତୁ। ସେ ଦେହମୁହଁ କଣ ହେଇଛି ? ଗୁରୁମା, ପୁଅ କଣ କରୁଛନ୍ତି ? ସେମାନେ ଆଉ ନାହାନ୍ତିରେ ବାପା। ମୁଁ ସମ୍ପର୍ଣ୍ଣ ଏକା। ଆଖି ବୁଜିବା ପୂର୍ବରୁ ଦେଖା ହୋଇଗଲା, ବହୁତ ଖୁସୀ। ସବୁବେଳେ ତୋରି ଚିନ୍ତା ମୋ ମୁଣ୍ଡରେ ଥିଲା। ଯାହାହେଉ ତୋତେ ଡାକ୍ତରରୂପେ ଦେଖି ମୋ ଆତ୍ମା ଏବେ ଶାନ୍ତିରେ ଛାଡିବ। ମୋର ଆଉ ମୃତ୍ୟୁକୁ ଜମା ଭୟନାହିଁ। ତୋ ପ୍ରଂଶସା ଶୁଣି ଭାରି ଖୁସି ହେଲି। ଯାହାହେଉନା କାହିଁକି ତୋ ଶିକ୍ଷା ଗରିବଙ୍କ ସେବାରେ ଆସିଛି। ମୋ ଶିକ୍ଷାଦାନ ଆଉ ସ୍ନେହକୁ ତୁ ଠିକ୍ କାମରେ ଲଗାଇଛୁ। ହଉ ମତେ ଟିକେ ବାପା ଘରେ ପହଂହାଇ ଦେବୁ କି? ମଙ୍ଗୁଳୁ ପାଟିରେ ହାତ ଦେଇଦେଲା। କହିଲା ଆପଣ ମୋ ଜୀବନର ସବୁକିଛି। ଅଧାବାଟରେ କେମିତି ଛାଡ଼ିଦେବି? ଆପଣ ମୋ ସହିତ ରହିବେ। କିଏ କହିଲା ଆପଣ ବେସାହାରା ମୁଁ ଅଛି ଆପଣଙ୍କର। ଆପଣ ତ ମୋତେ ନିଜ ପିଲାଠାରୁ ଅଧିକ ସ୍ନେହ କରିଛନ୍ତି। ତାର ମୂଲ୍ୟ କେବେବି ଶୁଝିହେବନି। ଯଦି ମୋ ପାଖରେ ରହିବାର ସୁଯୋଗ ଦିଅନ୍ତି, ତେବେ କିଛିକାଂଶରେ ସେବା କରିଛି ବୋଲି ମନେହେବ। ଏ ଦୁନିଆରେ ମୁଁ ଆପଣଙ୍କର *ଚିହ୍ନାମୁହଁ*। କଣ ପାଇଁ ଏକୁଟିଆ ରହିବାକୁ ଆଣ୍ଟ ବାନ୍ଧିଛନ୍ତି। ଗୋଟିଏ ପୁଅ କଣ ଏତିକି କରିବାର ସୁଯୋଗ ପାଇବନି !

 

ନାଁ ଆଉ ତ୍ରାହି ନାହିଁ। ତ କଥାକୁ କାଟି ହେବନାହିଁ। ସେହି ଦିନଠାରୁ ଗୌରୀ ସାର ଓ ମଙ୍ଗୁଳୁ ଏକାଠି ରହିବାର ଶୁଣାଯାଏ। ଶିକ୍ଷକଛାତ୍ର ନୁହନ୍ତି, ବରଂ ବାପା ଆଉ ପୁଅଙ୍କ ଭଳି। ସେମାନେ ସମଗ୍ର ନରଣପୁର ଗାଁ ପାଇଁ ଉଦାହରଣ। *ଚିହ୍ନାମୁହଁ* ବାସ୍ତବରେ ରକ୍ତରେ ନଥାଏ, ବରଂ ଥାଏ ସ୍ନେହ, ଶ୍ରଦ୍ଧା ଆଉ ବାସ୍ତବ ମଣିଷପଣିଆରେ । ଏକଥା ସମସ୍ତେ ବୁଝିନେବା ଦରକାର। ବାଃ ଗୌରୀ ସାର ଆଉ ମଙ୍ଗୁଳୁ। ଆପଣଙ୍କ କଥା ଅଜ୍ଞାନ ସମାଜର ଆଖି ନିଶ୍ଚୟ ଖୋଲିବ।

“”‘”””””””””””””””””””””””””””””””””””””””””””””

ପୁରୀ

୮୮୪୭୮୨୪୭୨୯

 17 total views,  1 views today

Leave a Reply

Your email address will not be published. Required fields are marked *